Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵର ଠାରେ ସବୁ ଏମ୍ସ କେନ୍ଦ୍ରୀୟ ସଂସ୍ଥାନ ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜି ଭୁବନେଶ୍ଵର ଏମ୍ସ ଠାରେ ସବୁ ନୂଆ ଏମ୍ସର କେନ୍ଦ୍ରୀୟ ସଂସ୍ଥାନ ପରିଷଦ (ସିଆଇବି)ର ଷଷ୍ଠ ବୈଠକକୁ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ସାଂସଦ ଡକ୍ଟର ଅନୀଲ ଜୈନ, ସାଂସଦ ରମେଶ ଭିଦୁରୀ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସବୁ ଏମ୍ସକୁ ପାଣ୍ଠି ଯୋଗାଣ, ଭିତ୍ତିଭୂମି, ପଦବୀ ସୃଷ୍ଟି, ନିଯୁକ୍ତି, ନୀତି କାର୍ଯ୍ୟକାରିତା, ସମସ୍ୟା ସମାଧାନ ଏବଂ ବିଭିନ୍ନ କ୍ରୟ ପାଇଁ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଭାବେ ସିଆଇବି କାର୍ଯ୍ୟ କରିଥାଏ। ଆଜିର ସିଆଇବି ବୈଠକରେ ମୁଖ୍ୟତଃ ପୂର୍ବ ସିଆଇବି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଅନୁପାଳନ ନେଇ ସମୀକ୍ଷା କରାଯାଇଥିଲା।

ସବୁ ଏମ୍ସର ପ୍ରତିନିଧି, ବିଶିଷ୍ଟ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ଅତିଥିଙ୍କ ସମେତ ସବୁ ଅଂଶଗ୍ରହଣକାରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମାଣ୍ଡଭୀୟ ସ୍ୱାଗତ ଜଣାଇଥିଲେ। ସେ କହିଥିଲେ ଯେ, ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ସିଆଇବି ବୈଠକ ଆୟୋଜନ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି କହିଥିଲେ ଯେ, ସିଆଇବି ବୈଠକରେ କେବଳ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ସମୀକ୍ଷା କରାଯାଇନଥାଏ ବରଂ ଭିନ୍ନ ଦୃଷ୍ଟିକୋଣ, ନୂତନ ଉପାୟ, ଅଭିନବ ସମାଧାନ ଓ ପରାମର୍ଶ ଉପସ୍ଥାପନ କରିବା ଲାଗି ଏହା ଏକ ମଞ୍ଚ। ସମସ୍ତ ଅଂଶଗ୍ରହଣକାରୀମାନେ ଏଥିରେ ନିଜର ଅଭିଜ୍ଞତା ଓ ବିଶେଷଜ୍ଞତାକୁ ଉପଯୋଗ କରି ଏମ୍ସର ଉନ୍ନତିକରଣ ପାଇଁ ଆବଶ୍ୟକ ପରାମର୍ଶ ଦେଇପାରିବେ। ଶ୍ରୀ ମାଣ୍ଡଭୀୟ ଜୋର ଦେଇ କହିଥିଲେ ଯେ, ଦେଶର ସବୁ ଏମ୍ସଗୁଡ଼ିକ ଜଟିଳ ରୋଗ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସଂସ୍ଥାନ ଭାବେ କାର୍ଯ୍ୟ କରିଥାନ୍ତି। ଏହି ସଂସ୍ଥାନଗୁଡ଼ିକୁ ବିଶ୍ଵସ୍ତରୀୟ ଉତ୍କୃଷ୍ଟ ସଂସ୍ଥାନରେ ପରିଣତ କରିବା ଲାଗି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି। ଉନ୍ନତ ଗୁଣବତ୍ତା, କ୍ଲିନିକାଲ ଚିକିତ୍ସା, ଡାକ୍ତରୀ ଶିକ୍ଷାର ଉଚ୍ଚତମ ମାନକ ଏବଂ ଆଧୁନିକ ଗବେଷଣା ସହିତ ଏମ୍ସଗୁଡ଼ିକର ଉନ୍ନତୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଧିକ ସହଭାଗୀ ‘‘ସମ୍ବାଦ’’ (ବିଚାରବିମର୍ଶ) ପାଇଁ ବିଚାରଶୀଳ ଉପାୟ ଓ ପ୍ରସଙ୍ଗର ଉପସ୍ଥାପନ କରିବା ଲାଗି ଏକ ମଞ୍ଚ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ଆଇଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠାନ ଠାରୁ ଶିକ୍ଷାଲାଭ କରିବା ନିମନ୍ତେ ସେ ଉପସ୍ଥିତ ଅତିଥିମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଏକ ପେସାଦାର କାର୍ଯ୍ୟ ସଂସ୍କୃତି ପାଇଁ ମେଟାଡାଟା ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଏହା ଉନ୍ନତ ପରିଣାମ ଦେଇପାରିବ। ପରିଚାଳନା ପାଇଁ ଅଭିନବ ମଡେଲ ପ୍ରସ୍ତୁତ କରିବା ଲାଗି ସେ ଏମ୍ସ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦେଇଥିଲେ। ଏ ଦିଗରେ ଆସନ୍ତା ସିଆଇବି ବୈଠକରେ ପ୍ରସ୍ତାବ ଦେବାକୁ ସେ କହିଥିଲେ। ଏମ୍ସକୁ ବିଶ୍ଵସ୍ତରୀୟ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାରେ ପରିଣତ କରିବା ଦିଗରେ ଦ୍ରୁତ ଓ ନିରନ୍ତର ଭାବେ କାର୍ଯ୍ୟ କରିବା ନିମନ୍ତେ ସେ ସବୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବ ସିଆଇବି ବୈଠକରେ କରାଯାଇଥିବା ସୁପାରିସ ଆଧାରରେ ସବୁ ଏମ୍ସ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ଡକ୍ଟର ମାଣ୍ଡଭୀୟ ପ୍ରଶଂସା କରିଥିଲେ। ସୁଧାର ପାଇଁ ରହିଥିବା ସୁଯୋଗକୁ ଚିହ୍ନଟ କରିବା ଲାଗି ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ଏବଂ ସେଗୁଡ଼ିକ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ନିମନ୍ତେ ସେ ସବୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ। ଆଜିର ବୈଠକରେ ଆଲୋଚନା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଅଧିକ ବିଚାରମନ୍ଥନ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ‘‘ଆମେ ସମସ୍ତେ ମିଳିତ ଭାବେ ଭାରତର ସ୍ୱାସ୍ଥ୍ୟସେବା ପ୍ରଣାଳୀରେ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛୁ,’’ ସେ କହିଥିଲେ।

ସିଆଇବି ବୈଠକରେ ଯୋଗ ଦେବା ପୂର୍ବରୁ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍ସ ଭୁବନେଶ୍ଵରର ପରିଚାଳନା କାର୍ଯ୍ୟ ସମୀକ୍ଷା କରିଥିଲେ। ସେ ରୋଗୀ ସେବା ଅନୁଧ୍ୟାନ କରିବା ସହିତ ସେଠାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ ଏମ୍ସ ବ୍ରାଣ୍ଡକୁ ଅଧିକ ଉଚ୍ଚ ସ୍ତରକୁ ନେଇଯିବା ସରକାରଙ୍କ ଲକ୍ଷ୍ୟ। ବିଶ୍ଵସ୍ତରରେ ସଫଳ ହୋଇଥିବା ଡାକ୍ତରୀ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ମଡେଲ ଅନୁଧ୍ୟାନ କରିବା ଏବଂ ଶ୍ରେଷ୍ଠ ପଦ୍ଧତିକୁ ଆପଣାଇବା ନିମନ୍ତେ ସେ ବୈଠକରେ ଉପସ୍ଥିତ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦେଇଥିଲେ। ଆଭା ଆଇଟି ଏବଂ ସରକାରଙ୍କ ଅନ୍ୟ ଯୋଜନା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ବିଚାରବିମର୍ଶ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଚିନ୍ତନ ଶିବିରର ସୁପାରିସକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ପ୍ରଗତି ଅନୁଧ୍ୟାନ କରାଯାଇଥିଲା ଏବଂ ସବୁ ଏମ୍ସର ପରିଚାଳନା କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ପିଏମଏସଏସୱାଇ ଅଧୀନରେ ନୂଆ ଏମ୍ସର ନିରୀକ୍ଷଣ, ଦୀର୍ଘସ୍ଥାୟୀ ଆର୍ଥିକ ମଡେଲ, ରୋଗୀଙ୍କ ସନ୍ତୋଷ ବୃଦ୍ଧି ଏବଂ ଏକ ସହାୟକ ଭାବେ ଆଇସିଟିର ଉପଯୋଗ, ପରିଚାଳନା ଓ ପ୍ରଶାସନିକ ଢାଞ୍ଚା ଓ ମାନବ ସମ୍ବଳ ପରିଚାଳନା, କ୍ରୟ କ୍ଷେତ୍ରରେ ଅର୍ଥବ୍ୟବସ୍ଥାର ଉପଯୋଗ, ଭିଜନ ୨୦୩୦, ପରିଣାମ ଆଧାରିତ ସହଭାଗୀ ଗବେଷଣା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଏବଂ ପଞ୍ଚମ ସିଆଇବିର ବଳକା ଏଜେଣ୍ଡାର ଅଗ୍ରଗତି  ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।

ଏକ ବ୍ୟବସ୍ଥିତ ଓ ଚିନ୍ତା ଉଦ୍ରେକକାରୀ ଢଙ୍ଗରେ ଚିନ୍ତନ ଶିବିର ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଅଂଶଗ୍ରହଣକାରୀମାନେ ଖୋଲାଖୋଲି ଭାବେ ସେମାନଙ୍କର ମତବ୍ୟକ୍ତ କରିବା ସହିତ ଆବଶ୍ୟକ ପରାମର୍ଶ ଦେଇପାରିଥିଲେ। ଏଥିପାଇଁ ସୁଯୋଗ ମିଳିଥିବାରୁ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏକ ଶ୍ରେଷ୍ଠ ଶିକ୍ଷଣ ଅଭିଜ୍ଞତା ପ୍ରଦାନ କରିଥିବାରୁ ସେମାନେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ମନୋହର ଲୋହାନୀ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଜୟଦୀପ କୁମାର ମିଶ୍ରା, ଏମ୍ସ ଦେଓଘରର ଅଧ୍ୟକ୍ଷ ଡା. ଏନ.କେ. ଆରୋରା, ଅୱନ୍ତିପୁରା ଏମ୍ସ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ ଗର୍ଗ,  କଲ୍ୟାଣୀ ଏମ୍ସର ଅଧ୍ୟକ୍ଷ ଡକ୍ଟର ଚିତ୍ରା ସରକାର, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର କୁଳପତି ତଥା କୁଳସଚିବ ପ୍ରଫେସର ବିଜୟ କୁମାର ଶୁକ୍ଳାଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୀତି ଆୟୋଗ, ଏମ୍ସ, ନିମହାନ୍ସ ଏବଂ ଆଇସିଏମଆରର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର

ନୂଆଦିଲ୍ଲୀ: ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃ ମୃତ୍ୟୁ ହାର (ଏମଏମଆର)କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡଭ୍ୟ ଏକ ଟୁଇଟରେ କହିଛନ୍ତି ଯେ:

ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମଏମଆର ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି। ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମଏମଆର ସ୍ତର ହ୍ରାସ ପାଇଛି

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମଏମଆର ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର)ରେ ଉଲ୍ଲେଖନୀୟ ସୁଧାର ଆସିଛି। ଏମଏମଆର ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି। ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁ ହାର (ଏମଏମଆର) ଗଣନା କରାଯାଇଥାଏ।

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁ ହାର ୨୦୧୪-୨୦୧୬ରେ ୧୩୦ ଥିବା ବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।

ଏହି ସଫଳତା ସହିତ, ଭାରତ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୧୦୦କୁ ହ୍ରାସ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି)ର ଲକ୍ଷ୍ୟ ହାସଲରେ ସଫଳ ହୋଇଛି । ୨୦୩୦ ସୁଦ୍ଧା ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୭୦କୁ କମାଇବା ଲାଗି ଏସଡିଜି ବିକାଶ ଲକ୍ଷ୍ୟ ହାସଲ ଦିଗରେ ଠିକଣା ପଥରେ ରହିଛି।

ଅନ୍ୟପଟେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଟାର୍ଗେଟ ପୂରଣ କରିଥିବା ରାଜ୍ୟଗୁଡ଼ିକର ସଂଖ୍ୟା ୬ରୁ ଆଠକୁ ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ କେରଳ (ଏମଏମଆର ୧୯) ରହିଛି। ଏହାପଛକୁ ମହାରାଷ୍ଟ୍ର (୩୩), ତେଲଙ୍ଗାନା (୪୩), ଆନ୍ଧ୍ର ପ୍ରଦେଶ (୪୫), ତାମିଲନାଡ଼ୁ (୫୪), ଝାଡ଼ଖଣ୍ଡ (୫୬), ଗୁଜରାଟ (୫୭) ଏବଂ କର୍ଣ୍ଣାଟକ (୬୯) ରହିଛନ୍ତି।

୨୦୧୪ ପରଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଉନ୍ନତ ମାନର ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ମାତୃ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିଶେଷ କରି ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଏନଏଚଏମ ଅଧୀନରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିଛି। ସୁରକ୍ଷିତ ମାତୃତ୍ୱ ଆଶ୍ବାସନ (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଭଳି କାର୍ଯ୍ୟକ୍ରମ ମା’ମାନଙ୍କୁ ସମ୍ମାନଜନକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ଦ୍ୱିତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ସେ କହିଛନ୍ତି ଯେ, ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଏବଂ ଆଗକୁ ସମ୍ପାଦନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକର ଆୟୋଜନ କରାଯାଇଛି।

ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ  କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ ଭାରତ ସଂକଳ୍ପବଦ୍ଧ ରହିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ସହନଶୀଳତା ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ କହିଥିଲେ ଯେ ଏକ ଆର୍ଥିକ ମଧ୍ୟସ୍ଥତା ପାଣ୍ଠି ଗଠନ ପାଇଁ ପୂର୍ବରୁ ଆଲୋଚନା ହୋଇସାରିଛି। ବିଶ୍ୱ ସ୍ୱାସ୍ଥ୍ୟସେବା ଢାଞ୍ଚାରେ ରହିଥିବା ବର୍ତ୍ତମାନର ତ୍ରୁଟିପୂର୍ଣ୍ଣ ଦିଗକୁ ଗ୍ରହଣ କରିବା ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ସମାବେଶୀ, ସକ୍ରିୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ନିର୍ମାଣ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଡକ୍ଟର ମାଣ୍ଡଭିୟ  କହିଥିଲେ।

ସାରା ବିଶ୍ୱରେ ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରସ୍ତାବିତ ଗ୍ଲୋବାଲ ଫେଡରେଟେଡ୍‌ ପବ୍ଲିକ୍‌ ଟ୍ରଷ୍ଟ ଡିରେକ୍ଟୋରୀରେ ଯୋଗଦାନ କରିବା ପାଇଁ ସେ ସମସ୍ତ ଜି20 ସଦସ୍ୟମାନଙ୍କୁ ଡକ୍ଟର ମାଣ୍ଡଭିୟ ଆହ୍ୱାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମଙ୍କିପକ୍ସ ପାଇଁ ପଦକ୍ଷେପ: ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସ୍କ୍ରିନିଂ ନିଶ୍ଚିତ କରିବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ବିମାନବନ୍ଦର ଏବଂ ବନ୍ଦର ମାଧ୍ୟମରେ ଭାରତରେ ପହଞ୍ଚୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଂର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି।

ଏହି ବୈଠକରେ ବିମାନବନ୍ଦର ଏବଂ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ (ଏପିଏଚଓ / ପିଏଚଓ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ସମସ୍ତ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କର କଠୋର ସ୍ୱାସ୍ଥ୍ୟ ପରୀକ୍ଷଣ ନିଶ୍ଚିତ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯାହାଦ୍ବାରା ଦେଶରେ ମଙ୍କିପକ୍ସ ସଂକ୍ରମଣର ସମ୍ଭାବନାକୁ କମ୍ କରାଯାଇପାରିବ।

ମନ୍ତ୍ରଣାଳୟର ‘ମଙ୍କିପକ୍ସ ରୋଗର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ’ଅନୁଯାୟୀ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଦିଗଦର୍ଶନ ପ୍ରଦାନ କରାଯାଇଥିଲା।

ଏହା ସହିତ ଅନ୍ୟାନ୍ୟ ଅଂଶୀଦାର ଯଥା ଆନ୍ତର୍ଜାତିକ ବନ୍ଦର ଓ ବିମାନ ବନ୍ଦରର ଇମିଗ୍ରେସନରେ ସମନ୍ବୟ ସ୍ଥାପନ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ଯଦ୍ବାରା ସ୍ବାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟାକୁ ଶୃଙ୍ଖଳିତ କରାଯାଇପାରିବ। ଏହା ସହିତ ପ୍ରତି ବନ୍ଦରର ପ୍ରବେଶ ମାର୍ଗରେ ହସ୍‌ପିଟାଲ୍ ସହିତ ଏକ ଉପଯୁକ୍ତ ଲିଙ୍କେଜ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯଦ୍ବାରା ସଠିକ୍ ସମୟରେ ରେଫରାଲ୍ ଓ ଆଇସୋଲେସନ ବ୍ୟବସ୍ଥା କରାଯାଇପାରିବ।

ଏହି ବୈଠକରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିପର୍ଯ୍ୟୟ ପରିଚାଳନା ସେଲର ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Categories
ବିଶେଷ ଖବର

‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: “କୋଭିଡ ଏବେ ବି ରହିଛି। କେତେକ ରାଜ୍ୟରେ କୋଭିଡ ମାମଲା ବୃଦ୍ଧି ପାଇବାର ଖବର ମଧ୍ୟ ମିଳୁଛି। ଏ ସମୟରେ ସତର୍କ ରହିବା ସହ କୋଭିଡ ମାର୍ଗଦର୍ଶିକା ପାଳନ ଯେପରିକି ମାସ୍କ ବ୍ୟବହାର ଓ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଶାରୀରିକ ଦୂରତା ରକ୍ଷା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ”। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଗଣଙ୍କ ସହ ଆଜି ଆଭାସୀ ମାଧ୍ୟମରେ ଟିକାକରଣ ଅଗ୍ରଗତି ଓ ହର ଘର ଦସ୍ତକ ୨.୦ର ଅଭିଯାନର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହା ପ୍ରକାଶ କରିଛନ୍ତି।

କେତେକ ଜିଲ୍ଲା ଓ ରାଜ୍ୟରେ କୋଭିଡ-୧୯ ପଜିଟିଭ ମାମଲା ବୃଦ୍ଧି ଓ ପରୀକ୍ଷା ହ୍ରାସ ଉପରେ ଆଲୋଚନା କରି ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଠିକ ସମୟ ଓ ଅଧିକ ପରୀକ୍ଷା ଦ୍ୱାରା କୋଭିଡ ମାମଲାଗୁଡ଼ିକର ସଅଳ ଚିହ୍ନଟ ହେବା ସହ ମାମଲା ଓ ଗୋଷ୍ଠୀ ସଂକ୍ରମଣ ମଧ୍ୟ ହ୍ରାସ ପାଇବ। ସେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ନୀରିକ୍ଷଣ ବୃଦ୍ଧି ସହ ଦେଶରେ ନୂତନ ପ୍ରଜାତିର ଚିହ୍ନଟ ନିମନ୍ତେ ଜିନୋମ ସିକୁଏନ୍ସିଂ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପାଞ୍ଚସୂତ୍ରୀ ରଣନୀତି ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ପାଳନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଚାଲୁ ରଖିବାକୁ ସେ କହିଥିଲେ। ସେମାନେ ସଂଶୋଧିତ କୋଭିଡ ନୀରିକ୍ଷଣ ରଣନୀତିଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ବିଦେଶାଗତ ପରିଭ୍ରମଣକାରୀ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରୀକ୍ଷାଗାର ଓ ଗୋଷ୍ଠୀଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

ସମାଜର ଦୁର୍ବଳ ଶ୍ରେଣୀର କୋଭିଡ ଟିକାକରଣ ଉପରେ ଗୁରୁତ୍ୱାରୋପ କରି ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ଜୁନ ପହିଲାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ହର ଘର ଦସ୍ତକ ୨.୦ ଅଭିଯାନକୁ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ “ଚାଲନ୍ତୁ ଆମେ ୧୨-୧୭ ବୟସ ଶ୍ରେଣୀ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆମର ଅଭିଯାନକୁ ତ୍ୱରାନ୍ୱିତ କରିବା ପ୍ରଥମ ଓ ଦ୍ୱିତୀୟ ମାତ୍ରା ଦେଇ, ଯାହାଫଳରେ ସେମାନେ ଟିକାର ସୁରକ୍ଷାବଳୟ ମଧ୍ୟରେ ବିଦ୍ୟାଳୟ ଯାଇପାରିବେ।” ସରକାରୀ ଓ ଘରୋଇ/ଅଣ ଆନୁଷ୍ଠାନିକ ବିଦ୍ୟାଳୟ ଯେପରିକି ମଦ୍ରାସା ଦିବସ ଯତ୍ନ ବିଦ୍ୟାଳୟଗୁଡ଼ିକରେ ୧୨ରୁ ୧୭ ବର୍ଷ ବୟସ ଶ୍ରେଣୀ ନିମନ୍ତେ ବିଦ୍ୟାଳୟଭିତ୍ତିକ ଅଭିଯାନ ଓ ବିଦ୍ୟାଳୟ ଯାଉ ନ ଥିବା ପିଲାମାନଙ୍କ ନିମନ୍ତେ ଖରା ଛୁଟିରେ ଟିକାକରଣ ଅଭିଯାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଥିଲେ ଯେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଦୁର୍ବଳ ଶ୍ରେଣୀରେ ଯାଉଥିବାରୁ ସେମାନେ ପ୍ରତିଷେଧକ ମାତ୍ରା ବଳରେ ସୁରକ୍ଷିତ ରଖିବା ଆବଶ୍ୟକ । “ଆମର ସ୍ୱାସ୍ଥ୍ୟ ଯତ୍ନ କର୍ମୀମାନେ ଘରକୁ ଘର ବୁଲି ଜନସଂଖ୍ୟାର ଦୁର୍ବଳ ଶ୍ରେଣୀ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେଉଛନ୍ତି” ବୋଲି ସେ କହିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ୧୮-୫୯ ବର୍ଷ ଶ୍ରେଣୀ ହିତାଧିକାରୀମାନଙ୍କୁ ଘରୋଇ ହସ୍ପିଟାଲ ଜରିଆରେ ନିୟମିତ ଟିକାକରଣ ନେଇ ସମୀକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡର ସମ୍ପ୍ରସାରିତ ସୁରକ୍ଷା ପାଇଁ ଆମେ ହର ଘର ଦସ୍ତକ ଅଭିଯାନରୁ ଶିକ୍ଷା ଲାଭ କରିବାକୁ ମଧ୍ୟ ସେ କହିଥିଲେ। “ଦେଶ ବ୍ୟାପୀ ପର୍ଯ୍ୟାପ୍ତ ଟିକା ମାତ୍ରା ଉପଲବ୍ଧ ଅଛି । ଆମେ କୋଭିଡ ଟିକାକରଣକୁ ବ୍ୟାପକ ହର ଘର ଦସ୍ତକର ଦ୍ୱିତୀୟ ପର୍ଯ୍ୟାୟରେ ସୁନିଶ୍ଚିତ କରିବା” ବୋଲି ସେ ଗୁରୁତ୍ୱାରୋପ କରିଥିଲେ। କୌଣସିମତେ କୋଭିଡ-୧୯ ଟିକା ଯେପରି ନଷ୍ଟ ନ ହୁଏ ତାହା ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏଗୁଡ଼ିକର ନିରୀକ୍ଷଣକୁ ମଧ୍ୟ ସୁନିଶ୍ଚିତ କରି “ଆମେ ଅବଧି ପୁରୁଥିବା ମାତ୍ରାର ପ୍ରଥମ ବ୍ୟବହାର” ନୀତି ଜରିଆରେ ଯେଉଁ ମାତ୍ରାର ଅବଧି ଶୀଘ୍ର ପୂରଣ ହେବାକୁ ଯାଉଛି ତାହା ଆଗ ବ୍ୟବହାର କରିବା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ହର ଘର ଦସ୍ତକ ୨.୦ ଅଭିଯାନ ଜରିଆରେ କୋଭିଡ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ସପମ୍ ରଞ୍ଜନ ସିଂ (ମଣିପୁର) ଆଲୋ ଲିବାଂଙ୍ଗ (ଅରୁଣାଚଳ ପ୍ରଦେଶ) ତାଜେରୁ ହରୀଶ ରାଡା (ତେଲେଙ୍ଗାନା), ଅନୀଲ ଭିଗ୍ (ହରିୟାଣା), ଋଷିକେଷ ଗଣେଷ ଭାଇ ପଟେଲ (ଗୁଜରାଟ), ବନ ଗୁପ୍ତା (ଝାଡ଼ଖଣ୍ଡ) ମଙ୍ଗଳ ପାଣ୍ଡେ (ବିହାର), ଡକ୍ଟର ରାଜେଶ ଟୋପେ (ମହାରାଷ୍ଟ୍ର) ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ) ବୈଠକରେ ଉପସ୍ଥିତ ଥିଲେ।

ଡକ୍ଟର ମନୋହର ଅଗନାନୀ, ଅତିରିକ୍ତ ସଚିବ, ରୋଲି ସିଂ, ଅତିରିକ୍ତ ସଚିବ, ଲଭ ଅଗ୍ରୱାଲ, ଯୁଗ୍ମ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଏନଏଚଏମ ମିଶନ ନିର୍ଦେଶକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟାନ୍ୟ ଅଧିକାରୀମାନେ ଏହି ଆଭାସୀ ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ-୧୯ର ନୂତନ ଭ୍ୟାରିଏଣ୍ଟକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କୋଭିଡ-୧୯ର ନୂତନ ପ୍ରଜାତି ଏକ୍ସଇ ଉପରେ ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଦେଶରେ କୋଭିଡ-୧୯ ମାମଲାଗୁଡିକର ସମୀକ୍ଷା କଲାବେଳେ ସେ ଅଧିକାରୀମାନଙ୍କୁ ବର୍ତ୍ତମାନ ଚାଲିଥିବା ତଦାରଖ ଓ ନୂତନ ପ୍ରଜାତି ଓ ମାମଲାଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଡକ୍ଟର ମାଣ୍ଡଭିୟ ଅଧିକାରୀମାନଙ୍କୁ କୋଭିଡ ଉପଚାର ନିମନ୍ତେ ଆବଶ୍ୟକ ଔଷଧପତ୍ରର ଉପଲବ୍ଧତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ବର୍ତ୍ତମାନ ଚାଲିଥିବା ଟିକାକରଣ ଅଭିଯାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଟିକା ଦେବା ଉଚିତ ବୋଲି କହିଥିଲେ।

ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ଏନଟିଏଜିଆଇ ଡକ୍ଟର ଏନ କେ ଆରୋରା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ:  ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭୀୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ ।

ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । ଏଥିପାଇଁ ଏକ ଡ଼ାକ୍ତର ରୂପରେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ବି ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।

ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।

ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ମୁକାବିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଓଡ଼ିଶା ସମେତ ପାଞ୍ଚଟି ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୋଭିଡ ୧୯ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଡକ୍ଟର ମାଣ୍ଡଭିୟ କହିଥିଲେ ଯେ କୋଭିଡ ମହାମାରୀ ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଦାୟିତ୍ୱ ଏବଂ ପ୍ରୟାସ। ସହଯୋଗୀ ଭାବନା ନେଇ ସମସ୍ତେ ଏହି ଜନସ୍ୱାସ୍ଥ୍ୟ ଆହ୍ବାନର ମୁକାବିଲା କରୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜ୍ୟମାନଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସୂଚନା କମିଶନରମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବମାନେ ଅଂଶଗ୍ରହଣ କରିଥିଲେ। ଏହି ଭର୍ଚୁଆଲ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ମଧ୍ୟ କୋଭିଡ ୧୯ ପ୍ରତିରୋଧ ଏବଂ ପରିଚାଳନା ତଥା ଜାତୀୟ କୋଭିଡ ୧୯ ଟିକାକରଣର ଅଭିଯାନର ଅଗ୍ରଗତି ନିମନ୍ତେ ଜନସ୍ୱାସ୍ଥ୍ୟ ମୁକାବିଲା ସ୍ଥିତି ସମୀକ୍ଷା କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂ ଦେଓ ଏବଂ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମଙ୍ଗଲ ପାଣ୍ଡେ ଅଂଶଗ୍ରହଣ କରିଥିଲେ। କୋଭିଡ ମହାମାରୀ ପରିଚାଳନା ପାଇଁ ଭାରତ ସରକାରଙ୍କ ନିରନ୍ତର ସହାୟତା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ସର୍ବସମ୍ମତି କ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ।

ଡକ୍ଟର ମାଣ୍ଡଭିୟ କହିଥିଲେ ଯେ, ଯେତେ କୋଭିଡ ଭାରିଏଣ୍ଟ ଆସୁ ପଛେ, ‘ନମୁନା ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଉପଯୁକ୍ତ ବ୍ୟବହାର’ ଏବେ ବି କୋଭିଡ ମୁକାବିଲା ପାଇଁ ସବୁଠୁ ପ୍ରାମାଣିକ ରଣନୀତି ହୋଇ ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଅଧିକାଂଶ ରାଜ୍ୟରେ ସକ୍ରିୟ ସଂକ୍ରମିତ ଏବଂ ପଜିଟିଭିଟି ହାର ହ୍ରାସ ପାଇଛି। କିନ୍ତୁ ଆମକୁ ସତର୍କ ରହିବାକୁ ହେବ ଏବଂ ମୁକାବିଲାକୁ ସୁଦୃଢ଼ ରଖିବାକୁ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ। ଅଧିକାଂଶ ରାଜ୍ୟ ଆରଟି-ପିସିଆର ପରୀକ୍ଷାରେ ପଛରେ ପଡ଼ିଛନ୍ତି। ତେଣୁ ଆରଟି-ପିସିଆର ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଏବଂ ଦୈନିକ ପଜିଟିଭିଟି ହାର ଉପରେ ନଜର ରଖିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସ୍ତରରେ କେତେଜଣ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ମୃତ୍ୟୁବରଣ କରିଛନ୍ତି, ଭେଣ୍ଟିଲେଟର ଏବଂ ଅକ୍ସିଜେନ୍‌ ସହାୟତାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଟିକା ନେଇଥିବା ଏବଂ ନେଇନଥିବା ଲୋକଙ୍କ ସଂଖ୍ୟା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି।

ଇସିଆରପି-୨ ପାଣ୍ଠିକୁ ପ୍ରଭାବୀ ଢଙ୍ଗରେ ତଥା ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଆବଶ୍ୟକତା ଅନୁଯାୟୀ ନୂଆ ଭିତ୍ତିଭୂମି ସୃଷ୍ଟି କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟମାନଙ୍କ ଆଗରେ ଦୋହରାଇଥିଲେ। ବର୍ତ୍ତମାନ ଆବଣ୍ଟିତ ଇସିଆରପି-୨ ପାଣ୍ଠି ୩୧ ମାର୍ଚ୍ଚ ୨୦୨୨ରେ ଶେଷ ହେଉଥିବାରୁ ନିୟମିତ ବ୍ୟବଧାନରେ ଏହାର ଖର୍ଚ୍ଚ ସମୀକ୍ଷା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପାଣ୍ଠି ସମ୍ପୂର୍ଣ୍ଣ ବିନିଯୋଗ ହେଲେ କେବଳ ବର୍ତ୍ତମାନର ମହାମାରୀ ସମୟରେ ନୁହେଁ ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆବଶ୍ୟକତାକୁ ମଧ୍ୟ ପୂରଣ କରିବ। ପିଏସଏ ପ୍ଲାଣ୍ଟ, ଏଲଏମଓ ଷ୍ଟୋରେଜ୍‌ ଟ୍ୟାଙ୍କ ଏବଂ ଏମଜିପିଏସ ସଂଯୋଗ ଏବଂ ସଞ୍ଚାଳନ କାର୍ଯ୍ୟ ତୁରନ୍ତ ସାରିବାକୁ ସେ ପରାମର୍ଶ ଦେଇଥିଲେ।

ମହାମାରୀ ମୁକାବିଲାରେ ଟିକାକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭିୟ ସମସ୍ତ ଯୋଗ୍ୟ ଜନସଂଖ୍ୟା, ବିଶେଷ କରି ୧୫-୧୭ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଏବଂ ଦ୍ବିତୀୟ ଡୋଜ୍‌ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଇ-ସଞ୍ଜିବନୀ ଭଳି ପ୍ଲାଟଫର୍ମର ଉପଯୋଗ କରି ଟେଲି ପରାମର୍ଶ ସେବାର ଅଧିକ ଲାଭ ନେବା ପାଇଁ ଡକ୍ଟର ମାଣ୍ଡଭିୟ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଜିଲ୍ଲା ଚିକିତ୍ସାଳରେ ଏକ ଟେଲି ପରାମର୍ଶ କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ସମସ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ର ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ଏହା ଦେଶର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବଢ଼ାଇବା ସହିତ ଅପହଞ୍ଚ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ହସ୍ପିଟାଲ ଭିତ୍ତିଭୂମି ବଢ଼ାଇବା, ପରୀକ୍ଷା ବଢ଼ାଇବା, ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି କଠୋର ପଦକ୍ଷେପ ଗ୍ରହଣ କରିବା, ଲୋକମାନଙ୍କ ମଧ୍ୟରେ କୋଭିଡ ଉପଯୁକ୍ତ ବ୍ୟବହାର ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ରାଜ୍ୟମାନେ ଏହି ସମୀକ୍ଷା ବୈଠକରେ ସେମାନଙ୍କର ଶ୍ରେଷ୍ଠ ବିଧି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଟିକାକରଣ ପାଇଁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ଝାଡ଼ଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ପଜିଟିଭ୍‌ ଚିହ୍ନଟ ହେଉଥିବା ଲୋକଙ୍କ ମଧ୍ୟରେ ଟିକା ନେଉଥିବା ଏବଂ ନେଉନଥିବା ଲୋକମାନଙ୍କର ସଠିକ୍‌ ବିଶ୍ଳେଷଣ କରାଯାଉଥିବା ଛତିଶଗଡ଼ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଗୃହ ସଙ୍ଗରୋଧରେ ରହୁଥିବା ଲୋକମାନଙ୍କୁ ସ୍ପିଡ୍‌ ପୋଷ୍ଟ ଜରିଆରେ ମେଡ଼ିସିନ ଯୋଗାଇ ଦିଆଯାଉଥିବା ବିହାର ପକ୍ଷରୁ ସୂଚନା ଦିଆଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗ୍ନାନୀ, ନୂଆଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ, ଏନସିଡିଟି ନିର୍ଦ୍ଦେଶକ ଡକ୍ଟର ସୁଜିତ କୁମାର ସିଂ ଏବଂ ରାଜ୍ୟମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଆଜି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କ ସହ ୨୦୨୫ ମସିହା ସୁଦ୍ଧା ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହଯୋଗ ଓ ସମନ୍ୱୟରେ କିଭଳି ଭାବେ ଯକ୍ଷ୍ମାମୁକ୍ତ ଭାରତ ଗଠନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ଶ୍ରୀ ଟି ଏସ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ (ଛତିଶଗଡ଼), ଶ୍ରୀ ମଙ୍ଗଳ ପାଣ୍ଡେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ବିହାର) ପ୍ରମୁଖ ଆଠଟି ରାଜ୍ୟର ପ୍ରତିନିଧି ଯୋଗଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ ତାଙ୍କର ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ଯକ୍ଷ୍ମା ରୋଗର ଉନ୍ମୁଳନ ନିମନ୍ତେ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି ଏବଂ ଏହି କ୍ରମରେ ସେ ପରାମର୍ଶ ଦେଇ କହିଥିଲେ ଯେ ନିୟମିତ ଭାବେ ଏଭଳି ସମୀକ୍ଷା ଆଲୋଚନା ଜରିଆରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଗ୍ରହଣ କରାଯାଉଥିବା ଶ୍ରେଷ୍ଠ କାର୍ଯ୍ୟକ୍ରମ ସଂପର୍କରେ ସଭିଏଁ ଅବଗତ ହୋଇପାରିବେ ।

୨୦୨୫ ମସିହା ସୁଦ୍ଧା ଏକ ଯକ୍ଷ୍ମାମୁକ୍ତ ଭାରତ ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତଙ୍କୁ ଠାରୁ ପରାମର୍ଶ ଗ୍ରହଣ କରାଯିବ । ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପ୍ରୋତ୍ସାହିତ କରି ସେ କହିଲେ ଯେ କୋଭିଡ଼ ସଂପର୍କରେ ଜନ ସ୍ୱାସ୍ଥ୍ୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଓ ପ୍ରୟାସ ଯାହକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଛି ସେ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଉଚିତ ।

କୋଭିଡ଼ ୧୯ ମହାମାରୀ ଯୋଗୁ ଯକ୍ଷ୍ମା ନିରାକରଣ ଦିଗରେ ହାସଲ କରାଯାଇଥିବା ସଫଳତା ପ୍ରତି ଉତ୍ପନ୍ନ ବିପଦ ସଂପର୍କରେ ଶ୍ରୀ ମାଣ୍ଡବୀୟ କହିଲେ ଯେ କୋଭିଡ଼ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଆମକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଗତ କିଛି ଦିନ ମଧ୍ୟରେ ଏହା ତ୍ୱରାନ୍ୱିତ ହୋଇି । ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଦେଶର ସମସ୍ତ ଶିକ୍ଷକଙ୍କୁ ଟିକାକରଣ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ ଅତିରିକ୍ତ ଟିକା ଡୋଜ୍‍ ଯୋଗାଇ ଦିଆଯାଇଛି ।

ଯକ୍ଷ୍ମା ଉନ୍ମୁଳନ କାର୍ଯ୍ୟକ୍ରମରେ ସାମିଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ପ୍ରତିନିଧିମାନେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ଏବଂ ବିଗତ ବର୍ଷମାନଙ୍କରେ ନିଜ ନିଜ ରାଜ୍ୟରେ ଯେଉଁସବୁ କାର୍ଯ୍ୟ ସଂପାଦନ କରାଯାଇଛି ତାହାର ରିପୋର୍ଟ ଉପସ୍ଥାପନ କରିଥିଲେ ଯାହାକି ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଅଧିକ ତ୍ୱରାନ୍ୱିତ କରିବ ଏବଂ ୨୦୨୫ ମସିହା ସୁଦ୍ଧା ଏହି ରୋଗକୁ ଦେଶରୁ ସମୂଳେ ବିନାଶ ଘଟାଇବ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ସୁଶ୍ରୀ ଆରତୀ ଆହୂଜା, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡକ୍ଟର ମନୋହର ଅଗନାନୀ ଏବଂ ମନ୍ତ୍ରଣଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସ୍ବାସ୍ଥ୍ୟ

ଭୁବନେଶ୍ୱରରେ ଏକ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଯଥା ପୁନେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ କରୋନା ମହାମାରୀ ସହ ଲଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲା । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ତେଣୁ ମାନବ ସମାଜକୁ ପ୍ରଭାବିତ କରୁଥିବା କରୋନା ମହାମାରୀ ଭଳି ଭୂତାଣୁଗୁଡିକ ସହ ଲଢିବା ପାଇଁ ପଦକ୍ଷେପ ସ୍ୱରୂପ ଚଳିତ ସାଧାରଣ ବଜେଟରେ ଦେଶରେ ଅତିରିକ୍ତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବାପାଇଁ ଘୋଷଣା କରାଯାଇଛି ।

ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି । ଭୁବନେଶ୍ୱରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲଏସ), ଆଇସିଏମଆର-ଆଂଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଂଟରନ୍ୟାସନାଲ ସେଂଟର ଫର୍ ଫୁଟ୍ ଏଣ୍ଡ ମାଉଥ୍‌ଡିଜିଜ୍‌ (ଆଇସିଏଆର-ଆଇସିଏଫଏମଡି) ଭଳି ବିଶ୍ୱସ୍ତରୀୟ କେନ୍ଦ୍ର ଗୁଡିକରହିଛି ।

ତେଣୁ ଭୌଗଳିକ ଅବସ୍ଥିତି ଏବଂ ଦକ୍ଷପୂର୍ଣ୍ଣ ମାନବ ସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ୱର ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା ହେବାର କ୍ଷମତା ରଖିଛି । ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶ କେନ୍ଦ୍ରକୁ ସହଯୋଗୀ ହେବ ଏବଂ ମିଳିତ ଭାବରେ ଗବେଷଣା କରାଯାଇ ପାରିବ।

ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶ ବିଶେଷ ହେବା ସହପୂର୍ବ, ଦକ୍ଷିଣ-ପୂର୍ବ ଏବଂ ଭାରତର କେନ୍ଦ୍ରାଞ୍ଚଳ ରାଜ୍ୟ ଗୁଡିକର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି କରୋନା ଭାଇରସ ବିରୋଧୀ ମୁକାବିଲାରେ ଭାରତର ସଫଳ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ କେବଳ କରୋନା ମହାମାରୀ ସଂକଟରୁ ମୁକ୍ତ ହୋଇନାହିଁ ବରଂ ବିଶ୍ୱର କୋଣ ଅନୁକୋଣକୁ ମଧ୍ୟ ଟିକା ରପ୍ତାନୀ କରିଛି । ତେଣୁ ଉପରୋକ୍ତ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆଜି ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ କରୋନା ଟୀକାର ଦ୍ୱିତୀୟ ଡ୍ରାଏ ରନ୍

ନୂଆଦିଲ୍ଲୀ, ଦେଶବ୍ୟାପୀ ହେଉଥିବା କୋଭିଡ୍ ଟୀକାଦାନ ଅଭ୍ୟାସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହ ମତବିନିମୟ କରିଛନ୍ତି ।

ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଯେ ସବୁ ରାଜ୍ୟର ସ୍ୱାସ୍ଥ୍ର‌୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ଜାନୁୟାରୀ ଆଠ ତାରିଖରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୩୬ ଜିଲାରେ ଏହି ଟୀକାଦାନର ଅଭ୍ୟାସମୂଳକ ଡ୍ରିଲ କରାଯିବ । ଏଥିରେ ଗୋଟିଏ ଦିନରେ ୩ ପର‌୍ୟ୍ୟାୟରେ କିପରି ଲୋକଙ୍କୁ ଟୀକା ଦିଆଯିବ ସେ କଥା ଟୀକାଦାନକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଅଭ୍ୟାସ କରିବେ ।

ଏହି ମକ୍‌ଡ୍ରିଲର ଉଦ୍ଦେଶ୍ୟ ହେଲା ପ୍ରକୃତ ଟୀକାକୁ କିପରି ଲୋକଙ୍କୁ ନିର୍ଭୁଲଭାବେ ପ୍ରଦାନ କରାଯାଇପାରିବ ତାହାର ସମୁଦାୟ ଯୋଜନା ଓ କାର‌୍ୟ୍ୟକାରିତାର ଅଭ୍ୟାସମୂଳକ ପ୍ରଦର୍ଶନ କରିବା। ଏଥିପାଇଁ ହିତାଧିକାରୀମାନଙ୍କ ନାମ ପଞ୍ଜୀକୃତ ହେବ । ନିର୍ଦ୍ଧାରିତ ଟୀକାଦାନ କେନ୍ଦ୍ରରେ ବିଭିନ୍ନ ପର‌୍ୟ୍ୟାୟରେ କିପରି ଟୀକା ଦିଆଯିବ ତାହାର ଯୋଜନା ଓ ରୂପାୟନ କାର‌୍ୟ୍ୟ ପରୀକ୍ଷାମୂଳକଭାବେ କରାଯିବ।

ଏହି ସମଗ୍ର ପ୍ରକ୍ରିୟା ଜିଲାପାଳ ବା ଜିଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ କାର‌୍ୟ୍ୟକାରୀ ହେବ। ଏହି ଡ୍ରାଏ ରନ୍ ବ୍ୟବସ୍ଥାରେ ରାଜ୍ୟ, ଜିଲା, ବ୍ଲକ ଓ ହସପିଟାଲସ୍ତରୀୟ ଅଧିକାରୀମାନେ ଟୀକାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହ ପରିଚିତ ହେବେ। ଏହା ଫଳରେ ଯେତେବେଳେ ବାସ୍ତବରେ ଟୀକା ଦିଆଯିବା ଆରମ୍ଭ ହେବ ସେତେବେଳେ କୌଣସି ଅସୁବିଧା ରହିବ ନାହିଁ ।

ଏହି ଅଭ୍ୟାସମୂଳକ କାର‌୍ୟ୍ୟ ବଳରେ ପ୍ରଶାସକମାନେ ଟୀକାଦାନ ସଂକ୍ରାନ୍ତ ଯୋଜନା, ରୂପାୟନ ଓ ରିପୋର୍ଟିଂ ମେକାନିଜମ୍ ସହ ସମନ୍ୱୟ ରକ୍ଷା କରିବାର ଅଭିଜ୍ଞତା ଅର୍ଜନ କରିବେ। ଏଥିରେ ଯଦି କୌଣସି ତ୍ରୁଟିବିଚ୍ୟୁତି ଥାଏ ଏହା ଅଭ୍ୟାସବେଳେ ଧରାପଡି ତାହା ସଂଶୋଧନ କରାଯାଇପାରିବ । ସର୍ବୋପରି ଏହି ଅଭ୍ୟାସଦ୍ୱାରା ବାସ୍ତବ ଟୀକାଦାନ ବ୍ୟବସ୍ଥାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ଆତ୍ମବିଶ୍ୱାସ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।