
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି।
ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି।