ନୂଆବର୍ଷ ପାଇଁ ଦିଲ୍ଲୀ ଓ ମୁମ୍ବାଇରେ କଡା କଟକଣା

Published: Dec 31, 2020, 11:10 am IST

ନୂଆଦିଲ୍ଲୀ: ଆଜି ହେଉଛି 2020 ବର୍ଷର ଶେଷ ଦିବସ । କରୋନା କାଳ ମଧ୍ୟରେ ନୂତନ ବର୍ଷ ନୂତନ ସମ୍ଭାବନା ନେଇ ଆସିଛି ।  ଯଦିଓ ଦେଶରେ ଏବେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ, କିନ୍ତୁ ଏବେବି ବିପଦ ଟଳି ନାହିଁ। ନୂଆବର୍ଷରେ କରୋନା ମାମଲା ଯେପରି ନ ବୃଦ୍ଧି ପାଇବ, ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ନାଇଟ୍‌ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମୁମ୍ବାଇରେ 144 ଲାଗୁ କରାଯିବ ।

ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ 5ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ । ଡିସେମ୍ବର 31 ତାରିଖ ରାତି 11ଟାରୁ ଜାନୁଆରୀ 1 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ 1 ତାରିଖ ରାତି 11ଟାରୁ 2 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନୂଆବର୍ଷକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ମୁମ୍ବାଇରେ ରେଷ୍ଟୁରାଣ୍ଟ, ପବ୍, ବାର୍, ରୁଫଟପ୍, ବୋଟକୁ ନା କରାଯାଇଛି। ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇ ପୁଲିସ୍ ଡ୍ରୋନ୍ ଜରିଆରେ ଲୋକଙ୍କ ଉପରେ ନଜର ରଖିବ।

Related posts