ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଧୁନିକ ଟେକ୍ନିକ୍ ବ୍ୟବହାର କରାଯାଉଛି । ଏହି ଟେକ୍ନିକ୍ ଆଧାରରେ ଭଏସ୍ ଟେଷ୍ଟିଂର ଯାଞ୍ଚ ଆରମ୍ଭ କରାଯାଇଛି । ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ଏକ ହଜାର କରୋନା ରୋଗୀଙ୍କ ଭଏସ୍ ଟେଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଛି ।
ଏହି ପ୍ରକ୍ରିୟା ଆଧାରରେ ରୋଗୀଙ୍କ ସ୍ବରରୁ ସମ୍ପୃକ୍ତ ଆକ୍ରାନ୍ତଙ୍କ ଶରୀରରେ କରୋନାର ରିସ୍କ କେତେ ରହିଛି ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନାର ପ୍ରଭାବ କେତେଦୂର ରହିଛି ତାହା ଜଣାପଡିବ ।
ମୁମ୍ବାଇ ପଶ୍ଚିମୀ ଉପନଗରର ନେସ୍କୋ କୋଭିଡ୍ ସେଣ୍ଟରରେ ଆକ୍ରାନ୍ତଙ୍କ ସ୍ବର ନମୁନା ନିଆଯାଇଛି । ଏହି କୋଭିଡ ସେଣ୍ଟରର ଡିନ୍ ଡ. ନୀଲମ୍ ଅନ୍ଦ୍ରାଡେଙ୍କ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କ ସ୍ବରର ନମୁନାକୁ ଏକାଠି କରାଯାଇଛି । ଆସନ୍ତା 15 ଅକ୍ଟୋବର ସୁଦ୍ଧା ପ୍ରାୟ 2000 କରୋନା ଆକ୍ରାନ୍ତଙ୍କ ସ୍ବର ନମୁନା ଏକାଠି କରାଯିବ ।
ଏହା ପରେ ଏହି ନମୁନାକୁ ଇସ୍ରାଏଲ୍ର ଓ୍ବକିଲେସ୍ ହେଲ୍ଥକେୟାର କମ୍ପାନୀ ପାଖକୁ ପଠାଯିବ । ଯାହାର ରିପୋର୍ଟ ଛ ମାସ ମଧ୍ୟରେ ଆସିଯିବ । କରୋନା ସଂକ୍ରମିତଙ୍କ ସ୍ବରରେ କ’ଣ ପରିବର୍ତ୍ତନ ହୋଇଛି । ଏପରିକି ତା’ଙ୍କ ଆଓ୍ବାଜ୍ରେ ରହିଥିବା କମ୍ପନ୍ ଆଦିର ସ୍କ୍ରିନିଂ ଟୁଲ୍ କରାଯିବା । ଏହାର ସମସ୍ତ ଡାଟା କମ୍ପାନୀକୁ ପଠାଯିବ । ଏହା ପରେ କରୋନା ରୋଗୀଙ୍କ ଶରୀରରେ କେତେ ପ୍ରଭାବ ବିସ୍ତାର କରିଛି ତାହା ଜଣାପଡିଯିବ ।
କରୋନା ଟେଷ୍ଟିଂ ପାଇଁ ଏହି ଟେକ୍ନିକ୍ର ପ୍ରୟୋଗ ଆମେରିକା ଓ ଇସ୍ରାଏଲ୍ ଦେଶରେ ଆରମ୍ଭ ହୋଇଛି । ତେବେ ନିକଟତମ ପରୀକ୍ଷଣରୁ ଯାହା ଜଣାପଡିଛି – ଯେଉଁ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି, ସେମାନଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେବା ସହିତ ଫୁସ୍ଫୁସ୍ ଓ ମାଂସପେଶୀଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଫୁସ୍ଫୁସ୍ ଓ ମାଂସପେଶୀ କରୋନା ଦ୍ବାରା ପ୍ରଭାବିତ ହେବା ଦ୍ବାରା ରୋଗୀର ସ୍ବରରେ ପରିବର୍ତ୍ତନ ଘଟିଥାଏ ବୋଲି ଜଣାପଡିଛି । (ଏଜେନ୍ସି)