ଥାନାଧିକାରୀଙ୍କ କ୍ଷମତା ଅପବ୍ୟବହାର ନେଇ ଏସ୍‌ପିଙ୍କ ନିକଟରେ ଅଭିଯୋଗ କଲେ ଆଇନଜୀବୀ ମଙ୍ଗରାଜ

Published: Dec 24, 2020, 7:22 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଜଣେ କର୍ତ୍ତବ୍ୟନିଷ୍ଠ ଆଇନଜୀବୀ, ପୂର୍ବତନ ସେନାଧିକାରୀଙ୍କୁ ଜଣେ ଥାନାଧିକାରୀ ନିଜର କ୍ଷମତା ବଳରେ କିଭଳି ଉଦ୍ଦେଶ୍ୟମୂଳକ ଭାବେ ଅପଦସ୍ତ କରୁଛନ୍ତି ତାହାର ନିରପେକ୍ଷ ତଦନ୍ତ ପାଇଁ ଆଜି ଆଇନଜୀବୀ ଲଳିତ ମଙ୍ଗରାଜ ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଜଣେ ଥାନାଧିକାରୀ ହୋଇ ଅଂଚଳର ମୋଷ୍ଟ ୱାଣ୍ଟେଡ଼୍ କ୍ରିମିନାଲ୍‌ଙ୍କ ସହ ମଧୁଚନ୍ଦ୍ରିକା ରଖି ସାକ୍ଷୀଙ୍କୁ ଧମକାଇ, କ୍ଷମତାର ଅପବ୍ୟବହାର କରି ମିଛ ମାମଲା ରୁଜୁ କରିବାକୁ ନେଇ ଆଇନଜୀବୀ ଏବଂ ସାଧାରଣ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଗୋଷାଣିନୂଆଗାଁ ଥାନାଧିକାରୀ ସୁମିତ୍‌ କୁମାର ସୋରେନ୍ ନିଜ କ୍ଷମତା ଅପବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି ଆଇନଜୀବୀ ଲଳିତ ମଙ୍ଗରାଜ। ଗତ ୨୭.୦୩.୨୦୨୦ରେ ମଧ୍ୟ କ୍ଷମତାର ଅପବ୍ୟହାର କରି ଶ୍ରୀ ମଙ୍ଗରାଜଙ୍କ ସଂପର୍କୀୟଙ୍କୁ ହଇରାଣ କରିଥିଲେ। ଏନେଇ ଶ୍ରୀ ମଙ୍ଗରାଜ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଇନଥିଲା। ଫଳରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ଅଧିକାରୀ ଆଇଆଇସି ବିରୋଧରେ ସଂଗୀନ ଦଫା ଲଗାଇବା ସହ ୯.୧୨.୨୦୨୦ରେ ମାମଲା ରୁଜୁ ହୋଇଥିଲା। ଏହି ରାଗକୁ ରଖି ଆଇଆଇସି ବର୍ତ୍ତମାନ ତାଙ୍କ ସହ ଉଦ୍ଦେଶ୍ୟମୂଳକ ମିଥ୍ୟା ମାମଲାକୁ ଛନ୍ଦୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ଜଣାଇଛନ୍ତି ମଙ୍ଗରାଜ।

ସୂଚନାଯୋଗ୍ୟ, ମଙ୍ଗରାଜଙ୍କ ନାମରେ ଗତ ୧୮.୧୨.୨୦୨୦ ତାରିଖ ଦିନ ଗୋଷାଣିନୂଆଗାଁ ଥାନା ଠାକୁରାଣି ମନ୍ଦିର ସାହିର ସ୍ୱର୍ଗତ ନାରାୟଣ ପାତ୍ରଙ୍କ ପତ୍ନୀ ସାବିତ୍ରୀ ପାତ୍ର (୨୭) ଗୋଷାଣିନୂଆଗାଁ ଥାନାକୁ ଆସି ଶ୍ରୀ ମଙ୍ଗରାଜ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗରାଜ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ସାବିତ୍ରୀ।

Related posts