ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆହୁରି ଏକ ମାସ ଯାଏଁ ମନ୍ଦିର ବନ୍ଦ ରହିବ । ମନ୍ଦିରରେ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି । କରୋନା କଟକଣାକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଖୋଲାଯିବ ନାହିଁ। ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଏହି କହିଛନ୍ତି।
ସେହିପରି ପିକ୍ନିକ୍ ସ୍ପଟ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବଣଭୋଜି ସ୍ଥଳୀରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍କୁ ଜିଲ୍ଲା ପ୍ରଶାସନ ଦ୍ଵାରା ବାରଣ କରାଯାଇଛି। ପିକନିକ୍ ସ୍ଥାନକୁ ସ୍ୱଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲଦାରଗଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲାର ସରକାରୀ ଅଧିକାରୀଙ୍କ ଲାଗି ମଧ୍ୟ ନିର୍ଦ୍ଦେଶାଳବୀ ଜାରି ହୋଇଛି । ସରକାରୀ ଅଧିକାରୀ 50 % ଅଫିସରେ ବାକି ସମୟ କ୍ଷେତ୍ର ପରିଦର୍ଶନ କରିବେ । ତିନିମାସ ଲାଗି ସବୁ ଗ୍ରାମରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଗାଁ ଲୋକେ ସେଇଠଇ ପ୍ରମାଣପତ୍ର, ରାଜସ୍ବ ଆଦାୟ, ମ୍ୟୁଟେସନ୍ ସୁବିଧା ପାଇପାରିବେ ।