ଭୁବନେଶ୍ୱର : ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ଆଜି ବାଲେଶ୍ୱର ସଦର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱରବାସୀଙ୍କ ପାଇଁ ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ବାଲେଶ୍ବର ବିକାଶ କଥା ସେ ନିଜେ ବୁଝିବେ ବୋଲି କହିଛନ୍ତି । ବାଲେଶ୍ବର ବିକାଶକୁ ପରବର୍ତ୍ତୀ ସ୍ତରକୁ ନିଆଯିବ, ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନବୀନ । ଏହା ସହ ନବୀନ କହିଛନ୍ତି ଯେ, ‘ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା । କାହାର ଜୀବନକୁ ବିପଦରେ ପକାଇବାକୁ ଚାହାନ୍ତିନି ବୋଲି କହିଛନ୍ତି ନବୀନ । କରୋନାକୁ ଦୃଷ୍ଟିରେ ରଖି ସେ ବାଲେଶ୍ବର ଯାଇନଥିବା କଥା କହିଛନ୍ତି । କୋଭିଡ୍ ସ୍ଥିତି ସ୍ବାଭାବିକ ହେବା ପରେ ସେ ବାଲେଶ୍ବର ଯିବେ ବୋଲି କହିଛନ୍ତି । ଏହି ଅବସରରେ ମହାବାତ୍ୟାକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 21 ବର୍ଷ ତଳେ ଓଡ଼ିଶାରେ ଘଟିଥିବା ପ୍ରକୃତି ତାଣ୍ଡବକୁ ଓଡ଼ିଶାବାସୀ ଭୁଲିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କ ଆତ୍ମବିଶ୍ୱାସ ଯୋଗୁଁ ଆଜି ଓଡିଶା ଆଜି ବିକାଶ ପଥରେ ଆଗେଇଛି । ହେଲେ ଏବେ ବାତ୍ୟା ମୁକାବିଲାରେ ଓଡିଶା ମଡେଲ ହୋଇଛି ବୋଲି କହିଛନ୍ତି ନବୀନ ।