Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବିଚ଼ିତ୍ରମୟୀ ମା’ଭଗବତୀ, ବିଚ଼ିତ୍ର ତାଙ୍କରି ପରମ୍ପରା

ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ଯେପରି ଭିନ୍ନ ଭିନ୍ନ, ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା, ନୀତିକାନ୍ତି ,ପର୍ବପର୍ବାଣୀ,ଜାନିଯାତ୍ରା ସେପରି ବିଚ଼ିତ୍ରମୟ |ବାଣପୁରର ଆରାଧ୍ୟା ଦେବୀ ଭଗବତୀ। କାହିଁ କେଉଁ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ମା’ଙ୍କ ପୀଠର ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ, ନୀତିକାନ୍ତି ଅତି ବିଚ଼ିତ୍ରମୟ।  କେତେବେଳେ ସେ ପରିଚ୍ଛା ପରିବାରର ଝିଅ ହୋଇ କାଚ଼ରା ଠାରୁ କାଚ଼ପିନ୍ଧି ବାପାଙ୍କ ଘରେ ତୋରାଣି ପିଇ ମନ୍ଦିରକୁ ଫେରିଲେଣି ତ କେତେବେଳେ ଭଉଣୀ ଶିଦ୍ଧେଶ୍ଵରୀଙ୍କ ଘରେ ଚ଼ୁଡ଼ା ଗୁଡ଼ ଦହି ଖାଇ ଭଉଣୀଙ୍କୁ ବର୍ଷ ଆରମ୍ଭରୁ ଶାରଦୀୟ ପୂଜାକୁ ନିମନ୍ତ୍ରଣ କଲେଣି।

ଅଶୋକାଷ୍ଟମୀରେ ଭଉଣୀ ନାରାୟଣୀଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ବାଟରେ ଗତୀଶ୍ଵର ଦେବଙ୍କ ପୀଠରେ ଅଶୋକ ଫୁଲ ଓ ପଇଡ ପାଣି ପିଇ ବୈଶାଖର ଶୋଷ ମେଣ୍ଟାଇଲେଣିତ, ଭାଦ୍ରବ ଶୁକ୍ଳ ସପ୍ତମୀରେ ଚିଲିକାରେ ନୌବିହାର ସାରିଭଉଣୀ କାଳିଜାଇଙ୍କ ଆଜ୍ଞାମାଳ ଧରି ସାଆନ୍ତରାଙ୍କ ଦୁଆରେ ମଣ୍ଡାକାକରା ସାଙ୍ଗକୁ ମାଛ ପୋଡ଼ା ଖାଇ ଶୟନ କଲେଣି। ଏହି ବିଚ଼ିତ୍ରମୟ ପରମ୍ପରା ମା’ଙ୍କର ମାନବୀୟ ଲୀଳାର ପରିପ୍ରକାଶକୁ ଦେଖିଲେ ମନେହୁଏ କିଏ ସେ ଏପରି ରୀତିନୀତି ଖଞ୍ଜି ଦେଇଛି ଯେ ପ୍ରତ୍ୟେକଟି ରେ ସାମାଜିକ ମୂଲ୍ୟବୋଧ କିଛିନା କିଛି ରହିଛି। ଅଶୋକାଷ୍ଟମୀ ମା’ଙ୍କ ପୀଠର ଯାତ୍ରାମାନଙ୍କ ଭିତରୁ ଏକ ପ୍ରମୁଖଯାତ୍ରା।

ଅତୀତରେ ଆଜିର ଦିବସରେ ମା’ଭଗବତୀ ଦକ୍ଷିଣ ଦିଗରକ୍ଷାକାରିଣୀ ଭାଲେରୀ ପାହାଡ଼ ଖୋଲରେ ପୂଜିତା,ଖଲି କୋଟଗଡ଼ ରାଜାଙ୍କ ଇଷ୍ଟଦେବୀ ଭଉଣୀ ନାରାୟଣୀଙ୍କ ପୀଠକୁ ଯାତ୍ରା କରି ସେଠାରେ ପଣସପତ୍ର ଠୋଲାରେ ଅଶୋକଫୁଲ ଓ ପଇଡ଼ ପାଣିରେ ଲାଗି ହୋଇ ପୂଜା ପାଉଥିଲେ। ରାତ୍ର ପହରରେ ଦୁଇ ମା’ଙ୍କ ପାଖରେ କାକାରା ଧିପହୋଇପାହାନ୍ତା ପହରରେ ମା’ଙ୍କ ଆଜ୍ଞାମାଳ ନେଇ ଫେରୁଥିବାର ସ୍ମୃତି ଏପର୍ଯ୍ୟନ୍ତ ରହିଛି। ଲୋକକଥା ଅନୁସାରେ ଏକଦା ଖଲ୍ଲିକୋଟ ରାଜା ମା’ଭଗବତୀ କାଠିଠାକୁରାଣୀଙ୍କ ମହିମାରେ ବିଶ୍ୱାସ କରି ବଳ ପ୍ରୟୋଗ ପୂର୍ବକ ମା’ଙ୍କୁ ସେଠାରେ ସବୁଦିନ ପାଇଁ ରଖିଦେବାକୁ ଗୁପ୍ତରେ ଯୋଜନା କରୁଥିବା କଥା ଜଣା ପଡ଼ିଯିବାପରେ ବାଣପୁର ଗଡ଼ର ତଦନାନ୍ତିନ ରାଜା ପରବର୍ତ୍ତୀକାଳରେ ମା’ଙ୍କୁ ନାରାୟଣୀ ପୀଠକୁ ନ ଛାଡ଼ି ପରମ୍ପରା ରକ୍ଷା ନିମନ୍ତେ ଭାଲେରୀ ପାହାଡ଼ର ପାଦଦେଶରେ ଦକ୍ଷିଣଦିଗ ରମାଳିଗୋବିନ୍ଦପୁର ଗ୍ରାମ ନିକଟସ୍ଥ ଶାଳିଆକୂଳରେ ପୂଜିତ ଦେବଦେବ ଗତିଶ୍ଵର ଦେବଙ୍କ ପୀଠ ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ଥ ପ୍ରକାର ସମାନ ନୀତିକାନ୍ତି ବିଧିବିଧାନ ଶେଷ କରି ମନ୍ଦିରକୁ ବାହୁଡ଼ିବାର ପରମ୍ପରା ଏଯାବତ୍ ଚଳି ଆସିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଠାରୁ ପ୍ରକାଶ।

ଆଜି ପ୍ରତ୍ୟୁଷରୁ ବାବା ଗତିଶ୍ଵର ଦେବଙ୍କ ନିମନ୍ତ୍ରଣ ରକ୍ଷା କରି ସକାଳର ସମସ୍ତ ନୀତିକାନ୍ତି ଶେଷରେ ମା’ ଭଗବତୀ କାଠିଠାକୁରାଣି, ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଦେବ, ଶ୍ରୀଗୋପୀନାଥ ଦେବ ଏବଂ ଶ୍ରୀରଙ୍କ ନାଥଦେବ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆରରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟକାହାଳୀ ଢ଼ୋଲବାଦ୍ୟ, ଆଲଟଚ଼ାମର ଚତ୍ରତରାସ ସହିତ ମାଳି ଗୋବିନ୍ଦପୁର ଗ୍ରାମ ପରିକ୍ରମା କରି ଗତିଶ୍ଵର ଦେବଙ୍କ ପୀଠରେ ପହଞ୍ଚିବାପରେ ସେବାୟତଙ୍କ ତରଫରୁ ସେଠାରେ ଦେବା ଦେବୀଙ୍କୁ ପୁଷ୍ପଚନ୍ଦନ, ଆଲଟଚାମରରେ ସ୍ବାଗତ କରାଯାଇଥିଲା। ପରେ ସମସ୍ତ ଦେବାଦେବୀଙ୍କୁ ପଣସ ପତ୍ରଠୋଲାରେ ଅଶୋକ ଫୁଲ ଓ ପଇଡ଼ଦ୍ୱାରା ଆପ୍ୟାୟିତ କରାଯାଇଆଳତି ବଢ଼ିଥିଲା। ପବିତ୍ର ଅଶୋକାଷ୍ଟମୀରେ ମା’ଙ୍କୁ ଦର୍ଶନକରି ଅଶୋକ ଫୁଲପ୍ରସାଦସହିତ ଆଶୀର୍ବାଦ ଲାଭ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ପୋଲିସ୍, ମନ୍ଦିର ପ୍ରଶାସନ ଓ ମାଳିଗୋବିନ୍ଦପୁର ଗ୍ରାମବାସୀଙ୍କ ତରଫରୁ ସମସ୍ଥ ପ୍ରକାର ସହଯୋଗ ଯୋଗାଇଦିଆଯାଇଥିଲା

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ, ଚିତାକର୍ଷକ ଥିଲା ଆତସବାଜି

ବାଣପୁର( ସୀତାରାମ ଅଗ୍ରୱାଲ): ଶନିବାର ଓ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ଶନିବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ।

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ। ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଳକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା। ଗତବର୍ଷ ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ବାଣପୁର ପଞ୍ଚୁଦୋଳରେ ପ୍ରଶାସନ ପକ୍ଷରୁ ବାଣ ନିଷେଧ କରାଯାଇଥିବାରୁ ଲୋକଙ୍କ ମାନରେ ନିରାଶା ଭାବ ପରିଲକ୍ଷିତ ହୋଇଥିଲା। ହେଲେ ଚଳିତ ବର୍ଷ ଚିତାକର୍ଷକ ଆତସବାଜି ପ୍ରଦର୍ଶନ ହୋଇଥିଲା।

ରବିବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ବାଲିପଦର ଲୋକନାଥ ଦେବ ପ୍ରଥମ ଓ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ଦ୍ୱିତୀୟ,ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ଚୟନ କରି କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଡୋରା, ଉପସଭାପତି ଅମର କାଣ୍ଡି ଓ ସମ୍ପାଦକ ମାଧବ ଚନ୍ଦ୍ର ବାରିକି ପୁରସ୍କାର ବିତରଣ କରିଥିଲେ।

ରବିବାର ଦିନତମାମ ହଜାର ହଜାର ଲୋକଙ୍କ ମେଳଣ ପଡିଆକୁ ଯିବା ଆସିବା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପଞ୍ଚୁଦୋଳ ପଡିଆରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ଲାଭ କରି ବିଭିନ୍ନ ପ୍ରକାର ଘର ସରଞ୍ଜାମ, ଖଟ ପଲଙ୍କ ସହ ପିଲାଙ୍କ ପାଇଁ ଖେଳନା କିଣାବିକା କରି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ଯାତ୍ରାରେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଥିବା ନଜରକୁ ଆସିଥିଲା। ମଥୁରା କେକ ଖାଇବା ପାଇଁ ଦୋକାନ ଆଗରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବଦେବୀ ଯଂଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତଥର ପରିକ୍ରମା କରିଥିଲେ l ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ସ୍ଵଗ୍ରାମକୁ ଗମନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା l ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବାଲୁଗାଁ ଏସ୍ଡ଼ିପିଓ ସୁଧାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହରା, ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଆଦି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପଞ୍ଚୁଦୋଳ କମିଟିମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇଛି।

Categories
ଆଞ୍ଚଳିକ

ବାଣପୁରରେ ଖୋଲିଲା ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଉକ୍ତ ବ୍ୟାଙ୍କକୁ ଉଦଘାଟନ କରିଛନ୍ତି। ଏହା ଓଡ଼ିଶାର ୨୨୭ ତମ ଏବଂ ଖୋର୍ଦ୍ଧା ଜିଲ୍ଲାର ୪୪ ତମ ଶାଖା।

ଏହି ଅବସରରେ ଏଚଡ଼ିଏଫସି ବ୍ୟାଙ୍କ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ, ବାଣପୁର ଶାଖା ପରିଚାଳକ ଅମୁଲ୍ୟ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, କୁଞ୍ଜୁରୀ ଶାଖା ପରିଚାଳକ ହିମାଂଶୁ ମିଶ୍ର ଆଦି ଉପସ୍ଥିତ ଥିଲେ।

ତେବେ ଆଜି ଉଦଘାଟନ ଦିବସରେ ବାଣପୁର ବ୍ଲକର ଚାରି ଗୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବାଣପୁର ଶାଖା ପରିଚାଳକ ଶ୍ରୀ ନାୟକ କହିଛନ୍ତି। ଅନୁରୂପ ଭାବେ ଏଚଡ଼ିଏଫସି ଦେଶର ଏକ ପ୍ରତିଷ୍ଠିତ ଏବଂ ବହୁ ପୁରୁଣା ଘରୋଇ ବ୍ୟାଙ୍କ ହୋଇଥିବା ବେଳେ ବାଣପୁରବାସିଙ୍କୁ ଏହା ଉତ୍କୃଷ୍ଟ ସେବା ପ୍ରଦାନ କରିବ ବୋଲି କହିଛନ୍ତି ଶ୍ରୀ ନାୟକ।

ବାଣପୁରରେ ଏକାଧିକ ରାଷ୍ଟ୍ରାୟତ ବ୍ୟାଙ୍କ ରହିଥିବା ବେଳେ ନୂତନ ଭାବେ ଉଦଘାଟିତ ଏଚଡ଼ିଏଫସି ବ୍ୟାଙ୍କରେ ଗ୍ରାହକମାନେ ଏକାଧିକ ସୁବିଧା ପାଇପାରିବେ। ସୁନା ଋଣ, ଲକର ସେବା, ବିନା କାଗଜପତ୍ରରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଖୁବ କମ ସମୟରେ କ୍ଷୁଦ୍ର ଋଣ ମିଳିପାରିବ ବୋଲି ଶ୍ରୀ ନାୟକ କହିଛନ୍ତୁ। ଉକ୍ତ ବ୍ୟାଙ୍କଟି ବାଣପୁର କଲେଜ ରୋଡ ସ୍ଥିତ ଏସବିଆଈ ନିକଟରେ ଅବସ୍ଥିତ।

Categories
ଖେଳ

ବାଣପୁର: ଏଟିଏମ କାର୍ଡ ବଦଳାଇ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଡିଜିଟାଲ ଲୁଟେରା

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଏଟିଏମ ଠକେଇ ମାମଲା ରୁଜୁ ହୋଇଛି। ଏଟିଏମ କାର୍ଡ ବଦଳାଇ ଜଣେ ଦୁର୍ବୃତ୍ତ ଆକାଉଣ୍ଟରୁ ୧୭୦୦୦ ରୁ ଉର୍ଦ୍ଧ୍ଵ ଟଙ୍କା ଲୁଟିନେଇଛନ୍ତି। ଏ ନେଇ ଠକାମିର ଶିକାର ହୋଇଥିବା ବ୍ୟକ୍ତି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,

ଅଭିଯୋଗ ମୁତାବକ ବାଣପୁର ଷ୍ଟେଟବ୍ୟାଙ୍କ ଶାଖାର ଏଟିଏମକୁ ଖୁଣ୍ଟପଲ୍ଲୀ ଗ୍ରାମର ମକଦ୍ଦମ ଜେନା (୫୮) ନାମକ ଜଣେ ବୟସ୍କ ବ୍ୟକ୍ତି ଖାତାରେ କେତେ ଟଙ୍କା ଅଛି ଜାଣିବା ପାଇ ଯାଇଥିଲେ। ହେଲେ ଏଟିଏମ ମେସିନ ଚଲା ଜାଣିନଥିବାରୁ ପାଖରେ ଥିବା ଜଣେ ବ୍ୟକ୍ତିକୁ ଏଟିଏମ କାର୍ଡଟିକୁ ଦେଇ ବାଲାନ୍ସ ଟଙ୍କା ତନଖି କରିବାକୁ ସେ କହିଥିଲେ। କିନ୍ତୁ ଚଞ୍ଚକତା କରି ଦୁର୍ବୁତ୍ତ ଜଣକ ଏକ ରସିଦ ଧରାଇ ଟଙ୍କା ବାହାରୁ ନାହିଁ ବୋଲି କହି ଅନ୍ୟ ଏକ ଏଟିଏମ କାର୍ଡ ମକଦ୍ଦମଙ୍କୁ ଫେରାଇ ଦେଇଥିଲା। ପୁଣି ନିଜ ସମ୍ପର୍କୀୟ ଆସିବାରୁ ପୁନର୍ବାର ମକଦ୍ଦମ ମୋଟ ଜମା ରାଶି ଦେଖିବାକୁ କହିବାରୁ ଏଟିଏମ କାର୍ଡଟି ମକଦ୍ଦମଙ୍କର ନୁହେଁ ବୋଲି ଜଣାପଡ଼ିଥିଲା।

ପରେ ମୋବାଇଲ ମେସେଜରୁ ୧୭୫୬୫ ଟଙ୍କା ଦୁର୍ବୁତ୍ତ ଜଣକ ଉଠାଣ କରିଥିବା ଜଣାପଡିଲା। ଏ ନେଇ ମକଦମ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ବାଣପୁର ପୋଲିସ ଏକ ମାମଲା ରୁଜୁ କରି ବ୍ୟାଙ୍କ ସିସିଟିଭିରୁ ଦୁର୍ବୃତ୍ତର ଫୋଟୋ ସଂଗ୍ରହ କରି ତଦନ୍ତ ଚଳାଇଛି।

Categories
ଆଞ୍ଚଳିକ

ବାଣପୁରରେ ଜନ ପ୍ରତିନିଧି ପ୍ରଶାସନ ମୁହାଁମୁହିଁ, ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେଲେ ବିଡିଓ

ବାଣପୁର( ସୀତାରାମ ଅଗ୍ରଲାୱ): ଶୀର୍ଷରେ ପହଁଚିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ କଳି। ଦୀର୍ଘ ମାସ ଧରି ବାଣପୁର ବିଡିଓ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ବିସ୍ଫୋରଣର ରୂପ ନେଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ଶୀତଲ ଅଗ୍ରୱାଲ। ଏ ନେଇ କେସ ନମ୍ବର ୧୨୬/୨୪ ଆଇପିସି ଦଫା ୧୮୯/୩୪/୩୫୩ ରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ନିକଟରେ ଚିଲିକା ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରତ ଆଶାୟୀଙ୍କ ସହ ଧାରଣା ଦେଇଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିଲା।

ବିଡ଼ିଓ ବ୍ଲକରେ ସଦାବେଳେ ଅନୁପସ୍ଥିତ ରହୁଛନ୍ତି, ପାତର ଅନ୍ତର ନିତି ଆପଣଉଛନ୍ତି, ଜନପ୍ରତିନିଧି ଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ ଏକ ନିର୍ଦିଷ୍ଟ ଦଳର ହାତବାରିସୀ ସାଜିଥିବା ଅଭିଯୋଗ କରିଥିଲେ ଅଧ୍ୟକ୍ଷ ଓ ଉପସ୍ଥିତ ଜନ ପ୍ରତିନିଧି। ବ୍ଲକ କାର୍ଯ୍ୟାଳୟ ଅଚଳ ଦ୍ୱାରା ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଚଳିତ ୧୬ ତାରିଖ ରାତିରେ ବାଣପୁର ବିଡିଓଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ଅଧିକାରୀଙ୍କୁ ଧମକାଇବା ଆଦି ଅଭିଯୋଗରେ ଥାନାରେ ଏତଲା ଦିଆଯାଇଛି।  ପୁର୍ବରୁ ମଧ୍ୟ ବାଣପୁର ବ୍ଲକରେ ଅଧ୍ୟକ୍ଷ ଓ ବିଡିଓ ବିବାଦ ଲାଗି ରହିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ସମାଧାନ କରିବାରେ ଏକ ରକମର ବିଫଳ ହୋଇଛି। ଯାହାଫଳରେ ଆଜି ଉକ୍ତ କଳି ଚରମ ସୀମାରେ ପହଁଚିଛି।

ତେବେ ଏ ନେଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହଙ୍କୁ ପଚାରିବାରୁ ଉକ୍ତ ଦିନ କାର୍ଯ୍ୟାଦେଶ ପାଇବା ଆଶାୟୀମାନେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାହାକୁ ନୈତିକତା ଦୃଷ୍ଟିରୁ ଏକାଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଅଧ୍ୟକ୍ଷ ମଧ୍ୟ ସମର୍ଥନ କରିଥିଲେ। ଏପରିକି ପ୍ରଥମ ଦିନ ଅଧ୍ୟକ୍ଷ ବିଡିଓଙ୍କ ସହ ଫୋନରେ ଯୋଗାଯୋଗ କରି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ। ତେବେ ବ୍ଲକ ତାଲା ପକେଇବା ବିଷୟରେ ସେ ଅବଗତ ନଥିବା କହିଛନ୍ତ।

Categories
ଆଜିର ଖବର ରାଜ୍ୟ ଖବର

ବିଦେଶରେ ଚାକିରି ନାଁରେ ଠକେଇର ଶିକାର ହେଲେ ଚିଲିକାର ୭୦ ଶ୍ରମିକ: ଆନ୍ଧ୍ରା ପୋଲିସରେ କଲେ ଅଭିଯୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୭୦ଜଣ ଶ୍ରମିକ ଠକେଇର ଶିକାର ହୋଇଥିବା ଖବର ହସ୍ତଗତ ହୋଇଛି। ଖବରରୁ ଜଣାପଡିଛି ଯେ, ବିଗତ ଦୁଇମାସ ତଳେ ସୁବିଧାରେ ଏବଂ ସ୍ୱଳ୍ପ ମୂଲ୍ୟରେ ଶ୍ରମିକ ମାନଙ୍କୁ ବିଦେଶରେ ରୋଜଗାର ଦେବାର ପ୍ରଲୋଭନ ଦେଖାଇ ଲାଇଫ ଲାଇନ ଟ୍ରାଭେଲ ଏଜେନସି, ବିଜୟୱାଡା, ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଇଥିଲା। ଯାହାକି ଦୁବାଇର ଆବୁଧାବିରେ ନାମୀଦାମୀ କମ୍ପାନୀରେ କାମ କରାଇବାର ଲେଖା ଥିଲା। ଯେଉଁ ବ୍ୟାନରର ଲେଖାକୁ ବିଶ୍ୱାସ କରି ଏବଂ ବ୍ୟାନରରେ ଲେଖା ଯାଇଥିବା କଥାର ପ୍ରଲୋଭନରେ ପଡ଼ି କମ୍ପାନୀର ମ୍ୟାନେଜର ଆର.ରାବଣା ରାଓଙ୍କୁ ବାଣପୁର ଅଂଚଳର ବହୁ ଶ୍ରମିକ ଯୋଗାଯୋଗ କରିଥିଲେ।

ଯୋଗାଯୋଗ ପରେ କମ୍ପାନୀ ତରଫରୁ ସମସ୍ତ ଶ୍ରମିକ ମାନଙ୍କୁ ଦୁବାଇ ଯିବାକୁ ଭିସା ପ୍ରଦାନ କରିଥିଲେ। ଶ୍ରମିକ ମାନେ ମଧ୍ୟ ଭିସାକୁ ସଠିକ ବୋଲି ପରଖି ଥିଲେ। ପରେ ବିଦେଶ ଯିବାକୁ ହେଲେ ଜଣକ ପିଛା ୫୯,୪୦୦ଟଙ୍କା ଲେଖା ଦେବାକୁ ପଡିବ ବୋଲି ଦାବୀ କରିଥିଲା ଉକ୍ତ କମ୍ପାନୀ। ଶ୍ରମିକ ମାନେ ମଧ୍ୟ ମ୍ୟାନେଜର ଆର. ରାବଣା ରାଓଙ୍କ କରୁର ବୈଶ୍ୟ ବ୍ୟାଙ୍କ ଆକାଉଣ୍ଟ ଯାହାର ନମ୍ବର୧୪୭୨୧୫୫୦୦୦୦୯୭୨୪୨, ବ୍ରାଞ୍ଚ ଗଜୱାକାକୁ ସମସ୍ତ ଟଙ୍କା ପଠାଇଥିବା ଶ୍ରମିକ ମାନେ କହିଛନ୍ତି। ପରେ କମ୍ପାନୀ ତରଫରୁ ବିଦେଶ ଯିବାକୁ ଶ୍ରମିକ ମାନଙ୍କୁ ପ୍ଲେନ ଟିକେଟ ପ୍ରଦାନ କରାଯାଇଥିଲା। କିନ୍ତୁ ଶ୍ରମିକ ମାନେ ବିଜୟୱାଡା ଠାରେ ଥିବା କମ୍ପାନୀର ଅଫିସଠାରେ ପହଁଚିଲେ ସେଠାରେ କୌଣସି ଅଫିସ ନଥିବା ଏବଂ ଟିକେଟ କ୍ୟାନ୍ସଲ ହୋଇଯାଇଥିବା ମଧ୍ୟ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ଘଟଣାକୁ ନେଇ ଶ୍ରମିକ ମାନେ ବିଜୟୱାଡା ଏସପିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ତାଙ୍କ ନିଷ୍ପତ୍ତି କ୍ରମେ ରୁରାଲ ପୋଲିସ ଥାନାରେ ଲିଖିତ ଏତଲା ଦାୟର କରିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଶ୍ରମିକ ମାନେ ଉପରୋକ୍ତ ଥାନାରେ ବସିରହିଥିବା ଜଣାପଡିଛି। ତେଣୁ ଆନ୍ଧ୍ରପ୍ରଦେଶ ସରକାର ଓଡିଶା ଶ୍ରମିକ ମାନଙ୍କ ଠାରୁ ଲୁଟ କରିଥିବା କମ୍ପାନୀକୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରିବା ସହ ଓଡିଶାର ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି।

Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ: ଚିଲିକାରେ ପାଇଲେ ୫ ହଜାରରୁ ଊର୍ଦ୍ଧ୍ଵ ହିତାଧିକାରୀ

ବାଣପୁର (ସୀତାରାମ ଅଗ୍ରୱାଲ): ବୁଧବାର ପୂର୍ବାହ୍ନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ଉପଲବ୍ଧ ପାଇଁ ମୁଖ୍ୟମନ୍ତ୍ରୀ ୫-ଟି ଉପକ୍ରମରେ ମା’ମାନଙ୍କ ପାଇଁ ୧୦ ଲକ୍ଷ, ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ବିଏସକେୱାଇ କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି। ୮୧୬ ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ମାସକୁ ୧.୩ ଲକ୍ଷ ହିତାଧିକାରୀ ପାଉଥିବା ବେଳେ
ରାଜ୍ୟ ସରକାର ନିଜ ପାଣ୍ଠିରୁ ମାସକୁ ଖର୍ଚ୍ଚ କରୁଛନ୍ତି ୨୭୦ କୋଟି ଟଙ୍କା।

ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ ବିଏସକେଓୟୀ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ପୂର୍ବାହ୍ନରେ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ଚିଲିକା ନିର୍ବାଚନ ମଣ୍ଡଳୀର ହିତାଧିକାରୀମାନଙ୍କୁ ବାଣପୁର ଓ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ କାର୍ଡ ବଣ୍ଟନ କରାଯାଇଥିଲା।

ତେବେ ଚିଲିକା ବ୍ଲକ ଅନ୍ତର୍ଗତ ୧୭ ଟି ପଞ୍ଚୟତ ରେ ୨୪୯୫ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୨୧୧୮ ହିତାଧିକାରୀଙ୍କୁ ବିଏସକେଓୟୀ କାର୍ଡ ବଣ୍ଟନ କରାଯାଇଥିବା ଯୋଗାଣ ଅଧିକାରୀ ଅରୁଣ ଲେଙ୍କା ସୂଚନା ଦେଇଛନ୍ତି। ବୁଧଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ ପହିଲା ଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ।

ସେହିପରି ବାଣପୁର ବ୍ଲକରେ ସମୁଦାୟ ବିଏସକେୱାଇ ଯୋଜନାରେ ୫୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ ୩୦୦୦ ଜଣ ହିତାଧିକାରୀ ମାନଙ୍କର କାର୍ଡ ବଣ୍ଟନ ନିମନ୍ତେ ସରକାର ପ୍ରେରଣ କରିଥିବା ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱାଳ କହିଛନ୍ତି। ତେବେ ଅବଶିଷ୍ଟ ହିତାଧିକାରୀ ମାନଙ୍କର କାର୍ଡ ଖୁବ ଶୀଘ୍ର ବଣ୍ଟନ କରାଯିବ ବୋଲି ବିଡ଼ିଓ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ପ୍ରତିଶତ ଚିକିତ୍ସା ସୁବିଧା ପାଉଛନ୍ତି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି।ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ଉକ୍ତ ଯୋଜନା ଦ୍ୱାରା ଅଧିକରୁ ଅଧିକ ପରିବାର ଉପକୃତ ହୋଇପାରିବେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଜୋଶନା ବେହେରା,ବିଡ଼ିଓ ଜଗଦୀଶ ଷଡଙ୍ଗୀ,ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ ଲେଙ୍କାଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ନାୟବ ସରପଞ୍ଚ,ଯୋଗାଣ ସହାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତେଜିଲା ବାଣପୁର ସବଡିଭିଜନ ଦାବୀ, ଚାଲିଚାଲି ବାଣପୁରରୁ ଭୁବନେଶ୍ବର ଆସିଲେ ଶେଷଦେବ

ଭୁବନେଶ୍ଵର ( ସନ୍ତୋଷ ବଳିୟାରସିଂହ): ଦୀର୍ଘ ଦିନ ଧରି ଜାରି ରହିଥିବା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଉପରେ ଆଜି ଏକ ବଡ ଖବର ଆସିଛି। ବାଣପୁରର ଯୁବ ସମାଜସେବୀ ଶେଷଦେବ ବରାଳଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଆଜି ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ସମୟରେ ଶ୍ରୀ ସାହୁ ବାଣପୁର ଉପରେ ଅନେକ ସ୍ମୃତି ବାଣ୍ଟିଛନ୍ତି। ସେ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ଉପଜିଲ୍ଲାପାଳ ଥିବାବେଳେ ବାଣପୁର ଅଂଚଳର ଇତିହାସ ସମ୍ବନ୍ଧରେ ଅବଗତ ଥିଲେ। ତେବେ ଦାବି ପତ୍ର ପ୍ରଦାନ ବେଳେ ଶେଷଦେବଙ୍କ ସହ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ସଂଗ୍ରାମ କରୁଥିବା ସମାଜସେବୀ ବ୍ରଜ କିଶୋର ଜେନା ଏବଂ ନିରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଅଭିନବ ଉପାୟରେ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ‘ବାଣପୁର ୟୁଥ ଭଏସ’ ସଂଗଠନର ସହଯୋଗରେ ଶେଷଦେବ ବରାଳ ଗତ ୨୮ ତାରିଖରୁ ମା’ ଭଗବତୀ ମନ୍ଦିରରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। ଉକ୍ତ ପଦଯାତ୍ରା ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

ସେଠାରେ ଶେଷଦେବ ଶତାଧିକ ଯୁବକମାନଙ୍କ ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଆଜି ସେମାନେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ୱ ଉପଖଣ୍ଡ ଦାବି: ଆରମ୍ଭ ହେଲା ଯୁବ ସମାଜସେବୀଙ୍କ ସଚିବାଳୟ ଅଭିମୁଖେ ପଦଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ପ୍ରସ୍ତୁତ ହୋଇଛନ୍ତି। ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ଆଜି ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।

ଆଜି ପୂର୍ବାହ୍ନରେ ସେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରିଥିଲେ। ଏହାପରେ ପୋଲିସ ଥାନା ନିକଟସ୍ଥ ଗୋଦାବରୀଶ ମିଶ୍ର ଏବଂ ମେଡିକାଲ ନିକଟସ୍ଥ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାଣପୁର ତହସିଲରେ ପହଞ୍ଚିଥିଲେ।  ସେଠାରେ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିବେ। ନାଚୁଣୀରୁ ଚିଲିକା ତହସିଲ ଯାଇ ଚିଲିକା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ତାଙ୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବ।

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ। ତେବେ ଉକ୍ତ ପଦଯାତ୍ରାକୁ ଶତାଧିକ ବାଣପୁରବାସି ସମର୍ଥନ ଜଣାଇବା ସହ ଶେଷଦେବଙ୍କ ସହ ସମସ୍ତେ ସ୍ୱଳ୍ପ ବାଟ ଚାଲିଥିବାର ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ଜାଣନ୍ତୁ ଚିଲିକାରେ ପ୍ରଥମ ଦିନରେ କେତେ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା

ଚିଲିକା (ସୀତାରାମ ଅଗ୍ରୱାଲ): ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସାରା ରାଜ୍ୟରେ ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଛି। ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଜାରି ରହିବ।

ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ ହୋଇ ୧୧. ୩୦ ଘଟିକାରେ ଶେଷ ହୋଇଛି।

ବାଣପୁର ଗୋଦାବରୀଶ ବିଦ୍ୟାପୀଠ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ବାଣପୁର ବ୍ଲକର ୮ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୮ ଟି ସ୍କୁଲର ୨୦୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୨୦୬୪ ଜଣ ପରୀକ୍ଷା ଦେଇଛନ୍ତି ଓ ୨୩ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ଶିକ୍ଷା ଅଧିକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ସେହିପରି ଭାବେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ହୋଇଥିବା ବେଳେ ଏହା ଅଧୀନରେ ଚିଲିକା ବ୍ଲକର ୯ ଟି ସ୍କୁଲ ପରିଚାଳିତ ହେଉଅଛି। ସମୁଦାୟ ୯ ଟି ସ୍କୁଲର ୧୫୬୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ସେଥି ମଧ୍ୟରୁ ୧୫୫୯ ଜଣ ପରୀକ୍ଷା ଦେଇଛନ୍ତି ଓ ୬ ଜଣ ପରୀକ୍ଷା ଦେଇନାହାନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି।

ପ୍ରଶ୍ନପତ୍ର ପ୍ରଘଟ ପାଇଁ ବୋର୍ଡ଼ ନିଷ୍ପତି ଅନୁସାରେ ସମସ୍ତ ପ୍ରକାର ବନ୍ଦୋବ୍ୟସ୍ତ କରାଯାଇଥିବା ଶ୍ରୀଯୁକ୍ତ ଜାଲି ଓ ଶ୍ରୀଯୁକ୍ତ ଦାସ ପ୍ରକାଶ କରି କହିଛନ୍ତି ଯେ, ନୋଡାଲ ସ୍କୁଲ ଗୋଦାବରୀଶ ବିଦ୍ୟାପୀଠ ଓ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ ପୋଲିସ ଉପସ୍ଥିତିରେ ପ୍ରଶ୍ନପତ୍ର ଓ ଖାତାଗୁଡିକ ପରୀକ୍ଷା ପୂର୍ବରୁ ପହଂଚିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି। ତତ ସହିତ ପରୀକ୍ଷା ହଲକୁ ମୋବାଇଲ ଯିବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯଇଅଛି। ନକଲ ରୋକିବା ପାଇଁ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି: ୧୮୭ ଗୋଟି ଅଭିଯୋଗ ଗ୍ରହଣ କଲେ ଜିଲ୍ଲାପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୧୮୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୧୮୭ ଗୋଟି ଅଭିଯୋଗ ମଧ୍ୟରୁ ୧୭୮ ଟି ବ୍ୟକ୍ତିଗତ ଏବଂ ୬ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା, ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା ଗସ୍ତରେ ସାଂସଦ ମାନସ ମଙ୍ଗରାଜ: ଏକାଧିକ ଉନ୍ନୟନ ପ୍ରକଳ୍ପର କଲେ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଏକାଧିକ ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାଲୁଗାଁ ଏନଏସି ଅନ୍ତର୍ଗତ ଐତିହାସିକ ମାମୁଁ ଭଣଜା ପାହାଡ ନିକଟ ହିଲ ସାଇଡ ପାର୍କ, ସ୍ବଚ୍ଛ ଭାରତ ଯୋଜନା ଅନ୍ତର୍ଗତ ଚିଲିକା କୂଳ ନିକଟରେ ଶୌଚାଳୟ, ମୁକ୍ତା ଯୋଜନାରେ ଚିଲିକା କୂଳ ୱାକିଙ୍ଗ ଟ୍ରାକ, କୁଲାକୁଣ୍ଡେଇ ନୂଆଗାଁ ମିଶନ ଶକ୍ତି ଭବନ ଆଦିକୁ ଉଦଘାଟନ କରିଥିଲେ ସାଂସଦ।

ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ ପାଇକରାୟ ଆଦି ଯୋଗଦେଇଥିଲେ। ସୂଚନା ଥାଉକି ବାଲୁଗାଁ ଏନଏସି ଗଠନ ହେବା ଦିନଠାରୁ ଏଠାରେ ଆମୋଦପ୍ରମୋଦ ପାଇଁ ଏକ ପାର୍କ ନିର୍ମାଣ ହୋଇପାରୁନଥିଲା। ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି।

ବାଲୁଗାଁ ଏନଏସି କାର୍ଯ୍ୟକ୍ରମ ପରେ ସାଂସଦ ଶ୍ରୀ ମଙ୍ଗରାଜ ବାଣପୁର ଏନଏସି ଓ ବ୍ଲକ ଗସ୍ତକରି ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏନଏସି ରେ ପଲଟନ ପଡିଆ ନିକଟସ୍ଥ ଭେଣ୍ଡିଙ୍ଗ ଜୋନ, ଇଦଗା ମୈଦାନ, ୱାର୍କିଙ୍ଗ ଟ୍ରାକ, ବଡ ହନ୍ତୁଆଡ଼ ଇଦ ପଡିଆ ଏବଂ ବ୍ଲକ ସ୍ଥିତ ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିବା ବେଳେ ସାଇ କମ୍ୟୁନିଟି ସେଣ୍ଟର, ଅତ୍ୟାଧୁନିକ ଶବ ଦାହ ଗୃହ ଏବଂ ସ୍ମାର୍ଟ ପାର୍କ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ପୁଣି ସମାନ ସ୍ଥାନ ସମାନ ଢଙ୍ଗରେ ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଚୋରି

ବାଣପୁର (ସୀତାରାମ ଅଗ୍ରୱାଲ): ପୁଣି ସମାନ ସ୍ଥାନରେ ସମାନ ଢଙ୍ଗର ଚୋରି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ଫେରାର ହେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରାଙ୍ଗ ଛକ ନିକଟରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ପୁଣି ଉକ୍ତ ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଛି।

ସୂଚନା ମୁତାବକ କୁମାରାଙ୍ଗ ଛକ ନିକଟରେ ନିରପ୍ରସାଦ ପଟ୍ଟନାୟକଙ୍କ ଘରେ ଭଡ଼ାସୂତ୍ରରେ ରହୁଥିବା ବାଲୁଗାଁ ମେଡିକାଲ ହିସାବ ଅଧିକାରୀ ସନ୍ତୋଷ ରାମ ଗତକାଲି ରାତିରେ ପତ୍ନୀଙ୍କ ସହ କୌଣସି କାଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ରାତି ୨ ଘଟିକାରେ ଘରକୁ ଫେରିଥିଲେ। ତେବେ ଘରକୁ ଆସି ଦେଖିଲା ବେଳକୁ ଦୁଇ ଗୋଟି କବାଟର ତାଲା ଭଂଗାଯାଇଛି। ଏବଂ କଟର ମାଧ୍ୟମରେ କବାଟ ଶିଙ୍କୁଳିକୁ କଟାଯାଇଛି। ଭିତରେ ପ୍ରବେଶ କରିବା ମାତ୍ରେ ବେଡ଼ରୁମ ଆଲମିରା ଖୋଲା ଅଛି ଏବଂ ସେଥିରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହାସହିତ ନଗଦ ଟଙ୍କା ମଧ୍ୟ ଚୋରି ହୋଇଛି। ତେବେ ସମୁଦାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୪୦ ହଜାର ଟଙ୍କା ନଗଦ ଏବଂ ଏକ ଷ୍ଟିଲ ବାକ୍ସ ମଧ୍ୟରେ ଥିବା ଆନୁମାନିକ ୧୫ ହଜାର ଟଙ୍କା ଚୋରି ହୋଇଥିବାର ସନ୍ତୋଷ କହିଛନ୍ତି। ସେହିପରି ଭାବେ ଦୁର୍ବୁତ୍ତ ମାନେ ଏକ ଏଲଇଡ଼ି ଟିଭି ମଧ୍ୟ ଚୋରି କରିନେଇଛନ୍ତି।

ଏ ନେଇ ସନ୍ତୋଷ ବାଣପୁର ଥାନାରେ ଏତଲା ଦେଲାପରେ ପୋଲିସ କେସ ନମ୍ବର ୮୯/୨୪ ରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି। ତେବେ ଏହାକୁ ଗୁରୁତର ସହ ନେଇଛି ପୋଲିସ ଏବଂ ବିଭିନ୍ନ ଟିମ ଗଠନ କରାଯାଇ କ୍ଷିପ୍ରଗତିରେ ତଦନ୍ତ ଜାରିରହିଥିବାର ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ସୂଚନା ଥାଉକି ପୁର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଚୋରି ହୋଇଛି।

Categories
ଆଞ୍ଚଳିକ

ଚିଲିକା: ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ବିରୋଧ, ବ୍ୟାଗ ଜାଳି ନାରାବାଜି କଲା ବିଜେପି

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ବଣ୍ଟନ କରିବାକୁ ଥିବା ବ୍ୟାଗକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଏନଏସି ଅନ୍ତର୍ଗତ ବିଦ୍ୟାଧରପୁର ଏବଂ ବାଣପୁର ବ୍ଲକ ଆୟତ୍ତପୁର ପଞ୍ଚାୟତସ୍ଥିତ ସ୍ଥିତ ଖାଉଟି ରାସନ ଦୋକାନ ସମ୍ମୁଖରେ ବିଜେପି ପକ୍ଷରୁ ବିରୋଧ କରିବା ସହ ବ୍ୟାଗ ଜାଳି ନାରାବାଜି କରିଥିବା ଦେଖିବାକୁ ମିଳିଛି।

ଖବର ମୁତାବକ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ଭ୍ରମିତ କରି ବିଜେଡି ସରକାର କେବଳ ବ୍ୟାଗ ଧରେଇ ଯୋଜନାର ଶ୍ରେୟ ନେଵା ଏବଂ ଅପଚେଷ୍ଟା କରି ଆମ ଓଡିଶା ନବୀନ ଓଡିଶା ଲେଖାଥିବା ସହିତ ୫ଟି ଓ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗକୁ ବଣ୍ଟନ କରି ରାଜନୈତିକ ପ୍ରଚାର କରୁଥିବା ରାଜ୍ୟ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।ଏଥିସହିତ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାରା ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ି ଥିବାବେଳେ ରାଜ୍ୟ ସରକାର ମାତ୍ର ୮୯ ଲକ୍ଷ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ କେନ୍ଦ୍ର ଯୋଜନାକୁ ଭ୍ରମିତ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ନ୍ୟସ୍ତ ସ୍ୱାର୍ଥ ପାଇଁ ଏଭଳି ବିଭ୍ରାନ୍ତିକରକୁ ବରଦାସ୍ତ କରାଯିବ ନାହିଁ।ଯଦି ଆଗକୁ କୌଣସି ଡ଼ିଲର ପଏଣ୍ଟ ପକ୍ଷରୁ ଏଭଳି ବ୍ୟାଗ ବାଣ୍ଟିବା ପାଇଁ ଅପଚେଷ୍ଟା କରାଯାଏ ତେବେ ସମ୍ପୃକ୍ତ ଡ଼ିଲର ପଏଣ୍ଟକୁ ତାଲା ପକାଇ ଦେବାକୁ ବିଜେପି ଚେତାବନୀ ଦେଇଛି।

ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠି ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପଲାଇ,ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ମହିଳା ସଭାନେତ୍ରୀ ସ୍ୱପ୍ନା ବଡ଼ଜେନା, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଆୟତ୍ତପୁର ପଞ୍ଚାୟତ ସରପଞ୍ଚ ନର୍ମଦା ପ୍ରଧାନ, ଦେଓଗାଁ ସରପଞ୍ଚ, ବରିଷ୍ଠ ସଂଗଠକ ଜିତେନ୍ଦ୍ର ଭୋଳଙ୍କ ସମେତ ବହୁ ବରିଷ୍ଠ ଵିଜେପି ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Categories
ଆଞ୍ଚଳିକ

ପେନସନ ଭୋଗିଙ୍କ ୧୮ମାସର ବକେୟା ପ୍ରାପ୍ୟ ମିଳିବାକୁ ଦାବୀ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟସରକାର କୋଭିଡ ୧୯ ସମୟରେ ହୋଇଥିବା ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ୧୮ମାସର ବର୍ଦ୍ଧିତ ପେନସନ ପ୍ରାପ୍ୟକୁ ପ୍ରଦାନ କରିନଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀ ମାନଙ୍କ ପାଇଁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ କର୍ମଚାରୀ ଓ ପେନସନ ଭୋଗୀ ମାନଙ୍କୁ ସେହି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଦାବୀ ହେଉଛି।

ଖବର ମୁତାବକ ବହୁ ପେନସନ ଭୋଗୀ ସେହି ପେନସନ ଅର୍ଥରେ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦରବୃଦ୍ଧି ଘଟୁଥିବା ବେଳେ ପେନସନ ଭୋଗୀ ମାନେ ବହୁ ଦୁରବସ୍ଥା ଦେଇ ଗତି କରୁଛନ୍ତି।  ରାଜ୍ୟସରକାର ବିଭିନ୍ନ ବର୍ଗର ନାଗରିକ, ଛାତ୍ରଛାତ୍ରୀ, ମହିଳା ସ୍ୱୟସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ମାନଙ୍କ ପାଇଁ ଜନ ମଙ୍ଗଳ କାର୍ଯ୍ୟରେ ପର୍ଯ୍ୟାପ୍ତ ପରିମାଣର ରାଜସ୍ବ ବ୍ୟୟ କରୁଥିବା ବେଳେ ପେନସନ ଭୋଗୀଙ୍କ ପାଇଁ ୧୮ମାସର ବକେୟା ପ୍ରାପ୍ୟ ନଦେବା ଦୁଃଖ ଓ ପରିତାପର ବିଷୟ ବୋଲି ବାଣପୁର ବାଲୁଗାଁର ପେନସନ ଭୋଗୀ କର୍ମଚାରୀ ମାନଙ୍କ କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ବେଦମତା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବକେୟା ଥିବା ପେନସନକୁ ତୁରନ୍ତ ପ୍ରଦାନ କରିବାକୁ ପେନସନ ଭୋଗୀମାନେ ସରକାରଙ୍କ ନିକଟରେ ଦୃଢ ଦାବୀ କରି ନିବେଦନ କରିବା ସହ ଏହା କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ପେନସନ ଭୋଗୀ ମାନେ ରାଜରାସ୍ତାକୁ ଓଲ୍ହାଇବାକୁ ସଭାପତି ବେଦମତ୍ତାଙ୍କ ସହ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

Categories
ଆଞ୍ଚଳିକ

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ସାହିତ୍ୟ ଓ ଭାଷା ସମ୍ମିଳନୀ

ବାଣପୁର: ଶନିବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗତକାଲି ବାଣପୁର ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ବିଶ୍ୱ ଓଡ଼ିଆ ସାହିତ୍ୟ ଓ ଭାଷା ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଦ୍ୟାଳୟରେ ୪ର୍ଥ ରୁ ଷଷ୍ଠ ଏବଂ ୭ମ ରୁ ଅଷ୍ଟମ ଶ୍ରେଣୀର ଉଭୟ ବର୍ଗ ମଧ୍ୟରେ କୁଇଜ, ବକ୍ତୃତା, ରଚନା ଲିଖନ, ଚିତ୍ରାଙ୍କନ ଗଳ୍ପ କଥନ, ସୃଜନାତ୍ମକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ଭିତରେ କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଓ ଭାଷା ସମ୍ମିଳନୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲିଙ୍କ ତତ୍ୱାବଧାନରେ ହୋଇଥିଲା।

ବିଦ୍ୟାଳୟ ସ୍ତରରୁ ଆସିଥିବା କୃତୀ ଛାତ୍ରଛାତ୍ରୀ ମାନେ ସେଠାରେ ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନୀରେ ଯୋଗ ଦେଇ ସେମାନଙ୍କର ପାରଦର୍ଶିତା ପରିପ୍ରକାଶ କରିଥିଲେ। ତନ୍ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତାକାଲି ଜିଲ୍ଲାସ୍ତରରେ ହେବାକୁଥିବା ପ୍ରତିଯୋଗିତା ପାଇଁ ଚୂଡାନ୍ତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକୁ ସମସ୍ତ ସିଆରସିସି, ଆରପି ଭିନକ୍ଷମ ସହଯୋଗ କରିଥିଲେ। ଅପରାହ୍ନରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଶ୍ରୀଯୁକ୍ତ ଜାଲି ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଏକମାତ୍ର ସିଆରସିସି କୈଳାସ ଚନ୍ଦ୍ର ହୋତାଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ଉତ୍ତରୀୟ ଓ ଟ୍ରଫି ଦେଇ ସମ୍ବର୍ଦ୍ଧନା କରିଥିଲେ। ସିଆରସିସି କୈଳାସ ହୋତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ୧୦ଟି ବିଦ୍ୟାଳୟରୁ ଆସିଥିବା ୧୦ଟି ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ କରି ବିଜୟୀ ଦଳ ପୁରସ୍କୃତ ହୋଇଥିଲେ।

Categories
ଆଞ୍ଚଳିକ

ବାଣପୁରରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତୀଘରେ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ପହଂଚାଇବା ଲକ୍ଷରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ଅଧିନସ୍ଥ ନନ୍ଦପୁର ଓ ବିଷ୍ଣୁଡ଼ିହ ଗ୍ରାମପଂଚାୟତରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ନନ୍ଦପୁର ଗ୍ରାମ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବରିଷ୍ଠ ନେତା ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ନେତ୍ରୀ ବେବିନା ତ୍ରିପାଠୀ, ସରୋଜିନୀ ପାଳଙ୍କ ସହ ବହୁ ବିଜେଡି କର୍ମୀ ଓ ଶତାଧିକ ମହିଳା ଯୋଗ ଦେଇଥିଲେ।

ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକାଭିମୁଖୀ କରିବା ସହ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଶ୍ରୀଯୁକ୍ତ ମହାରଣା ପ୍ରକାଶ କରିଛନ୍ତି। ତେବେ ବିଜେଡି କର୍ମୀମାନେ ଆଗାମୀ ଦିନରେ ଅମ ଗାଁ ଆମ ବିକାଶ, ବିଜୁ ସ୍ୱାସ୍ଥ୍ୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ପ୍ରଭୃତି ଯୋଜନରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନେ କିପରି ଲାଭବାନ ହେଉଛନ୍ତି ଏବଂ ବାଦ ପଡ଼ିଥିବା ହିତାଧିକାରୀ ମାନେ କିପରି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ତାହାକୁ ଅବଗତ କରିବା ସହିତ ଘରକୁ ଘର ବୁଲି ଶଙ୍ଖ ଚି଼ହ୍ନ ପ୍ରତି କିପରି ଲୋକମାନେ ଆକୃଷ୍ଟ ହେବେ ତାହାକୁ ପ୍ରଚାର କରିଥିଲେ।

ଅନୁରୂପ ଭାବେ ବାଣପୁର ଏନଏସି ରେ ମଧ୍ୟ ଆଜି ସମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକ କାର୍ଯ୍ୟାଳୟରେ ପଡିଲା ତାଲା: ଅଧ୍ୟକ୍ଷଙ୍କ ନେତୃତ୍ଵରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ବିକ୍ଷୋଭ ଜାରି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ତାଲା ପଡିଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ନେତୃତ୍ୱରେ ବ୍ଲକ ଅଫିସରେ ତାଲା ପକାଇଲେ ଏକାଧିକ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ। ବିଡିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଛନ୍ତି ଅଧ୍ୟକ୍ଷ। ଏପରିକି ବିଡ଼ିଓ ଜିଲ୍ଲା ପ୍ରଶାସନର ଛତ୍ରଛାୟା ତଳେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ।

ତେବେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଅଧ୍ୟକ୍ଷଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି। ଉକ୍ତ ସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ରଣସିଂହ।

ଅପରପକ୍ଷେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଣପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି। ତେବେ ଏ ନେଇ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କୁ ପଚାରିବାରୁ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉଛନ୍ତି ଏବଂ କ୍ଷେତ୍ର ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଛୁଟି ନେଲେ ବିଭାଗୀୟ ଅଧିକାରୀଙ୍କ ଅନୁମତି ନେଉଥିବାର କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା. ବାଦଲ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ବିଶ୍ଵ ନାଟ୍ୟମେଳାରେ ‘କଳା ଗୌରବ’ ସମ୍ମାନ

ଭୁବନେଶ୍ଵର: ବରିଷ୍ଠ ଶିକ୍ଷୟତ୍ରୀ ତଥା ନାଟ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳାରେ ‘କଳା ଗୌରବ’ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସେ କାର୍ଯ୍ୟରତ।

ରଞ୍ଜୁବାଳା ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା। ତାଙ୍କ ମାନସ କନ୍ୟା ‘କଳିଙ୍ଗ କନ୍ୟା କଳା ପରିଷଦ’ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି।

ସ୍ଵାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁଙ୍କର ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡିଆ ମଞ୍ଚ ନାଟକ ପାଇଁ କାମ କରିଆସୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ପଦ୍ମମୁକୁନ୍ଦ ବିଦ୍ୟାନିକେତନରେ କାର୍ଯ୍ୟରତ ରଞ୍ଜୁବାଳାଙ୍କୁ ‘କଳା ଗୌରବ’ ସମ୍ମାନ କଟକ କଳା ବିକାଶ କେନ୍ଦ୍ରରେ ବିଶ୍ଵ ନାଟ୍ୟମେଳା-୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଆଦିବାସୀ ଉପାନ୍ତ ଅଞ୍ଚଳ ଦାମିଆ ବରବରାର ମହୁଲିଆରେ ବ୍ଲକ ପ୍ରଶାସନ

ବାଣପୁର( ସୀତାରାମ ଅଗ୍ରୱାଲ): ଦାମିଆ ବରବରା ଗ୍ରାମ ପଞ୍ଚାୟତ ଆଦିବାସୀ ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ଉକ୍ତ ପଞ୍ଚାୟତର ମହୁଲିଆ ଓ ସିବିଡା ଗ୍ରାମ ବ୍ଲକ ଠାରୁ ୩୦କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ ଭାବେ ଅବସ୍ଥିତ।

ଉକ୍ତ ପଞ୍ଚାୟତରେ ନାନାବିଧ ଅସୁବିଧା ଥିବାବେଳେ ବାଣପୁର ଗସ୍ତ କରିଥିବା ୫ଟି ଅଧକ୍ଷଙ୍କୁ ଗ୍ରାମବାସୀ ରାସ୍ତାର ଉନ୍ନତି କରିବାକୁ ଅଭିଯୋଗ କରିଥିଲେ। ଏବଂ ଉପରୋକ୍ତ ଦୁଇଟି ଗ୍ରାମ ପଡୋଶୀ ନୟାଗଡ ଜିଲ୍ଲାର ନିକଟବର୍ତ୍ତୀ ଥିବାବେଳେ ନୟାଗଡ ପଟୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ପ୍ରଶାସନ ଉକ୍ତ ଗ୍ରାମରେ ପହଂଚି ଲୋକଙ୍କର ସୁବିଧା ଅସୁବିଧା ବୁଝିଛି l ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟସା ଦାସ, ସହକାରୀ ଯନ୍ତ୍ରୀ ସୁରେଶ ମଲ୍ଲିକ, ସରପଞ୍ଚ ବୀଣାପାଣି ଷଣ୍ଢ, ରାଜସ୍ବ ଅଧିକାରୀ, ଓ ଜଙ୍ଗଲ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସୋରେନ ମହୁଲିଆ ଓ ସିବିଡା ଗ୍ରାମରେ ପହଞ୍ଚି ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିଥିଲେ l ଉକ୍ତ ଗ୍ରାମବାସୀ ମାନଙ୍କୁ ବକେୟା ଥିବା ତିନିମାସର ଚାଉଳ ହିତାଧିକାରୀ ମାନଙ୍କୁ ବଣ୍ଟନ କରିବା ସହ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା।

ଗମନା ଗମନ ପାଇଁ ବିଭାଗୀୟ ଅଧିକାରୀ ମାନେ ନୟାଗଡକୁ ଗ୍ରାମର ସଂଯୋଗ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ମାପଚୁପ କରି ଜାଗା ଚି଼ହ୍ନଟ କରିଥିଲେ। ପୁରୁଣା ରାସ୍ତାର ମଧ୍ୟ ଉନ୍ନତି କରଣ କରାଯିବା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି। ପଞ୍ଚାୟତର ପାନୀୟ ଜଳ ସମସ୍ୟା, ରାସ୍ତା ପ୍ରଭୃତି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ପ୍ରଶାସନ ତନଖି କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ଵର: ଏକ ନୂତନ ଓ ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ନେଇ ବିକଶିତ ଭାରତ ସଂକଳ୍ପ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। ଆଜି ମେଘାଳୟର ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେମାନେ ଗ୍ରାମୀଣ ହିତାଧିକାରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ସହିତ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ବାର୍ତ୍ତା ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ। ଏହି ଅବସରରେ ବିଭିନ୍ନ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବର୍ଣ୍ଣନା କରିଥିଲେ।

ମେଘାଳୟର ଏହି ଗଣମାଧ୍ୟମ ପ୍ରତିନିଧିମାନେ ଏବେ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ସେମାନେ ଶତାଧିକ ଗ୍ରାମବାସୀଙ୍କ ସହ ମିଶି ‘ବିକଶିତ ଭାରତ ସଂକଳ୍ପ’ ଶପଥ ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଓ ଉପଲବ୍ଧି ସମ୍ପର୍କିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବିଷୟବସ୍ତୁ ଦେଖିଥିଲେ।

ଏହାପରେ ପ୍ରତିନିଧିମାନେ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା  ପରିଦର୍ଶନ କରି ଏହାର ଅନନ୍ୟ ପରିବେଶ ଓ ସମୃଦ୍ଧ ଜୈବ ବିବିଧତା ବିଷୟରେ ଜାଣିବାକୁ ପାଇଥିଲେ। ଓଡ଼ିଶାର ଗୌରବମୟ ଅତୀତ ଓ ସାଂସ୍କୃତିକ ଐତିହ୍ୟକୁ ଦେଖିବା ପାଇଁ ପ୍ରତିନିଧିମାନେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିଥିଲେ, ଯାହାର ଇତିହାସ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ରକ୍ଷଣାବେକ୍ଷଣ କରାଯାଉଥିବା ଏହି ଦୁଇଟି ପାହାଡ଼ ଜୈନ ପ୍ରସ୍ତର ସ୍ଥାପତ୍ୟର ପ୍ରାରମ୍ଭିକ କିର୍ତ୍ତିରାଜି ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ପ୍ରାଚୀନ ପଥର  ଗୁମ୍ଫା ମୁଖ୍ୟତଃ ପ୍ରାଚୀନ କାଳରେ ଜୈନ ସନ୍ନ୍ୟାସୀଙ୍କ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହୃତ ହେଉଥିଲା।

କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।