ଚିଲିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତକଙ୍କୁ କ୍ଷତିପୂରଣ ଦାବିରେ ବାଣପୁର-ବାଲୁଗାଁ ବାଇପାସ ଅବରୋଧ

Published: Feb 17, 2021, 8:15 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର-ବାଲୁଗାଁ ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ମଠପଟଣା ଗ୍ରାମର ସନାତନ ପ୍ରଧାନ (୫୦) ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବଜାର କାମ ସାରି ସାଇକେଲ ଯୋଗେ ବାଇପାସ ଦେଇ ନିଜ ଘରକୁ ଫେରୁଥିଲେ। ତେବେ ନିଜ ଗ୍ରାମ ମଠପଟଣାକୁ ରୋଡ଼ ଅତିକ୍ରମ କରି ଯାଉଥିବା ସମୟରେ ଭୁବନେଶ୍ୱର ଆଡୁ ଆସୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡି (ଓଡ଼ି୦୨ଡ଼ି୧୩୭୨) ସନାତନଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ସନାତନଙ୍କ ପ୍ରାଣହାନି ଘଟିଥିଲା।

ତେବେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ହେଉଥିବା ବେଳେ ସରନଇ ବ୍ରିଜ ନିକଟରେ ସ୍ଥାନୀୟ ବାସିନ୍ଦାମାନେ ଗାଡିକୁ କାବୁ କରିଛନ୍ତି। ବର୍ତ୍ତମାନ ସ୍ଥାନୀୟ ଗ୍ରାମବାସୀମାନେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ବାଣପୁର ଆଇଆଇସି ଘଟଣାସ୍ଥଳକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି।

Related posts