ଆଜିଠାରୁ ଖୋଲିଲା କଟକ ଜିଲ୍ଲାର ସମସ୍ତ ମନ୍ଦିର, କଟକଣା ଭିତରେ ଦର୍ଶନ

Published: Jan 7, 2021, 8:55 am IST

କଟକ, ଆଜିଠାରୁ କଟକର ସମସ୍ତ ଧର୍ମ ଅନୁଷ୍ଠାନ ଖୋଲାଯାଇଛି। କୋଭିଡ ପାଇଁ ଦୀର୍ଘ ନଅ ମାସ ଧରି ସମସ୍ତ ମନ୍ଦିର ବନ୍ଦ ରହିଥିଲା। ତେବେ ଭକ୍ତମାନେ କୋଭିଡ କଟକଣା ଭିତରେ ଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଭିତରକୁ କେବଳ ଦୁଇ ଜଣ ଭକ୍ତଙ୍କୁ ପ୍ରବେଶ ଅନୁମତି ରହିଛି।

ସେହିପରି ପୂଜାରୀ ଓ ଭକ୍ତଙ୍କ ମଧ୍ୟରେ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଇନଟାଇଜେସନ ଏବଂ ମାସ୍କ ପିନ୍ଧାକୁ ଗୁରୁତ୍ବ ଦିଆଯାଇଛି। କୌଣସି ମନ୍ଦିର କର୍ତ୍ତୁପକ୍ଷ ଯଦି ଏଥିରେ ଖିଲାଫ କରନ୍ତି ତେବେ ସେ ମନ୍ଦିରକୁ ପୁଣି ଥରେ ବନ୍ଦ କରିଦିଆଯିବ ବୋଲି ଚେତାବନି ଦିଆଯାଇଛି।

କଟକର ପ୍ରସିଦ୍ଧ ଚଣ୍ଡି ମନ୍ଦିରରେ ଭକ୍ତମାନେ ଯେପରି କଟକଣା ଭିତରେ ଦର୍ଶନ କରିପାରିବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ମନ୍ଦିର ଭିତରକୁ ଯିବା ପୂର୍ବରୁ ସାଇନିଟାଇଜେସନ ଏବଂ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦିଆଯାଇଛି। ତେବେ ଆଜି ସକାଳୁ ମନ୍ଦିରରେ ସେମିତି ଭିଡ ପରିଲକ୍ଷିତ ହୋଇ ନାହିଁ।

Related posts