ଆଜି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ କରୋନା ଟୀକାର ଦ୍ୱିତୀୟ ଡ୍ରାଏ ରନ୍

Published: Jan 8, 2021, 8:05 am IST

ନୂଆଦିଲ୍ଲୀ, ଦେଶବ୍ୟାପୀ ହେଉଥିବା କୋଭିଡ୍ ଟୀକାଦାନ ଅଭ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମତବିନିମୟ କରିଛନ୍ତି ।

ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଯେ ସବୁ ରାଜ୍ୟର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଜାନୁୟାରୀ ଆଠ ତାରିଖରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୩୬ ଜିଲାରେ ଏହି ଟୀକାଦାନର ଅଭ୍ୟାସମୂଳକ ଡ୍ରିଲ କରାଯିବ । ଏଥିରେ ଗୋଟିଏ ଦିନରେ ୩ ପର‌୍ୟ୍ୟାୟରେ କିପରି ଲୋକଙ୍କୁ ଟୀକା ଦିଆଯିବ ସେ କଥା ଟୀକାଦାନକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭ୍ୟାସ କରିବେ ।

ଏହି ମକ୍‌ଡ୍ରିଲର ଉଦ୍ଦେଶ୍ୟ ହେଲା ପ୍ରକୃତ ଟୀକାକୁ କିପରି ଲୋକଙ୍କୁ ନିର୍ଭୁଲଭାବେ ପ୍ରଦାନ କରାଯାଇପାରିବ ତାହାର ସମୁଦାୟ ଯୋଜନା ଓ କାର‌୍ୟ୍ୟକାରିତାର ଅଭ୍ୟାସମୂଳକ ପ୍ରଦର୍ଶନ କରିବା। ଏଥିପାଇଁ ହିତାଧିକାରୀମାନଙ୍କ ନାମ ପଞ୍ଜୀକୃତ ହେବ । ନିର୍ଦ୍ଧାରିତ ଟୀକାଦାନ କେନ୍ଦ୍ରରେ ବିଭିନ୍ନ ପର‌୍ୟ୍ୟାୟରେ କିପରି ଟୀକା ଦିଆଯିବ ତାହାର ଯୋଜନା ଓ ରୂପାୟନ କାର‌୍ୟ୍ୟ ପରୀକ୍ଷାମୂଳକଭାବେ କରାଯିବ।

ଏହି ସମଗ୍ର ପ୍ରକ୍ରିୟା ଜିଲାପାଳ ବା ଜିଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ କାର‌୍ୟ୍ୟକାରୀ ହେବ। ଏହି ଡ୍ରାଏ ରନ୍ ବ୍ୟବସ୍ଥାରେ ରାଜ୍ୟ, ଜିଲା, ବ୍ଲକ ଓ ହସପିଟାଲସ୍ତରୀୟ ଅଧିକାରୀମାନେ ଟୀକାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପରିଚିତ ହେବେ। ଏହା ଫଳରେ ଯେତେବେଳେ ବାସ୍ତବରେ ଟୀକା ଦିଆଯିବା ଆରମ୍ଭ ହେବ ସେତେବେଳେ କୌଣସି ଅସୁବିଧା ରହିବ ନାହିଁ ।

ଏହି ଅଭ୍ୟାସମୂଳକ କାର‌୍ୟ୍ୟ ବଳରେ ପ୍ରଶାସକମାନେ ଟୀକାଦାନ ସଂକ୍ରାନ୍ତ ଯୋଜନା, ରୂପାୟନ ଓ ରିପୋର୍ଟିଂ ମେକାନିଜମ୍ ସହ ସମନ୍ୱୟ ରକ୍ଷା କରିବାର ଅଭିଜ୍ଞତା ଅର୍ଜନ କରିବେ। ଏଥିରେ ଯଦି କୌଣସି ତ୍ରୁଟିବିଚ୍ୟୁତି ଥାଏ ଏହା ଅଭ୍ୟାସବେଳେ ଧରାପଡି ତାହା ସଂଶୋଧନ କରାଯାଇପାରିବ । ସର୍ବୋପରି ଏହି ଅଭ୍ୟାସଦ୍ୱାରା ବାସ୍ତବ ଟୀକାଦାନ ବ୍ୟବସ୍ଥାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଆତ୍ମବିଶ୍ୱାସ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।

 

Related posts