Categories
ଆଜିର ଖବର ରାଜ୍ୟ ଖବର

ସୋନପୁରକୁ ଗଡିବ ଚାରିଟି ଟ୍ରେନ୍

ଭୁବନେଶ୍ଵର: ବଲାଙ୍ଗିର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ଦୁଇ ଯୋଡି ବଲାଙ୍ଗୀର-ବିଛୁପାଲି ପାସେଞ୍ଜର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସର ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁରରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଭାବେ ଚଳାଚଳ କରି ସେବା ପ୍ରଦାନ କରିବ।

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମୟ ସାରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

ବଲାଙ୍ଗୀର-ବିଛୁପାଲି ପାସେଞ୍ଜର 15 ମାର୍ଚ୍ଚ 2024 ଠାରୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ:

08305/08306 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜର ସୋନପୁରକୁ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ପୂର୍ବାହ୍ନ 08ଘ.15ମି.ରେ ଛାଡି ସୋନପୁରରେ ପୂର୍ବାହ୍ନ 09ଘ.45ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ପୂର୍ବାହ୍ନ 10ଘ.45ମି.ରେ ଛାଡି ମଧ୍ୟାହ୍ନ 12 ଘଟିକାରେ ବଲାଙ୍ଗୀରରେ ପହଞ୍ଚିବ।

08307/08308 ବଲାଙ୍ଗୀର-ବିଛୁପାଲି-ବଲାଙ୍ଗୀର ପାସେଞ୍ଜରକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି। ଏହି ଟ୍ରେନ୍ ବଲାଙ୍ଗୀରରୁ ଅପରାହ୍ନ 12ଘ.50ମି.ରେ ଛାଡି ସୋନପୁରରେ ଅପରାହ୍ନ 02ଘ.20ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ ସନ୍ଧ୍ୟା 05 ଘଟିକାରେ ଛାଡି ସନ୍ଧ୍ୟା 06ଘ.15ମି.ରେ ବଲାଙ୍ଗୀରରେ ପହଞ୍ଚିବ।

15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ନୂତନ ଟ୍ରେନ ପ୍ରଚଳନ:

08309/08310 ବଲାଙ୍ଗୀର-ସୋନପୁର-ବଲାଙ୍ଗୀର ପାସେଞ୍ଜର 15 ମାର୍ଚ୍ଚ 2014 ଠାରୁ ବଲାଙ୍ଗୀରରୁ ସନ୍ଧ୍ୟା 07ଘ.15ମି.ରେ ଛାଡି ସୋନପୁରରେ ସନ୍ଧ୍ୟା 08ଘ.45ମି.ରେ ପହଞ୍ଚିବ।  ଫେରିବା ମାର୍ଗରେ ଏହି ଟ୍ରେନ୍ ସୋନପୁରରୁ 16 ମାର୍ଚ୍ଚ 2024 ଠାରୁ ଭୋର 04ଘ.15ମି.ରେ ଛାଡି ବଲାଙ୍ଗୀର ଠାରେ ସକାଳ 05ଘ.30ମି.ରେ ପହଞ୍ଚିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର-ବଲାଙ୍ଗୀର ଏକ୍ସପ୍ରେସ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ

ଭୁବନେଶ୍ଵର: ବଲାଙ୍ଗୀର ପାର୍ଶ୍ୱରୁ ସୋନପୁର ପର୍ଯ୍ୟନ୍ତ ଟ୍ରେନ୍ ଲାଇନ କାର୍ଯ୍ୟକ୍ଷମ ହେବା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏକ୍ସପ୍ରେସକୁ ସୋନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଏହି ଟ୍ରେନର ପ୍ରାରମ୍ଭିକ ଚଳାଚଳ ଦିବସରେ ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂଦେଓ ସୋନପୁର ଷ୍ଟେସନ ଠାରେ ଏହି ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି।

12893 ଭୁବନେଶ୍ୱର-ବଲାଙ୍ଗୀର-ସୋନପୁର ଏକ୍ସପ୍ରେସ ବାଲାଙ୍ଗୀରରେ ପହଞ୍ଚିବା ପରେ ଅପରାହ୍ନ 01ଘ.45ମି.ରେ ସୋନପୁର ଅଭିମୁଖେ ଯାତ୍ରା କରିବ ଏବଂ ଅପରାହ୍ନ 03ଘ.15ମି.ରେ ସୋନପୁରରେ ପହଞ୍ଚିବ। ଫେରିବା ମାର୍ଗରେ 12894 ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସ ସୋନପୁରରୁ ଅପରାହ୍ନ 01 ଘଟିକାରେ ଛାଡି ଅପରାହ୍ନ 02ଘ.25ମି.ରେ ବାଲାଙ୍ଗୀରରେ ପହଞ୍ଚିବ। ଏହି ଟ୍ରେନ୍ ଅପରାହ୍ନ 02ଘ.45ମି.ରେ ବାଲାଙ୍ଗୀର ଷ୍ଟେସନରୁ ଛାଡି ରାତ୍ରି 09ଘ.45ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ଏହି ଟ୍ରେନ 14.03.2024 ଠାରୁ ସୋନପୁର ରୁ ଏବଂ 15.03.2024 ଠାରୁ ଭୁବନେଶ୍ୱରରୁ ନିୟମିତ ଚଳାଚଳ କରି ସେବା ପ୍ରଦାନ କରିବ।

12893/12894 ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଏକ୍ସପ୍ରେସର ସମେସରଣୀ ଓ ରହଣି ଷ୍ଟେସନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଅପରିବର୍ତ୍ତିତ ରହିବ। ବଲାଙ୍ଗୀର ଏବଂ ସୋନପୁର ମଧ୍ୟରେ ଏହି ଟ୍ରେନ୍ ବିଛୁପାଲି, ଝରତରଭା ଏବଂ ନରସିଂହଗଡ଼ ରେଳ ଷ୍ଟେସନରେ ରହଣି କରିବ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିର ଓ ସୁବର୍ଣ୍ଣପୁରରେ କାର୍ତ୍ତିକ ପାଣ୍ଡିଆନ, ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ବାଣ୍ଟିଲେ ସଫଳତାର ମନ୍ତ୍ର

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠପଢି ମଧ୍ୟ ଭଲ କ୍ୟାରିଅର କରିହେବ ଏବଂ ଶୀର୍ଷକୁ ଯାଇ ହେବ। ଏହି ବାର୍ତ୍ତା ଦେଇଛନ୍ତି ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି। କଠିନ ପରିଶ୍ରମ ହିଁ ସଫଳତାର ସୂତ୍ର।

କଠିନ ପରିଶ୍ରମର ବିକଳ୍ପ ନାହିଁ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ପଢି ଆଜି ସଫଳତାର ଶୀର୍ଷରେ ଥିବା କିଛି ବ୍ୟକ୍ତଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।
ଏ ଅବସରରେ ସଫଳ ଉଦ୍ୟୋଗୀ ସୁବ୍ରତ ବାଗଚିଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପାଟଣାଗଡ଼ରେ ୧୯୫୭ ମସିହାରେ ଜନ୍ମ ହୋଇଥିଲେ ସୁବ୍ରତ ବାଗଚି।

ପାଟଣାଗଡ଼ରେ ସରକାରୀ ସ୍କୁଲରେ ପାଠ ପଢି ଓଡ଼ିଶା ସେକ୍ରେଟାରିଆଟରେ ଜଣେ କିରାଣୀ ଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ। ଏହାପରେ ଚାକିରି ଛାଡି ଆଇଟି କ୍ଷେତ୍ରରେ ଯୋଗ ଦେଇଥିଲେ। ଆଇଟି ଇଣ୍ଡଷ୍ଟ୍ରିରେ ଯୋଗ ଦେଇ ସେ ଆଜି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ମାଇଣ୍ଡ ଟ୍ରି ଭଳି ଆଇଟି କମ୍ପାନୀ କରି ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି।

ସେହିପରି ଆଉ ଜଣେ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା। ସୁବର୍ଣ୍ଣପୁର ଜିଲ୍ଲାର ଏହି ବ୍ୟକ୍ତିତ୍ବ ଗାଁ କଲେଜରେ ପାଠ ପଢୁଥିଲେ। ଯୁକ୍ତ ଦୁଇ ଫେଲ ହୋଇଯିବା ପରେ ସେ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ସିନେମାଟୋଗ୍ରାଫି ଶିକ୍ଷା ନେଇଥିଲେ। କଠିନ ପରିଶ୍ରମ ବଳରେ ସେ ଆଜି ଭାରତୀୟ ସିନେମା ଜଗତର ଜଣେ ଆଗ ଧାଡ଼ିର ନିର୍ଦ୍ଦେଶକ। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି ନୀଳମାଧବ। ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଉ ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଜଷ୍ଟିସ ସଂଜୟ ମିଶ୍ର। ବଲାଙ୍ଗିର ପୃଥ୍ବୀରାଜ ସରକାରୀ ହାଇସ୍କୁଲରୁ ପାଠ ପଢି ସେ ଝାରଖଣ୍ଡର ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇପାରି ଥିଲେ। ବଲାଙ୍ଗିରର ସେଇ ପୃଥ୍ବୀରାଜ ହାଇସ୍କୁଲରୁ ପାଠ ପଢିଥିବା ଅରୁଣ ଷଡ଼ଙ୍ଗୀ ଆଜି ଓଡିଶାର ପୋଲିସ ଡିଜି ପାହ୍ୟାକୁ ଯାଇପାରିଛନ୍ତି।

ଆଉ ଜଣେ ଆତ୍ମବିଶ୍ବାସର ଭରପୁର ଥିବା ବ୍ୟକ୍ତିତ୍ବ ପାୟଲଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ଦୁର୍ଘଟଣାରେ ତାଙ୍କର ଦୁଇ ହାତ ଓ ଗୋଡ଼ ସେ ହରାଇଛନ୍ତି। ତେବେ ପାୟଲଙ୍କ ଭିତରେ ଥିବା ଗଭୀର ଆତ୍ମବିଶ୍ବାସ ତାଙ୍କୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ଦେଇଛି ଶକ୍ତି। ପାରା ଆଥଲେଟିକ୍ ପାଇଁ ଅଭ୍ୟାସ କରୁଛନ୍ତି ବଲାଙ୍ଗିର ଝିଅ ପାୟଲ। ନିକଟରେ ସେ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଛନ୍ତି।

ନିଜେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇପାରିଥିଲେ ବୋଲି ପାଣ୍ଡିଆନ ପିଲାମାନଙ୍କୁ କହିଥିଲେ। ପ୍ରତିଦିନ ୨୦ କିଲୋମିଟର ସାଇକଲ ଚଳାଇ ସ୍କୁଲକୁ ଯା ଆସ କରୁଥିଲେ। ସରକାରୀ ସ୍କୁଲରେ ପାଠପଢି କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ବଳରେ ଏ ସମସ୍ତେ ଆଜି ସଫଳତା ହାସଲ କରି ସଫଳ ବ୍ୟକ୍ତିତ୍ବର ପରିଚୟ ପାଇଛନ୍ତି।

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶର ଉନ୍ନତି ଲାଗି ଏହି ନୂଆ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ କରିଛନ୍ତି। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କ ଜୀବନର ଗୋଲଡେନ ପିରିୟଡରେ ଅଛନ୍ତି। ୫ବର୍ଷରେ ଯାହା କରିବେ ତା ଉପରେ ନିର୍ଭର କରିବ ଆଗାମୀ ୫୦ ବର୍ଷ କେମିତି କଟିବ। ସଫଳତା ଲାଗି ପାଠ ପଢିବା ଜରୁରୀ। ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାକୁ ପଡିବ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। କୋ-କରିକୁଲାର କାର‌୍ୟ୍ୟକ୍ରମରେ ଭାଗ ନେଲେ ସେମାନଙ୍କର ବ୍ୟକ୍ତିତ୍ବର ସାମଗ୍ରିକ ଉନ୍ନତି ହେବ। ସଫଳ ହେବାକୁ ହେଲେ ବ୍ୟକ୍ତିତ୍ବ ବିକାଶ କରିବାକୁ ପଡିବ। ସେଥିଲାଗି ବିଭିନ୍ନ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ ଛାତ୍ରଛାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ଏହି ଚିନ୍ତାଧାରାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ ପ୍ଲାଟଫର୍ମ ଦେଇଛନ୍ତି।

କଠିନ ପରିଶ୍ରମ କରିବାକୁ ହେଲେ ଆପଣମାନଙ୍କୁ ସୁସ୍ଥ ରହିବାକୁ ପଡିବ। ସୁସ୍ଥ ରହିବାକୁ କମରେ ୩୦ମିନିଟ ଶାରୀରିକ ବ୍ୟାୟାମ ସହ ମସ୍ତିସ୍କର ବିକାଶ ଲାଗି ୧୫ ମିନିଟଧ୍ୟାନ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏ ଫିଟ ବଡି ଗିଭ୍ ଫିଟ୍ ମାଇଣ୍ଡ୍। ସୁସ୍ଥ ରହିଲେ ମନ ସୁସ୍ଥ ରହିବ ଏବଂ ପରିଶ୍ରମ କରିପାରିବେ। ଭବିଷ୍ୟତ ଉଜ୍ଜଳ କରିବାକୁ ହେଲେ ଦିନରାତି ଏକ କରି ପଢିବାକୁ ପଡିବ। କଠିନ ପରିଶ୍ରମ କରିବା ସହ ବାପା ମା ଓ ଗୁରୁଜନଙ୍କ କଥା ମାନିବାକୁ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ୍ ପ୍ରୋଜେକ୍ଟର ସୋନପୁର – ଖମ୍ବେଶ୍ବରପଲ୍ଲୀ ସେକ୍ସନର କମିଶନିଙ୍ଗ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ଖମ୍ବେଶ୍ୱରପଲ୍ଲୀ ମଧ୍ୟରେ 10.50 କିଲୋମିଟର ବିଶିଷ୍ଟ ବ୍ରଡ୍ ଗେଜ୍ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

କମିଶନର୍ ରେଳ ସୁରକ୍ଷା (CRS) 29 ଡିସେମ୍ବର 2023 ରେ ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ ଯାଞ୍ଚ କରି ବିଭାଗର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

CRS ନୂତନ ଭାବେ ନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ର ସୁରକ୍ଷା ପାରାମିଟର ଯାଞ୍ଚ କରିବା ପରେ 301 କିଲୋମିଟର ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ୍ ପ୍ରୋଜେକ୍ଟର 10.50 କିଲୋମିଟର ସୋନପୁର – ଖମ୍ବେଶ୍ବରପଲ୍ଲୀ ସେକ୍ସନ ଲାଇନକୁ ଫିଟ୍ ଘୋଷଣା କରିଛନ୍ତି।

ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଯାଞ୍ଚ ସମୟରେ CRS ଙ୍କୁ ସାହାଯ୍ୟ କରିଥିଲେ।

ମୋଟାମୋଟି ଭାବେ, 301 କିଲୋମିଟରରୁ 152.805 କିଲୋମିଟର ରେଳ ଲାଇନ କାମକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କରୁଛି।

ପୂର୍ବତଟ ରେଳ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଶୀଘ୍ର ପ୍ରକଳ୍ପ ଶେଷ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବରୁ ବଲାଙ୍ଗୀରରୁ ଝାରତରବା ପର୍ଯ୍ୟନ୍ତ ରେଳ ଲାଇନର ଦୁଇଟି ବିଭାଗ ଉତ୍ସର୍ଗ କରିଥିଲେ।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ପ୍ରାଥମିକତା ଦେଇ ଆସୁଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଚାଲିଥିବା କାର୍ଯ୍ୟର ସ୍ଥିତି ସମୀକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବଂ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ସଂପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାରର ଦିଘା ଓ ସୋନପୁରକୁ ସଂଯୋଗ କରୁଥିବା ଗଙ୍ଗା ନଦୀ ଉପରେ ସେତୁ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଗଙ୍ଗା ନଦୀ ଉପରେ ନୂତନ ୪୫୫୬ ମିଟର ଲମ୍ବ, ୬-ଲେନ୍ ହାଇ ଲେଭଲ/ ଏକ୍ସଟ୍ରା ଡୋଜ୍ କେବୁଲ୍ ଷ୍ଟେଡ୍ ବ୍ରିଜ୍ (ଦୀଘା-ସୋନପୁର ରେଳ-ତଥା ରୋଡ୍ ସେତୁର ପଶ୍ଚିମ ପାର୍ଶ୍ୱର ସମାନ୍ତରାଳ) ଏବଂ ବିହାର ରାଜ୍ୟର ପାଟନା ଏବଂ ସାରଣ (ଜାତୀୟ ରାଜପଥ-୧୩୯ଡବ୍ଲ୍ୟୁ)ରେ ଉଭୟ ପାର୍ଶ୍ୱରେ ଇପିସି ମୋଡରେ ନିର୍ମାଣ ପାଇଁ ଅନୁମୋଦନ ପ୍ରଦାନ କରିଛି।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ପ୍ରକଳ୍ପ ପାଇଁ ମୋଟ ୩,୦୬୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଏଥିରେ ୨,୨୩୩.୮୧ କୋଟି ଟଙ୍କାର ବେସାମରିକ ନିର୍ମାଣ ଖର୍ଚ୍ଚ ରହିଛି।

ହିତାଧିକାରୀଙ୍କ ସଂଖ୍ୟା:

ଏହି ସେତୁ ଯାତାୟତକୁ ଦ୍ରୁତ ଏବଂ ସହଜ କରିବ ଯାହା ଫଳରେ ରାଜ୍ୟ, ବିଶେଷ କରି ଉତ୍ତର ବିହାରର ସାମଗ୍ରିକ ବିକାଶ ହୋଇପାରିବ।

ବିବରଣୀ:

ଦୀଘା (ଗଙ୍ଗା ନଦୀର ପାଟନା ଏବଂ ଦକ୍ଷିଣ କୂଳରେ ଅବସ୍ଥିତ) ଏବଂ ସୋନପୁର (ସାରଣ ଜିଲ୍ଲାର ଗଙ୍ଗା ନଦୀର ଉତ୍ତର କୂଳରେ ଅବସ୍ଥିତ) ବର୍ତ୍ତମାନ କେବଳ ହାଲୁକା ଯାନ ପରିବହନ ପାଇଁ ଏକ ରେଳ ତଥା ରୋଡ୍ ବ୍ରିଜ୍ ଦ୍ୱାରା ସଂଯୁକ୍ତ। ତେଣୁ ବର୍ତ୍ତମାନର ରାସ୍ତାକୁ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ, ଯାହା ଏକ ବଡ଼ ଅର୍ଥନୈତିକ ଅବରୋଧ। ଦୀଘା ଓ ସୋନପୁର ମଧ୍ୟରେ ଥିବା ଏହି ପୋଲ ନିର୍ମାଣ ହେଲେ ପ୍ରତିବନ୍ଧକ ଦୂର ହେବ। ସେତୁ ନିର୍ମାଣ ହେବା ପରେ ଦ୍ରବ୍ୟ ଏବଂ ସାମଗ୍ରୀ ପରିବହନ କରାଯାଇପାରିବ, ଯାହା ଏହି ଅଞ୍ଚଳର ଅର୍ଥନୈତିକ ସମ୍ଭାବନାକୁ ବୃଦ୍ଧି କରିବ।

ଏହି ସେତୁ ପାଟନାରୁ ସୁବର୍ଣ୍ଣ ଚତୁର୍ଭୁଜ କରିଡରକୁ ଔରଙ୍ଗାବାଦ ଏବଂ ସୋନପୁର (ଜାତୀୟ ରାଜପଥ-୩୧), ଛପ୍ରା, ମୋତିହାରୀ (ପୂର୍ବ-ପଶ୍ଚିମ କରିଡର ପୁରୁଣା ଜାତୀୟ ରାଜପଥ-୨୭), ବେଟିଆ (ଜାତୀୟ ରାଜପଥ-୭୨୭)ରେ ଜାତୀୟ ରାଜପଥ-୧୩୯ ମାଧ୍ୟମରେ ସିଧାସଳଖ ସଂଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ବୁଦ୍ଧ ସର୍କିଟର ଏକ ଅଂଶ ଅଟେ। ଏହା ବୈଶାଳୀ ଏବଂ କେଶରୀୟାଠାରେ ଥିବା ବୁଦ୍ଧ ସ୍ତୁପକୁ ଉନ୍ନତ ସଂଯୋଗ ପ୍ରଦାନ କରେ। ଏହାବ୍ୟତୀତ ଜାତୀୟ ରାଜପଥ-୧୩୯ଡବ୍ଲୁ ଅତ୍ୟନ୍ତ ପ୍ରସିଦ୍ଧ ଅରେରାଜ ସୋମେଶ୍ୱର ନାଥ ମନ୍ଦିରକୁ ସଂଯୋଗ ପ୍ରଦାନ କରିଥାଏ ଏବଂ ପୂର୍ବ ଚମ୍ପାରଣ ଜିଲ୍ଲାର କେଶରିଆଠାରେ ପ୍ରସ୍ତାବିତ ବିରାଟ ରାମାୟଣ ମନ୍ଦିର (ବିଶ୍ୱର ସର୍ବବୃହତ ଧାର୍ମିକ ସ୍ମାରକୀ) କୁ ସଂଯୋଗ କରେ।

ଏହି ପ୍ରକଳ୍ପ ପାଟନାରେ ଆସୁଛି ଏବଂ ଏହା ରାଜ୍ୟ ରାଜଧାନୀ ମାଧ୍ୟମରେ ଉତ୍ତର ବିହାର ଏବଂ ବିହାରର ଦକ୍ଷିଣ ଭାଗକୁ ଉନ୍ନତ ସଂଯୋଗ ପ୍ରଦାନ କରିବ। ଏହି ସେତୁ ଯାନବାହନ ଚଳାଚଳକୁ ତ୍ୱରାନ୍ୱିତ ଓ ସହଜ କରିବ ଯାହା ଫଳରେ ଏହି ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିବ । ଅର୍ଥନୈତିକ ବିଶ୍ଳେଷଣ ଫଳାଫଳ ଆଧାର ମାମଲାରେ ଇଆଇଆରଆର ୧୭.୬% ଏବଂ ୧୩.୧% ସବୁଠାରୁ ଖରାପ ମାମଲା ଯାହା ଦୂରତା ଏବଂ ସମୟର ସଞ୍ଚୟ ପାଇଁ ଦାୟୀ ହୋଇପାରେ।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ନିର୍ମାଣ ଓ କାର୍ଯ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ୫ଡି-ବିଲ୍ଡିଂ ଇନଫର୍ମେସନ୍ ମଡେଲିଂ (ବିଆଇଏମ୍), ବ୍ରିଜ୍ ହେଲ୍ଥ ମନିଟରିଂ ସିଷ୍ଟମ୍ (ବିଏଚ୍ଏମ୍ଏସ୍), ମାସିକ ଡ୍ରୋନ୍ ମ୍ୟାପିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଇପିସି ମୋଡରେ ଏହି କାର୍ଯ୍ୟ କାର୍ଯ୍ୟକାରୀ କରାଯିବ।

ନିର୍ଦ୍ଧାରିତ ତାରିଖଠାରୁ ୪୨ ମାସ ମଧ୍ୟରେ ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରୋଜଗାର ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ:

୧- ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଦ୍ରୁତ ଯାତାୟାତ ପ୍ରଦାନ କରିବା ଏବଂ ବିହାରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଉନ୍ନତ ସଂଯୋଗ ପ୍ରଦାନ କରିବା। ଏହିପରି, ସମଗ୍ର ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।

୨- ପ୍ରକଳ୍ପର ନିର୍ମାଣ ଓ ରକ୍ଷଣାବେକ୍ଷଣ ସମୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଅନ୍ତର୍ଭୁକ୍ତ ରାଜ୍ୟ/ଜିଲ୍ଲା:

ଏହି ସେତୁ ବିହାରର ଗଙ୍ଗା ନଦୀ ଦେଇ ଦକ୍ଷିଣ ପାର୍ଶ୍ୱରେ ପାଟନା ଓ ଉତ୍ତର ପାର୍ଶ୍ୱର ସାରଣ ଜିଲ୍ଲାକୁ ସଂଯୋଗ କରିବ।

ପୃଷ୍ଠଭୂମି:

ପାଟନା (ଏମ୍ସ) ନିକଟରେ ଥିବା ୧୩୯ ନମ୍ବର ଜାତୀୟ ରାଜପଥରୁ ଆରମ୍ଭ ହୋଇ ବକରପୁର, ମାଣିକପୁର, ସାହେବଗଞ୍ଜ, ଅରେରାଜକୁ ସଂଯୋଗ କରୁଥିବା ଏହି ରାଜପଥକୁ ବିହାର ରାଜ୍ୟର ବେଟିୟା ନିକଟରେ ଜାତୀୟ ରାଜପଥ-୭୨୭ ସହିତ ସଂଯୋଗ କରି ଶେଷ ହୋଇଥିବା ଏହି ରାଜପଥକୁ ସରକାର ୨୦୨୧ ଜୁଲାଇ ୮ ତାରିଖରେ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ଜାତୀୟ ରାଜପଥ-୧୩୯(ପଶ୍ଚିମ) ଭାବେ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନିରୀକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି ବୁଝିଛନ୍ତି। ତେଲ ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣଧୀନ ରେଳ ବ୍ରିଜ୍ ମଧ୍ୟ ଶ୍ରୀ ଶର୍ମାଙ୍କ ଦ୍ୱାରା ଯାଞ୍ଚ କରାଯାଇଛି।

ଯାଞ୍ଚ ସମୟରେ ଶ୍ରୀ ଶର୍ମା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୁଣାପାଣି ଏବଂ ସୋନପୁରରେ ନୂତନ ଷ୍ଟେସନ୍ ବିଲଡିଂ ଯାଞ୍ଚ କରି ଶ୍ରୀ ଶର୍ମା ଯାତ୍ରୀମାନଙ୍କ ଆରାମ ପାଇଁ ବହୁ ଆବଶ୍ୟକ କରୁଥିବା ପରୀକ୍ଷେତ୍ର ଅଞ୍ଚଳ, କନକୋର୍ସ, ପ୍ଲାଟଫର୍ମ ଆଲୋକ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗରେ ଉନ୍ନତି ଆଣିବା ପାଇଁ ମହାପ୍ରବନ୍ଧକ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ଶର୍ମା ମହାନଦୀର ଏକ ଉପନଦୀ ତେଲ ନଦୀ ଉପରେ ନିର୍ମାଣାଧୀନ ଅତି ଗୁରୁତ୍ୱପୂର୍ଣ୍ଣ ପୋଲକୁ ମଧ୍ୟ ନିରୀକ୍ଷଣ କରିଥିଲେ। ତେଲ ନଦୀର ପ୍ରାକୃତିକ ଜଳ ପ୍ରବାହ ବ୍ୟତୀତ ମହାନଦୀର ପଛୁଆ ଜଳ ତେଲ ନଦୀରେ ପ୍ରବେଶ କରୁଥିବାରୁ ଏହି ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ରେଳବାଇ ପାଇଁ ଏକ ଆହ୍ୱାନ ଅଟେ।

ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖିଛନ୍ତି।  ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ହେଉଛି ପ୍ରାଥମିକ ଦିଆଯାଉଥିବା ଏକ ସାର୍ବଜନୀନ କୈନ୍ଦ୍ରିକ ପ୍ରକଳ୍ପ, ଯାହାକୁ ସର୍ବୋଚ୍ଚ କର୍ତ୍ତୃପକ୍ଷ ନିୟମିତ ଭାବରେ ତଦାରଖ କରୁଛନ୍ତି। ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ସାମାଜିକ-ସାଂସ୍କୃତିକ ସଂଯୋଗକୁ ବୃଦ୍ଧି କରିବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ମୋଟ 142.5 କିଲୋମିଟର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ପ୍ରାୟ 105.8 କିଲୋମିଟର ଏବଂ ବଲାଙ୍ଗୀରରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ 36.6 କିଲୋମିଟର ଦୂରତା ଅନ୍ତର୍ଭୁକ୍ତ। 2023-24 ଆର୍ଥିକ ବର୍ଷରେ ଖମ୍ବେଶ୍ୱରପାଲି ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 84 କିଲୋମିଟର ଦୈର୍ଘ୍ୟ ରେଳ ଲାଇନକୁ ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି।

ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଶ୍ରୀ ପି ଶ୍ରୀନିବାସ, ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଭିନୀତ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମହାପ୍ରବନ୍ଧକ ଶ୍ରୀ ଶର୍ମାଙ୍କ ଯାଞ୍ଚ ସମୟରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମଧ୍ୟ ଜାରି ରହିବ ଶୀତର ପ୍ରକୋପ, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିବ। ତେବେ ସାରା ଓଡିଶାର ନ ହୋଇ କେତେକ ଜିଲ୍ଲାରେ ଏହା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା।

ଗତି 4ଦିନ ଧରି ଓଡିଶାରେ ପ୍ରବଳ ଶୀତ ଅନୁଭୂତ ହେବାରେ ଲାଗିଛି। ଫଳରେ ସଂଧ୍ୟାରୁ ରାସ୍ତାଘାଟ ସବୁ ଶୂନଶାନ ହୋଇପଡୁଛି। କେତେକ ସ୍ଥାନରେ ତୁଷାରପାତ ହେବାର ଜଣାପଡିଛି। ଫୁଲବାଣୀରେ ସବୁଠାରୁ ବେଶୀ ଶୀତ ଅନୁଭୂତ ହୋଇଛି। ତେବେ ଶୁକ୍ରବାର ପରେ ଶୀତର ପ୍ରକୋପ ହ୍ରାସ ପାଇବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ସୋନପୁର ଓ ବୌଦ୍ଧ ଜିଲ୍ଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂହ ଏବଂ ବୌଦ୍ଧରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କାର୍ଯ୍ୟକ୍ରମ ଦ୍ବାରା ଆଜି ରାଜ୍ୟର ଗରିବ ଜନସାଧାରଣ ଟଙ୍କା ଚିନ୍ତାରୁ ମୁକ୍ତ ହୋଇ ଶାନ୍ତିରେ ନିଜ ପରିବାରର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ଓଡିଶାକୁ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ଭାବରେ ପରିଣତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ। ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ।

ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ, ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍‌ପିଟାଲ ପ୍ରତିଷ୍ଠା କରାଯାଉଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିଭଳି ବୌଦ୍ଧ ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ। ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ। ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ।

ଦୁଗ୍‌ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ବାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୧୧ଟି ସହରରେ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି। ୧୧ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୋନପୁରର ତାପମାତ୍ରା ସର୍ବନିମ୍ନ ୯ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨.୦, ବାରିପଦା ୧୨.୪ ଡିଗ୍ରୀ ସେଲସିୟସ୍ ରହିଛି। ଭବାନୀପାଟଣା ୧୨.୮, କୋରାପୁଟ ୧୩.୦, ଝାରସୁଗୁଡା ୧୩.୨, ବଲାଙ୍ଗିରରେ ୧୪ ଓ କଟକରେ ୧୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଭୁବନେଶ୍ୱରର ଟପାମାତ୍ର ୧୬ ଡିଗ୍ରୀ ସେଲସିୟସ୍ ରହିଛି।