Categories
ଆଜିର ଖବର ଜାତୀୟ ଖବର

ଅଙ୍ଗନୱାଡି କର୍ମୀଙ୍କୁ ବଡ ଉପହାର, ୧୩୦୦୦ ପର୍ଯ୍ୟନ୍ତ ଦରମା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ: ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ସମ୍ମାନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ ଅନୁମୋଦନ କରିଛି। ୯୭,୧୩୫ ଅଙ୍ଗନୱାଡି କର୍ମୀ ଏବଂ ରାଜ୍ୟର ସହାୟିକାମାନେ ଏହାର ଲାଭ ପାଇବେ।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ମଧ୍ୟପ୍ରଦେଶରେ ୧୦ ଟି ନୂତନ କଲେଜକୁ ଅନୁମୋଦନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ୫୦୦ ରୁ ଅଧିକ ନୂତନ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଅଙ୍ଗନୱାଡି କର୍ମୀଙ୍କ ଦରମା ମାସକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଙ୍ଗନୱାଡି କର୍ମୀମାନେ ମାସକୁ ୧୩ ହଜାର ଟଙ୍କା ପାଇବେ। ଏହା ବ୍ୟତୀତ ଅଙ୍ଗନୱାଡି ସହାୟିକାମାନେ ବର୍ତ୍ତମାନ ମାସକୁ ୫ ହଜାର ୭୫୦ ଟଙ୍କା ପାଇବେ। କେବଳ ଏତିକି ନୁହେଁ, ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ପ୍ରତ୍ୟେକ ବର୍ଷ ୧୦୦୦ ଟଙ୍କା ଏବଂ ସହାୟିକାଙ୍କ ଦରମା ପ୍ରତିବର୍ଷ ୫୦୦ ଟଙ୍କା ବୃଦ୍ଧି କରାଯିବ। ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଥିଲେ। କିନ୍ତୁ କ୍ୟାବିନେଟର ମୋହର ବାଜିବା ପରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଅଙ୍ଗନୱାଡି କର୍ମୀଙ୍କୁ ଉପହାର: ମାସକୁ ୨୫୦୦ ସହିତ ଏହି ସରକାର ଦେବ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା

ଚଣ୍ଡିଗଡ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚାନ୍ନି ସରକାର କ୍ରମାଗତ ଭାବରେ ଜନସାଧାରଣଙ୍କୁ ଉପହାର ଦେଉଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଅଙ୍ଗନୱାଡି କର୍ମୀଙ୍କୁ ନୂତନ ବର୍ଷର ଉପହାର ସ୍ୱରୂପ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି ଆଜି ଘୋଷଣା କରିଛନ୍ତି ଯେ, ପଞ୍ଜାବର ଅଙ୍ଗନୱାଡି କର୍ମୀ ମାସକୁ ୨ ହଜାର ୫୦୦ ଟଙ୍କା ପାଇବେ। ଏହା ସହିତ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ମଧ୍ୟ ସରକାର କରିବେ।

ଏହା ପୂର୍ବରୁ ଚାନ୍ନି ସରକାର ମଧ୍ୟ ଚାଷୀଙ୍କୁ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ବାସ୍ତବରେ ଚାନ୍ନି ସରକାର ଦୁଇ ଲକ୍ଷ ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ଦୁଇ ଲକ୍ଷ ପରିବାର ଆଶ୍ଵସ୍ତି ପାଇଛନ୍ତି। ଚାଷୀଙ୍କ ଋଣ ଛାଡ ବାବଦକୁ ସରକାର ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ଦୁଇ ଏକର ଜମି ମାଲିକଙ୍କ ଠାରୁ ପାଞ୍ଚ ଏକର ପର୍ଯ୍ୟନ୍ତ ଋଣ ସଂପୂର୍ଣ୍ଣ ଛାଡ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୫ରେ ଅଙ୍ଗନୱାଡ଼ି କର୍ମୀଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ସଂଘର ଗଂଜାମ ଜିଲ୍ଲା ସଭାପତି ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଏକ ବୈଠକ ଏନ୍‌ଜିଓ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା।

ବିଭିନ୍ନ ଦାବି ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଯୋଗାଣ ନିର୍ଦ୍ଦେଶନାମା ଥିଲେ ମଧ୍ୟ କେନ୍ଦ୍ର ନାମରେ ଗ୍ୟାସ ସଂଯୋଗ ନ କରି ଜିଲ୍ଲା ତରଫରୁ ନିମ୍ନମାନର ଗ୍ୟାସ ପ୍ରଦାନ ବନ୍ଦ କରିବା, ବିଭାଗୀୟ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ବିଭିନ୍ନ କେନ୍ଦ୍ରକୁ ପୋଷାକ ଓ ସ୍ପେଟର ଯୋଗାଣର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ, ଗରମ ରନ୍ଧାଖାଦ୍ୟ ଓ ଟିଏଚ୍‌ଆର୍ ଦେୟ ଅତି ନଗଣ୍ୟ ହେତୁ ବଜାର ଦର ଅନୁସାରେ ଦରଧାର୍ଯ୍ୟ, ସୁପରଭାଇଜର ଭାବେ ପ୍ରମୋଶନ, ବୀମା ଯୋଜନାର କାର୍ଯ୍ୟକାରିତା, ସରକାରଙ୍କ ନିର୍ଦ୍ଦେଶମତେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଦ୍ୟୁତ ଯୋଗାଣ, ବିଦ୍ୟୁତ ଦେୟ ପ୍ରଦାନ, ଛଅ ପ୍ୟାକେଜ୍ ବ୍ୟତୀତ ଅନ୍ୟ କାମରେ ନିୟୋଜିତ ନ କରିବା, ୬୨ ବର୍ଷ ପରେ ଅବସର ନେଉଥିବା କର୍ମୀ ଓ ସହାୟିକାଙ୍କୁ ବିଭାଗୀୟ ନିର୍ଦ୍ଦେଶ ମତେ ଦେୟ ପ୍ରଦାନ ଓ ଅନ୍ୟାନ୍ୟ ଦାବି ରହିଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଦୁର୍ଗା ମିଶ୍ର, ଅଙ୍ଗନୱାଡ଼ି କର୍ମୀ ସଂଘ ନେତ୍ରୀ ନର୍ମଦା ନାହାକ, ମାଣିକ ପଟ୍ଟନାୟକ, ବାସନ୍ତୀ ସାହୁ, ମିତାରାଣୀ ମିଶ୍ର, ଦମୟନ୍ତୀ ଦୋରା, ବାସନ୍ତୀ ତ୍ରିପାଠୀ, ପ୍ରତିମା ଦାସ, ସୁଦେଷ୍ଣା ପଟ୍ଟନାୟକ, କେ. ଅନୁସୂୟା ରେଡି, ସୁନିତା ଦେବୀ, ମିନତି ବରାଡ଼ ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଆନ୍ଦୋଳନକୁ ସଫଳ ନିମନ୍ତେ ଆହ୍ୱାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ ଥିବା ଘର ଏବଂ ସେ କାର୍ଯ୍ୟ କରୁଥିବା ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ମୋଟ ସଂପତ୍ତିର ପରିମାଣ ଦୁଇକୋଟିରୁ ଉର୍ଦ୍ଧ୍ୱ ଆକଳନ କରାଯାଇଛି।

ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ସାହିର ତିନିମହଲା ଘରର ମୂଲ୍ୟ ୮୩ଲକ୍ଷ ୪୪ହଜାର ୩୪୮ ଟଙ୍କା, ସେହି ସାହିର ଦୁଇମହଲା ଘରର ମୂଲ୍ୟ ୨୨ଲକ୍ଷ ୧୩ହଜାର ୪୦୦ ଟଙ୍କା, ଗଣେଶ ନଗରରେ ଥିବା କୋଠାର ମୂଲ୍ୟ ୧୧ଲକ୍ଷ ୬୩ହଜାର ୦୮୮ ଟଙ୍କା, ଗୌତମ ନଗର ଫ୍ଲାଟର ମୂଲ୍ୟ ୪୫ ଲକ୍ଷ ୨୧ହଜାର ୮୦୦ ଟଙ୍କା, ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟର ମୂଲ୍ୟ ୨୭ ଲକ୍ଷ ୬୮ହଜାର ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ ଗଳିରେ ଥିବା ଘରର ମୂଲ୍ୟ ୫ଲକ୍ଷ ୨୮ହଜାର ୨ଶହ ଟଙ୍କା, ୦.୦୦୧୫ ଡ଼େସିମିଲ୍ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୮୦୦ ଟଙ୍କା, ସମୁଦାୟ ୧ କୋଟି ୯୫ ଲକ୍ଷ ୪୦ହଜାର ୬୩୬ ସ୍ଥାବର ସଂପତ୍ତି ରହିଛି। ସେହିଭଳି ଅସ୍ଥାବର ସଂପତ୍ତି ମଧ୍ୟରେ ୩ଲକ୍ଷ ୩୫୦ ଟଙ୍କାର ଘର ଉପକରଣ, ଇଣ୍ଡିଗୋ କାର୍ ଯାହାର ମୂଲ୍ୟ ୬ଲକ୍ଷ ୧୯ହଜାର ୭୪୬ ଟଙ୍କା, ଗୋଟିଏ ହିରୋ ମେଷ୍ଟୋ ସ୍କୁଟି ଯାହାର ମୂଲ୍ୟ ୪୯ ହଜାର ୬୧୪ ଟଙ୍କା, ଛତୁଆ ତିଆରି କରିବା ମେସିନ୍ ଯାହାର ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା, ୨୮୭୨ ନଗଦ ଟଙ୍କା, ୩ ଲକ୍ଷ ୩୪ ହଜାର ୩୫୩ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୧୨ ଲକ୍ଷ ୭୯ହଜାର ୭୬ଟଙ୍କା, ସମୁଦାୟ ଅସ୍ଥାବର ସଂପତ୍ତି ୩୦ ଲକ୍ଷ ୫୬ହଜାର ୧୧ ଟଙ୍କା।

ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ସମୁଦାୟ ୨କୋଟି ୨୫ ଲକ୍ଷ ୯୬ହଜାର ୬୪୭ ଟଙ୍କାର ସଂପତ୍ତି ଠାବ କରାଯାଇଛି। ନମିତା ଦଳେଇ ୧୯୯୦ ମସିହାରେ ଅଙ୍ଗନୱାଡ଼ି କର୍ମୀ ଭାବେ ଚାକିରି ପାଇଥିବାବେଳେ ସେ ଏତେ ଟଙ୍କାର ଅଧିକାରୀ କିପରି ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିଛି।

ତେବେ ନମିତା କହିଛନ୍ତି ଏହି ସବୁ ତାଙ୍କର ସଂପତ୍ତି ନାହିଁ। ସବୁ ସଂପତ୍ତି ତାଙ୍କ ସ୍ୱାମୀଙ୍କର ଏବଂ ସେ ସ୍ୱର୍ଗବାସ ହେବା ପରେ ସବୁ ସଂପତ୍ତି ତାଙ୍କ ନିକଟକୁ ଆସିଛି। ତେବେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ବିଭାଗ କହିଛି। ତଦନ୍ତ ପରିସରକୁ ବ୍ୟାପକ କଲେ ଏହି ଦୁର୍ନୀତିରେ ଲିପ୍ତ ବଡ଼ ବଡ଼ ମାଛମାନେ ମଧ୍ୟ ଲୋକଲୋଚନକୁ ଆସିପାରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବକେୟା ଦରମା ଦେବାକୁ ଟଙ୍କା ଦାବୀ: ଭିଜିଲାନ୍ସ ପଂଝାରେ କୋକସରା ସିଡିପିଓ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି ନିଜ ଅଧିନସ୍ଥ ଜନୈକ ଅଙ୍ଗନୱାଡି କର୍ମୀଂକ ଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିବା ଜଣାପଡିଛି।

ମିଳିଥିବା ତଥ୍ୟ ଅନୁସାରେ କୋକସରା ବ୍ଲକର ସୁନାମାଲ ଗ୍ରାମର ଅଙ୍ଗନୱାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କର ବିଗତ ତିନି ମାସର ବକେୟା ଦରମା ମଂଜୁର କରିଦେବାକୁ ପାଂଚ ହଜାର ଟଂକା ଦାବୀ କରିଥିଲେ। ଏସଂପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୨୭ ତା.୦୨.୧୨.୨୦୨୦ ଦୁର୍ନୀତି ନିବାରଣ ଆଇନ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଥିଲା।

ତଦନୁସାରେ ଅଙ୍ଗନୱାଡି କର୍ମୀ ଜଣକ ସିଡିପିଓଙ୍କୁ ଲାଂଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ ଘଟଣାସ୍ଥଳରୁ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆ ଟଙ୍କା ଦେବା ପାଇଁ ଜିଦି କରି ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଉଦ୍ୟମ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ଜଣେ ପ୍ରବାସୀ ଓଡିଆ ଟଙ୍କା ମିଳିବା ଦାବୀ ସହ ଅଶ୍ଳୀଳ ଭାଷାରେ ଗାଳି କରି ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହା ସହିତ କର୍ମୀଙ୍କ ପୁଅକୁ ଆକ୍ରମଣ କରି ଅପହରଣ କରିବା ପାଇଁ ଧମକ ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ରାହାଡା ଗ୍ରାମରେ ମଣିମାଳା ନାୟକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରିବା ସହ କୋଭିଡ-୧୯ ଡ୍ୟୁଟିରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ନିଜ ଘରେ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଆଗରେ ରହୁଥିବା ପ୍ରବାସୀ ଓଡିଆ ରବି ମହାନ୍ତି ଓରଫ୍ ଭାଗୀ ମଦ ପିଇ ଆସି ତାଙ୍କୁ କାହିଁକି ୨୦୦୦ ଟଙ୍କା ମିଳିନି ଆଉ ତୁରନ୍ତ ଦିଅ କହିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳେ ମଣିମାଳାଙ୍କ ପୁଅ ରୋଶନ କୁମାର ନାୟକ ସେଠାରେ ପହଂଚି ଅଟକାଇବା ବେଳେ ତାଙ୍କୁ ଆକ୍ରମଣ କରି ମାରିଦେବାକୁ ଧମକ ଦେଇଥିଲେ। ପରେ ସେଠାରୁ ସେମାନେ ଖସିଆସି ବେଗୁନିଆପଡ଼ା ଫାଣ୍ଡିରେ ପହଁଞ୍ଚିବା ସହ ଗଞ୍ଜାମ ଜିଲ୍ଲାପାଳ ଓ କୋଦଳା ତହସିଲଦାରଙ୍କୁ ଅବଗତ କରାଇବା ପରେ ଫାଣ୍ଡିରେ ଏତଲା ଦେଇଥିଲେ। ଆହତ ରୋଶନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ସେପଟେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଦାବୀ ହୋଇଛି।

Categories
ଆଞ୍ଚଳିକ

ବ୍ରହ୍ମପୁରରେ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟରେ ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ କରୋନା ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡ଼ରେଂ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ ବୈଦ୍ୟନାଥେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ୨୪ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କରୋନା ସଂକ୍ରମଣକୁ ରୋକିବାରେ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ମହାରଣା କହିଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ସହ ସିଡ଼ିପିଓ ପୁଷ୍ପାଞ୍ଜଳି ମିଶ୍ର, ଅଙ୍ଗନୱାଡ଼ି ସୁପରଭାଇଜର ପଦ୍ମିନୀ ପଟ୍ଟନାୟକ ଓ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା । ସମସ୍ତଙ୍କୁ ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ମଧ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅମିତ ଦାଶ, ବିଜେଡ଼ି ଯୁବ ସଂଗଠକ ଏ. ସନ୍ତୋଷ ପାତ୍ର, କୁମାର ସୁରଜ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ମାନିତ କରିଥିଲେ ।