ପ୍ରବାସୀ ଓଡିଆ ଟଙ୍କା ଦେବା ପାଇଁ ଜିଦି କରି ଅଙ୍ଗନୱାଡି କର୍ମୀଙ୍କୁ ଆକ୍ରମଣ ଉଦ୍ୟମ

Published: Jun 23, 2020, 8:19 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ଜଣେ ପ୍ରବାସୀ ଓଡିଆ ଟଙ୍କା ମିଳିବା ଦାବୀ ସହ ଅଶ୍ଳୀଳ ଭାଷାରେ ଗାଳି କରି ଆକ୍ରମଣ ଉଦ୍ୟମ କରିବା ଅଭିଯୋଗ ହୋଇଛି। ଏହା ସହିତ କର୍ମୀଙ୍କ ପୁଅକୁ ଆକ୍ରମଣ କରି ଅପହରଣ କରିବା ପାଇଁ ଧମକ ଦେବା ଘଟଣା ଆଲୋଡନ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ରାହାଡା ଗ୍ରାମରେ ମଣିମାଳା ନାୟକ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରିବା ସହ କୋଭିଡ-୧୯ ଡ୍ୟୁଟିରେ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଆଜି ସେ ନିଜ ଘରେ ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ତାଙ୍କ ଘର ଆଗରେ ରହୁଥିବା ପ୍ରବାସୀ ଓଡିଆ ରବି ମହାନ୍ତି ଓରଫ୍ ଭାଗୀ ମଦ ପିଇ ଆସି ତାଙ୍କୁ କାହିଁକି ୨୦୦୦ ଟଙ୍କା ମିଳିନି ଆଉ ତୁରନ୍ତ ଦିଅ କହିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିବାକୁ ଉଦ୍ୟତ ହେବା ବେଳେ ମଣିମାଳାଙ୍କ ପୁଅ ରୋଶନ କୁମାର ନାୟକ ସେଠାରେ ପହଂଚି ଅଟକାଇବା ବେଳେ ତାଙ୍କୁ ଆକ୍ରମଣ କରି ମାରିଦେବାକୁ ଧମକ ଦେଇଥିଲେ। ପରେ ସେଠାରୁ ସେମାନେ ଖସିଆସି ବେଗୁନିଆପଡ଼ା ଫାଣ୍ଡିରେ ପହଁଞ୍ଚିବା ସହ ଗଞ୍ଜାମ ଜିଲ୍ଲାପାଳ ଓ କୋଦଳା ତହସିଲଦାରଙ୍କୁ ଅବଗତ କରାଇବା ପରେ ଫାଣ୍ଡିରେ ଏତଲା ଦେଇଥିଲେ। ଆହତ ରୋଶନ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ସେପଟେ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ଦାବୀ ହୋଇଛି।

Related posts