ମାର୍ଚ୍ଚ ୧୫ରେ ଅଙ୍ଗନୱାଡ଼ି କର୍ମୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

Published: Feb 7, 2021, 1:47 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ସଂଘର ଗଂଜାମ ଜିଲ୍ଲା ସଭାପତି ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଏକ ବୈଠକ ଏନ୍‌ଜିଓ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା।

ବିଭିନ୍ନ ଦାବି ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଯୋଗାଣ ନିର୍ଦ୍ଦେଶନାମା ଥିଲେ ମଧ୍ୟ କେନ୍ଦ୍ର ନାମରେ ଗ୍ୟାସ ସଂଯୋଗ ନ କରି ଜିଲ୍ଲା ତରଫରୁ ନିମ୍ନମାନର ଗ୍ୟାସ ପ୍ରଦାନ ବନ୍ଦ କରିବା, ବିଭାଗୀୟ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ବିଭିନ୍ନ କେନ୍ଦ୍ରକୁ ପୋଷାକ ଓ ସ୍ପେଟର ଯୋଗାଣର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ, ଗରମ ରନ୍ଧାଖାଦ୍ୟ ଓ ଟିଏଚ୍‌ଆର୍ ଦେୟ ଅତି ନଗଣ୍ୟ ହେତୁ ବଜାର ଦର ଅନୁସାରେ ଦରଧାର୍ଯ୍ୟ, ସୁପରଭାଇଜର ଭାବେ ପ୍ରମୋଶନ, ବୀମା ଯୋଜନାର କାର୍ଯ୍ୟକାରିତା, ସରକାରଙ୍କ ନିର୍ଦ୍ଦେଶମତେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଦ୍ୟୁତ ଯୋଗାଣ, ବିଦ୍ୟୁତ ଦେୟ ପ୍ରଦାନ, ଛଅ ପ୍ୟାକେଜ୍ ବ୍ୟତୀତ ଅନ୍ୟ କାମରେ ନିୟୋଜିତ ନ କରିବା, ୬୨ ବର୍ଷ ପରେ ଅବସର ନେଉଥିବା କର୍ମୀ ଓ ସହାୟିକାଙ୍କୁ ବିଭାଗୀୟ ନିର୍ଦ୍ଦେଶ ମତେ ଦେୟ ପ୍ରଦାନ ଓ ଅନ୍ୟାନ୍ୟ ଦାବି ରହିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଦୁର୍ଗା ମିଶ୍ର, ଅଙ୍ଗନୱାଡ଼ି କର୍ମୀ ସଂଘ ନେତ୍ରୀ ନର୍ମଦା ନାହାକ, ମାଣିକ ପଟ୍ଟନାୟକ, ବାସନ୍ତୀ ସାହୁ, ମିତାରାଣୀ ମିଶ୍ର, ଦମୟନ୍ତୀ ଦୋରା, ବାସନ୍ତୀ ତ୍ରିପାଠୀ, ପ୍ରତିମା ଦାସ, ସୁଦେଷ୍ଣା ପଟ୍ଟନାୟକ, କେ. ଅନୁସୂୟା ରେଡି, ସୁନିତା ଦେବୀ, ମିନତି ବରାଡ଼ ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନକୁ ସଫଳ ନିମନ୍ତେ ଆହ୍ୱାନ କରାଯାଇଥିଲା।

Related posts