
ରମେଶ ମହାନ୍ତି
ଜଗତସିଂହପୁର : ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାବୋଳ ପଞ୍ଚାୟତରେ ସରପଞ୍ଚ ଠିକାଦାରୀ କରିବା ପାଇଁ ମିଶନଶକ୍ତି ଗୃହ ନିର୍ମାଣରେ ମନମାନୀ କରୁଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଆମଗାଁ ଆମବିକାଶ ଯୋଜନାରେ ଅଳାବୋଳ ପଞ୍ଚାୟତରେ ନିର୍ମାଣ ହେବାକୁ ଆସିଥିବା ମିଶନଶକ୍ତି ଗୃହ ପଞ୍ଚାୟତର ମୁଖ୍ୟ ସ୍ଥାନରେ ନିର୍ମାଣ କରିବାକୁ ପଞ୍ଚାୟତର ମହିଳାମାନଙ୍କ ପକ୍ଷରୁ ଦାବି ହେଉଥିବା ବେଳେ ସରପଞ୍ଚ କିନ୍ତୁ ଚଞ୍ଚକତା କରି ଅନ୍ଯ ସ୍ଥାନରେ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଏହି ମିଶନଶକ୍ତି ଗୃହ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ପଞ୍ଚାୟତର ଶତାଧିକ ମହିଳା।
ଏସମ୍ପର୍କରେ ଜେଇଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ମିଶନଶକ୍ତି ଗୃହ ଅଳାବୋଳରେ ନହୋଇ ଧନିଶୋରେ ନିର୍ମାଣ ହେଉଥିବାରୁ ମହିଳାମାନେ ବିରୋଧ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ନିଜେ ଠିକାକାମ କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜେଇଙ୍କୁ ହାତବାରିସି କରି ମହିଳାମାନଙ୍କ ବିରୋଧ ସତ୍ତ୍ୱେ ଏହି କାମକୁ ଆରମ୍ଭ କରିଛନ୍ତି ବୋଲି କୁହାଯାଉଛି। ଏହାକୁ ବିରୋଧ କରି ନାରୀନେତ୍ରୀ ନୀଳିମା ଦାସ, ପ୍ରତିମା ରଥ, ଆରତୀ ଦାସ,ସନ୍ତୋଷିନୀ ସ୍ୱାଇଁ, ଉଷାରାଣୀ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ବାଲିକୁଦା ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି।