ଆଂଚଳିକ ବନ ସୁରକ୍ଷା ସମିତି କିସିଣ୍ଡା ତରଫରୁ ଅନୁପ୍ରବେଶ ହଟାଇବା ଦାବୀରେ ଧାରଣା

Published: Jan 18, 2021, 7:42 pm IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡାର ଆଂଚଳିକ ବନ ସୁରକ୍ଷା ସମିତି ତରଫରୁ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।

ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ଏକ ରାଲିରେ ଯାଇ ପ୍ରଥମେ ବନଖଣ୍ଡଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନପ୍ରକାର ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ।

ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ ମଧ୍ୟରେ ଖୋଳା ଯିବ, ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇବା ପରେ ବନ ସୁରକ୍ଷା ସମିତିର ସଭ୍ୟମାନେ ଧାରଣାରୁ ଓହରିଥିଲେ।

ସୁଚନା ଯୋଗ୍ୟ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଆସୁଥିଲା। ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଥିଲା।ଏପରିକି ତାହାର କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଥିଲା।

ଗତ ୧୦ ଜାନୁଆରୀରେ କିସିଣ୍ଡା ଠାରେ ମଧ୍ୟ ରେଞ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ମାନେ ଦାବୀ କରିଥିଲେ। ଗତ ତା ୧୬ /୧ ରେ ମଧ୍ୟ ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ , ରେଢାଖୋଲ ଥାନାଧିକାରୀ ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲା। ଏହା ସତ୍ୱେ ବନବିଭାଗ ତଥା ସରକାର ଜଙ୍ଗଲ କାଟି ପଦା କରିଥିବା ଆଦିବାସୀମାନଙ୍କ ବିରୁଦ୍ଧରେ କୌଣସି ପଦେକ୍ଷପ ନେଇ ନ ଥିବା ସମିତି ପ୍ରକାଶ କରିଛି। ଆଜି ଏହି ଧାରଣା ତଥା ବିକ୍ଷୋଭରେ ବନ ସୁରକ୍ଷା ସମିତିର ସଭାପତି ଶଙ୍କର ନାଏକ, ରୋହିତ ଭୋଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, ନାରାୟଣ ନାଏକ ପ୍ରମୁଖ ସାମିଲ ହେବା ସହ ଶହ ଶହ ଲୋକ ସାମିଲ ହୋଇଥିଲେ।

Related posts