ସଡ଼କ ଦୁର୍ଘଟଣାରେ ୧ ମୃତ, ୨ ଗୁରୁତର

Published: Dec 17, 2020, 9:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଅପରାହ୍ନରେ କେ. ନୂଆଗାଁ ଥାନା ଅନ୍ତର୍ଗତ ରାଧାମୋହନପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ ନିମକୁଡ଼ିଆ ଗ୍ରାମର ପି. ନାରାୟଣ (୧୮), ପି. କାମରାଜୁ (୫୦) ଏବଂ ନାବାଳକ ପି. ଅଶାନ୍ତୁ (୧୩) ତିନିଜଣ ଗୋଟିଏ ବାଇକ୍ (ଓଡ଼ି ୦୭ ଜାଡ଼୍ ୯୩୦୫) ରେ ଯାଉଥିଲେ। ପି. ଅଶାନ୍ତୁକୁ କୁକୁର କାମୁଡ଼ି ଥିବାରୁ ତାକୁ ଚିିକିଟି ମେଡ଼ିକାଲ୍ ନେଉଥିବା ସମୟରେ ଚିକିଟିରୁ ବ୍ରହ୍ମପୁର ଯାଉଥିବା ଏକ ଟ୍ରକ (ଓଡ଼ି ୦୪ ଡ଼ି ୩୪୫୫) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଦୂରକୁ ଛିଟିକି ପଡ଼ିଥିବାବେଳେ ପି. ନାରାୟଣଙ୍କ ଘଟଣାସ୍ଥଳର ମୃତ୍ୟୁ ଘଟିଛି। ଆହତ କାମରାଜୁ ଏବଂ ପି. ଅଶାନ୍ତୁକୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗ୍ରାମବାସୀ ଟ୍ରକଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିବାବେଳେ କେ. ନୂଆଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

Related posts