ତୈଳ ଦର ବୃଦ୍ଧି ପରେ ଏବେ ଗ୍ୟାସ ସିଲିଣ୍ଡରରେ ମଧ୍ୟ ଲାଗିଲା ନିଆଁ: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

Published: Feb 15, 2021, 1:57 pm IST

ନୂଆଦିଲ୍ଲୀ: ପେଟ୍ରୋଲ-ଡ଼ିଜେଲର ଦର ଦାମ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଲଗାତର ଦ୍ଵିତୀୟ ଦିନ ପ୍ରିମିୟମ ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ବିକ୍ରି ହୋଇଛି। କେବଳ ମଧ୍ୟପ୍ରଦେଶରେ ଏନେଇ ଲୋକ ଅସନ୍ତୋଷ ବ୍ୟକ୍ତ କରୁନାହାନ୍ତି, ଦେଶରେ ଅନେକ ରାଜ୍ୟରେ ଏହାକୁ ବିରୋଧ କରାଯାଇ ଆନ୍ଦୋଳନ କରାଯାଉଛି। ଓଡିଶାରେ ଆଜି କଂଗ୍ରେସ ପକ୍ଷରୁ ଏନେଇ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

ହେଲେ ଆଜି ଦିଲ୍ଲୀରେ କଂଗ୍ରେସ ପକ୍ଷରୁ କେବଳ ଗ୍ୟାସ ସିଲିଣ୍ଡରର ବୃଦ୍ଧି ପ୍ରତିବାଦରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦୀ ସରକାର ଚାଷୀମାନଙ୍କ ସହ ବର୍ବରତା କରିବା ପାଇଁ ଅଣ୍ଟା ଭିଡିଛି। କିନ୍ତୁ ଏବେ ମୋଦୀ ସରକାର ଦେଶର ପ୍ରତ୍ୟେକ ଗୃହିଣୀ ଏବଂ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାର ରୋଷେଇ ଘରେ ମଧ୍ୟ ନିଆଁ ଲଗାଇଦେଇଛି ବୋଲି ଶ୍ରୀମତୀ ଶ୍ରୀନେତ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୬ ଦିନ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ଲଗାତାର ବଢିଚାଲିଥିବା ବେଳେ ସରକାରୀ ତେଲ କମ୍ପାନି ଆଜି ପୁଣି ଏଲ୍‌ପିଜି ଗ୍ୟାସ ଦର ବୃଦ୍ଧି କରିଛନ୍ତି।। ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାରଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଓଡ଼ିଶାରେ ନୂଆ ଦର ୮୦୦ ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତ ୪ ତାରିଖରେ ଏଲ୍‌ପିଜି ଦରରେ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା।

Related posts