ମିଳୁନି ବସୁନ୍ଧରା ଯୋଜନା: ତିର୍ତ୍ତୋଲ ତହସିଲଦାରଙ୍କୁ ଭେଟିଲେ ମାନବାଧିକାର କର୍ମୀଙ୍କ ସହ ଗ୍ରାମବାସୀ

Published: Feb 17, 2021, 10:51 am IST

ରମେଶ ମହାନ୍ତି

ଜଗତସିଂହପୁର: ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମୁଖ୍ୟତଃ ଭୂମିହୀନ ଲୋକମାନଙ୍କ ନିମନ୍ତେ ସରକାରଙ୍କ ଏକ ପ୍ରମୁଖ ଯୋଜନା ବସୁନ୍ଧରା ଯୋଜନା, ଏହି ଯୋଜନାରେ ଭୂମିହୀନ ଲୋକମାନଙ୍କୁ ଚଳିବା ପାଇଁ ଯାଗା ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ଦେଖେଇଥାଏ। ହେଲେ ଏହି ଯୋଜନା ଗୁଡିକ ଗରିବ ଲୋକମାନଙ୍କ ପାଇଁ ଅପହଞ୍ଚ ପାଲଟିଥିବା କୁହାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ୍ ଅଞ୍ଚଳରେ।

ସୂଚନାନୁଯାୟୀ ତିର୍ତ୍ତୋଲ ତହସିଲ୍ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ଅନୁପଲ୍ଲା ଗ୍ରାମ ହରିଜନ ସାହିର ପ୍ରାୟ ସମସ୍ତ ପରିବାର ମୁଖ୍ୟତଃ ଟୋକେଇ ବୁଣିବା ସହିତ ମୂଲମଜୁରୀ ଲାଗି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର ହୁଏ ପେଟକୁ ମୁଠେ ଦାନା ସହିତ ଦେହକୁ ଖଣ୍ଡେ କନାକୁ ନିଅଣ୍ଟ। ସେଥିରେ ଜାଗା ଖଣ୍ଡେ କିଣିବା ତ ତାଙ୍କ ପାଇଁ ସାତ ସପନ। ମୁଣ୍ଡ ଗୁଞ୍ଜିବା ପାଇଁ ବସୁନ୍ଧରା ଯୋଜନାରେ ଯାଗା ଖଣ୍ଡେ ପାଇବା ନିମନ୍ତେ ତିର୍ତ୍ତୋଲ ତହସିଲରେ ଆବେଦନ କରିବାର ଦିର୍ଘଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ଯାଗା ଖଣ୍ଡେ ଦେବା ପରିବର୍ତ୍ତେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ନିଜର ମୂଲ ମଜୁରୀ କାମଧନ୍ଦା ବନ୍ଦ କରି ବର୍ଷ ବର୍ଷ ଧରି ତିର୍ତ୍ତୋଲ ତହସିଲକୁ ଦୌଡା ଦୌଡ଼ି କରି ନିରାଶ ହେବା ପରେ ଶେଷରେ ଗ୍ରାମର କିଛି ବୁଦ୍ଧିଜୀବୀଙ୍କ ସହଯୋଗରେ ମାନବାଧିକାର କର୍ମୀଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ଓ ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ଉକ୍ତ ଲୋକ ମାନଙ୍କର ଦୟନୀୟ ସ୍ଥିତି ଅନୁଧ୍ୟାନ କରିବା ପରେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିବା ସହିତ ଏନେଇ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତହସିଲଦାର ମହୋଦୟା ମାର୍ଚ୍ଚ ମାସ ପରେ ତଦନ୍ତ କରିବେ ବୋଲି କହିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଙ୍ଗରେ କଣ ପାଇଁ ଆଣିଛ ବୋଲି ଗ୍ରାମବାସୀ ମାନଙ୍କୁ ପାଲଟା ପ୍ରଶ୍ନ କରିଥିଲେ।

ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ ଏହି ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯାଗା ଖଣ୍ଡେ ପ୍ରଦାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ପ୍ରକାଶ କରିଛନ୍ତି।

Related posts