ବିବାହ ପାଇଁ ଯୁବତୀ ରାଜି ନ ହେବାରୁ ଲାଇଭ୍ ଭିଡିଓ କରି ଯୁବକର ଆତ୍ମହତ୍ୟା

Published: Jan 6, 2021, 7:24 pm IST

କନ୍ଦର୍ପ ବେହେରା
ରେଢାଖୋଲ: ପ୍ରେମ ମାନେନା ବାଧା, ବନ୍ଧନ। ପ୍ରେମ ମାନେନା ଜାତି ଗୋତ୍ର। ଏଇ ପ୍ରେମ ପାଇଁ କେତେ ଯେ ପ୍ରେମିକ ପାଗଳ ବନିଛନ୍ତି ତାର ଇୟତା ନାହିଁ। ଏଇ ପ୍ରେମ ପାଇଁ କେଉଁଠି ପ୍ରେମିକ ଆତ୍ମ ହତ୍ୟା କରୁଛି ତ ଆଉ କେଉଁଠି ଯୁବତୀ ମଧ୍ୟ ଆତ୍ମହତ୍ୟା କରୁଛି। ସତରେ ଏଇ ଅଢେଇ ଅକ୍ଷର ପ୍ରେମ କେତେ ଯେ ଜୀବନ ନେଇଛି ତାର କଳନା ନାହିଁ। ସେମିତି ଏଇ ପ୍ରେମ ପାଇଁ ଜଣେ ଯୁବକ ଜୀବନ ହାରିଛି ବେକରେ ରଶି ଲଗାଇ।

ଘଟଣା ଘଟିଛି ରେଢାଖୋଲ ସବ୍‌ଡିଭିଜନର ଚାରମାଳ ଥାନା ଅଂଚଳରେ। ଗତକାଲି ରାତିରେ ଚାରମାଳ ଗ୍ରାମର ବିରେନ୍ଦ୍ର ଷଡଙ୍ଗୀ (୨୭)ନିଜ ପ୍ରେମିକାକୁ ଭିଡିଓ ଲାଇଭ କଲ୍ କରି ନିଜ ଘରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ପୋଲିସ୍ କହିଛି। ଏପରିକି ଚାରମାଳ ଅଂଚଳରେ ଏଇ ଘଟଣାଟି ଚାଂଚଲ୍ୟ ସୃଷ୍ଟି କରିଛି। ଯୁବକ ଜଣଙ୍କ ବ୍ରାହ୍ମଣ ଜାତିର ହୋଇଥିବା ବେଳେ ଝିଅଟି ମୁସଲିମ୍ ସଂପ୍ରଦାୟର ଥିଲା। ପିଲାଟି ଝିଅକୁ ଏତେ ପରିମାଣରେ ଭଲ ପାଉଥିଲା ଯେ ନିଜ ହାତରେ ଝିଅର ନାମକୁ ଖୋଦିତ କରିଥିଲା।

ହେଲେ ଶେଷରେ ଝିଅର ଅନ୍ୟତ୍ର ବିବାହକୁ ନେଇ ପିଲାଟି ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେବାକୁ ପଛାଇ ନ ଥିଲା। ଏନେଇ ଝିଅର ପରିବାର ବିରୁଦ୍ଧରେ ଯୁବକର ପରିବାର ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଅକୁ ଝିଅ ଘର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ପୂର୍ବରୁ ବିଧା ଗୋଇଠା ଆଦି ଅକଥନୀୟ ନର୍ଯ୍ୟାତନା ଦେଉଥିଲେ ବୋଲି ପୁଅର ପରିବାର ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ଚାରମାଳ ପୋଲିସ୍ ଏକ କେସ୍ ରୁଜୁ କରିଥିବା ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।

Related posts