ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ

Published: Dec 24, 2020, 8:26 pm IST

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଜିଲ୍ଲାପାଳ ସନତ କୁମାର ମହାନ୍ତି ନିର୍ଦ୍ଦେଶ ଜାରି କରିଛନ୍ତି। ଜାନୁୟାରୀ ୩ ତାରିଖରୁ କୋଭିଡ୍‌ ନିୟମ ପାଳନ ପୂର୍ବକ ମନ୍ଦିର ଖୋଲାଯିବ। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ମନ୍ଦିର ଓ ଧର୍ମାନୁଷ୍ଠାନମାନଙ୍କରେ ପରିଚାଳନା କମିଟି ପକ୍ଷରୁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କାନିଂ କରାଯିବ। ସମସ୍ତ ଭକ୍ତ ମାସ୍କ ପିନ୍ଧିବା ଜରୁରୀ। ଦର୍ଶନ ସମୟରେ ୬ ଫୁଟର ସାମାଜିକ ଦୂରତ୍ବ ରଖାଯିବ।

ତେବେ ନିରାପଦ ରହିବା ପାଇଁ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ରୋଗାଗ୍ରସ୍ତ ବ୍ୟକ୍ତି ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର କିମ୍ବା ଧର୍ମନୁଷ୍ଠାନକୁ ଯିବା ପାଇଁ ବାରଣ କରାଯାଇଛି। ମନ୍ଦିର ଓ ଧର୍ମାନୁଷ୍ଠାନରେ କୌଣସି ବ୍ୟକ୍ତି କୋଭିଡ୍‌ ନିୟମ ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts