କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ବିକ୍ଷୋଭ

Published: Jan 13, 2021, 9:44 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍‌କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ, ପପୁନ ସାହୁ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ଡି. ଦଣ୍ଡପାଣି ରେଡ୍ଡୀ, ବାବୁଲା ନାୟକ, ପୀତବାସ ପ୍ରଧାନ, ଲକ୍ଷ୍ମୀ ରଥ, ଶିବରାମ ସାହୁ ପ୍ରମୁଖ ବହୁ କୃଷକ ନେତା ସାମିଲ ଥିଲେ।

Related posts