ପିପୁଲ୍ସ ଫର ପବ୍ଲିକ୍ ତରଫରୁ କମ୍ବଳ ବଣ୍ଟନ

Published: Dec 30, 2020, 9:57 pm IST

ବ୍ରହ୍ମପୁର: ସାଧାରଣ ଜନତା ତଥା ତଳୁଆ ଶ୍ରେଣୀର ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ପିପୁଲ୍ସ ଫର୍ ପବ୍ଲିକ୍‌ର ଜନହିତକର କାର୍ଯ୍ୟ ଜାରି ରହିଛି। ପୂର୍ବରୁ ସଂଘ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହଯୋଗ କରୁଥିବା ନଜିର ରହିଥିବାବେଳେ ବର୍ତ୍ତମାନ ଶୀତରେ ବାହାରେ ରାତ୍ରି କାଟୁଥିବା ଗରିବ ଲୋକଙ୍କୁ ଚାଦର ବଣ୍ଟନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ଗତକାଲି ରାତିରେ ସଦସ୍ୟମାନେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ, କମାପଲ୍ଲୀ, କୋର୍ଟପେଟା, ଇଂଜିନିୟରିଂ ସ୍କୁଲ, ଆଙ୍କୋଲି, ନୂଆ ବସ୍‌ଷ୍ଟାଣ୍ଡ ଇତ୍ୟାଦି ଜାଗାରେ ଅସହାୟ ଗରିବ ବ୍ୟକ୍ତିଙ୍କୁ ଚାଦର ବଣ୍ଟନ କରିଥିଲେ।

ପୂର୍ବରୁ କିଛି ସଂସ୍ଥାମାନ କେବଳ ମୁଖ୍ୟରାସ୍ତାରେ ଶୀତବସ୍ତ୍ରମାନ ବଣ୍ଟନ କରିଥିବାବେଳେ ଗଳିକନ୍ଦିରେ ରହୁଥିବା ଗରିବ ବ୍ୟକ୍ତିବିଶେଷମାନେ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କଡ଼ା ନିର୍ଦ୍ଦେଶ ରହିଛି ଯେ ରାସ୍ତାକଡ଼ରେ କେହି ରାତ୍ରିଯାପନ କରିବାକୁ ଦିଆଯିବ ନାହିଁ। ତେବେ କାଲିର ବାହାରେ ଶୋଇଥିବା ଲୋକଙ୍କୁ ଦେଖିଲେ କମିଶନରଙ୍କ ବକ୍ତବ୍ୟ ହାସ୍ପ୍ୟାସ୍ପଦ ଲାଗୁଥିବା କର୍ମକର୍ତ୍ତାମାନେ କହିଛନ୍ତି। ବ୍ରହ୍ମପୁରରେ ବହୁ ରାତ୍ରିଯାପନୀ ସ୍ଥଳୀ ରହିଛି। କିନ୍ତୁ ସେଗୁଡ଼ିକରେ ବଡ଼ ବଡ ତାଲା ଝୁଲୁଥିବାବେଳେ କିଛି ସ୍ଥାନରେ ମୌଳିକ ସୁବିଧା ନଥିବାରୁ ଲୋକେ ରହିପାରୁନାହାନ୍ତି।

ତେଣୁ ମହାନଗର ନିଗମ ପକ୍ଷରୁ ରାତ୍ରିରେ ବାହାର ଶୋଇଥିବା ଲୋକଙ୍କୁ ନିକଟସ୍ଥ ରାତ୍ରିଯାପନସ୍ଥଳୀକୁ ନେଇ ରହିବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଂସ୍ଥାର ସଭାପତି ଡ. ସୁବ୍ରତ ସାହୁ, ସଂପାଦକ ସତୀଶ ପାଣିଗ୍ରାହୀ, ମୁଖ୍ୟ ପୃଷ୍ଠପୋଷକ ହେମାଙ୍ଗ ପ୍ରସାଦ ରାଉଳ, ବିଶ୍ୱନାଥ ମାଲଣା, ଅସିତ ପଣ୍ଡା, ସନ୍ତୋଷ କୁମାର, ପି. କୁନା ସେନାପତି ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ।

Related posts