Categories
ବିଶେଷ ଖବର ରାଜ୍ୟ ଖବର

ଭୂମିହୀନ ଲୋକଙ୍କୁ ୪ ଡେସିମିଲ ଜାଗା ଯୋଗାଇବାକୁ ବିଧାନସଭା ଷ୍ଟାଡିଂ କମିଟି ପରାମର୍ଶ

ଭୁବନେଶ୍ୱର: ବିଧାନସଭା ଷ୍ଟାଡିଂ କମିଟି -୧୦ର ତୃତୀୟ ବୈଠକ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ସଂପର୍କରେ ବିଧାୟକ ଶ୍ରୀ ତରାଇ ଆଲୋକପାତ କରିବା ସହିତ ‘ବସୁନ୍ଧରା’ ଯୋଜନାରେ ଭୂମିହୀନ ଲୋକଙ୍କୁ ୪ ଡିସିମିଲ ଜାଗା ଯୋଗାଇଦେବା ସହିତ ଗ୍ରୀଷ୍ମଦିନେ ବିଦୁ୍ୟତ କାଟ ନକରିବାକୁ ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳରେ ୧୦୦/୧୫୦ ଭୂମିହୀନ ପରିବାରଙ୍କୁ ଗୋଟିଏ ସ୍ଥାନରେ ଜମି ପ୍ରଦାନ କରିବା ସହିତ ମୌଳିକ ଆବଶ୍ୟକତା ଯଥା-ପାନୀୟ ଜଳ, ବିଦ୍ୟୁତ ସଂଯୋଗୀକରଣ କରାଯାଇପାରିଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଏହାର ସୁଫଳ ପାଇବା ସହ ସହରର ସୌନ୍ଦର୍ଯ୍ୟ ଅକ୍ଷୁଣ୍ଣ ରହିବ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଭୂମିହୀନଙ୍କ ଆଧାର ଲିଙ୍କ ହେଲେ ହିଁ ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ଜମି ପାଇବ।

ଅନ୍ୟଥା ଜଣେ ବ୍ୟକ୍ତି ଅନେକ ସ୍ଥାନରେ ଜମି ପାଇଁ ଆବେଦନ କରିବାର ସମ୍ଭାବନା ଅଛି ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି। ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଅବାଧ ବାଲି ଚାଲାଣର ଅଭିଯୋଗ ଆସୁଛି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଜନସାଧାରଣ, ମୁଖ୍ୟତଃ ଛାତ୍ରଛାତ୍ରୀ ଓ ବୃଦ୍ଧବୃଦ୍ଧାଙ୍କ ବୃହତ୍‌ ସ୍ୱାର୍ଥ ଦୃଷ୍ଟିକୋଣରୁ ଗ୍ରୀଷ୍ମଦିନେ ବିଜୁଳି କାଟ ନକରିବା ଓ ବର୍ଷାଦିନ ପୂର୍ବରୁ ୩୩/୧୧ କେଭି ଗ୍ରୀଡ଼ ଷ୍ଟେସନ୍‌ ସ୍ଥାପନ କାର୍ଯ୍ୟ ଶେଷ କରିବାକୁ କମିଟି ନିର୍ଦ୍ଦେଶ ଦେଇଛି।

ଯେଉଁ ଗ୍ରାମଗୁଡ଼ିକୁ ବିଦ୍ୟୁତ ତାର ସଂଯୋଗ ହୋଇଛି କିନ୍ତୁ ଟ୍ରାନ୍ସଫର୍ମର ଅକାମୀ ହୋଇଯାଇଛି, ତେଣୁ ବିଦ୍ୟୁତ ଯୋଗାଣ ହୋଇପାରୁନାହିଁ। ଅଥଚ, ଗ୍ରାମବାସୀଙ୍କ ପାଖକୁ ମାସିକ ହାରାହାରି ବିଦ୍ୟୁତ ବିଲ୍‌ ଆସୁଛି ବୋଲି ଅନେକ ସ୍ଥାନରେ ଜନସାଧାରଣ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥଳେ ହାରାହାରି ବିଦ୍ୟୁତ ବିଲ୍‌ ନଦେବାକୁ କମିଟି ନିର୍ଦ୍ଦେଶ ଦେଇଛି।

ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ପର୍ଶୁରାମ ଧଡ଼ା, ଜଗନ୍ନାଥ ନାୟକ, ରୁଦ୍ରପ୍ରତାପ ମହାରଥୀ, ପ୍ରଭୁ ଜାନୀ, ରଘୁରାମ ପଡ଼ାଲ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଆଇଜିଆର୍‌ ଜେ.ପି. ଦାସ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ୱତନ୍ତ୍ର ସଚିବ ବି.ବି. ଦାସ, ଉପସଚିବ ସୁଶିଳା ମଲ୍ଲିକ, ଡେସ୍କ ଅଧିକାରୀ ବିଦ୍ୟାଧର ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଶକ୍ତି ବିଭାଗର ଅଧିକାରୀ, ବିଦୁ୍ୟତ୍‌ ଯୋଗାଣ କମ୍ପାନୀର କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମିଳୁନି ବସୁନ୍ଧରା ଯୋଜନା: ତିର୍ତ୍ତୋଲ ତହସିଲଦାରଙ୍କୁ ଭେଟିଲେ ମାନବାଧିକାର କର୍ମୀଙ୍କ ସହ ଗ୍ରାମବାସୀ

ରମେଶ ମହାନ୍ତି

ଜଗତସିଂହପୁର: ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମୁଖ୍ୟତଃ ଭୂମିହୀନ ଲୋକମାନଙ୍କ ନିମନ୍ତେ ସରକାରଙ୍କ ଏକ ପ୍ରମୁଖ ଯୋଜନା ବସୁନ୍ଧରା ଯୋଜନା, ଏହି ଯୋଜନାରେ ଭୂମିହୀନ ଲୋକମାନଙ୍କୁ ଚଳିବା ପାଇଁ ଯାଗା ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ଦେଖେଇଥାଏ। ହେଲେ ଏହି ଯୋଜନା ଗୁଡିକ ଗରିବ ଲୋକମାନଙ୍କ ପାଇଁ ଅପହଞ୍ଚ ପାଲଟିଥିବା କୁହାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ୍ ଅଞ୍ଚଳରେ।

ସୂଚନାନୁଯାୟୀ ତିର୍ତ୍ତୋଲ ତହସିଲ୍ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ଅନୁପଲ୍ଲା ଗ୍ରାମ ହରିଜନ ସାହିର ପ୍ରାୟ ସମସ୍ତ ପରିବାର ମୁଖ୍ୟତଃ ଟୋକେଇ ବୁଣିବା ସହିତ ମୂଲମଜୁରୀ ଲାଗି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର ହୁଏ ପେଟକୁ ମୁଠେ ଦାନା ସହିତ ଦେହକୁ ଖଣ୍ଡେ କନାକୁ ନିଅଣ୍ଟ। ସେଥିରେ ଜାଗା ଖଣ୍ଡେ କିଣିବା ତ ତାଙ୍କ ପାଇଁ ସାତ ସପନ। ମୁଣ୍ଡ ଗୁଞ୍ଜିବା ପାଇଁ ବସୁନ୍ଧରା ଯୋଜନାରେ ଯାଗା ଖଣ୍ଡେ ପାଇବା ନିମନ୍ତେ ତିର୍ତ୍ତୋଲ ତହସିଲରେ ଆବେଦନ କରିବାର ଦିର୍ଘଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ଯାଗା ଖଣ୍ଡେ ଦେବା ପରିବର୍ତ୍ତେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।

ନିଜର ମୂଲ ମଜୁରୀ କାମଧନ୍ଦା ବନ୍ଦ କରି ବର୍ଷ ବର୍ଷ ଧରି ତିର୍ତ୍ତୋଲ ତହସିଲକୁ ଦୌଡା ଦୌଡ଼ି କରି ନିରାଶ ହେବା ପରେ ଶେଷରେ ଗ୍ରାମର କିଛି ବୁଦ୍ଧିଜୀବୀଙ୍କ ସହଯୋଗରେ ମାନବାଧିକାର କର୍ମୀଙ୍କ ସହ ଯୋଗାଯୋଗ କରିଥିଲେ। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ଓ ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ଉକ୍ତ ଲୋକ ମାନଙ୍କର ଦୟନୀୟ ସ୍ଥିତି ଅନୁଧ୍ୟାନ କରିବା ପରେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିବା ସହିତ ଏନେଇ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତହସିଲଦାର ମହୋଦୟା ମାର୍ଚ୍ଚ ମାସ ପରେ ତଦନ୍ତ କରିବେ ବୋଲି କହିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାଙ୍ଗରେ କଣ ପାଇଁ ଆଣିଛ ବୋଲି ଗ୍ରାମବାସୀ ମାନଙ୍କୁ ପାଲଟା ପ୍ରଶ୍ନ କରିଥିଲେ।

ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତଦନ୍ତ କରାଯାଇ ଏହି ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯାଗା ଖଣ୍ଡେ ପ୍ରଦାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ଇଂ ଗଗନ ବିହାରୀ ପୃଷ୍ଟି ପ୍ରକାଶ କରିଛନ୍ତି।