ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ, ୩ ଆହତ

Published: Feb 2, 2021, 12:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପିକ୍‌ଅପ୍ ଭ୍ୟାନର ଡ଼୍ରାଇଭର ପାତ୍ରପୁରର ତପନ ବେହେରା (୩୩)। ଆହତ ମଧ୍ୟରେ ବାଇକ୍ ଚାଳକ କଇଠାପଲ୍ଲୀ ଗ୍ରାମର ଲଲାଟେନ୍ଦୁ ନାୟକ, ଗୃହରକ୍ଷୀ ବିଦ୍ୟାଧର ନାୟକ ଏବଂ ପିକ୍‌ଅପ୍ ହେଲ୍‌ପର କଇଠ ଗାଁର ଦେବେନ୍ଦ୍ର ଦାସ ବୋଲି ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଗତକାଲି କନିଷି ହାଟ ନିକଟରେ ମଧ୍ୟାହ୍ନରେ ବ୍ରହ୍ମପୁରଠାରୁ ପାତ୍ରପୁର ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ (ଓଡ଼ି ୦୭ ଏଏଫ୍ ୪୬୯୪)କୁ ଏକ ଟ୍ରକ (ଏପି ୧୬ ଟିଇ ୬୨୭୫) ପଛପଟୁ ଧକ୍କା ଦେବା ଫଳରେ ପିକ୍‌ଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। ଓଲଟି ଯାଇ ଏହି ସମୟରେ ନିକଟରେ ଥିବା ବାଇକ୍ ଆରୋହୀ ଏବଂ ଗୃହରକ୍ଷୀଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ମଧ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ଅଗ୍ନିଶମ ବିଭାଗ ଏବଂ ପୋଲିସ୍ ସହାୟତାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Related posts