
ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ଓଜନରେ ଠକେଇ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନେଇ ଗତକାଲି ମାପ ଏବଂ ଓଜନ ବିଭାଗ ଦ୍ୱାରା ଉଭୟ ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଜିଲ୍ଲା ସହକାରୀ ନିୟନ୍ତ୍ରକ ସୁଶୀଲ କୁମାର କାନ୍ଦୁଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମାପ, ଓଜନ ଏବଂ କାଗଜପତ୍ର ଆଦି କାର୍ଯ୍ୟରେ ଅନିୟମିତତା ଦେଖାଦେଇଥିଲା।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସହକାରୀ ନିୟନ୍ତ୍ରକ ଅଞ୍ଚଳର ବିଭିନ୍ନ ହାର୍ଡୱେର, ଫଳ, ମାଛ, ଲୁଗା ଦୋକାନ ସହ ଗୋଟିଏ ପାଣି ଫାକ୍ଟ୍ରି ଏବଂ ପାଉଁରୁଟି କାରଖାନା ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଉକ୍ତ ଚଢ଼ାଉ ଅଭିଯାନରେ ବରିଷ୍ଠ ନିରୀକ୍ଷକ ପ୍ରଦୋଷ ହରିଚନ୍ଦନ ଏବଂ ସୁଶ୍ରୀ ରଥ ଆଦି ସାମିଲ ଥିଲେ।
ତେବେ ପୂର୍ବରୁ ଖବର ପାଇ କେତେ ଜଣ ମାଲିକ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଥିଲା। ତେଣୁ ଅଞ୍ଚଳରେ ଏପରି ଚଢ଼ାଉ ନିୟମିତ ଭାବେ ଜାରି ରହୁ ବୋଲି ଜନସାଧାରଣମାନେ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।