ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି ଭିତରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର ।
ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ । ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ । ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି । ତାଙ୍କର କୌଣସି ପୁଲିସ ପାୱାର ନାହିଁ । ସେ ତଦନ୍ତ କେମିତି କରିବେ । ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ । ଏହି ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଉ । ଏହି ଘଟଣାରେ ଏସଆଇଟିର ତଦନ୍ତ କରିବାର ଅଧିକାର ନାହିଁ । ଏସଆଇଟି ତଦନ୍ତ ଯାହା କରିବ, ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।