ଠକେଇ ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପ୍ରଦୀପ

Published: Feb 4, 2021, 9:29 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାର ବିଚାରଣ ପାଇଁ ଆଜି ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ୍ ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ପୋଲିସ୍ ହାଜର କରିଛି। ଟାଟା କଂପାନୀରେ ଚାକିରି କରାଇଦେବା କହି ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେଣୁ ପୋଲିସ୍ ଆଜି ପ୍ରଦୀପଙ୍କୁ ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର ଏସ୍‌ଡ଼ିଜିଏମ୍ କୋର୍ଟରେ ହାଜର କରିଥିଲା।

ତେବେ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଦର୍ଶାଇ ଚିକିତ୍ସା ପାଇଁ ପୁଣିଥରେ ଭୁବନେଶ୍ୱର ପଠାଇବାକୁ ନିବେଦନ କରିଥିଲେ। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୋଲିସ୍ ଜବରଦସ୍ତ ତାଙ୍କୁ ଆଣିଥିବା ଓକିଲ ଅଭିଯୋଗ କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ ଫସାଯାଉଛି। ନ୍ୟାୟ ଉପରେ ତାଙ୍କର ଭରଷା ଅଛି। ତେଣୁ ସେ ଉଚିତ ନ୍ୟାୟ ପାଇବେ ବୋଲି କହିଥିଲେ।

ଆଜି କଡ଼ା ସୁରକ୍ଷା ମଧ୍ୟରେ ପ୍ରଦୀପଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ସକାଳୁ ସକାଳୁ କୋର୍ଟ ପରିସରରେ ପୋଲିସ୍ ଛାଉଣିରେ ପରିଣତ ହୋଇଥିଲା। ଅନ୍ୟପ୪ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କରିବା ସମୟରେ କିଛି ସମର୍ଥକ ନାରାବାଜି ମଧ୍ୟ କରିଥିଲେ। ଏଥିପାଇଁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଜେଲ୍‌ରେ ବିଧାୟକ ପ୍ରଦୀପ ରହିବେ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

Related posts