Categories
ଅପରାଧ ଆଜିର ଖବର ଜାତୀୟ ଖବର

ସେନାକୁ ମିଳିଲା ବଡ଼ ସଫଳତା: ପାକିସ୍ତାନୀ ସୀମାରୁ ଅନୁପ୍ରବେଶ କରୁଥିବା ୫ ଲଶ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ମାଛିଲ ସେକ୍ଟରରେ ଆତଙ୍କବାଦୀଙ୍କ ଏକ ବଡ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି। LoC ଉପରେ ସୁରକ୍ଷା ବାହିନୀ ଏକ ବଡ ଅପରେସନରେ ଲଶ୍କର-ଏ-ତୋଇବା (LeT) ର ୫ ଆତଙ୍କବାଦୀଙ୍କୁ ସଫା କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ, ପୋଲିସର ଏକ ନିର୍ଦ୍ଦିଷ୍ଟ ଇନପୁଟ୍ ଆଧାରରେ ଆଜି ସକାଳେ ମାଛିଲ୍ ସେକ୍ଟରରେ ସେନା ସହ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଦ୍ୱାରା ଏହି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ଜମ୍ମୁ କାଶ୍ମୀର ପୋଲିସକୁ ସୂତ୍ରରୁ ସୂଚନା ମିଳିଥିଲା।

ସୀମା ନିକଟରେ ଆଲର୍ଟ ସୈନ୍ୟମାନେ ଅନୁପ୍ରବେଶକାରୀ ଗୋଷ୍ଠୀକୁ ଟ୍ରାକ କରି ଚ୍ୟାଲେଞ୍ଜ କରିବା ମାତ୍ରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୈନ୍ୟ ବାହିନୀଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ସେନାଙ୍କ ଦ୍ୱାରା ପ୍ରାରମ୍ଭିକ ଗୁଳି ବିନିମୟରେ ଦୁଇ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଦୁର୍ଗମ ଅଞ୍ଚଳର ସୁଯୋଗ ନେଇଥିଲେ। ଶେଷରେ ୬ ଘଣ୍ଟାର ଦୀର୍ଘ ଅପରେସନ୍ ପରେ ଆଉ ୩ ଆତଙ୍କବାଦୀ ନିହତ ହୋଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସ ମଧ୍ୟ ବିଫଳ, ୩ ଅନୁପ୍ରବେଶକାରୀଙ୍କୁ ସଫା କଲା ସେନା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ଆଉ ଏକ ପ୍ରୟାସକୁ ଭାରତୀୟ ଯବାନମାନେ ବିଫଳ କରିଛନ୍ତି। ଜମ୍ମୁ କାଶ୍ମୀରର ଊରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଛନ୍ତି। ଉତ୍ତର କାଶ୍ମୀରର ବରମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମଦିୟାନ୍ ନାନକ ପୋଷ୍ଟ ନିକଟରେ ଏହି ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି। ଜବାନମାନଙ୍କ ଗୁଳି ଦ୍ଵାରା ତିନି ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ପୋଲିସ ଆଜି ଏହି ସୂଚନା ଦେଇଛି।

ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେ ବିଫଳ କରିଛନ୍ତି। ଗତକାଲି ରାତିରେ ଆତଙ୍କବାଦୀମାନେ ନୋଶେରା ସେକ୍ଟରରେ ମଧ୍ୟ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହା ଭାରତୀୟ ସେନା ଦ୍ୱାରା ବିଫଳ ହୋଇଥିଲା।

ଯଦି ଆମେ ନାଉଶେରା ସେକ୍ଟର ବିଷୟରେ କହିବା, ତେବେ ସେଠାରେ ଜଣେ ଆତଙ୍କବାଦୀ ଜୀବନ୍ତ ଧରାପଡିଥିବା ବେଳେ ବିସ୍ଫୋରଣରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ନୋଶେରାର ଝଙ୍ଗର ସେକ୍ଟରରେ ନିୟୋଜିତ ଥିବା ଯବାନ ଅଗଷ୍ଟ ୨୧ ତାରିଖ ସକାଳେ LoC ରେ ୨-୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଦେଖିଥିଲେ। ଜଣେ ଆତଙ୍କବାଦୀ ଭାରତୀୟ ପୋଷ୍ଟ ନିକଟରେ ପହଞ୍ଚି ବାଡ କାଟିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ଯବାନମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ସେ ଖସି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା। ହେଲେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜଙ୍ଗଲ ଭିତରକୁ ଖସି ପଳେଇଯାଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଣ୍ଡ ହେଲା ପାକିସ୍ଥାନର ଷଡଯନ୍ତ୍ର, ଅନୁପ୍ରବେଶ କରୁଥିବା ଆତଙ୍କବାଦୀକୁ ଗିରଫ କଲା ସୁରକ୍ଷା ବାହିନୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିସ୍ତାର କରିବାକୁ ପାକିସ୍ତାନର ଷଡଯନ୍ତ୍ରକୁ ନେଇ ଏକ ବଡ଼ ଖୁଲାସା ହୋଇଛି। କାଶ୍ମୀରର ଉରିରେ ପାକିସ୍ତାନ ବିରୋଧରେ ଆତଙ୍କବାଦର ଜୀବନ୍ତ ପ୍ରମାଣ ମିଳିଛି। ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଗିରଫ କରିଛି। ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି। ନିହତ ଆତଙ୍କବାଦୀଙ୍କଠାରୁ ସୁରକ୍ଷା ବାହିନୀ ପାକିସ୍ତାନର ମୁଦ୍ରା ପାଇଛି। ଫେରାର ହୋଇଯାଇଥିବା ଜଣେ ଆତଙ୍କବାଦୀକୁ ପାକିସ୍ତାନ ଗୁପ୍ତଚର ବିଭାଗ ଆଇଏସଆଇର ଏଜେଣ୍ଟ ଭାବରେ କୁହାଯାଉଛି। ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେନା ଏହି ସମ୍ପୂର୍ଣ୍ଣ ଅପରେସନ୍ ବିଷୟରେ ଅଧିକ ସୂଚନା ଦେବ।

ଉଲ୍ଲେଖ ଯୋଗ୍ୟ ଯେ, ସୁରକ୍ଷା ବାହିନୀ ଆଜି ପାଇଥିବା ସଫଳତା ମଧ୍ୟ ବିଶେଷ କାରଣ। ପାଞ୍ଚ ବର୍ଷ ପୂର୍ବେ ଏହି ଦିନ ପାକିସ୍ତାନର ଆତଙ୍କବାଦ ବିରୋଧରେ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ସେପ୍ଟେମ୍ବର ୧୮ ତାରିଖରେ, ଉରିରେ ୫-୬ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ। ଏହା ପରେ ଅନେକ ଦିନ ଧରି ଉରିରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ସେପ୍ଟେମ୍ବର ୨୩ ତାରିଖରେ ଉରିର ହଥଲଙ୍ଗାଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ଏନକାଉଣ୍ଟର ପରେ ମଧ୍ୟ ସୁରକ୍ଷା ବାହିନୀ ଉରିରେ ଅପରେସନ୍ ଜାରି ରଖିଥିଲେ, ଗତକାଲି ମଧ୍ୟ ଏନକାଉଣ୍ଟର ବେଳେ ଜଣେ ପାକିସ୍ତାନୀ ଧରାପଡିଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହି ଅପରେସନ ସମୟରେ ୪ ଜଣ ସେନା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନାନୁସାରେ, ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ମାସିଲ, ଟିଟୱାଲ ସେକ୍ଟର ବ୍ୟବହାର କରିଥିଲେ। ଏଥିପାଇଁ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ସେନାର ସହାୟତା ପାଇଥିଲେ। ପାକିସ୍ତାନ ପାର୍ଶ୍ୱରେ ଏହି ଉଭୟ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ପାକିସ୍ତାନ ପକ୍ଷରୁ ଭାରତୀୟ ପୋଷ୍ଟରେ ଗୁଳି ବିନିମୟ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଉରୀରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀ ନିହତ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର ଉରୀ ନିକଟସ୍ଥ ରାମପୁର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛି। ସୁରକ୍ଷା ବାହିନୀ ସୀମାରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଏହା ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଏଥିରେ ପାଞ୍ଚଟି ଏକେ ୪୭, ୮ ଟି ପିସ୍ତଲ ଏବଂ ୭୦ ଟି ହ୍ୟାଣ୍ଡ ଗ୍ରେନେଡ ଅନ୍ତର୍ଭୁକ୍ତ। ଅଧିକାରୀ କହିଛନ୍ତି ଯେ, ନିକଟରେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (ପୋଓକେ) ରୁ ଭାରତୀୟ ସୀମାରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆଂଚଳିକ ବନ ସୁରକ୍ଷା ସମିତି କିସିଣ୍ଡା ତରଫରୁ ଅନୁପ୍ରବେଶ ହଟାଇବା ଦାବୀରେ ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡାର ଆଂଚଳିକ ବନ ସୁରକ୍ଷା ସମିତି ତରଫରୁ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।

ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ଏକ ରାଲିରେ ଯାଇ ପ୍ରଥମେ ବନଖଣ୍ଡଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ଅନୁପ୍ରବେଶ ରୋକିବା ପାଇଁ ବିଭିନ୍ନପ୍ରକାର ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ।

ସଂରକ୍ଷଣ ଜଙ୍ଗଲରୁ ୨୧/୧/୨୦୨୧ ରୁ ବେଆଇନ୍ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ, ବନୀକରଣ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ କରାଯିବ, ବନ୍ୟ ଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା ୨ ମାସ ମଧ୍ୟରେ କରାଯିବ, ସଂରକ୍ଷଣ ଜଙ୍ଗଲରୁ ଅନୁପ୍ରବେଶ ରୋକିବା ପାଇଁ ଖଣା ୨ ମାସ ମଧ୍ୟରେ ଖୋଳା ଯିବ, ଜଳ ସଂରକ୍ଷଣ ପାଇଁ ଖାତ ୨ ମାସ ମଧ୍ୟରେ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇବା ପରେ ବନ ସୁରକ୍ଷା ସମିତିର ସଭ୍ୟମାନେ ଧାରଣାରୁ ଓହରିଥିଲେ।

ସୁଚନା ଯୋଗ୍ୟ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଆସୁଥିଲା। ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍‌ଓଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ ଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବାକୁ ବନ ସୁରକ୍ଷା ସମିତି ଚେତାବନୀ ଦେଇଥିଲା।ଏପରିକି ତାହାର କପି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗକୁ ମଧ୍ୟ ପଠାଇଥିଲା।

ଗତ ୧୦ ଜାନୁଆରୀରେ କିସିଣ୍ଡା ଠାରେ ମଧ୍ୟ ରେଞ ଅଧିକାରୀ ସୁଶାନ୍ତ କୁମାର ବନ୍ଧଙ୍କୁ ସାକ୍ଷାତ୍ କରି ଏହାର ତଦନ୍ତ କରିବାକୁ ବନ ସୁରକ୍ଷା ସମିତିର ସମସ୍ତ ସଭ୍ୟ/ସଭ୍ୟା ମାନେ ଦାବୀ କରିଥିଲେ। ଗତ ତା ୧୬ /୧ ରେ ମଧ୍ୟ ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ , ରେଢାଖୋଲ ଥାନାଧିକାରୀ ଆଦି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସମିତି ବହୁବାର ଏ ସଂପର୍କରେ ବନବିଭାଗର ବରିଷ୍ଠ ଅଧିକାରୀଙ୍କୁ ଲିଖିତାକାରରେ ଜଣାଇବା ସହ ବହୁବାର ଅନ୍ଦୋଳନ ମଧ୍ୟ କରିଥିଲା। ଏହା ସତ୍ୱେ ବନବିଭାଗ ତଥା ସରକାର ଜଙ୍ଗଲ କାଟି ପଦା କରିଥିବା ଆଦିବାସୀମାନଙ୍କ ବିରୁଦ୍ଧରେ କୌଣସି ପଦେକ୍ଷପ ନେଇ ନ ଥିବା ସମିତି ପ୍ରକାଶ କରିଛି। ଆଜି ଏହି ଧାରଣା ତଥା ବିକ୍ଷୋଭରେ ବନ ସୁରକ୍ଷା ସମିତିର ସଭାପତି ଶଙ୍କର ନାଏକ, ରୋହିତ ଭୋଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, ନାରାୟଣ ନାଏକ ପ୍ରମୁଖ ସାମିଲ ହେବା ସହ ଶହ ଶହ ଲୋକ ସାମିଲ ହୋଇଥିଲେ।

Categories
ବିଶେଷ ଖବର

ଚୀନ ସେନାର ସୀମା ଅତିକ୍ରମଣ, କିଏ ସତ କହୁଛି ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ??

କେଦାର ମିଶ୍ର

“ନା ଆମର ସୀମାରେ କେହି ଅନୁପ୍ରବେଶ କରିଛି, ନା କେହି ଆମ ମାଟିରେ ପାଦ ଦେଇଛି କିମ୍ବା ଆମର ସାମରିକ ପୋଷ୍ଟ ଦଖଲ କରିଛି। ଲଦ୍ଦାଖରେ ଆମର ୨୦ ବୀର ଜବାନ ସହିଦ ହୋଇଛନ୍ତି। ସେମାନଙ୍କର ବଳିଦାନ ବ୍ୟର୍ଥ ହୋଇନାହିଁ।“ ଗତ ଜୁନ ୨୦ ତାରିଖ ଦିନ ଏକ ସର୍ବଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କଥା ଦୃଢତାର ସହିତ କହିଥିଲେ। ସେହି ସମୟରେ ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ଓ ଦେଶର କେତେଜଣ ବରିଷ୍ଠ ସୁରକ୍ଷା ବିଶେଷଜ୍ଞ ଆମକୁ ଚେତାଇ ଦେଉଥିଲେ ଯେ ଲଦ୍ଦାଖ ଅଞ୍ଚଳରେ ଆମର ଅନେକ ଅଞ୍ଚଳକୁ ଚୀନ ସେନା ଅନୁପ୍ରବେଶ କରିଛନ୍ତି। ସେତେବେଳେ ସରକାର ଓ ସରକାରଙ୍କ ଗୁଣଗାନ କରୁଥିବା ଆମର କେତୋଟି ଟେଲିଭିଜନ ଚ୍ୟାନେଲ ଏହି ସତ୍ୟକୁ ଲୁଚାଇବାକୁ ଚାହୁଁଥିଲେ। ଭାରତ ସରକାର ଓ ଖୋଦ ପ୍ରଧାନମନ୍ତ୍ରୀ ଚୀନର ଅନୁପ୍ରବେଶକୁ ଲୋକଙ୍କ ଆଗରେ ଅସ୍ଵୀକାର କରିଥିଲେ। ଯଦି ଚୀନ ସେନା ଆମର ସୀମା ଭିତରକୁ ଅନୁପ୍ରବେଶ କରିନାହିଁ, ତା ହେଲେ ଏ ଉତ୍ତେଜନା କାହିଁକି ଓ କେଉଁ କାରଣରୁ ଆମର ୨୦ ଜବାନ ସହିଦ ହେଲେ, ତାର ସ୍ପଷ୍ଟ ଉତ୍ତର ଆମକୁ ମିଳିଲା ନାହିଁ। ମଇ ମାସରୁ ଗଲାୱାନ ନଦୀ ଉପତ୍ୟକାରେ ଚୀନ ସେନା ନିଜର ଡେରା ପକାଇ ରହିବା ଓ ଭାରତୀୟ ସେନାଙ୍କୁ ନିଜ ଅଞ୍ଚଳରେ ପେଟ୍ରୋଲିଂ କରିବାକୁ ଅଟକାଇବା କାରଣରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କର ବିଶ୍ଵସ୍ତ ଗଣମାଧ୍ୟମ ଏହାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ।

ପ୍ରଧାନମନ୍ତ୍ରୀ ଜୁନ ମାସରେ ଯାହା କହିଥିଲେ, ଠିକ ତାର ବିପରୀତ ତଥ୍ୟ ଏବେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜ ୱେବ ସାଇଟରେ ରଖିଛନ୍ତି। ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସରକାରୀ ନଥି ମାଧ୍ୟମରେ ପ୍ରଘଟ କରିଛନ୍ତି ଯେ “ମଇ ମାସ ୧୭-୧୮ ତାରିଖରେ “ଚୀନ ସେନା ଉତ୍ତର ହଟ ସ୍ପ୍ରିଙ୍ଗ-ପେଟ୍ରୋଲିଂ ପଏଣ୍ଟ  ୧୫ ପାଖରେ ଥିବା କୁଗ୍ରାଙ୍ଗ ନାଳ ଅଞ୍ଚଳକୁ ଅନୁପ୍ରବେଶ କରିଥିଲେ”। ସରକାରଙ୍କ ପ୍ରତିରକ୍ଷା ବିଭାଗ ସ୍ପଷ୍ଟ ଭାବେ ମାନିଛନ୍ତି ଯେ ଚୀନ ସେନା ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଅତି ସ୍ପଷ୍ଟ ଭାବରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ଅନୁକ୍ରମଣ ବା transgression ଶବ୍ଦ ବ୍ୟବହାର କରିଛନ୍ତି। ମଇ ୫-୬ ତାରିଖରୁ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଚୀନ ସେନା ସହିତ ଆମର ମୁହାଁମୁହିଁ ଆରମ୍ଭ ହେଲାଣି। ଆଗକୁ ମଧ୍ୟ ଚୀନ ସେନା ସହିତ ଆମର ଏ ପ୍ରକାର ମୁହାଁମୁହିଁ ପରିସ୍ଥିତି ଲାଗି ରହିପାରେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ତେବେ ଏହି ନଥି ସରକାରୀ ୱେବ ସାଇଟରେ ଉପଲବ୍ଧ ହେବାର ଅଳ୍ପ ସମୟ ଭିତରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ତେବେ ଏହାରି ଆଧାରରେ ସେତେବେଳକୁ ସବୁ ଗଣମାଧ୍ୟମ ରେ ଏ ଖବର ପ୍ରକାଶ ପାଇ ସାରିଥିଲା। ପ୍ରତିରକ୍ଷା ବିଭାଗର ଏହି ତଥ୍ୟ ଆସିବା ପରେ ସ୍ଵାଭାବିକ ଭାବରେ ପ୍ରଶ୍ନ ଉଠୁଛି- କିଏ ସତ କହୁଛି? ପ୍ରଧାନମନ୍ତ୍ରୀ ନା ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରଧାନମନ୍ତ୍ରୀ ଆମ ସୀମାକୁ କେହି ଅତିକ୍ରମଣ କରି ନାହାନ୍ତି ବୋଲି ସ୍ପଷ୍ଟ କହିଥିବା ବେଳେ ମନ୍ତ୍ରଣାଳୟ କହୁଛି, ଅତିକ୍ରମଣ ହୋଇଛି। ଆଜି ଆମେ ସତ ମିଛର ଚକ୍ରବ୍ୟୁହରେ ଠିଆ ହୋଇଛୁ। ଦେଶର ସାଧାରଣ ନାଗରିକ ଭାବରେ ଅନ୍ତତଃ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମକୁ ସତ କୁହାଯିବ ବୋଲି ଆମେ ବିଶ୍ଵାସ ରଖୁଛୁ। ଏଠି କିନ୍ତୁ ସରକାର ଭିତରେ ଦୁଇଟି ପରଷ୍ପର ବିରୋଧୀ ମତ ଆସୁଛି। ପ୍ରଧାନମନ୍ତ୍ରୀ ଛାତିରେ ହାତ ଦେଇ ଲୋକଙ୍କୁ ଯାହା କହିଥିଲେ, ତାର ବିପରୀତ କଥା ପ୍ରତିରକ୍ଷା ବିଭାଗର ସରକାରୀ ନଥି କହୁଛି।

୧୫ ଜୁନରେ ଚୀନ ସେନା ଆମର ୨୦ ଜଣ ଜବାନଙ୍କୁ ନୃଶଂସ ଭାବେ ହତ୍ୟା କରିବା ପୂର୍ବରୁ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଏ ସମ୍ପର୍କରେ ଖବର ଛାପିଥିଲେ। ଚୀନ ସେନା ଦୁଇ ଦେଶ ମଧ୍ୟରେ ରହିଥିବା ବାସ୍ତବ ସୀମାରେଖା ଅତିକ୍ରମ କରୁଛି ବୋଲି ପ୍ରମାଣ ମିଳୁଥିବା ବେଳେ ସେମିତି କିଛି ଘଟୁନାହିଁ ବୋଲି ଆମକୁ ସରକାର କହୁଥିଲେ। ଜୁନ ୧୫ରେ ଆମର ୨୦ ସୈନିକ ସହିଦ ହେଲେ ଓ ପଚାଶରୁ ଅଧିକ ଆହତ ହେଲେ। ଆମର କିଛି ସୈନିକ ଓ ସେନା ଅଧିକାରୀଙ୍କୁ ଚୀନ ସେନା ବନ୍ଦୀ କରିଥିବାର ଖବର ମଧ୍ୟ ଆସିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ତଥା ଉତ୍ତେଜନାର ବାତାବରଣ ତିଆରି ହୋଇଥିଲା। ଏହି ଉତ୍ତେଜନାକୁ ସାମୟିକ ଭାବେ ପ୍ରଶମିତ କରିବାକୁ ସରକାର କେତେକ ଚାଇନିଜ ଆପ୍ଲିକେସନ କୁ ନିଷିଦ୍ଧ ଘୋଷଣା କରିଥିଲେ। ଏହା ସହିତ ଚୀନ-ଭାରତ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋଚନା ଚାଲିଥିବା ବେଳେ ସୀମାନ୍ତରେ ଚୀନ ପଛକୁ ହଟିବାର ନାଁ ଧରୁନାହିଁ, ବରଂ ସୀମାରେ ଅଧିକ ସାମରିକ ଗତିବିଧି ବଢାଇ ଚାଲିଛି।

ଏବେ ଚୀନ ସେନା ଆକ୍ରାମକ ଗୋଟି ଚାଳନା କରୁଛି ବୋଲି ସ୍ପଷ୍ଟ ଜଣା ପଡୁଥିବା ବେଳେ ଭାରତ ସରକାର ଏ ପ୍ରସଙ୍ଗରେ ଅଧା ଲୁଚାଇବା-ଅଧା ଦେଖାଇବା ନୀତି ଆପଣେଇଛନ୍ତି। ଚୀନ ସେନା ଆମ ସୀମାରେ ଅନୁପ୍ରବେଶ କରିଥିବା ସତ୍ୟ ଓ ଆମ ସୀମାକୁ ସୁରକ୍ଷା ଦେବାକୁ ଯାଇ ଆମର ସେନାବାହିନୀ ପ୍ରାଣାମୂର୍ଚ୍ଛା ସଂଘର୍ଷ କରୁଛନ୍ତି। ଭାରତୀୟ ସୀମା ଅତିକ୍ରମଣ କରିଥିବା ଚୀନକୁ ତାଙ୍କରି ଭାଷାରେ ଉତ୍ତର ଦେବା ଲାଗି ଆମର ସେନାବାହିନୀ ସମର୍ଥ।

ହେଲେ ଆମର ପ୍ରଧାନମନ୍ତ୍ରୀ ଏହି ସତ୍ୟକୁ ଅସ୍ଵୀକାର କରୁଛନ୍ତି କାହିଁକି?