ଶେଷ ହେଲା ଭକ୍ତଙ୍କ ଅପେକ୍ଷା : 23ରୁ ଖୋଲିବ ଶ୍ରୀମନ୍ଦିର

Published: Dec 18, 2020, 12:12 pm IST

ପୁରୀ : ଭକ୍ତଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା 23ରୁ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଦୁଇଦିନ ସେବାୟତ ପରିବାରକୁ ଦର୍ଶନ ଅନୁମତି ରହିଛି । ତା’ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ଓ୍ବାର୍ଡ ବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ। ଓ୍ବାର୍ଡଓ୍ବାରୀ ଦର୍ଶନ ପାଇଁ ସମୟ ଆବଣ୍ଟନ କରାଯିବ ବୋଲି ସୂଚନା ରହିଛି ।  ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀଜୀଉଙ୍କର ଦର୍ଶନ କରିପାରିବେ । ସେହିପରି ଜାନୁଆରୀ ତିନି ତାରିଖରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ । ଜାନୁଆରୀ 1 ଓ 2 ତାରିଖ ଦର୍ଶନକୁ ବାରଣ କରାଯାଇଛି ।  କୋଭିଡ୍‌ ଗାଇଡଲାଇନ୍‌ରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଦର୍ଶନପାଇଁ ଆସୁଥିବା ପୁରୀ ସହରବାସୀ ଭୋଟର ଓ ଆଧାର କାର୍ଡ ଆଣିବାକୁ ବାଧ୍ୟତାମୂଳକ ରଖାଯାଇଛି। ତେବେ ଦର୍ଶନ ପାଇଁ କୋଭିଡ୍‌ ଗାଇଡଲାଇନ୍‌ର ପାଳନ କରାଯିବ ।

ସେହିପରି ଆସନ୍ତା 23 ତାରିଖରୁ ପୁରୀ ସହରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂ । ମଙ୍ଗଳା ମନ୍ଦିର, ଅଲରାନାଥ ଆଦି ବଡ ମନ୍ଦିର ଖୋଲିବା ପାଇଁ ମିଟିଂ କରି ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସ୍ଥାନୀୟ ତହସିଲଦାର, ଆଇଆଇସି ମିଟିଂ କରି ଦର୍ଶନ ବ୍ୟବସ୍ଥା କରିବେ । ସେହିପରି ଗାଁ ଗହଳିର ଛୋଟ ମନ୍ଦିର ପାଇଁ ଆର୍‌ଆଇ, ସରପଞ୍ଚ ସ୍ଥିର କରିବେ ବୋଲି ସୂଚନା ରହିଛି ।

Related posts