ନୂଆଦିଲ୍ଲୀ: ରାଜ୍ୟ ଆଇଟି ସଚିବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ଏମଇଆଇଟିଓ୍ବାଇ) ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳର ବରିଷ୍ଠ ଅଧିକାରୀମାନଙ୍କ ଏକ ସମ୍ମିଳନୀ ଡିସେମ୍ବର ୧୭ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ସଚିବ ଏସ. କୃଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ସରକାରୀ ସେବାର ଗୁଣବତ୍ତା ବୃଦ୍ଧି, ଡିଜିଟାଲ ବିଭେଦ ଦୂର, ବ୍ୟାକଏଣ୍ଡ ପ୍ରୋସେସର ଅଟୋମେସନ, ଡାଟା ସୁରକ୍ଷା ଓ ସାଇବର ସୁରକ୍ଷା ପଦକ୍ଷେପ ମାଧ୍ୟମରେ ପରବର୍ତ୍ତି ପିଢିର ଡିଜିଟାଲ ରୂପାନ୍ତରଣ ଲାଗି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳମାନଙ୍କ ଡିଜିଟାଲ ଯାତ୍ରାରେ ସହାୟକ ଓ ସହଭାଗୀ ହେବା।
ଡିଜିଟାଲ ପ୍ରଗତି ଓ ସଶକ୍ତିକରଣ
ଏହି ସମ୍ମିଳନୀରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ବ୍ୟତୀତ ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆଇଟି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରାତଃଭୋଜନ ବୈଠକରେ ଉତ୍ତର-ପୂର୍ବାଞ୍ଚଳ ଓ ପାହାଡ଼ିଆ ରାଜ୍ୟ (ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର, ଲଦାଖ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍, ତ୍ରିପୁରା ଓ ଉତ୍ତରାଖଣ୍ଡ)ମାନଙ୍କ ସହ ଆଲୋଚନା ହୋଇଥିଲା। ଭିତ୍ତିଭୂମି ବିକାଶର ଆବଶ୍ୟକତା, ଇ-ଅଫିସ ବ୍ୟବହାର ଓ ବ୍ଲକ ସ୍ତରରେ ଭାରତ-ନେଟ ସଂପ୍ରସାରଣ ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାଛଡ଼ା କ୍ଷମତା ବିସ୍ତାରର ପ୍ରଭାବ ଓ ଅଧିକ ତାଲିମ ଓ ଉଦ୍ୟୋମିତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏମଇଆଇଟିଓ୍ବାଇର ସାଂପ୍ରତିକ ପଦକ୍ଷେପ
ଏହି ଅବସରରେ କେତେକ ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ଏହାର ସଂଗଠନଗୁଡିକ ଦ୍ୱାରା ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପଗୁଡିକ ପ୍ରଦର୍ଶିତ କରିଥିଲେ। ଏହି ଅଧିବେଶନଗୁଡ଼ିକ ମଧ୍ୟରେ ଦିଆଯାଇଥିବା ପ୍ରଭାବୀ ପ୍ରେଜେଣ୍ଟେସନ ମଧ୍ୟରେ ଥିଲା ଆଧାର ବ୍ୟବହାରର ସଂପ୍ରସାରଣ ଓ ଆଧାର ପ୍ରମାଣୀକରଣ, ପଞ୍ଜୀକରଣ ଏବଂ ଅପଡେଟ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟମାନଙ୍କ ସହ ସହଭାଗିତା କରିବା; ଇଣ୍ଡିଆ ଏଆଇ ମିସନ କିପରି ଏକ ଦାୟିତ୍ବବାନ ଓ ସମାବେଶୀ ଅଭିବୃଦ୍ଧିଶୀଳ ଏଆଇ ବାତାବାରଣ ତିଆରି କରିବ; ରାଜ୍ୟମାନଙ୍କ ପାଇଁ ସମନ୍ୱିତ ସାଇବର ସୁରକ୍ଷା ପରିଚାଳନା, ଭାରତ ସରକାରଙ୍କ ଐତିହାସିକ ଡିପିଡିପି ଆଇନ ୨୦୨୩, ଭାରତ ସେମିକଣ୍ଡକ୍ଟର ମିଶନ ମାଧ୍ୟମରେ ଭାରତର ସେମିକଣ୍ଡକ୍ଟର ଇକୋ-ସିଷ୍ଟମର ବିକାଶ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ସମ୍ବନ୍ଧୀୟ ନୀତି ଏବଂ ନିୟାମକ ପ୍ରସଙ୍ଗ ଇତ୍ୟାଦି। ଏହାପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥାପିତ ପଦକ୍ଷେପ ଉପରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ମତାମତ ଓ ପରାମର୍ଶ ନିଆଯାଇଥିଲା।
ନିମ୍ନଲିଖିତ ବିଷୟ ଉପରେ ସ୍ବତନ୍ତ୍ର ଅଧିବେଶନମାନ ଅନୁଷ୍ଠିତ ହୋଇଥିଲା:
– ଡାଟା ମାନକୀକରଣ ଏବଂ ଡାଟା ବିନିମୟ ପ୍ଲାଟଫର୍ମ
– ରାଜ୍ୟ ଡିଜିଟାଇଜେସନ ପ୍ରୟାସକୁ ସୁଦୃଢ଼ କରିବା ଏବଂ ସର୍ଭିସ ଡେଲିଭରି ପୋର୍ଟାଲ ଏବଂ ଜନ ପଞ୍ଜୀକରଣର ମିଶ୍ରଣ
– ଜନ ସେବା ଯୋଗାଣରେ ଉନ୍ନତି ଆଣିବା ପାଇଁ ଉଦୀୟମାନ ଜ୍ଞାନକୌଶଳକୁ ଗ୍ରହଣ କରିବା
ସ୍ତମ୍ଭ ୧ ଅଧୀନରେ ହୋଇଥିବା ଆଲୋଚନାର ବିଷୟ:
ସ୍ତମ୍ଭ ୧ ଅଧୀନରେ ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ ରାଜ୍ୟ ମାନଙ୍କ ସହିତ ଆଲୋଚନା ହୋଇଥିଲା ଯାହାର ବିଷୟ ଥିଲା ସରକାରୀ ବିଭାଗ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ଡାଟା ଆଦାନପ୍ରଦାନ ପାଇଁ ସୁରକ୍ଷିତ ଏବଂ ଗଠନମୂଳକ ପ୍ଲାଟଫର୍ମ ବିକଶିତ କରିବା। ଏହା ମଧ୍ୟ ସୁପାରିଶ କରାଯାଇଥିଲା ଯେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦୃଢ଼ ସାଇବର ସୁରକ୍ଷା ପ୍ରକ୍ରିୟା ଅନୁସରଣ କରନ୍ତୁ ଏବଂ ଡିପିଡିପି ଆଇନର ଅନୁପାଳନ ସୁନିଶ୍ଚିତ କରନ୍ତୁ। ନାଗରିକ-କେନ୍ଦ୍ରୀତ ସେବା ଏବଂ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଦୃଢ଼ ଡାଟା ସୁରକ୍ଷା ପଦକ୍ଷେପ ସହ ମାନକ, ମେସିନ୍-ପଠନଯୋଗ୍ୟ ଫର୍ମାଟର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ସ୍ତମ୍ଭ ୨ ଅଧୀନରେ ହୋଇଥିବା ଆଲୋଚନାର ବିଷୟ:
ସ୍ତମ୍ଭ-୨ରେ ହୋଇଥିବା ଆଲୋଚନାରେ ରାଜ୍ୟଗୁଡ଼ିକର ଡିଜିଟାଇଜେସନ୍ ପ୍ରୟାସକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତାମିଲନାଡୁ, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଲଦାଖ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଇତ୍ୟାଦିର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ରାଜ୍ୟ ଆଇଟି ଏଜେନ୍ସିଗୁଡ଼ିକୁ ସୁଦୃଢ଼ କରିବା, ପାରିବାରିକ ରେଜିଷ୍ଟ୍ରି ସୃଷ୍ଟି କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୁଇପାଖିଆ ତଥ୍ୟ ଆଦାନପ୍ରଦାନକୁ ସହଜ କରିବା ପାଇଁ ସୁପାରିଶ କରାଯାଇଥିଲା। ଆଇଟି ଅଭ୍ୟସ୍ତ ରାଜ୍ୟଗୁଡ଼ିକରେ ଥିବା ଶ୍ରେଷ୍ଠ କାର୍ଯ୍ୟ ସହ ବିଭାଗୀୟ ଡିଜିଟାଇଜେସନର ମାନକୀକରଣ ପାଇଁ ସହମତି ହୋଇଥିଲା, ଯେଉଁଥିରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଏବଂ ଡାଟା ଆନୋନିମାଇଜେସନରେ ଘରୋଇ କ୍ଷେତ୍ରର ସମ୍ପୃକ୍ତି ଉପରେ ସହମତି ଏବଂ ଡିଜିଟାଲ ସମାଧାନ ପ୍ରଚଳନ ପୂର୍ବରୁ ଏବଂ ପରେ ମଧ୍ୟ ନିୟମିତ ଭାବରେ ସଫ୍ଟୱେୟାର ଏବଂ ହାର୍ଡୱେୟାରର ବାଧ୍ୟତାମୂଳକ ସମ୍ପୂର୍ଣ୍ଣ ସୁରକ୍ଷା ଅଡିଟ୍ ଅନ୍ତର୍ଭୁକ୍ତ।
ସ୍ତମ୍ଭ ୩ ଅଧୀନରେ ହୋଇଥିବା ଆଲୋଚନାର ବିଷୟ:
ସ୍ତମ୍ଭ ୩ ଅଧୀନରେ ହୋଇଥିବା ଆଲୋଚନାର ବିଷୟ ଥିଲା ଷ୍ଟାଣ୍ଡାର୍ଡ ଡାଟା ମଡେଲିଂ ଏବଂ ଏଆଇ, ଏମଏଲ, ଆଇଓଟି, ଡ୍ରୋନ ଏବଂ ବ୍ଲକଚେନ୍ ଟେକ୍ନୋଲୋଜିର ବ୍ୟବହାର। ଆଲୋଚନା ସମୟରେ ଏହି ଜ୍ଞାନକୌଶଳକୁ ସାଧାରଣ ଜନତା ତଥା ବିବିଧ ସାମର୍ଥ୍ୟ ଓ ଆବଶ୍ୟକତା ଥିବା ଲୋକମାନଙ୍କ ବ୍ୟବହାର ଉପଯୋଗୀ କରିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ, ଡ୍ରୋନ୍ ବ୍ୟବହାର ଆଦି ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରି ନାଗରିକଙ୍କ ଜୀବନଧାରଣର ମାନ ବୃଦ୍ଧି ସମ୍ପର୍କରେ ବିଚାର ବିମର୍ଷ।
ଆଲୋଚନାରେ ଅଂଶଗ୍ରହଣକାରୀମାନେ ଟେକନଲୋଜୀ ବ୍ୟବହାର କରି ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ସରକାରୀ କାର୍ଯ୍ୟର ଆଧୁନିକୀକରଣ କରି ସେଗୁଡ଼ିକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ସୁଲଭ କରିବା ସହିତ ୨୪ ଘଣ୍ଟିଆ ସୂଚନା ଏବଂ ସେବା ଉପଲବ୍ଧ କରାଇବା ବିଷୟରେ ବିସ୍ତୃତ ଭାବରେ ଲୋଚନା କରିଥିଲେ। ଏହାବ୍ୟତୀତ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଏବଂ ପରିବେଶ ନିରନ୍ତରତା ସମେତ ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଅଧିକ ଅଭିନବ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସରକାରୀ ଅଧିକାରୀମାନେ ସହମତ ହୋଇଥିଲେ ଯେ ନୂଆ ନୂଆ ପ୍ରଯୁକ୍ତିବିଦ୍ୟା ସମାଜରେ ପରିବର୍ତ୍ତନ ଆଣିବା ଏବଂ ଏକ ଭବିଷ୍ୟତ ସୃଷ୍ଟି କରିବାର କ୍ଷମତା ରଖୁଛି ଯେଉଁଥିରେ ଟେକ୍ନୋଲୋଜି ଲୋକମାନଙ୍କୁ ଏକାଠି କରିବ, ଭରସା ବଢାଇବ ଏବଂ ସେମାନଙ୍କ ସ୍ୱାର୍ଥରକ୍ଷା କରିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏସବୁ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବାବେଳେ ଉଦ୍ଭାବନ କରିବେ, ପରିକଳ୍ପନା କରିବେ ଏବଂ ସେମାନଙ୍କର ସ୍ବତନ୍ତ୍ର ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିବେ।
ଡିଜିଟାଲ ପ୍ରଶାସନ ଓ ସହଯୋଗକୁ ସୁଦୃଢ଼ କରିବା ଓ ରାଜ୍ୟମାନଙ୍କ ମଧ୍ୟରେ ସହଯୋଗ
ଆନ୍ଧ୍ରପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ରାଜ୍ୟ ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲାକୁ ଏକ ସାଧାରଣ ଡିଜିଟାଲ ଭିତ୍ତିଭୂମିକୁ ଆଣି ସେମାନଙ୍କ ସହ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକର ଉଦ୍ଦେଶ୍ୟ ଥିଲା ରାଜ୍ୟମାନଙ୍କ ମଧ୍ୟରେ ଡିଜିଟାଲ ସେବା ଯୋଗାଣ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା, ଯାହା ଦ୍ୱାରା ଭବିଷ୍ୟତରେ ଭାରତର ପ୍ରଶାସନ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରତିଷ୍ଠା ହେବ। ସମସ୍ତ ଅଂଶଗ୍ରହଣକାରୀ ଏକ ସମନ୍ୱିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ ଯାହା ଜାତୀୟ ଡିଜିଟାଲ ଭିତ୍ତିଭୂମି ସହିତ ସହଜରେ ସମନ୍ୱିତ ହୋଇପାରିବ।
ଏକ ଉନ୍ନତ ଡିଜିଟାଲ ସଶକ୍ତ ଶାସନ ମଡେଲ ଆଡକୁ ଭାରତର ଯାତ୍ରା ଜାରି ରହିଥିବାବେଳେ, ଏହି ସମ୍ମିଳନୀର ଫଳାଫଳ ଦେଶରେ ଜନସେବା ପ୍ରଦାନର ଭବିଷ୍ୟତ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।