ମନରେଗା ଯୋଜନାରେ ଟ୍ରେଂଚ୍ ଖୋଳାରେ ଅନିୟମିତତା

Published: Dec 13, 2020, 1:41 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ତଥା ଗରିବ ପରିବାର ଲୋକମାନଙ୍କୁ ବିଭିନ୍ନ ସମୟରେ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟଙ୍କା ସବୁ ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଛି।

କରୋନା ମହାମାରୀରେ ଲୋକମାନେ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ରୋଜଗାର କରିବା ପାଇଁ ବହୁ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ଶ୍ରମିକ ମାନେ ନିଜ ଜବ୍ କାର୍ଡ ଦ୍ଵାରା ମନରେଗା ଯୋଜନା ମାଧ୍ୟମରେ ନିଜର ପାଉଣା ମଧ୍ୟ ପାଇବେ ବୋଲି ସରକାର ଆଇନ୍ ପ୍ରଣୟନ କରିଛନ୍ତି। ସରକାରୀ ଜଙ୍ଗଲ ହେଉ ବା ଗ୍ରାମ୍ୟ ଜଙ୍ଗଲ ହେଉ ସେଠାରେ ଜଳ ସଂରକ୍ଷଣ କିପରି କରାଯାଇ ପାରିବ ସେଥିପାଇଁ ମନରେଗା ଯୋଜନା ମାଧ୍ୟମରେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତରେ ଟ୍ରେଂଚ୍ ଖୋଳାଯାଇଛି। ହେଲେ ସରକାରୀ ଉଦାସୀନତା ଯୋଗୁଁ ବହୁ ସ୍ଥାନରେ ଏହି କାମରେ ଅନିୟମିତତା ଦେଖାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍‌ର ଶିମିଳିିପାଳ ପଂଚାୟତ ଅଧିନସ୍ଥ ବନ୍ଧୁପାଲି ଗ୍ରାମ ଠାରୁ ବଡତଇଲା ରାସ୍ତା କଡରେ ଖୋଲା ସ୍ଥାନ ଗୁଡିକରେ ୩ଶହ ରୁ ଉର୍ଦ୍ଧ୍ୱ ଟ୍ରେଂଚ୍ ଖୋଳା ଯାଇଛି। ଯେଉଁ ସବୁ ଟ୍ରେଂଚ୍ ଖୋଳାଯାଇଛି ତାହା କୌଣସି କାମରେ ଆସିବ ନାହିଁ। କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯାଇ ସେହି କାର୍ଯ୍ୟ କେଉଁ ଯୋଜନାରେ ହେଉଛି ଲୋକମାନେ ଜାଣିବା କଥା ହେଲେ କାର୍ଯ୍ୟ ଆରମ୍ଭର ବହୁ ଦିନ ପରେ ସୂଚନା ଫଳକ ତିଆରି କରି ଲେଖା ଯାଇଛି। କାର୍ଯ୍ୟ ଆରମ୍ଭ ତାରିଖ ୨୯/୧୦/୨୦୨୦ ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ଲେଖା ଯାଇ ନାହିଁ। ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି। ଯା ଫଳରେ ଏହି କାର୍ଯ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ସୂଚନା ଫଳକରେ ସଂପୂର୍ଣ୍ଣ ବିବରଣୀ ଉଲ୍ଲେଖ କରାଯାଇନାହିଁ। ଜିଲ୍ଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରିବାକୁ ଦାବୀ ହେଉଛି।

Related posts