Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୪: ବେଙ୍ଗାଲୁରୁକୁ ସମର୍ଥନ କରିବା ପାଇଁ ଚିନ୍ନାସ୍ୱାମୀରେ ପହଞ୍ଚିଲେ ମହିଳା ଦଳ

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ର ୬୮ ତମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚ୍ ରେ ଜିତିବା ଦଳ ପ୍ଲେ ଅଫ୍ ରେ ପ୍ରବେଶ କରିବ। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ସମର୍ଥନ କରିବା ପାଇଁ ଆରସିବି ମହିଳା ଦଳ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଛନ୍ତି। ମହିଳା ଦଳ ମାତ୍ର ୨ ମାସ ପୂର୍ବରୁ ପ୍ରଥମ ଥର ପାଇଁ ଆରସିବିକୁ ଚାମ୍ପିୟନ କରିଥିଲା।

https://x.com/shreyanka_patil/status/1791824858969526607?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1791824858969526607%7Ctwgr%5Eee2de5f99daf8caf18a9a350cb7bd48fd819cde6%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fipl%2Froyal-challengers-bengaluru-women-team-reach-m-chinnaswamy-stadium-to-support-rcb-against-csk-in-ipl-2024-watch-2693053

ମହିଳା ଦଳର ଅଧିନାୟକ ସ୍ମୃତି ମାନ୍ଧନାଙ୍କ ଠାରୁ ଶ୍ରେୟଙ୍କା ପାଟିଲ ପର୍ଯ୍ୟନ୍ତ ଅନେକ ତାରକା ଖେଳାଳି ସମର୍ଥନ ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ମହିଳା ପ୍ରିମିୟର ଲିଗରେ ଦିଲ୍ଲୀ କ୍ରେୟାପିଟାଲ୍ସରେ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗୁସ୍ ମଧ୍ୟ ମହିଳା ଦଳ ସହ ନଜର ଆସିଛନ୍ତି। ମହିଳା ଦଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Categories
ଆଜିର ଖବର ଜାତୀୟ ଖବର

ଖୁବଶୀଘ୍ର ୯ ହଜାର କୋଟି ଟଙ୍କା ଟପିବ ନିର୍ବାଚନକାଳୀନ ଜବତ ସାମଗ୍ରୀ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଅର୍ଥବଳ ଓ ପ୍ରଲୋଭନ ଉପରେ ନିର୍ବାଚନ କମିଶନଙ୍କ ଦୃଢ଼ ଓ ସମନ୍ୱିତ ଆକ୍ରମଣ ଫଳରେ ଏଜେନ୍ସିଗୁଡ଼ିକ ୮୮୮୯ କୋଟି ଟଙ୍କାର ଉଲ୍ଲେଖନୀୟ ଭାବେ ଜବତ କରିଛନ୍ତି।  ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ସମେତ ପ୍ରଲୋଭନ ବିରୁଦ୍ଧରେ ସତର୍କତା ବଢ଼ାଇବା ଫଳରେ ବଡ଼ ଧରଣର ଜବରଦଖଲ କ୍ରିୟା ଏବଂ କ୍ରମାଗତ ବୃଦ୍ଧି ଘଟିଛି। ଡ୍ରଗ୍ସ ଜବତ ସର୍ବାଧିକ ହୋଇଛି। ବ୍ୟୟ ନିରୀକ୍ଷଣ, ସଠିକ ତଥ୍ୟ ବ୍ୟାଖ୍ୟା ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡିକର ସକ୍ରିୟ ଅଂଶଗ୍ରହଣ କ୍ଷେତ୍ରରେ ଜିଲ୍ଲା ଏବଂ ଏଜେନ୍ସିଗୁଡ଼ିକର ନିୟମିତ ଅନୁସରଣ ଏବଂ ସମୀକ୍ଷା ଯୋଗୁଁ ମାର୍ଚ୍ଚ ୧ ରୁ ଜବରଦଖଲ ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ନିଶା ଦ୍ରବ୍ୟ, ମଦ, ମୂଲ୍ୟବାନ ଧାତୁ, ମାଗଣା ସାମଗ୍ରୀ, ନଗଦ ଟଙ୍କା ଜବତ ହେବା ନିର୍ବାଚନକୁ ବିଭିନ୍ନ ମାତ୍ରାରେ ପ୍ରଭାବିତ କରିଥାଏ, କେତେକ ସିଧାସଳଖ ପ୍ରଲୋଭନ ରୂପେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ ଟଙ୍କା ସଞ୍ଚାଳନର ମାତ୍ରା ହ୍ରାସ କରିଥାଏ ।  ଏହା ଦ୍ୱାରା ବେଆଇନ କାର୍ଯ୍ୟକଳାପରୁ ମିଳିଥିବା ଆୟକୁ ରାଜନୈତିକ ଅଭିଯାନ ସହ ଯୋଡ଼ିବା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଆନେକ୍ସର ଏ ରେ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି।

ଆୟୋଗ ନାର୍କୋଟିକ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଜବତ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଯେଉଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାନଜିଟ୍ ଜୋନ୍ ଥିଲା, ସେମାନେ କ୍ରମଶଃ ଉପଭୋକ୍ତା ଅଞ୍ଚଳରେ ପରିଣତ ହେଉଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଏକ ସମୀକ୍ଷା ଗସ୍ତ ସମୟରେ ନୋଡାଲ ଏଜେନ୍ସିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ‘‘ନିର୍ବାଚନରେ ନିଶା କାରବାର ତଥା ଅର୍ଥର ଭୂମିକାକୁ ମୂଳପୋଛ କରିବା ପାଇଁ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ବିରୋଧରେ ଏଜେନ୍ସିଗୁଡ଼ିକର ସଠିକ ଗୁଇନ୍ଦା ଭିତ୍ତିକ ସହଯୋଗୀ ପ୍ରୟାସ ସମୟର ଆବଶ୍ୟକତା ରହିଛି ଏବଂ ଏହା ଦ୍ୱାରା ଯୁବକମାନଙ୍କ ଭବିଷ୍ୟତ ତଥା ଦେଶକୁ ସୁରକ୍ଷିତ ରଖାଯାଇପାରିବ । “ଡ୍ରଗ୍ସ ଜବତ ର ଅବଦାନ ହେଉଛି ୩୯୫୮ କୋଟି ଟଙ୍କା, ଯାହା କି ମୋଟ ଜବତର ୪୫% ଅଟେ ।

ସିଇସି ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ କମିଶନ, ଇସି ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁଙ୍କ ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜିଙ୍କ ସହ ବୈଠକ କରି ଏନସିବିର ଉତ୍ସର୍ଗୀକୃତ ନୋଡାଲ ଅଫିସରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ବିଶ୍ଳେଷଣ ଭିତ୍ତିକ ସକ୍ରିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେହିଭଳି ଚଳିତ ନିର୍ବାଚନ ସମୟରେ ଡିଆରଆଇ, ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ସକ୍ରିୟ ସଂପୃକ୍ତି ସୁନିଶ୍ଚିତ କରାଯାଇଥିଲା।  ନିର୍ବାଚନ ଘୋଷଣା ହେବାର ଦୁଇ ମାସ ମଧ୍ୟରେ ଏହି ସବୁ ପଦକ୍ଷେପ ଯୋଗୁଁ ବଡ଼ ଧରଣର ଜବତ ହୋଇପାରିଛି।

ଗତ ୩ଟି ପର୍ଯ୍ୟାୟରେ ପ୍ରଚାରର ତୀବ୍ରତା ବଢ଼ୁଥିବାରୁ ପ୍ରଲୋଭନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରୟାସ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସିଇଓ ଓ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ସତର୍କତା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଦ୍ୱାରା ଡ୍ରଗ୍ସ ଏବଂ ଅନ୍ୟାନ୍ୟ ପ୍ରଲୋଭନ ବିରୋଧରେ ଅଭିଯାନ ଜାରି ରହିବ ।

ଗୁଜରାଟ ଏଟିଏସ୍, ଏନସିବି ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଅପରେସନରେ ମାତ୍ର ୩ ଦିନରେ ୮୯୨ କୋଟି ଟଙ୍କାର ୩ଟି ଉଚ୍ଚ ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।

ଅପରେସନ ୧: (ଜବତ – ୬୦୨ କୋଟି ଟଙ୍କା)

ଗୁଜରାଟର ପୋରବନ୍ଦର ଉପକୂଳରୁ ୧୮୦ ନଟିକାଲ ମାଇଲ ଦୂରରେ ଥିବା ଭାରତୀୟ ଜଳସୀମାରେ ୧୪ ଜଣ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ସନ୍ଦିଗ୍ଧ ପାକିସ୍ତାନୀ ମାଛଧରା ଡଙ୍ଗା ଆଲରାଜାକୁ ଏକ ମିଳିତ ବାହିନୀ ଚିହ୍ନଟ କରି ଅଟକାଇଥିଲା। ଗୁଜରାଟ ଏଟିଏସ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଅପରେସନ), ନୂଆଦିଲ୍ଲୀର ମିଳିତ ଟିମ୍ ପ୍ରାୟ ୮୬ କେଜି ଓଜନର ୭୮ ବକ୍ସ ଜବତ କରିଛନ୍ତି ଯାହାକୁ ହିରୋଇନ୍ ବୋଲି ସନ୍ଦେହ କରାଯାଉଛି ଏବଂ ଯାହାର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ 602 କୋଟି ଟଙ୍କା ହେବ। ଅଧିକ ଆଇନଗତ ପ୍ରକ୍ରିୟା ପାଇଁ ଡଙ୍ଗା ଏବଂ କର୍ମଚାରୀମାନଙ୍କୁ ପୋରବନ୍ଦର ଅଣାଯାଇଥିଲା।

ଡ୍ରଗ୍ସ ବୋଝେଇ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍ ଗୁଜରାଟ ଅଟକ ରଖିଛନ୍ତି

 ଅପରେସନ-୨: (ଜବତ-୨୩୦ କୋଟି ଟଙ୍କା)

ଏଟିଏସ୍ ଗୁଜରାଟକୁ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା ଯେ ରାଜସ୍ଥାନ ଓ ଗୁଜରାଟର ୟୁନିଟ୍ ଗୁଡ଼ିକ ମେଫେଡ୍ରୋନ୍ ଭଳି ସାଇକୋଟ୍ରୋପିକ୍ ପଦାର୍ଥର ବେଆଇନ ଉତ୍ପାଦନରେ ସମ୍ପୃକ୍ତ ଅଛନ୍ତି। ଗୁଜରାଟ ଏଟିଏସ୍ ଏବଂ ଏନସିବି (ଅପରେସନ୍) ଦିଲ୍ଲୀର ମିଳିତ ଟିମ୍ ୨୭ ଏପ୍ରିଲ ୨୦୨୪ରେ ଗୁଜରାଟର ଅମରେଲି ଏବଂ ଗାନ୍ଧୀନଗର, ରାଜସ୍ଥାନର ସିରୋହି ଏବଂ ଯୋଧପୁରରେ ଏକକାଳୀନ ଚଢ଼ାଉ କରି ଏନଡିପିଏସ୍ ଆଇନ ଅଧୀନରେ ଏକ ସାଇକୋଟ୍ରୋପିକ୍ ପଦାର୍ଥ ମେଫେଡ୍ରୋନ୍ ଉତ୍ପାଦନରେ ସମ୍ପୃକ୍ତ ବେଆଇନ ଉତ୍ପାଦନ ୟୁନିଟ୍ ଜବତ କରିଥିଲେ। ଚାଲିଥିବା ଅପରେସନରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୋଟ ୨୨ କେଜି ମେଫେଡ୍ରୋନ୍ ପାଉଡର ଓ ୧୨୪ ଲିଟର ମେଫେଡ୍ରୋନ୍ ତରଳ ଆକାରରେ ଜବତ କରାଯାଇଛି। ଜବତ ହୋଇଥିବା ସାଇକୋଟ୍ରୋପିକ୍ ପଦାର୍ଥ ମେଫେଡ୍ରୋନର ମୋଟ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୨୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଅପରେସନ-୩: (୬୦ କୋଟି ଟଙ୍କାର ଜବତ)

ଗୁଜରାଟ ଏଟିସି, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଏନସିବି ୬୦.୫ କୋଟି ଟଙ୍କା ମୂଲ୍ୟର ୧୭୩ କେଜି ହସିଶ ଜବତ କରିଛନ୍ତି

ଗୁଜରାଟ ଏଟିଏସ୍ ଓ ଏନସିବିର ମିଳିତ ଅପରେସନରେ ଗୁଜରାଟରେ ଔଷଧ କାରଖାନା ଠାବ

ଏହି ନିର୍ବାଚନରେ ଡ୍ରଗ୍ସ ବିରୋଧରେ ଅନେକ ଟାର୍ଗେଟ ଆକ୍ସନ ଦେଖିବାକୁ ମିଳିଛି । ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଡ୍ରଗ୍ସ ଜବତ ହୋଇଛି। ୧୭.୦୪.୨୦୨୪ରେ ନୋଏଡା ପୋଲିସ ଗ୍ରେଟର ନୋଏଡାରେ ଡ୍ରଗ୍ସ କାରଖାନାରେ ଚଢ଼ଉ କରିଥିଲା ଯେଉଁଥିରେ ୧୫୦ କୋଟି ଟଙ୍କା ମୂଲ୍ୟର ୨୬.୭ କେଜି ଏମଡିଏମଏ ଔଷଧ ଜବତ କରାଯାଇଥିଲା ଏବଂ ଦୁଇ ଜଣ ବିଦେଶୀ ବଂଶୋଦ୍ଭବଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ସହଯୋଗୀ ମାନଙ୍କର ଜବତ ମଧ୍ୟ ଉଲ୍ଲେଖନୀୟ ରହିଛି  ଏବଂ ୨୦୧୯ ଲୋକସଭା ନିର୍ବାଚନର ସମ୍ପୂର୍ଣ୍ଣ ଜବତକୁ ବଡ଼ ବ୍ୟବଧାନରେ ଟପିଯାଇଛି। ସତର୍କ ଓ ବିସ୍ତୃତ ଯୋଜନା ଏହାର ମୂଳରେ ରହିଛି।

ଇଲେକ୍ସନ ସିଜର ମ୍ୟାନେଜମେଣ୍ଟ ସିଷ୍ଟମ (ଇଏସଏମଏସ) ଅଧୀନରେ ଇଣ୍ଟର-ହାଉସ୍ ଆପ୍ ଅନ୍ତର୍ଗତ ଇଣ୍ଟରସେପ୍ସନ୍ ଏବଂ ଜବତର ରିଅଲ ଟାଇମ୍ ରିପୋର୍ଟିଂ ଫଳରେ ବ୍ୟୟ ନିରୀକ୍ଷଣ ଉପରେ ତ୍ୱରିତ, ନିୟମିତ ଏବଂ ସଠିକ ସମୀକ୍ଷା କରାଯାଇଛି। ଏହାବ୍ୟତୀତ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ୬୫୬ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ଏବଂ ୧୨୫ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ମଧ୍ୟ ଚେକ୍ ପୋଷ୍ଟ, ତୃଣମୂଳ ସ୍ତରୀୟ ଟିମ୍ ର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ନିରୀକ୍ଷଣ ପ୍ରକ୍ରିୟାରେ ନାଗରିକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସକ୍ରିୟ ନଜର ରଖିଛନ୍ତି। ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଚିହ୍ନିତ ୧୨୩ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଅଧିକ ସତର୍କ ରହିବା ପାଇଁ କଡ଼ା ନଜର ରଖାଯାଇଛି।

ପୃଷ୍ଠଭୂମି

ଏଜେନ୍ସିଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ସକ୍ରିୟ ଇଣ୍ଟରଫେସ୍ ରଖିବା ପ୍ରକ୍ରିୟା ୨୦୨୩ ର ଶେଷ ତ୍ରୟମାସରେ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା।  କ୍ୟାଲେଣ୍ଡର ବର୍ଷର ପ୍ରଥମ ଦୁଇ ମାସରେ ୬୭୬୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି ଯାହା ଏକ ବାର୍ତ୍ତା ଦେଇଛି ଯେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଯେକୌଣସି ପ୍ରକାରର ପ୍ରଲୋଭନ ପ୍ରତି କମିଶନଙ୍କର ‘ଶୂନ୍ୟ ସହନଶୀଳତା’ ଆଭିମୁଖ୍ୟ ରହିଛି ।

ବିଶେଷ କରି ଏମସିସିର ପ୍ରୟୋଗ ସମୟରେ ଡ୍ରଗ୍ସ କାରବାରରେ ଯୋଗଦାନ ପାଇଁ କମିଶନଙ୍କ ପ୍ରତିବଦ୍ଧତା ଗତ କିଛି ବର୍ଷ ମଧ୍ୟରେ ତ୍ୱରାନ୍ୱିତ ହୋଇଛି । ନିକଟରେ ଉପରୋକ୍ତ ତଥ୍ୟ ବ୍ୟତୀତ ଗତ ଦୁଇ ବର୍ଷ ମଧ୍ୟରେ ପୂର୍ବରୁ ହୋଇଥିବା ବିଧାନସଭା ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ସମୟରେ ବିପୁଳ ପରିମାଣର ଜବତ ହୋଇଛି। ଗୁଣାତ୍ମକ ନିର୍ବାଚନ ପ୍ରକ୍ରିୟାରେ ମୁକ୍ତ, ନିରପେକ୍ଷ, ଭାଗିଦାରୀ ଓ ହିଂସା ରହିତ ସହିତ ‘ପ୍ରଲୋଭନମୁକ୍ତ’ ଦିଗକୁ ମଧ୍ୟ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିର ଉଦଯାପିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଏହା ସହ ମଇ ୪ ରୁ ଚାଲିଥିବା ୧୫ ଦିନିଆ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିର ମଧ୍ୟ ଉଦଯାପିତ ହୋଇଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସସିଏସଟିଆରଟିଆଇ) ପରିସରରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିରର ଆୟୋଜନ କରାଯାଇଥିଲା।

ଏହି ଅନ୍ତର୍ଜାତୀୟ ଦିବସ ପାଳନ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ, ଏସ୍‌ସିଏସଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ସବିତା ଆଚାର୍ଯ୍ୟ ବିବିଧ ସଂଗ୍ରହାଳୟ ସମ୍ପର୍କରେ ସୂଚନା ଦେବା ସହିତ ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ପିଲାମାନେ ଭବିଷ୍ୟତରେ ଏହି ଶିକ୍ଷାନୀତି ବଳରେ କର୍ମକ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ। ବିଭାଗୀୟ କମିଶନର୍‌ ତଥା ଶାସନ ସଚିବ ରୂପାରୋଶନ ସାହୁ ଜନଜାତିଙ୍କ ଉତ୍କର୍ଷ କଳା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଏହାର ଉତ୍କର୍ଷକୁ ଜନମାନସରେ ବିଶେଷ କରି ଉତ୍ତରପିଢି ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ପ୍ଲାଟଫର୍ମ ଯୋଗାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏସ୍‌ସିଏସଟିଆରଟିଆଇ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ମହ‰ ସମ୍ପର୍କରେ ନିଜ ମତ ଦେବା ସହ ଚଳିତ ବର୍ଷର ଶୀର୍ଷକ ‘ଶିକ୍ଷା ଓ ଗବେଷଣା ପାଇଁ ସଂଗ୍ରହାଳୟ’ର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ।

କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି ବଖାଣିବା ସହ ଜନଜାତି ସଂସ୍କୃତି ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ।

ଭୁବନେଶ୍ୱରର ପ୍ରାୟ ୧୪ ଟି ବିଦ୍ୟାଳୟରୁ ୩୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବି.କେ. କଲେଜ ଅଫ୍‌ ଆର୍ଟ୍ସର ବରିଷ୍ଠ ଅଧ୍ୟାପକ ଚନ୍ଦ୍ରଶେଖର ସେଠୀ, ସଉରା ଚିତ୍ରଶିଳ୍ପୀ ଜୁନେସ୍‌ ଗମାଙ୍ଗ ଓ ରବିନାଥ ଶବର ଛାତ୍ରଛାତ୍ରୀଙ୍କୁ ଇଡ଼ିତାଲ୍‌ ବିଷୟରେ ଶିକ୍ଷାଦାନ
ଦେଇଥିଲେ।

ଏହି ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚିତ୍ରକଳା କୁଇଜ୍‌ ରେ ବିଜୟୀ ୬ ଜଣଙ୍କୁ ସମ୍ମାନୀତ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ସଂଗ୍ରହଳାୟର ସହ ନିର୍ଦ୍ଦେଶକ ଡ଼ ସଂଘମିତ୍ରା ସେଠୀ ଧନ୍ୟବାଦ ଅର୍ପଣ କରିବା ସମତେ ଏସ୍‌ସିଏସଟିଆରଟିଆଇର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆପଣଙ୍କ ବୋଝକୁ ହାଲୁକା କରିବେ ନବୀନ ବାବୁ: ରଣପୁରରେ କହିଲେ ଭି.କେ.ପାଣ୍ଡିଆନ

ରଣପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ଭି.କେ.ପାଣ୍ଡିଆନ। ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ଏକ ବିରାଟ ଜନ ସମାବେଶରେ ଉଦବୋଧନ ଦେଇଛନ୍ତି ଭି.କେ.ପାଣ୍ଡିଆନ। ପୁରୀ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ (ବାଦଲ) ଙ୍କୁ ଯୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରିବା ପାଇଁ ନିବେଦନ କରିଛନ୍ତି।

ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ଘଣ୍ଟା ଅହରହ ପରିଶ୍ରମ କରୁଛନ୍ତି। ନବୀନ ବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯାହା ସାରା ଭାରତ ବର୍ଷରେ ରେକର୍ଡ ସୃଷ୍ଟି କରିବ। ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଶପଥ ଦିନ ଆପଣ ମାନଙ୍କ ବୋଝକୁ ନବୀନ ବାବୁ ହାଲୁକା କରିବେ। ନବୀନ ବାବୁ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି ଛାଡ କରିବେ। ଯେଉଁଥିରେ ରାଜ୍ୟର ୯୦ ଭାଗ ଲୋକ ଉପକୃତ ହେବେ।

ଦ୍ୱିତୀୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯେଉଁ ମାନେ ପାଇନାହାନ୍ତି ସମସ୍ତଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବେ। ତୃତୀୟରେ ମିଶନ ଶକ୍ତି ମା’ ମାନେ ବିଗତ ଦିନରେ ନବୀନ ବାବୁଙ୍କୁ ଭେଟି ପେନସନ ବାବଦରେ ଆଲୋଚନା କରିଥିଲେ। ମିଶନ ଶକ୍ତି ମା’ ମାନଙ୍କୁ ପେନସନ ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରକାଶ କରିଥିଲେ। ଏଥି ସହିତ ଯୁବକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ ରଖିଛନ୍ତି। ଯୁବକ ମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ପ୍ରତ୍ୟେକ ଛାତ୍ର ମାନେ ପ୍ରତି ବର୍ଷ ୧୨ ହଜାର ଟଙ୍କା ପାଇବେ। ଏଥି ସହିତ ଛାତ୍ରୀ ମାନେ ୧୪ ହଜାର ଟଙ୍କା ପାଇବା ପାଇଁ ଯୋଜନା ରଖିଛନ୍ତି।

ଭି.କେ.ପାଣ୍ଡିଆନ ପ୍ରଥମରୁ ଜୟ ଜଗନ୍ନାଥ, ଜୟ ମଣିନାଗ ଅଭିଭାଷଣ ରଖିଥିଲେ। ସାଧାରଣ ଜନତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ମଣିନାଗ ମନ୍ଦିର ପାଇଁ ୪ କୋଟି ଟଙ୍କା ଦିଆଯାଇଥିବା ବେଳେ ତଳ ମଣିନାଗ ପାଇଁ ୩ କୋଟି ଟଙ୍କା ଓ ଜଗନ୍ନାଥ ମନ୍ଦିରର ରୁପାନ୍ତରିତ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୁଚନା ଦେଇଥିଲେ। ସେ ସାଧାରଣ ଜନତାଙ୍କୁ କାଳିଆ ଯୋଜନା କିଏ ଦେଉଛି, ମିଶନ ଶକ୍ତି କିଏ କରିଛି, ମମତା ଯୋଜନା କିଏ କରିଛି, ୫-ଟି ସ୍କୁଲ ରୁପାନ୍ତରିତ କିଏ କରିଛି ଓ ନବୀନ ବାବୁଙ୍କ ଚିହ୍ନ କଣ ବୋଲି ଉତ୍ତର ଦେଇଥିଲେ। ସାଧାରଣ ଜନତା ସବୁ ମୁଖ୍ୟମନ୍ତ୍ରୀ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ନବୀନଙ୍କର ହେଉଛି ଶଙ୍ଖ ଚିହ୍ନ ବୋଲି ମହିଳା ମାନେ ଉତ୍ତର ରଖିଥିଲେ।

ଏହି ଅବସରରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ନବୀନ ପଟ୍ଟନାୟକ ସରକାରଙ୍କର ସମସ୍ତ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ। ମୁଁ ଜଣେ ଚାଷୀ ଘରର ପୁଅ, ଆପଣ ମାନଙ୍କୁ ନେହୁରା ହୋଇ ଭୋଟ ଭିକ୍ଷା କରୁଛି। ମୋତେ ତୃତୀୟ ଥର ଭାବେ ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ କରୁଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେବା ସହ ଆପଣଙ୍କର ପ୍ରିୟ ବାଦଲ ଭାଇ ଓ ମୋତେ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ଏହି ବିରାଟ ସମାବେଶରେ ହଜାର ହଜାର ମହିଳା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଏହି ସମାବେଶରେ ୨୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଆଇସିଆଇସିଆଇ ବ୍ୟାଙ୍କକୁ ଜନ୍ମ ଦେଇଥିବା ବରିଷ୍ଠ ବ୍ୟାଙ୍କର ନାରାୟଣନ ଭଗୁଲଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରର ଜଣେ ଲୋକପ୍ରିୟ ନାମ ତଥା ପଦ୍ମ ଭୂଷଣରେ ସମ୍ମାନିତ ବ୍ୟାଙ୍କର ନାରାୟଣନ ଭଗୁଲଙ୍କ ଦେହାନ୍ତ ହୋଇଛି। ସେ ୮୮ ବର୍ଷ ବୟସରେ ଚେନ୍ନାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଦୁଇ ଦିନ ଭେଣ୍ଟିଲେଟରରେ ଥିଲେ। ଆଇସିସିଆଇ ବ୍ୟାଙ୍କକୁ ଶୀର୍ଷରେ ପହଞ୍ଚାଇବାରେ ନାରାୟଣନ ଭଗୁଲଙ୍କୁ ଶ୍ରେୟ ଦିଆଯାଇଛି। ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ରୁ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ମାତ୍ର ୪୪ ବର୍ଷ ବୟସରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ବ କନିଷ୍ଠ ଚେୟାରମ୍ୟାନ୍ କରାଯାଇଥିଲା। ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ତାଙ୍କୁ ଭୀଷ୍ମ ପିତାମହ ବୋଲି କହୁଥିଲେ।

ଆଇସିଆଇସିଆଇର ଦାୟିତ୍ୱ ରାଜୀବ ଗାନ୍ଧୀଙ୍କ ସରକାର ଉପରେ ନ୍ୟସ୍ତ ହୋଇଥିଲା।
ତାଙ୍କୁ ରାଜୀବ ଗାନ୍ଧୀଙ୍କ ସରକାରରେ ଆଇସିଆଇସିଆଇର ମୁଖ୍ୟ କରାଯାଇଥିଲା। ଏହି ବେସରକାରୀ କ୍ଷେତ୍ର ବ୍ୟାଙ୍କକୁ ଏକ ବୃହତ୍ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ସେ ତାଙ୍କ ଘରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ବାଣିଜ୍ୟ ଏବଂ ଶିଳ୍ପ ବର୍ଗରେ ନାରାୟଣନ ଭଗୁଲଙ୍କୁ ୨୦୧୦ ମସିହାରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ସେ ୨୦୨୩ ମସିହାରେ Reflections ନାମକ ଏକ ସଂସ୍କରଣ ମଧ୍ୟ ପ୍ରକାଶ କରିଥିଲେ। ଏଥିରେ ସେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ତାଙ୍କର ଦଶନ୍ଧି ଅଭିଜ୍ଞତା ବିଷୟରେ ଲେଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଭିକେ ପାଣ୍ଡିଆନ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ।  ସେ ଅପରାହ୍ନ ୪.୩୦ ମିନିଟ ସମୟରେ ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

‘ଜୟ ଜଗନ୍ନାଥ’, ‘ଜୟ ମା ଭଗବତୀ’ରୁ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ।  ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମା’ ଭଗବତୀ ମନ୍ଦିର ରୂପାନ୍ତରିକରଣ ଜାରି ରହିଛି।

ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ। ବିଦ୍ୟୁତ ବିଲ ଛାଡ କରିବା ପାଇଁ ଶ୍ରୀ ପଣ୍ଡିଆନ ପୁଣିଥରେ ଏଠାରେ ଦୋହରାଇଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ ଶ୍ରୀ ପାଣ୍ଡିଆନ।

ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହିବା ପରେ ସେ ହେଲିକପ୍ଟର ଯୋଗେ ରଣପୁର ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏନଡିଏରେ ଯୋଗଦେବା ମାତ୍ରେ ନରମ ପଡନ୍ତି କେନ୍ଦ୍ରୀୟ ଏଜେନ୍ସି?: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି। ୪୦୦ ଟି ଆସନ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ସାରା ଦେଶରେ ବିଶାଳ ସମାବେଶ ଆୟୋଜନ କରୁଛି। ଏହି ସମୟରେ, ଏକ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଡି ସମେତ ଅନେକ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ପିଏମ ମୋଦୀଙ୍କୁ ପଚରାଯାଇଥିଲା ଯେ, ଏନଡିଏରେ ଯୋଗଦେବା ମାତ୍ରେ କେନ୍ଦ୍ରୀୟ ଏଜେନ୍ସିମାନେ କଳଙ୍କିତ ନେତାଙ୍କ ଉପରେ କାହିଁକି ନରମ ପଦନ୍ତି?

ଏହି ପ୍ରଶ୍ନର ଉତ୍ତରରେ ପିଏମ ମୋଦୀ କହିଛନ୍ତି ଯେ, “ପ୍ରକୃତରେ ପ୍ରଶ୍ନ ହେବା ଉଚିତ ଯେ, ୧୦ ବର୍ଷ (୨୦୦୪ ରୁ ୨୦୧୪) ପର୍ଯ୍ୟନ୍ତ ଇଡି ଏତେ ଟଙ୍କା ପାଇଲା, ସେମାନେ କେଉଁ କାମ କଲେ? ମୋ କାର୍ଯ୍ୟକାଳ ମଧ୍ୟରେ ଇଡି ୨୨୦୦ କୋଟି ଟଙ୍କା ଜବତ କରିଛି। ଏଥିରେ ଇଡି କୁ ଆପଣ କିପରି ଦୋଷ ଦେଇପାରିବେ? ଦେଶରୁ ଭ୍ରଷ୍ଟାଚର ଶେଷ ହେବା ଉଚିତ। ଯଦି କେହି ଭୁଲ୍ କରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍?

ରାଜନୀତିରେ ପରିବାରବାଦ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଛନ୍ତି?:

ରାଜନୀତିରେ ପରିବାରବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ ପାରିବାରିକ ପାର୍ଟି କହୁଛି, ମୋତେ ପଚରାଯାଏ ଯେ ରାଜନାଥଙ୍କ ପୁଅ ମଧ୍ୟ ରାଜନୀତିରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଯେତେବେଳେ ମୁଁ ପରିବାର-ଆଧାରିତ ପାର୍ଟୀ କହୁଛି, ଏହାର ଅର୍ଥ ହେଉଛି ପାର୍ଟି ପରିବାର, ପରିବାର ପାଇଁ, ପରିବାର ଦ୍ୱାରା ଯଦି କୌଣସି ପରିବାରର ୧୦ ଜଣ ଲୋକ ସାଧାରଣ ଜୀବନରେ ଆସନ୍ତି, ତେବେ ମୁଁ ଏହାକୁ ଖରାପ ମନେ କରେ ନାହିଁ । ସେମାନେ ଦଳ ଚଳାନ୍ତି ନାହିଁ, ବରଂ ତାଙ୍କ ଉପରେ ଦଳ ନିଷ୍ପତ୍ତି ନିଏ।

ଚାକିରୀ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, “ରୋଜଗାର ଏପରି ଏକ ବିଷୟ ଯେଉଁଥିରେ କିଛି କୁହାଯାଇପାରିବ। ଆମ ସରକାର ଦେଶର ୪୩ କୋଟି ଲୋକଙ୍କୁ ମୁଦ୍ରା ଋଣ ଦେଇଛନ୍ତି। ରୋଜଗାରର ଦାୟିତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉପରେ ରହିଛି। ଗତ ୧୦ ବର୍ଷରେ ବର୍ଷ ବର୍ଷ ଧରି, ମାଇକ୍ରୋ ଫାଇନାନ୍ସ ମାଧ୍ୟମରେ ଦେଶରେ ଅନେକ ନିଯୁକ୍ତି ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଲାଲୁ ଯାଦବ ପାକିସ୍ତାନ ଚାଲିଯିବା ଉଚିତ୍: ଏମିତି କାହିଁକି କହିଲେ ହିମନ୍ତ ବିଶ୍ୱ ସରମା

ନୂଆଦିଲ୍ଲୀ: ମୁସଲମାନମାନଙ୍କୁ ସଂରକ୍ଷଣ ପ୍ରଦାନ ବୟାନକୁ ନେଇ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ଵ ସରମା ଆକ୍ରମଣ କରିଛନ୍ତି। ହିମନ୍ତ କହିଛନ୍ତି ଯେ, ଯଦି ଲାଲୁ ମୁସଲମାନମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ପାକିସ୍ତାନ ଯିବାକୁ ପଡ଼ିବ। ସେ କହିଛନ୍ତି ଯେ, ଲାଲୁ ଯାଦବ ନିକଟରେ କହିଥିଲେ ଯେ ଯଦି ସେ ଜିତନ୍ତି ତେବେ ସେ ସମଗ୍ର ଦେଶର ମୁସଲମାନମାନଙ୍କୁ ସଂରକ୍ଷଣ ଦେବେ। ଯଦି ସେ ମୁସଲମାନମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁଛନ୍ତି, ତେବେ ସେ ପାକିସ୍ତାନ ଚାଲିଯା’ନ୍ତୁ ଏବଂ ଧର୍ମ ଆଧାରରେ ସେଠାରେ ସଂରକ୍ଷଣ ଦିଅନ୍ତୁ। କାରଣ ଭାରତରେ ଏହା ସମ୍ଭବ ନୁହେଁ।

ଏହା ସହିତ ହିମନ୍ତ ସରମା ମଧ୍ୟ ଆସାମରେ ମଦ୍ରାସା ବନ୍ଦ କରିବାକୁ ତାଙ୍କ ସରକାରଙ୍କ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଆସାମ ସରକାର ରାଜ୍ୟରେ ୭୦୦ ମଦ୍ରାସା ବନ୍ଦ କରିଛନ୍ତି। ଏହା ସହିତ ସେ କାଶ୍ମୀର ସଂପର୍କରେ ଏକ ବଡ଼ ବିବୃତ୍ତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଏଥର ନରେନ୍ଦ୍ର ମୋଦୀ ସରକାର ଗଠନ ହୁଏ ତେବେ ସେ ପିଓକେ କୁ ଭାରତକୁ ଫେରାଇ ଆଣିବେ। ସେ କହିଛନ୍ତି ଯେ, ଅଯୋଧ୍ୟା ପରି ବର୍ତ୍ତମାନ ମଥୁରାର ମଧ୍ୟ ମନ୍ଦିର ନିର୍ମାଣ ହେବ।

ଏହାପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ପ୍ରଚାର ଉପରେ ଏକ ବଡ଼ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ଲାଲୁ ଯାଦବ ଯେତେ ଚେଷ୍ଟା କଲେ ମଧ୍ୟ ମୁସଲମାନମାନଙ୍କୁ ବିଶେଷ ସଂରକ୍ଷଣ ଦେଇପାରିବ ନାହିଁ। ଅତି ପଛୁଆ, ଦଳିତ, ପଛୁଆ ଏବଂ ଗରିବ ଉଚ୍ଚ ଜାତିର ସମାଜର ସଂରକ୍ଷଣକୁ ବିଜେପି କେବେ ବି ବନ୍ଦ କରିବ ନାହିଁ।

Categories
ଆଜିର ଖବର ଖେଳ ଜାତୀୟ ଖବର

କେଏଲ ରାହୁଲଙ୍କ ବ୍ୟାଟିଂ କ୍ରମରେ କାହିଁକି ହେବ ପରିବର୍ତ୍ତନ?: ଜାଣନ୍ତୁ ସମଗ୍ର ବିଷୟ

ନୂଆଦିଲ୍ଲୀ: ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ, ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇନାହାଁନ୍ତି। କିନ୍ତୁ ସେ ଆଇପିଏଲର ଏହି ସିଜନରେ ଭଲ ବ୍ୟାଟିଂ କରିଛନ୍ତି। ଆଇପିଏଲ୍ ର ୬୭ ତମ ମ୍ୟାଚ୍ ଲକ୍ଷ୍ନୌର ଶେଷ ମ୍ୟାଚ୍ ଥିଲା। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହୋଇଥିଲା। ଏହି ସିଜିନର ଶେଷ ଲିଗ୍ ମ୍ୟାଚ୍ ରେ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳ ମଧ୍ୟ ଜିତିଥିଲା। ଏବେ କେଏଲ ରାହୁଲ ତାଙ୍କ ବ୍ୟାଟିଂ ଅର୍ଡର ବିଷୟରେ ଚିନ୍ତା କରୁଛନ୍ତି। ସେ କହିଛନ୍ତି ଯେ, ସେ ଯେକୌଣସି କ୍ରମକୁ ଗ୍ରହଣ କରିବାକୁ ପ୍ରସ୍ତୁତ, ଯାହା ତାଙ୍କୁ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ କରିପାରିବ।

ରାହୁଲ ନିଜେ ସୂଚାଇ ଦେଇଛନ୍ତି ଯେ, ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପାଇଁ ମଧ୍ୟମ କ୍ରମରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ। ତେବେ ସେ କେବଳ ପୂରା ସିଜିନ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିଜୟ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କହିଛନ୍ତି ଯେ, ସେ ଏହି ସିଜିନରୁ ବହୁତ କିଛି ଶିଖିଛନ୍ତି ଏବଂ ଟି -୨୦ କ୍ରିକେଟ୍ ରେ ଭାରତୀୟ ଦଳ ତାଙ୍କଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ତାଙ୍କର ଭବିଷ୍ୟତ ଭୂମିକା ନିର୍ଭର କରିବ।

କେ.ଏଲ୍ ରାହୁଲ କହିଛନ୍ତି ଯେ, “ବର୍ତ୍ତମାନ ଅଧିକ ଟି -୨୦ କ୍ରିକେଟ୍ ନାହିଁ। ଏହା ଏକ ସିଜିନ ଅଟେ ଯେଉଁଠାରେ ମୁଁ ଜାଣିଛି ଯେ ମୁଁ କେଉଁଠାରେ ଛିଡା ହୋଇଛି ଏବଂ ଦଳକୁ ଫେରିବା ପାଇଁ ମୁଁ କିପରି ଭଲ ପ୍ରଦର୍ଶନ କରିପାରିବି। ଦଳ ମୋ ଠାରୁ ଯାହା ଚାହୁଁଛି ତାହା ଉପରେ ମୋର ଭୂମିକା ନିର୍ଭର କରେ। ମୁଁ ମୋର କ୍ୟାରିଅରରେ ଏହା କରିସାରିଛି।”

ପ୍ରଥମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରୁ ବାଦ ପଡିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍:

ଏହା ପ୍ରଥମ ଥର ପାଇଁ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଆଇପିଏଲ୍ ପ୍ଲେ ଅଫ୍ ଖେଳିବାରେ ବିଫଳ ହୋଇଛି ଏବଂ ରାହୁଲ ଏହା ସ୍ୱୀକାର କରିଛନ୍ତି ଯେ, ଏହା ସେମାନଙ୍କ ପାଇଁ ଏକ ନିରାଶାଜନକ ସିଜିନ ଅଟେ। ସେ ବିଶ୍ୱାସ କରନ୍ତି ଯେ, ଦଳ ବହୁତ ଶକ୍ତିଶାଳୀ ଥିଲା କିନ୍ତୁ କିଛି ଆହତ ସେମାନଙ୍କୁ ଆଘାତ ଦେଇଥିଲା। ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ଭଳି ଭଲ ପ୍ରଦର୍ଶନ କରିନାହିଁ ଏବଂ ସେ ଆଶା କରିଥିବା ପରି ଏକାଠି ହୋଇପାରି ନାହାନ୍ତି।

ରାହୁଲ କହିଛନ୍ତି ଯେ, “ଅତ୍ୟନ୍ତ ନିରାଶାଜନକ। ସିଜିନ ଆରମ୍ଭରେ ମୁଁ ଅନୁଭବ କଲି ଯେ, ଆମ ଦଳ ବହୁତ ଶକ୍ତିଶାଳୀ ଏବଂ ଆମର ସମସ୍ତ ପ୍ରକାର ଖେଳାଳି ଅଛନ୍ତି। ପ୍ରତ୍ୟେକ ସିଜିନରେ ପ୍ରତ୍ୟେକ ଦଳ ସହିତ କିଛି ଆଘାତ ଲାଗିଥାଏ, ଯେଉଁଥିପାଇଁ ଆମେ ଟିକିଏ କଷ୍ଟ ପାଇଥିଲୁ।

Categories
ନିର୍ବାଚନ ଖବର ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି, ଦିନରେ ଲଣ୍ଠନ ଦେଖାଉଛନ୍ତି: ଭିକେ ପାଣ୍ଡିଆନ

ପୁରୀ: ଆଜି ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲା ବେଳେ ଶ୍ରୀ ପାଣ୍ଡିଆନ ଏକ ବିରାଟ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ କଡା ଆକ୍ରମଣ କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ସେମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ତାହା ଜାଣିପାରୁନାହାନ୍ତି। ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ଏହି କାର୍ଯ୍ୟକୁ ସହି ପାରୁନାହାନ୍ତି, କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ  ପ୍ରକୃତରେ ଏହି ପ୍ରକଳ୍ପ ପାଇଁ ମାତ୍ର ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସେହିଭଳି ଶ୍ରୀ ପାଣ୍ଡିଆନ ଆସାମ ମୁଖ୍ୟମନ୍ତ୍ରୀକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପି ର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତା’ହେଲେ ଆସାମକୁ କ’ଣ କରିବେ? ସେମାନେ ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ, ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ସେମାନେ ଏକ ନମ୍ବର କରିବେ?

ଶ୍ରୀ ପାଣ୍ଡିଆନ ଆହୁରୀ କହିଛନ୍ତି ଯେ, ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି। ମିଛର ସବୁ ସୀମା ଟପି ଯାଇଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରସଂଶା କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି, ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଶପଥ ନେବା ପରେ ଆପଣମାନଙ୍କ ବିଜୁଳି ବିଲ ଛାଡ଼୍‍ କରିବେ, ତା’ପରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ, ତା’ପରେ ମିଶନ ଶକ୍ତି ସଭ୍ୟ ଓ କର୍ମୀମାନଙ୍କୁ ପେନ୍‍ସନ ଦେବେ।

ମାଗଣା ବିଜୁଳି କଥା ଉଠାଇ ବିଜେପିକୁ ଆକ୍ରମଣ କଲେ ପାଣ୍ଡିଆନ:

ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ, ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, କେବଳ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ।

ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ଏକ ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ: ୮ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ବସ୍ ରେ ହଠାତ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ଆଠ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦୁଇ ଡଜନରୁ ଅଧିକ ଲୋକ ଜଳିଯାଇଛନ୍ତି। ବସ୍‌ରେ ସମୁଦାୟ ୬୦ ଜଣ ଲୋକ ଥିଲେ। ଆହତ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚଳନ୍ତା ବସ୍‌ରେ ନିଆଁ ଦେଖି ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ଏହି ଦୁର୍ଘଟଣାର ଶିକାର ହେଉଛନ୍ତି ପଞ୍ଜାବ ଏବଂ ଚଣ୍ଡିଗଡ଼ର ବାସିନ୍ଦା। ଯେଉଁମାନେ ମଥୁରା ଏବଂ ବୃନ୍ଦାବନ ଦର୍ଶନ କରିବା ପରେ ଫେରୁଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଲଘୁଚାପ: ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୀଷଣ ତାତି ମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏକ ବଡ ଖବର ଦେଇଛି। ପାଣିପାଗ କେନ୍ଦ୍ର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ସ୍ଵାତୀ ମାଲିୱାଲ ମାମଲା: ବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ସାଂସଦ ସ୍ଵାତୀ ମାଲିୱାଲଙ୍କ ସହ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ଗିରଫ କରିଛି। ବିଭବ କୁମାରଙ୍କ ନାମ ଦିଲ୍ଲୀ ପୋଲିସର ଏଫଆଇଆରରେ ଅଛି। ବର୍ତ୍ତମାନ ତାଙ୍କୁ ଏ ବାବଦରେ ପଚରାଉଚରା କରାଯିବ।

ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରୁ ଗିରଫ କରିଛି। ତାଙ୍କୁ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ନିଆଯାଇଛି। ବିଭବ କୁମାର କହିଛନ୍ତି ଯେ, ସେ ମିଡିଆ ମାଧ୍ୟମରେ ଏଫଆଇଆର ବିଷୟରେ ସୂଚନା ପାଇଛନ୍ତି। ଏଥିସହିତ ବିବେକ କୁମାର ମଧ୍ୟ ଇମେଲ ମାଧ୍ୟମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଦିଲ୍ଲୀ ପୋଲିସ ଗ୍ରହଣ କରିବା ଉଚିତ ବୋଲି ବିବେକ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କୌଣସି ନୋଟିସ ମିଳିନାହିଁ।

ବିଭବ କୁମାରଙ୍କ ବିରୋଧରେ ସ୍ଵାତୀ ମାଲିୱାଲ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ଵାତୀ ମାଲିୱାଲ କହିଛନ୍ତି ଯେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ, ସେତେବେଳେ ବିଭବ କୁମାର ତାଙ୍କ ସହ ଅସଦାଚରଣ କରି ତାଙ୍କୁ ପିଟିଥିଲେ। ଅନ୍ୟପକ୍ଷରେ ସ୍ଵାତୀ ମାଲିୱାଲଙ୍କ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି।

ଏଫ୍ଆଇଆର୍ ପରେ ସ୍ଵାତୀ ମାଲିୱାଲଙ୍କ ଡାକ୍ତରୀ ପରୀକ୍ଷା AIIMS ରେ କରାଯାଇଥିଲା। ଯାହାର ରିପୋର୍ଟରେ କୁହାଯାଇଛି ଯେ, ସ୍ଵାତୀଙ୍କ ବାମ ଗୋଡରେ ଏବଂ ଡାହାଣ ଆଖିରେ ଆଘାତ ଚିହ୍ନ ରହିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଜେପିକୁ ବଡ ଝଟକା ଦେବେ କି ଅଦିତି ସିଂ?: ଜାଣନ୍ତୁ ଏଭଳି କାହିଁକି ଆସିଲା ପ୍ରଶ୍ନ

ନୂଆଦିଲ୍ଲୀ: ମଇ ୨୦ ତାରିଖରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ୍ ଅନୁଷ୍ଠିତ ହେବ। ଭୋଟ୍ ଦେବା ପୂର୍ବରୁ ସମସ୍ତ ଦଳ ଅଧିକରୁ ଅଧିକ ଭୋଟରଙ୍କୁ ସେମାନଙ୍କ କ୍ୟାମ୍ପକୁ ଆଣିବାରେ ବ୍ୟସ୍ତ ଅଛନ୍ତି। ଯଦି ଆମେ ପଞ୍ଚମ ପର୍ଯ୍ୟାୟର ଗୁରୁତ୍ୱପୂର୍ଣ୍ଣ ଆସନ ବିଷୟରେ କହିବା, ତେବେ ରାଏବରେଲି ଏଥିରେ ଆସେ।

୨୦୨୨ ନିର୍ବାଚନ ପୂର୍ବରୁ ଅଦିତି ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହିପରି, ଦୁଇ ବିରୋଧୀ ଗୋଟିଏ ଦଳରେ ଏକାଠି ହୋଇଥିଲେ ମଧ୍ୟ ଅଦିତି ସିଂଙ୍କ ମତଭେଦ ଦୂର ହୋଇନଥିଲା।

ଏହି ଆସନ ଜିତିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ବ୍ୟବହାର କରିଛି, ଦଳର ସମସ୍ତ ବରିଷ୍ଠ ନେତା ଏଠାରେ ପଡିରହିଛନ୍ତି, କିନ୍ତୁ ଏସବୁ ମଧ୍ୟରେ ଏକ ଖବର ଚିନ୍ତା ବଢାଇ ଦେଇଛି। ବାସ୍ତବରେ, ଯଦିଓ ଏଠାରେ ବଡ ବିଜେପି ନେତାମାନେ କ୍ରମାଗତ ଭାବରେ ସକ୍ରିୟ ଅଛନ୍ତି, ସ୍ଥାନୀୟ ନେତାମାନେ ପ୍ରାର୍ଥୀଙ୍କଠାରୁ ଦୂରରେ ରହିଥିବାର ଦେଖାଯାଉଛି। ରାଏବରେଲି ସଦର ବିଧାୟକ ଆଦିତି ସିଂଙ୍କ ପାର୍ଟି ଉପରେ କ୍ରୋଧିତ ବୋଲି କୁହାଯାଉଛି।

କୁହାଯାଉଛି ଯେ, ଦୀନେଶ ପ୍ରତାପ ସିଂଙ୍କୁ ଏଠାରୁ ଟିକେଟ ପାଇବା ନେଇ ଆଦିତି ସିଂ କ୍ରୋଧିତ ଅଛନ୍ତି। ସେଥିପାଇଁ ସେ ରାଏବରେଲି ଛାଡି ଆମ୍ବେଦକର ନାଗରରେ ରିତେଶ ପାଣ୍ଡେଙ୍କ ପାଇଁ ପ୍ରଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସର ଗଡ଼ ଭିତରକୁ ପଶି କ୍ରୋଧିତ ଦଳର ଲୋକଙ୍କୁ ଶାନ୍ତ କରିବା ପାଇଁ ୨ ଦିନ ଧରି ରାଏବରେଲିରେ କ୍ୟାମ୍ପ କରିଥିଲେ, କିନ୍ତୁ ଆଦିତି ସିଂ ଏପର୍ଯ୍ୟନ୍ତ ଏଠାକୁ ଆସିନାହାଁନ୍ତି।

ନିକଟରେ ଅମିତ ଶାହା ସମାଜବାଦୀ ପାର୍ଟିର ବିଧାୟକ ମନୋଜ ପାଣ୍ଡେଙ୍କୁ ମନାଇବା ପାଇଁ ତାଙ୍କ ଘରେ ପହଞ୍ଚିଯାଇଥିଲେ। କୁହାଯାଉଛି ଯେ, ମନୋଜ ପାଣ୍ଡେ ମଧ୍ୟ ବର୍ତ୍ତମାନର ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନାହାଁନ୍ତି। ମନୋଜ ପାଣ୍ଡେ ହୁଏତ ଅମିତ ଶାହାଙ୍କୁ ଭେଟିଥିବେ କିନ୍ତୁ ଆଦିତି ସିଂ ନତମସ୍ତକ ନହେବା ବାର୍ତ୍ତା ଦେଉଥିବା ଜଣାପଡିଛି। କିଛି ଦିନ ପୂର୍ବେ ସେ X ରେ ଏକ ପୋଷ୍ଟ ଲେଖିଥିଲେ, “ନୀତି ସହ କୌଣସି ଆପୋଷ ବୁଝାମଣା ନାହିଁ।”

ବାସ୍ତବରେ ଆଦିତି ଏବଂ ଦୀନେଶ ପ୍ରତାପ ସିଂଙ୍କ ମଧ୍ୟରେ ଶତ୍ରୁତା ପୁରୁଣା। ୨୦୧୯ ରେ ଅଦିତି ସିଂଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସେ ଅଭିଯୋଗ କରିଥିଲେ ଯେ, ଏହି ଆକ୍ରମଣ ଦୀନେଶ ପ୍ରତାପ ସିଂଙ୍କ ଭାଇ ଅୱଦେଶ ସିଂଙ୍କ ଦ୍ୱାରା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ସାମ୍ନାକୁ ଆସିଲା ସ୍ଵାତୀ ମାଲିୱାଲଙ୍କ ଆଉ ଏକ ଭିଡିଓ, ଦେଖନ୍ତୁ କ୍ୟାମେରାରେ କ’ଣ ହୋଇଛି କଏଦ?

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ମୁଖ୍ୟମନ୍ତ୍ରୀ ବାସଭବନର ସିସିଟିଭି କ୍ୟାମେରାର ଫୁଟେଜ୍, ଯାହା ବର୍ତ୍ତମାନ ରିଲିଜ୍ ହୋଇଛି।

https://x.com/Abhisheknayan81/status/1791697512962879823

ଭିଡିଓରେ ଦେଖାଯାଉଛି ଯେ, ମହିଳା ରକ୍ଷୀ ସ୍ଵାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାରକୁ ଆଣିଛନ୍ତି, ଏହି ସମୟରେ ସେ ମହିଳା ସୁରକ୍ଷାକର୍ମୀଙ୍କ ହାତକୁ ଠେଲିଦେଇଥିବାର ନଜର ଆସିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ଲେ ଅଫ୍ ଟିକେଟ୍ ପାଇଁ ଲଢିବେ ବେଙ୍ଗାଲୁରୁ-ଚେନ୍ନାଇ, ପଢନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ ଏବଂ ପିଚ୍ ରିପୋର୍ଟ

ନୂଆଦିଲ୍ଲୀ: 2024 ଆଇପିଏଲ୍ ର ଲିଗ୍ ପର୍ଯ୍ୟାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ। ଏହି ମ୍ୟାଚ୍ ବେଙ୍ଗାଲୁରୁର ମି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ପ୍ଲେ ଅଫ୍ ଟିକେଟ ପାଇଁ ଉଭୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଲଢେଇ ହେବ। ଚେନ୍ନାଇ ବର୍ତ୍ତମାନ 13 ଟି ମ୍ୟାଚରୁ 14 ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ବର୍ତ୍ତମାନ 12 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ସତେବେ ଏହି ଦୁଇ ଦଳ ମଧ୍ୟରୁ କେବଳ ଗୋଟିଏ ଟପ୍ -4 ରେ ପହଞ୍ଚାଇପାରିବ। କେବଳ ଏକ ବିଜୟ ପଞ୍ଜିକରଣ କରି, CSK ପ୍ଲେ ଅଫ୍ କୁ ଯିବ। କିନ୍ତୁ ଆରସିବି ସାମ୍ନାରେ ଟାର୍ଗେଟ ରହିଛି। ଦଳକୁ ଜିତିବା ସହ 18 ରନ ବ୍ୟବଧାନ କିମ୍ବା 18.1 ଓଭରରେ ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ ପଡିବ।

ଆରସିବିର ସମ୍ଭାବ୍ୟ ଖେଳାଳି: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ମହିପାଲ ଲୋମରୋର, କର୍ଣ୍ଣ ଶର୍ମା, ଯଶ ଦୟାଲ, ମହମ୍ମଦ ସିରାଜ, ସ୍ଵପ୍ନିଲ ସିଂ।

CSK ର ସମ୍ଭାବ୍ୟ ଏକାଦଶ ଖେଳାଳି: ରଚିନ୍ ରବିନ୍ଦ୍ର, ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଡାରିଲ ମିଚେଲ, ଶିବମ ଦୁବେ, ସମୀର ରିଜଭି, ରବିନ୍ଦ୍ର ଜାଡେଜା, ଏମଏସ ଧୋନି (ୱିକେଟକିପର), ମିଚେଲ ସାଣ୍ଟନର୍, ଶାର୍ଦ୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ସିମରଜିତ ସିଂ।

Categories
ଆଜିର ଖବର ଜାତୀୟ ଖବର

ଟ୍ୱିଟର ପ୍ରୋଫାଇଲ ବଦଳାଇଲେ ସ୍ଵାତୀ ମାଲିୱାଲ: ହଟାଇଲେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲ ତାଙ୍କ ଟ୍ୱିଟର ପ୍ରୋଫାଇଲର ପରିବର୍ତ୍ତନ କରିଛନ୍ତି। ସେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋକୁ ତାଙ୍କ ପ୍ରୋଫାଇଲରୁ ହଟାଇ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର ଆକ୍ରମଣ କରିଥିବା ଅଭିଯୋଗ କରିବା ପରେ ସ୍ଵାତୀ ମାଲିୱାଲ ଆମ୍ ଆଦମୀ ପାର୍ଟିର ଟାର୍ଗେଟରେ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଅତିଶୀ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ସ୍ଵାତୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

ଆମ୍ ଆଦମୀ ପାର୍ଟି ସ୍ଵାତୀ ମାଲିୱାଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବାର କିଛି ଘଣ୍ଟା ପରେ AAP ସାଂସଦ ତାଙ୍କ ଟ୍ୱିଟର ପ୍ରୋଫାଇଲ୍ ଫଟୋ ବଦଳାଇ ଦେଇଛନ୍ତି। ସେ ଏକ ଅସ୍ପଷ୍ଟ ଫଟୋ ପୋଷ୍ଟ କରିଛନ୍ତି। ଏହାପୂର୍ବରୁ ତାଙ୍କ ପ୍ରୋଫାଇଲରେ ଆମ୍ ଆଦମୀ ପାର୍ଟି ଅଭିଯାନର ଏକ ଫଟୋ ଥିଲା ଯାହା ସେ ଦିଲ୍ଲୀ ଅବକାରୀ ନୀତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିବା ପରେ ଆରମ୍ଭ କରିଥିଲେ।

ତାଙ୍କ ପ୍ରୋଫାଇଲ୍ ଫଟୋ ବଦଳାଇବା ପରେ ସ୍ଵାତୀ ମାଲିୱାଲ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ତେବେ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ ପରେ ସେ ନିଶ୍ଚିତ ଭାବେ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ସେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବିବୃତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ AAP ନେତା ଅତୀଶୀ ଅଭିଯୋଗ କରିଛନ୍ତି ଯେ, ଏହି ପୂରା ଘଟଣା ହେଉଛି ବିଜେପିର ଷଡଯନ୍ତ୍ର ଏବଂ ସ୍ଵାତୀ ମାଲିୱାଲ ଏହାର ଚେହେରା। କେଜ୍ରିୱାଲଙ୍କୁ ଜଡ଼ିତ କରିବା ପାଇଁ ଆକ୍ରମଣ ମାମଲାରେ ଏକ ଷଡ଼ଯନ୍ତ୍ର ରଚିଥିଲା ​​ବୋଲି ଅତିଶି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଇ ସ୍ଵାତୀ ମାଲିୱାଲ ଟ୍ୱିଟ୍ କରି ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, “ଗତକାଲି ଦଳକୁ ଆସିଥିବା ନେତାମାନେ ୨୦ ବର୍ଷ ବୟସ୍କା କର୍ମୀଙ୍କୁ ବିଜେପିର ଏଜେଣ୍ଟ ଘୋଷଣା କରିଛନ୍ତି। ଦୁଇ ଦିନ ପୂର୍ବେ ଦଳ ପୁରା ସତ୍ୟକୁ ଗ୍ରହଣ କରିଥିଲା ​​ଏବଂ ଆଜି ଦଳ ୟୁ-ଟର୍ନ ନେଇଛି।

ସ୍ଵାତୀ ମାଲିୱାଲ ମଧ୍ୟ ନାମ ନ ଦେଇ ଟ୍ୱିଟରେ ବିଭବ କୁମାରଙ୍କ ଉପରେ ଆକ୍ରମଣ କରି କହିଛନ୍ତି ଯେ, ଦଳକୁ ଏହି ଗୁଣ୍ଡ ଧମକ ଦେଉଛି। ଏବଂ କହୁଛି ଯେ, ଯଦି ମୋତେ ଗିରଫ କରାଯାଏ ତେବେ ମୁଁ ସମସ୍ତ ରହସ୍ୟ ଉନ୍ମୋଚନ କରିବି। ସେ କହିଛନ୍ତି ଯେ, ଆଜି ତାଙ୍କ ଚାପରେ ଦଳ ପରାଜୟକୁ ଗ୍ରହଣ କରିଛି ଏବଂ ଗୁଣ୍ଡାକୁ ବଞ୍ଚାଇବା ପାଇଁ ପୁରା ପାର୍ଟି ମୋ ଚରିତ୍ର ଉପରେ ପ୍ରଶ୍ନ ଉଠାଉଛି। କୌଣସି ଅସୁବିଧା ନାହିଁ, ମୁଁ ସମଗ୍ର ଦେଶର ମହିଳାମାନଙ୍କ ପାଇଁ ଏକାକୀ ଲଢେଇ କରୁଛି, ମୁଁ ମଧ୍ୟ ନିଜ ପାଇଁ ଲଢିବି।

Categories
ଆଜିର ଖବର ଜାତୀୟ ଖବର

ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଜେଜେପି ର କାର୍ଯ୍ୟାନୁଷ୍ଠାନ, ସଦସ୍ୟତା ବାତିଲ କରିବାକୁ ଦାବି

ନୂଆଦିଲ୍ଲୀ: ଜନନାୟକ ଜନତା ପାର୍ଟି (ଜେଜେପି) ଏହାର ଦୁଇ ବିଧାୟକଙ୍କ ଅଯୋଗ୍ୟତା ଦାବି କରିଛି। ବାସ୍ତବରେ, ଜେଜେପି ହରିୟାଣା ବିଧାନସଭା ବାଚସ୍ପତିଙ୍କ ନିକଟରେ ଏକ ପିଟିସନ ଦାଖଲ କରି ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦଳର ଦୁଇ ବିଧାୟକ ରାମନିବାସ୍ ସୁରଜାଖେଡା ଏବଂ ଯୋଗୀ ରାମ ସିହାଗଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିଛି।

ସିହାଗ ଏବଂ ସୁରଜାଖେଡା ବିଜେପି ପାଇଁ ଭୋଟ୍ ମାଗିଥିଲେ:

ଜେଜେପି କାର୍ଯ୍ୟାଳୟ ସଚିବ ରଣଧୀର ସିଂ ଶୁକ୍ରବାର କହିଛନ୍ତି ଯେ, ଉଭୟ ବିଧାୟକ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରିଛନ୍ତି ଏବଂ ଚାଲିଥିବା ଲୋକସଭା ନିର୍ବାଚନରେ ​​ଶାସକ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ୧୦ ଟି ଲୋକସଭା ଆସନରେ ଜେଜେପି ପ୍ରାର୍ଥୀ ଦେବା ସତ୍ତ୍ୱେ ସୁରଜେଖେଡା ଓ ସିହାଗ ବିଜେପି ପାଇଁ ପ୍ରଚାର କରିଥିଲେ।

ରଣଧୀର ସିଂ କହିଛନ୍ତି ଯେ, ‘ଉଭୟ ବିଧାୟକ ଜେଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଉଚିତ୍, କିନ୍ତୁ ସେମାନେ ବିଜେପି ପାଇଁ ଭୋଟ୍ ମାଗୁଛନ୍ତି। ଆମେ ସେମାନଙ୍କୁ ଦୁଇଥର ଆଇନଗତ ନୋଟିସ୍ ପଠାଇଲୁ, କିନ୍ତୁ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ପାଇଲୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବୈଠକ

ନୂଆଦିଲ୍ଲୀ: ଭାରତ ସରକାରଙ୍କର ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିେଯାଗ ବିଭାଗର ସଚିବ ଭି. ଶ୍ରୀନିବାସ ଏବଂ ବାଂଲାଦେଶର ୪ଟି ଦକ୍ଷତା ବିକାଶ ପ୍ରତିଷ୍ଠାନର ରେକ୍ସର୍ (ସଚିବ) ତଥା ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ବାଂଲାଦେଶର ନ୍ୟାଶନାଲ୍ ଆକାଡେମୀ ଫର୍ ପ୍ଲାନିଂ ଆଣ୍ଡ୍ ଡେପଲପ୍ମେଣ୍ଟ (ଏନ୍ଏପିଡି)ର ସାଧାରଣ ନିଦ୍ର୍ଦେଶକ (ସଚିବ) ସୁକେଶ କୁମାର ସରକେର୍ଙ୍କ ମଧ୍ଯରେ ଗତ ମେ ୧୬ ତାରିଖ ଦିନ ଅନ୍୍ଲାଇନ୍୍ରେ ଏକ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବାଂଲାଦେଶର ସାଧାରଣ ପ୍ରଶାସନ ତାଲିମ କେନ୍ଦ୍ର (ବିପିଏଟିସି)ର ରେକ୍ଝର (ସଚିବ) ମହମ୍ମଦ୍ ଅଶ୍ରଫ୍ ଉଦ୍ଧିନ୍, ବାଂଲାଦେଶ ଲୋକ ସେବା ପ୍ରଶାସନ ଆକାଡେମୀ (ବିସିଏସ୍ଏଏ)ର ରେକ୍ଝର (ସଚିବ) ଡ.ମହମ୍ମଦ୍ ଓମାର୍ ଫାରୁକ୍, ବାଂଲାଦେଶ ନ୍ୟାଶନାଲ୍ ଆକାଡେମୀ ଫର୍ ଡେଭ୍୍ଲପ୍୍ମେଣ୍୍ଟ୍ ଆଡ୍ମିନିଷ୍ଟ୍ରେସନ୍(ଏନ୍ଏଡିଏ)ର ରେକ୍ଝର୍ (ସଚିବ) ଡ. ମହମ୍ମଦ୍ ଶାହିଦୁଲ୍ଲାହ ଏବଂ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ଏମ୍. ଜିଆଉଲ୍ ହକ୍ େଯାଗଦେଇଥିଲେ।

ଭାରତ ପକ୍ଷରୁ ଏହି ବୈଠକରେ ଡିଏଆର୍ପିଜିର ଯୁଗ୍ମ ସଚିବ ଏନ୍.ବି.ଏସ୍. ରାଜପୁତ୍, ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିେଯାଗ ବିଭାଗର ବରିଷ୍ଠ ଅଧିକାରୀ, ଡିଏଆର୍ପିଜି, ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସ୍ (ଏନ୍ସିଜିଜି) ଏବଂ ବାଂଲାଦେଶରେ ଭାରତର ହାଇ କମିଶନ୍ ପ୍ରମୁଖ େଯାଗ ଦେଇଥିଲେ।

ଏହି ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ସେଗୁଡିକ ମଧ୍ଯରେ, (କ) ସାଧାରଣ ପ୍ରଶାସନ ମନ୍ତ୍ରଣାଳୟର ଦକ୍ଷତା ବିକାଶ ଅନୁଷ୍ଠାନଗୁଡିକର ଅଧ୍ଯାପକମାନଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା, (ଖ) ବରିଷ୍ଠ କାର୍ଯ୍ୟନିର୍ବାହୀ ବିକାଶ କାର୍ଯ୍ୟକ୍ରମ, (ଗ) ଏନ୍ସିଜିଜିରେ ବାଂଲାଦେଶ ପ୍ରଶାସନିକ ଅଧିକାରୀମାନଙ୍କର ପୂର୍ବତନ ଛାତ୍ରଙ୍କ ବୈଠକ, (ଗ) ୨୭ତମ ନ୍ୟାଶନାଲ୍ ଇ-ଗଭର୍ଣ୍ଣାନ୍ସ କନ୍ଫରେନ୍ସରେ ବାଂଲାଦେଶ ପ୍ରଶାସନିକ ଅଧିକାରୀଙ୍କ ଅଂଶଗ୍ରହଣ ଇତ୍ୟାଦି ରହିଥିଲା। ଆଲୋଚନା ପରେ ଏହି ବୈଠକରେ ସହମତି ହେଲା େଯ, ୨୦୨୪ ଜୁଲାଇ ଓ ସେପ୍ଝେମ୍ବରରେ ବାଂଲାଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଏନ୍ସିଜିଜିରେ ଏକ ସପ୍ତାହ ବ୍ୟାପୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ବାଂଲାଦେଶର ବିପିଏଟିସିର ଅଧ୍ଯାପକମାନଙ୍କ ପାଇଁ ତଥା ବିସିଏସ୍ ଆଡ୍ମିନିଷ୍ଟ୍ରେସନ୍ ଆକାଡେମୀ, ଏନ୍ଏପିଡି ଏବଂ ଏନ୍ଏଡିଏ ପାଇଁ ଦୁଇ ସପ୍ତାହର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସହଭାଗୀ ଶିକ୍ଷଣ ଅଭିଜ୍ଞତାକୁ ଅଧିକ ସକ୍ଷମ କରିବା ପାଇଁ ଏସ୍ସିଜିଜି ବାଂଲାଦେଶର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ପରିଚାଳିତ ୭୧ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ଯରୁ ମନୋନୀତ ଆଲୁମିନିଙ୍କୁ ନେଇ ଏକ ଆଲୁମିନି ମିଟ୍ ଆୟୋଜନ କରିବ।

ଏହାଛଡା ଡିଏଆର୍ପିଜି ୨୭ତମ ନ୍ୟାଶନାଲ୍ ଇ-ଗଭର୍ଣ୍ଣାନ୍ସ୍ କନ୍ଫରେନ୍ସ୍ରେ ବାଂଲାଦଶର ସମ୍ମାନୀତ ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରଣ କରିବ ବୋଲି ମଧ୍ଯ ନିଷ୍ପତ୍ତି ନିଆଯାଇଥିଲା।

ନ୍ୟାଶନାଲ୍ ସେଣ୍ଟର୍ ଅଫ୍ ଗୁଡ୍ ଗଭର୍ଣ୍ଣାନ୍ସ୍ (ଏନ୍ସିଜିଜି)୨୦୧୪ରୁ ୨୦୨୪ ମଧ୍ଯରେ ବାଂଲାଦେଶର ପ୍ରଶାସନିକ ସେବା ଅଧିକାରୀମାନଙ୍କ ପାଇଁ ସଫଳତାର ସହ ୭୧ଟି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରିଛି।

ଏହି ଅବସରରେ ୨୦୨୫-୨୦୩୦ ମଧ୍ଯରେ ୧୫୦୦ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହଭାଗୀତାକୁ ନବୀକରଣ କରିବାକୁ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଚିଲିକାରେ ଭିକେ ପାଣ୍ଡିଆନ: ବିଜେଡ଼ି ର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଅଦ୍ୟାବଧି ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଚିଲିକା ଆସିନଥିବା ବେଳେ ଆଜି ଚିଲିକା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାରକୁ ଆସିବେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ। ଏଥି ନିମନ୍ତେ ବିଜେଡି ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଉକ୍ତ ନିର୍ବାଚନୀ ସଭା ପାଇଁ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଆଜି ଅପରାହ୍ନ ୪ ଘଟିକାରେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ଶ୍ରୀ ପାଣ୍ଡିଆନ ସମ୍ବୋଧିତ କରିବେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରେ ମିଶିଲେ ଶତାଧିକ ବିଜେପି କର୍ମୀ

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଦୃଢ଼ ସଂଗଠକ ବିଜୟ କୁମାର ଗୁରୁଙ୍କ ସମେତ କୁଜଙ୍ଗ ପଂଚାୟତ ଜଗନ୍ନାଥପୁର ଗ୍ରାମର ଶତାଧିକ ବିଜେପି କର୍ମୀ ବିରାଟ ପଟୁଆରରେ ଆସି ଦଳିୟ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଦଳରେ ଯୋଗଦେଇଛନ୍ତି। କୁଜଙ୍ଗ ବ୍ଲକ୍ ବିଜୁ ଜନତାଦଳ ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ପାରାଦ୍ୱୀପ ବିଧାୟକ ଅତିଥିଭାବେ ଯୋଗଦେଇଥିଲେ।

ଏହି ଅବସରରେ ବିଧିବଦ୍ଧଭାବେ ବିଜେପି ଛାଡ଼ି ଜିଲ୍ଲା ଓବିସି ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ଗୁରୁ, ବିଜେପି ସମର୍ଥିତ ସରପଂଚ ପ୍ରାର୍ଥିନୀ ମଧୁସ୍ମିତା ଗୁରୁ, ୱାର୍ଡ଼ ସଭ୍ୟା ସବିତା ମଲ୍ଲିକ୍‌, ଅଜୟ କୁମାର ଗୁରୁଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଉକ୍ତ ମିଶ୍ରଣ ଉତ୍ସବରେ ପାରାଦ୍ୱୀପ ବିଧାୟକ ଶ୍ରୀ ରାଉତରାୟଙ୍କ ସମେତ କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବ୍ଲକ୍ ବିଜେଡ଼ି ସଭାପତି ନରେନ୍ଦ୍ର ପରିଡ଼ା, ଜିଲ୍ଲା ସାଧାରଣ ସଂପାଦକ ମନିନ୍ଦ୍ର ଗୁରୁ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତାଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରିଶେଷରେ କୁଜଙ୍ଗ ପଂଚାୟତ କାର୍ଯ୍ୟକାରୀ ସଭାପତି ତଥା ବ୍ଲକ୍ ବିଜେଡ଼ି ସାଧାରଣ ସଂପାଦକ ବିଚିତ୍ରାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।