ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି: ଶ୍ରୀମନ୍ଦିର ଭିତରକୁ ଦୀପ ନେବା ମନା

Published: Dec 23, 2020, 5:40 pm IST

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନ ପାଇଁ ଯେଉଁ କଟକଣା ଲାଗିଥିଲା ତାହାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି।

ତେବେ କାଳିଆକୁ ଦର୍ଶନ କରିବା ପାଇଁ କିଛି ନୂତନ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଭିତରେ ଦୀପ ଜାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା। ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ। ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ। ମନ୍ଦିର ଭିତରକୁ ଯିବା ସମୟରେ ପ୍ରତ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ହାତକୁ ସାନିଟାଇଜ କରିବେ। ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି।

ତେବେ ସେବାୟତମାନେ ପ୍ରଥମ ପର୍ଯ୍ୟାୟରେ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଓ ସେମାନଙ୍କ ପରିବାର ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ଲୋକ, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ତେବେ ପୁରୀ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ଜରୁରୀ।

Related posts