ଝଙ୍କଡ ମା’ଶାରଳାଙ୍କ ଜମି ଚାଷ କରୁଥିବା ବ୍ୟକ୍ତିଙ୍କୁ ୧୦ଦିନ ମଧ୍ୟରେ ନୋଟିସ୍ କରାଯିବ

Published: Jan 12, 2021, 9:08 pm IST

ରମେଶ ମହାନ୍ତି

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ଜମି ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କୁ ୧୦ଦିନ ମଧ୍ୟରେ ନୋଟିସ୍ କରାଯିବ। ସେମାନଙ୍କ ଠାରୁ ଜମି ଚାଷ ବାବଦରେ ପଇସା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଏଥିସହିତ କୋଭିଡ୍ କଟକଣା କୋହଳ ହେଲା ପରେ ଦୋକାନ ଘର ଗୁଡିକର ଭଡା ସଂଶୋଧନ କରାଯିବ, ମା’ଙ୍କ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ମାର୍ଚ୍ଚ ୩୧,୨୦୨୧ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ନିକଟରେ ଏକ ପାର୍କ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ଅନୁରୋଧ କରାଯିବ। ମନ୍ଦିର ସମ୍ମୁଖରେ ବନୀକରଣ ଓ ଚନ୍ଦନ ପୋଖରୀ ସ୍ୱଚ୍ଛତା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ମା’ଶାରଳାଙ୍କ ୱେବ ପୋର୍ଟାଲ ସକ୍ରିୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ସହକାରୀ ଜିଲ୍ଲାପାଳ ଜରୁରୀ ଶାଶ୍ଵତ ଦାସ, ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର, ଶାରଳା ଓ ଗୋରେଖନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା , ମନ୍ଦିରର ସେବାୟତମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related posts