
ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ହୋଇଥିବା ହାର୍ଦ୍ଦିକ୍ ପଟେଲଙ୍କ ଆବେଦନ ଉପରେ ତୁରନ୍ତ ବିଚାର କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଗତକାଲି ହାର୍ଦ୍ଦିକ ପଟେଲ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହାର୍ଦ୍ଦିକ୍। ଦଙ୍ଗା ଉସକାଇବା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡାଦେଶକୁ କମ୍ କରିବାକୁ ହାଇକୋର୍ଟ ମନା କରିଦେଇଥିଲେ। ମାମଲାର ତ୍ବରିତ ଶୁଣାଣି ହୋଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଗତକାଲି ହାର୍ଦ୍ଦିକଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଥିଲା। ଗୁଜରାତର ଜାମନଗର ନିମନ୍ତେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୪ ତାରିଖ ଶେଷ ତାରିଖ ରହିଥିବାରୁ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ସମ୍ଭାବନା କ୍ଷୀଣ ରହିଛି। ଶ୍ରୀ ଗୋଗୋଇ କହିଛନ୍ତି, ନିୟମ ଅନୁଯାୟୀ ହାର୍ଦ୍ଦିକଙ୍କ ମାମଲାର ବିଚାର ଆସନ୍ତା ସପ୍ତାହ ସୁଦ୍ଧା ହେବ। ଏହି ମାମଲା ଉପରେ ନିଜର ମନ୍ତବ୍ୟ ରଖି ହାର୍ଦ୍ଦିକ୍ କହିଛନ୍ତି, ୨୦୧୫ ବିଶ୍ପୁର ଦଙ୍ଗାରେ ତାଙ୍କ ନାମରେ ଯାହା ମାମଲା ରୁଜୁ ହୋଇଛି ଏହା ବିଜେପିର ଷଡଯନ୍ତ୍ରର ଅଂଶବିଶେଷ। ସାଧାରଣ ଜନତାଙ୍କ ସ୍ବରକୁ ଦବାଇବା ପାଇଁ ଗୁଜରାତରେ ସରକାର ନେଉଥିବା ନିଷ୍ପତ୍ତି ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ହାର୍ଦ୍ଦିକ କହିଛନ୍ତି।