ନୂଆଦିଲ୍ଲୀ : ଚଳିତ ବର୍ଷ ହାଡଭଙ୍ଗା ଶୀତ ନେଇ ଆଇଏମଡି ପକ୍ଷରୁ ପୂର୍ବାନୂମାନ ଲଗାଯାଇଥିଲା । ଏହା ମଧ୍ୟରେ ଦେଶର ରାଜଧାନୀ ନୂଆଦିଲ୍ଲୀ ତାପମାତ୍ରାରେ ଆଉ ଏକ ରେକର୍ଡ ଭାଙ୍ଗିଛି । ଅକ୍ଟୋବର ମାସର ତାପମାତ୍ରାରେ ଦିଲ୍ଲୀ 26 ବର୍ଷର ରେକର୍ଡ ଭାଙ୍ଗିଛି । 26 ବର୍ଷରେ ପ୍ରଥମ ଥର ଲାଗି ଅକ୍ଟୋବର 29 ତାରିଖରେ ତାପମାତ୍ରା ସର୍ବନିମ୍ନ 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଏହା ପୂର୍ବରୁ 1994 ଅକ୍ଟୋବର ମାସରେ ସବୁଠାରୁ କମ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହି ସମୟରେ ତାପମାତ୍ରା ସାଧାରଣତଃ 15 ରୁ 16 ଡିଗ୍ରୀ ରହୁଥିବା ବେଳେ ଚଳିତ ବର୍ଷ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଛୁଇଁଛି । ଶେଷ ଥରପାଇଁ 31 ଅକ୍ଟୋବର 1994 ମସିହାରେ ଦିଲ୍ଲୀର ତାପମାତ୍ରା 12.3 ଡିଗ୍ରୀ ରହିଥିଲା । ସେହିପରି 1937 ମସିହାରେ ସବୁଠାରୁ କମ 9.3 ଡିଗ୍ରୀର ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ଦିଲ୍ଲୀ ପାଣିପାଗ ବିଭାଗ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି । ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଶ୍ରୀବାସ୍ତବ କହିଛନ୍ତି ଯେ, ଚଳିତ ଥର ଏତେ କମ ଓ ସର୍ବନିମ୍ନ ତାପାମାତ୍ରା ଲାଗି କ୍ଲାଉଡ କଭରର ଅଭାବ ହେଉଛି ମୁଖ୍ୟ କାରଣ । ଚଳିତ ସପ୍ତାହରେ ତାପମାତ୍ରା ଆହୁରି ତଳକୁ ଖସିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।(ଏଜେନ୍ସି)