ଜଗତସିଂହପୁର: ପାସେଞ୍ଜର ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ

Published: Feb 12, 2021, 9:33 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଜଗତସିଂହପୁର -ମାଛଗାଁ ରାସ୍ତାର ଯୋଗଧାରୀ ଠାରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ ମୃତ ଯୁବକର ନାମ ଦେବେନ୍ଦ୍ର ବରାଳ (୩୦) ଓ ତାଙ୍କ ଘର ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଶଶୁର ଘରକୁ ଆସିଥିଲେ। ଯୋଗଧାରୀ ଠାରେ ଆଜି ଦେବେନ୍ଦ୍ର ରାସ୍ତା ପାର ହେଉଥିବା ବେଳେ ‘ସାଇକ୍ରିଷ୍ଣା’ ନାମକ ଏକ ଘରୋଇ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେଉଁ ବସରେ ଦେବେନ୍ଦ୍ର ଦିନେ ହେଲଫର୍ ଥିଲେ ଆଜି ସେହି ବସ ତାଙ୍କ ଜୀବନ ନେଇଗଲା ବୋଲି କୁହାଯାଉଛି। ଏହି ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଯୋଗଧାରୀ ଛକ ନିକଟରେ ରାସ୍ତାରୋକ କରିଥିଲେ। ଲୋକେ ଜଗତସିଂହପୁର-ବାଲିକୁଦା ମୁଖ୍ୟ ରାସ୍ତାକୁ ପ୍ରାୟ ୧ ଘଣ୍ଟା ଧରି ଅବରୋଧ କରିଥିଲେ।

ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ୧୨ ହଜାର ଟଙ୍କା ଓ ବସ୍‌ ମାଲିକଙ୍କ ଠାରୁ କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ହଟିଥିଲା।

Related posts