ନାକଟିଦେଉଳ ବନାଂଚଳ: ମୃତ ହାତୀ ଛୁଆକୁ ଉଦ୍ଧାର କଲା ବନ ବିଭାଗ

Published: Feb 12, 2021, 11:45 am IST

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ହାତୀ ମାନଙ୍କର ଆତଙ୍କ ରାଜରେ ଲୋକେ ଅତିଷ୍ଟ ହୋଇ ପଡିଥିବା ବେଳେ ଏ ପଟେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗ ଚିନ୍ତାରେ ପଡିଛି। ସାରା ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବା କିଛି ନୂଆଁ କଥା ନୁହଁ। ନାକଟିଦେଉଳ ବନାଂଚଳ ଜାମୁଜୋରୀ ପଂଚାୟତ ଅନ୍ତର୍ଗତ ବିନ୍ଧପୁର ଗ୍ରାମ ନିକଟସ୍ଥ ଶିଆରିମାଳୀଆ ଜଙ୍ଗଲରୁ ଏକବର୍ଷର ଅଣ୍ଡିରା ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି।

ପ୍ରକାଶ ଯେ, ନାକଟିଦେଉଳ ବନାଂଚଳ ଜାମୁଜୋରୀ ପଂଚାୟତ ଶିଆରୀମାଳିଆ ଜଙ୍ଗଲର ବଡତଇଲା କଟା ନିକଟରେ ଏକ ବର୍ଷର ହାତୀ ଛୁଆ ମରି ପଡିଥିବାର ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଅପରାହ୍ନ ୩ ଟା ପରେ ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁ, ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ପ୍ରମୁଖ ସେଇ ଜଙ୍ଗଲକୁ ଯାଇ ମୃତ ହାତୀ ଛୁଆକୁ ଠାବ କରିଥିଲେ। ରାତି ହୋଇଯିବାରୁ ମୃତ ହାତୀ ଛୁଆର ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା।

ବର୍ଷେ ତଳେ ମଧ୍ୟ ଜାମୁଜୋରୀ ଜଙ୍ଗଲର ଚଡଚଡି ଗ୍ରାମ୍ୟ ଜଙ୍ଗଲରେ ହାତୀ ମାନଙ୍କର ଆକ୍ରମଣରେ ଏକ ହାତୀ ଛୂଆର ମୃତ୍ୟୁ ହୋଇଯାଇଥିଲା। ସେଇ ଅଂଚଳରେ ହାତୀମାନଙ୍କର ଆତଙ୍କରାଜରେ ବହୁ ଧନ ଜୀବନ ମଧ୍ୟ ଯାଇଛି। ଘଂଚ ଜଙ୍ଗଲ ହୋଇଥିବାରୁ ସେ ଅଂଚଳରୁ ହାତୀମାନେ ବାହାର ଅଂଚଳକୁ ପଳାଉ ନ ଥିବାରୁ ଜାମୁଜୋରୀ ଅଂଚଳରେ ଲୋକମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ବନ ବିଭାଗ ମଧ୍ୟ ହାତୀମାନଙ୍କୁ ଘଉଡାଇବାରେ ନାକେଦମ୍ ହୋଇ ପୋଡୁଛି। ଖବର ଲେଖା ହେବା ବେଳକୁ ହାତୀର ଶବ ବ୍ୟବଚ୍ଛେଦ ହେଉଥିବା ରେଢାଖୋଲ ଡିଏଫ୍‌ଓ ପ୍ରଦୀପ୍ତ କୁମାର ସାହୁ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Related posts