Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ନିୟୁଜର ପ୍ରଭାବ: ଚବିଶ ଘଣ୍ଟା ଭିତରେ ବାଣପୁରରେ ମରାମତି ହେଲା ପାଣି ପାଇପ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ସମୀକ୍ଷା ନିୟୁଜ ରେ ବାଣପୁର ଥାନା ସମ୍ମୁଖରେ ହଜାର ହଜାର ଲିଟର ପିଇବା ପାଣି ଅପଚୟ ହେଉଥିବାର ଖବର ପ୍ରସାରଣ କରାଯାଇଥିଲା। ହେଲେ ଉକ୍ତ ଘଟଣାର ଚବିଶ ଘଣ୍ଟା ନପୂରୁଣୁ ସମସ୍ୟାର ସମାଧାନ ହୋଇଅଛି। ଆଜି ସକାଳ ପାଖାପାଖି ୬ ଘଟିକାରେ ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ଚାରିରୁ ପାଞ୍ଚ ଜଣ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ଫାଟି ଯାଇଥିବା ପାଇପକୁ ମରାମତି କରିଛନ୍ତି। ତତ୍‌ ସହିତ ଏନ.ଏ.ସି ର ୧୦ ନମ୍ବର ୱାର୍ଡରେ ମଧ୍ୟ ପୂର୍ବରୁ ଫାଟିଯାଇଥିବା ପାଇପର ତୁରନ୍ତ ମରାମତି କରାଯାଇଅଛି। ଏହି ସମୟରେ ଜଳ ଯୋଗାଣ ବନ୍ଦରହିଥିଲା।

ସୂଚନା ଥାଉ କି ଗତକାଲି ସମୀକ୍ଷା ନିୟୁଜର ଖବର ସହ ଚିଲିକା ପ୍ରତିନିଧିଙ୍କ ଟ୍ୱିଟ ଯୋଡ଼ା ଯାଇଥିଲା ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳ ଏବଂ ସମ୍ପୃକ୍ତ  ବିଭାଗକୁ ଏ ନେଇ ଟ୍ୱିଟ କରିଥିଲେ। ଏହାପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଅଭିଯୋଗକୁ ଗୁରୁତର ସହ ନିଆଯାଇ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ଏବଂ ବାଲୁଗାଁ ଏନ.ଏ.ସି  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଉକ୍ତ ଘଟଣାର ଅନୁସନ୍ଧାନ ସହ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ପ୍ରତ୍ୟେକ ଦିନ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି: ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାମ୍ନାରେ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି। ଥାନା ସାମ୍ନାରେ ଥିବା ରୋଡର ଭୂତଳରେ ବିଛାଯାଇଥିବା ଏକ ସପ୍ଲାଇ ପାଣି ପାଇପ ଫାଟିଯାଇଥିବାରୁ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପିଇବା ପାଣି ନଷ୍ଟ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଏନ.ଏ.ସି ଅଞ୍ଚଳରେ ଦିନକୁ ଦୁଇ ଥର ଲେଖାଏଁ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ପିଇବା ପାଣି ସପ୍ଲାଏ ହୋଇଥାଏ। ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ପାଖରେ ରହିଛି ଏହାର ରକ୍ଷଣାବେକ୍ଷଣ ଦାୟିତ୍ତ୍ଵ।

କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ମାସ ମାସ ଧରି ପ୍ରତ୍ୟେକ ଦିନ ଏହିପରି ଭାବେ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହେଉଥିବା ସ୍ଥଳେ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଯଦି ଜଣେ ସାଧାରଣ ନାଗରିକ ସରକାରୀ ପାଣିର ଅପଚୟ କଲେ ତାଙ୍କ ନାମରେ ଏନ.ଏ.ସି ତରଫରୁ ପାଞ୍ଚ ଆଇନ କେସ ଦିଆଯାଉଛି। ତେବେ ଏଠି ଖୋଦ ସରକାରୀ ଯନ୍ତ୍ରୀଙ୍କ ଅବହେଳା ଲାଗି ପ୍ରତିଦିନ ଯେଉଁ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହେଉଛି ତାଙ୍କ ନାମରେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ କେସ ଦେଇପାରିବେ ତ? ତାଙ୍କ ବିରୁଦ୍ଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ଏନ.ଏ.ସି କର୍ତ୍ତୃପକ୍ଷ?

ଜଳ ହିଁ ଜୀବନ ଏହି ଉକ୍ତି କେବଳ ଲେଖାରେ ସୀମିତ ହୋଇ ରହିଛି। ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଲୁଗାଁ ଏନ.ଏ.ସି ର ଜନସାଧାରଣମାନେ ହଜାର ହଜାର ଟଙ୍କା ଦେଇ ସରକାରଙ୍କ ଠୁ ପିଇବା ପାଣି କିଣିକି ପିଉଥିବା ବେଳେ ବାଣପୁର ଏନ.ଏ.ସି ରେ ଏ ଅବସ୍ଥା ଦେଖି ଲୋକେ କହିଲେଣି ସରକାର କା ମାଲ ଦରିଆ ମେ ଡାଲ। ଅନ୍ୟ ପକ୍ଷରେ ବାଣପୁର ଏନ.ଏ.ସି ରେ ଅର୍ଦ୍ଧାଧିକ ୱାର୍ଡ ରେ ମଇଳା ସପ୍ଲାଏ ପାଣି ଆସୁଥିବା ଅଭିଯୋଗ ହେଉଛି।

ତେବେ ସହକାରୀ ଯନ୍ତ୍ରୀ ମହୋଦୟ ବାଲୁଗାଁ କାର୍ଯ୍ୟାଳୟରେ ବସି କେବଳ କାଗଜ କଲମରେ ସବୁ ଠିକ ଠାକ ଚାଲିଥିବା ଦର୍ଶାଉଛନ୍ତି। କିନ୍ତୁ ଗ୍ରାଉଣ୍ଡ ରିପୋର୍ଟ ନେବା ପାଇଁ କେବେ ହେଲେ କ୍ଷେତ୍ର ପରିଦର୍ଶନ ପାଇଁ ଆସୁନାହାନ୍ତି। କଣ ସେଥିପାଇଁ ଏମିତି ସାଙ୍ଘାତିକ ଘଟଣାମାନ ତାଙ୍କ ନଜରକୁ ଆସୁନାହିଁ? ଯଥାଶୀଘ୍ର ପିଇବା ପାଣିର ଅପଚୟକୁ ରୋକାନଗଲେ ଏବଂ ମଇଳା ସପ୍ଲାଏ ପାଣି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କୁ ଉଠେଇନେବା ଧମକ ଦେଇ ଯୁବକ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଏକ ଅଭିଯୋଗ କ୍ରମେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସ ଠୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ଜନୈକ ମା ତାଙ୍କ ଝିଅଙ୍କୁ ସମ୍ପୃକ୍ତ ଗ୍ରାମର ଜଣେ ଯୁବକ ହଇରାଣ ହରକତ କରିବା ପ୍ରସଙ୍ଗକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଯୁବକ ଜଣକ ତାଙ୍କ ଝିଅଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ କରିବା ପାଇଁ ଜିଦି କରୁଥିଲେ। ଯଦି ଏହା ନ ହୁଏ ତାହାଲେ ସେ ଯୁବତୀଙ୍କୁ ଘରୁ ଉଠାଇ ନେଇଯିବାର ଧମକ ମଧ୍ୟ ଦେଇଥିବାର ଉକ୍ତ ଏତଲାରେ ଉଲ୍ଲେଖ କରିଛନ୍ତି ଯୁବତୀଙ୍କ ମା। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କେସ ନମ୍ବର ୨୭୯/୨୦ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ମହିଳା ଗ୍ରୁପ ପଇସାକୁ ନେଇ ଆକ୍ରମଣ: ଗିରଫ ହେଲେ ତିନି ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ 

ବାଣପୁର: ବାଣପୁର ବ୍ଲକ ପ୍ରତାପ ଗ୍ରାମରେ ମହିଳା ଗ୍ରୁପ ପଇସାକୁ ନେଇ ଆକ୍ରମଣ ଅଭିଯୋଗ। ପ୍ରତାପ ଗ୍ରାମର କୃଷ୍ଣ ନାୟକଙ୍କୁ ଆଜି ସକାଳେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ଏ ବାବଦକୁ ନେଇ କୃଷ୍ଣ ବାଣପୁର ଥାନାରେ ଏତଲା ଦେଇଥିଲେ।

ଦେଇଥିବା ଏତଲା ଏବଂ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିବା ୧୦ ଘଟିକାରେ ପ୍ରତାପ ଗ୍ରାମର କୃଷ୍ଣ ନାୟକ(୬୦) ଘରେ ଖାଇବସିଥିବାବେଳେ ଗ୍ରୁପ ପଇସାକୁ ନେଇ ତାଙ୍କ ଦୁଇ ପୁତ୍ରଙ୍କ ସହିତ ଗାଁ ର କିଛି ଲୋକମାନମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ଲୋକମାନେ ତାଙ୍କ ଦୁଇ ପୁତ୍ରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହା ଦେଖି କୃଷ୍ଣ ଘଟଣାସ୍ଥଳରେ ପହଂଚି ଏହାର ବିରୋଧ କରିବାରୁ ଗାଁ ର ଜଣେ ବ୍ୟକ୍ତି କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କୃଷ୍ଣ ତଳେ ପଡିଯାଇଥିବା ବେଳେ ଗ୍ରାମର ଆଉ ତିନି ଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ କୃଷ୍ଣଙ୍କ ଅଣ୍ଟା ଏବଂ ପିଠି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ପ୍ରତ୍ୟକ୍ଷଦର୍ଶୀ ଭାବେ କୃଷ୍ଣ ତିନି ଜଣ ବ୍ୟକ୍ତିଙ୍କ ନାମ ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି।

ବାଣପୁର ପୋଲିସ ଏହି ଘଟଣାକୁ ତଦନ୍ତ କରିବା ସହିତ କେସ ନମ୍ବର ୨୬୩/୨୦ ଏବଂ ଦଫା ୨୯୪, ୩୦୭, ୩୨୩, ୩୨୫, ୩୪୧, ୫୦୬,୩୪ ଆଧାରରେ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଭିଡ଼ିଓ

ଚିଲିକାରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିସ୍ତୃତ ବିବରଣୀ ରଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Categories
ଆଞ୍ଚଳିକ

ସମୀକ୍ଷା ନ୍ୟୁଜର ପ୍ରଭାବ, ପକ୍ଷାଘାତ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଲା ‘ଇୟୋରସ ହୋପ’ ଫାଉଣ୍ଡେସନ

ସୀତାରାମ ଅଗ୍ରୱାଲ

ଚିଲିକା: ସମୀକ୍ଷା ନ୍ୟୁଜରେ ଜଣେ ଅସହାୟଙ୍କ ସମ୍ପର୍କରେ ଖବର ପ୍ରକାଶ ପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢାଇଛି। ଏହି ସଂସ୍ଥାର ସହାୟତାରେ ପକ୍ଷାଘାତରେ ପୀଡିତ ରୋଗୀ ଜଣଙ୍କ ଏବେ କ୍ରମଶଃ ସୁସ୍ଥ ହେଉଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ପରବଳ ଗ୍ରାମର ବାସିନ୍ଦା ଶ୍ରୀ ସୁରେନ୍ଦ୍ର ନାଥ ବେହେରା ପକ୍ଷାଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ସମ୍ପର୍କରେ ଗତ ୬ ତାରିଖରେ ଏକ ଖବର ସମୀକ୍ଷା ନ୍ୟୁଜରେ ପ୍ରକାଶିତ ହୋଇଥିଲା। ଏହା ପରେ ବହୁ ଗଣମାଧ୍ୟମର ପ୍ରତିନିଧି ତାଙ୍କ ଘରେ ପହଞ୍ଚିଥିଲେ। ଏବଂ ସେଠାରେ ସୁରେନ୍ଦ୍ର ବିକଳ ହୋଇ କୋହଭରା କଣ୍ଠରେ ସରକାରୀ ସାହାଯ୍ୟ ତଥା କିଛି ବଦାନ୍ୟ ବ୍ୟକ୍ତିଙ୍କଠୁ ସାହାଯ୍ୟ ପାଇଁ ଗଣମାଧ୍ୟମର ପ୍ରତିନିଧିଙ୍କୁ ହାତଯୋଡ଼ି ନିବେଦନ କରିଥିଲେ। ଏହାକୁ ଦେଖି ଓଡ଼ିଶାର ଏକ ସ୍ଵେଚ୍ଛାସେବୀ ସଂଗଠନ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ରୀନରାଣୀ ନାୟକ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀ ସୀମାଞ୍ଚଳ ସ୍ୱାଇଁ, ଚିଲିକା ବ୍ଲକ ସମ୍ପାଦକ ଶ୍ରୀ ସଂଗ୍ରାମ ରଣା, ଶ୍ରୀ ବିଜୟ ମହାରଣା, ଶ୍ରୀ ମୁନା ବେହେରା ଏବଂ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକ ଟିମ୍ ଜୁଲାଇ ୮ ତାରିଖ ଦିନ ଶ୍ରୀ ବେହେରାଙ୍କୁ ଭେଟିଥିଲା।

ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା ପରେ ତାଙ୍କୁ ସେମାନେ କିଛି ଅନୁକମ୍ପା ମୂଳକ ସହାୟତା ଦେଇଥିଲେ। ଏହା ପରେ ଚିଲିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଶ୍ରୀମତୀ ସୁଷମା ବାରିକ ଙ୍କୁ ଶ୍ରୀ ବେହେରାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।

ପ୍ରକାଶ ଥାଉକି ଶ୍ରୀ ବେହେରା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ନିଜର ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଅସ୍ତ୍ରୋପଚାର ପରେ ସେ ପକ୍ଷାଘାତ ରୋଗର ଶିକାର ହୋଇଗଲେ। ଦୀର୍ଘଦିନ ଡାକ୍ତରଖନା ଦୌଡ଼ି ଏବଂ ଅସ୍ତ୍ରୋପଚାର ନିମିତ୍ତ ସେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହିତ ଘରବାଡ଼ି ଏବଂ ଆସବାବପତ୍ର ମଧ୍ୟ ବନ୍ଧକ ଦେଇସାରିଛନ୍ତି।

ବିଡ଼ିଓ ଶ୍ରୀମତୀ ବାରିକ ଦାବିପତ୍ର ପାଇବାପରେ ‘ଇୟୋରସ ହୋପ’ ଫାଉଣ୍ଡେସନକୁ ବେହେରାଙ୍କ ଅଧିକ ଚିକିତ୍ସା କରିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଯାହା କିଛି ସରକାରୀ ସହାୟତା ପ୍ରଦାନ ସମ୍ଭବ ତାହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦ୍ୱାରା ବ୍ୟବସ୍ଥା କରାଇବେ ବୋଲି ପ୍ରତଶୃତି ମଧ୍ୟ ଦେଇଛନ୍ତି ଏବଂ ଉକ୍ତ ଅର୍ଥ ପାଇଁ ଆବେଦନ ପତ୍ର ତହସିଲଦାରଙ୍କ କାର୍ଯ୍ୟାଳୟ ଠାରୁ ନେଇ ଫର୍ମ ପୂରଣ କରି ଦେବାପାଇଁ କହିଥଲେ। ଏହାପରେ ଉକ୍ତ ସ୍ବେଛାସେବୀ ସଂଗଠନ ର କାର୍ଯ୍ୟକର୍ତା ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କୁ ଭେଟି ଉକ୍ତ ସମସ୍ୟା ବିଷୟରେ ଅବଗତ କରାଇଥିଲେ ଏବଂ ଆବେଦନ ପତ୍ର ଦେବା ପାଇଁ ଅନୁରୋଧ କରିଥିଲେ। ତହସିଲଦାର ଦୁଇ ଦିନ ପରେ କାର୍ଯ୍ୟାଳୟ ଆସି ଫର୍ମ ନେଇଯିବାପାଇଁ ସେମାନଙ୍କୁ କହିଛନ୍ତି ଏବଂ ସେ ମଧ୍ୟ ଯଥା ସମ୍ଭବ ସହଯୋଗ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଏହାପରେ ‘ଇୟୋରସ ହୋପ’ ଫାଉଣ୍ଡେସନ ନିଜସ୍ଵ ପ୍ରଚେଷ୍ଟାରେ ଶ୍ରୀ ବେହେରାଙ୍କ ଚିକିତ୍ସା ଗତ ୨୧ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ କରାଇଥିଲେ। ଡାକ୍ତର ଏକ ମାସ ପାଇଁ କିଛି ମେଡ଼ିସିନ ଲେଖିଥିଲେ ଏବଂ ଉକ୍ତ ସଂଗଠନ ଦ୍ୱାରା ମାସକ ପାଇଁ ମେଡ଼ିସିନ ସୁରେନ୍ଦ୍ରଙ୍କୁ ଯୋଗାଇଦିଆଯାଇଛି। ପୂର୍ବାପେକ୍ଷା ତାଙ୍କ ସ୍ବାସ୍ଥ୍ୟରେ ସ୍ୱଳ୍ପ ଉନ୍ନତି ଘଟିଛି। ଆଜି ଉକ୍ତ ସଂଗଠନର ସଦସ୍ୟ ସିମାଞ୍ଚଳ ସୁରେନ୍ଦ୍ରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ ଏବଂ ଡାକ୍ତରଙ୍କୁ ସବୁ ବିଷୟ ଅବଗତ କରାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସୁରେନ୍ଦ୍ରକୁ ଉକ୍ତ ସଂଗଠନ ଦ୍ୱାରା ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିଆଯିବ ଏବଂ ତାଙ୍କ ଟିମର ତତ୍ତ୍ବାବଧାନରେ ସୁରେନ୍ଦ୍ରଙ୍କ ଚିକିତ୍ସା ଆରମ୍ଭ ହେବ। ଏହାକୁ ଦେଖି ସୁରେନ୍ଦ୍ର ଅଶ୍ରୁଳ କୋହଭରା କଣ୍ଠ ରେ ‘ଇୟୋରସ ହୋପ’ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ରୀନାରାଣୀ ନାୟକ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସ୍ୱାଇଁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ଏବଂ ମଙ୍ଗଳ କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏନଏସିର ୯ ନମ୍ବର ୱାର୍ଡ ହେଲା କଣ୍ଟେନମେଣ୍ଟ ଜୋନ୍, ଆଜି ସନ୍ଧ୍ୟା ୭ ରୁ ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ କଟକଣା

ସୀତାରାମ ଅଗ୍ରୱାଲ
ବାଣପୁର, କରୋନା ପଜିଟିଭ ଚିହ୍ନଟ ପରେ ବାଣପୁର ଏନଏସିର ୯ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଆଦେଶ ଆଜି ୨୧ ତାରିଖ ସନ୍ଧ୍ୟା ୭ଟାରୁ ଆସନ୍ତା ୨୪ ତାରିଖ ସନ୍ଧ୍ୟା ୭ଟା ଯାଏଁ ବଳବତ୍ତର ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଜାରି କରିଥିବା ଆଦେଶନାମା ଅନୁଯାୟୀ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୯ ନମ୍ବର ୱାର୍ଡରେ ଥିବା ସାଜିଦ୍ ଚିକେନ ସେଣ୍ଟରଠାରୁ ସତ୍ୟ ସାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ୫୦ ଟି ପରିବାରର ୨୦୦ ଲୋକ ରହୁଛନ୍ତି।

ଏହି ସମୟରେ କଣ୍ଟେନମେଣ୍ଟ ଜୋନର ଭିତରକୁ ବାହାରୁ କେହି ଯାଇ ପାରିବେ ନାହିଁ ଏବଂ ଜୋନ ଭିତରେ ରହିଥିବା ଲୋକଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ଲୋକଙ୍କୁ ଘର ଭିତରେ ରହିବା ପାଇଁ କୁହାଯାଇଛି। ଏହି ଜୋନରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ଦ୍ବାରା ଗଠିତ ସ୍ବତନ୍ତ୍ର ଦଳ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧପତ୍ର ପହଞ୍ଚାଇବାର ବ୍ୟବସ୍ଥା କରିବେ। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ।

ବାଣପୁର ଏନଏସିର ୯ ନମ୍ବର ୱାର୍ଡରେ ୨ ଜଣ ଏବଂ ୨ ନମ୍ବର ୱାର୍ଡରେ ଥିବା ବାଣପୁର ସବ୍ ଜେଲରେ ୫ ଜଣ ବନ୍ଦୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ-୧୯ ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଏପରି ବ୍ୟବସ୍ଥା ଗ୍ରହଣ କରିଛି। ବିଭିନ୍ନ କାର୍ଯ୍ୟର ତଦାରଖ କରିବା ପାଇଁ ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ଗୁମାନସିଂ, ବାଣପୁର ଫାୟାର ଷ୍ଟେସନର ଅଫିସର, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଡି. ମହାପାତ୍ର, ବାଣପୁର ସିଡିପିଓ ଶ୍ରୀମତୀ ବିଦ୍ୟୁତପ୍ରଭା ରଥ ପ୍ରମୁଖଙ୍କୁ ଦାୟିତ୍ବ ଦିଆଯାଇଛି। ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା ଏସବୁର ତଦାରଖ କରିବେ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ଏବଂ ବାଣପୁର ବ୍ଲକର ଚାରି ଗୋଟି ପଞ୍ଚାୟତ ସଟ୍‌ଡାଉନ୍‌, ଜାଣନ୍ତୁ କେଉଁ ସବୁ ପଞ୍ଚାୟତକୁ କରାଯାଇଛି ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ଚିଲିକା/ବାଣପୁର:  ଦେଶରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କରୋନକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିଲେ ସୁଦ୍ଧା କରୋନା ମହାମାରୀ କମିବାର ନାଁ ଧରୁନାହିଁ। ଓଡ଼ିଶାରେ ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଦୁଇ ନମ୍ବରରେ ଥିବା ବେଳେ ଏହା ଅନ୍ତର୍ଗତ ଚିଲିକା ଏବଂ ବାଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଲୋକାଲ୍‌ କେସ୍‌ ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଗତ କାଲି ଉଭୟ ବାଣପୁର ଏବଂ ଚିଲିକା ବ୍ଲକର ଚାରିଗୋଟି ପଞ୍ଚାୟତରୁ ଲୋକାଲ୍‌ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରୁ ଆଜି ଚାରିଗୋଟି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ।

ବାଣପୁର ଓ ଚିଲିକାର ସଟ୍‌ଡାଉନ୍‌ କରାଯାଇଥିବା ପଞ୍ଚାୟତ ଗୁଡିକ ହେଉଛି ଚିଲିକା ବ୍ଲକର ଅଠର ବାଟିଆ, ହରିପୁର, ସୋରଣ ଏବଂ ବାଣପୁର ବ୍ଲକର ମୋରାମୋରି। ସବୁ ପଞ୍ଚାୟତରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରପଞ୍ଚମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପଞ୍ଚାୟତକୁ ୭୨ ଘଣ୍ଟା ଯାଏଁ ସଟ୍‌ଡାଉନ୍‌ କରାଯାଇଛି।

ମୋରାମୋରି ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ବାଣପୁର ବ୍ଲକ ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋରାମୋରି ପଞ୍ଚାୟତରେ ମୋରାମୋରି ଗ୍ରାମର ଜଣେ ୩୨ ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନାଚୁଣୀ ପଞ୍ଚାୟତର ଲୋକପୁର ଗାମରୁ ଜଣେ ୨୯ ବର୍ଷ ବୟସ୍କ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ମୋରାମୋରି ପଞ୍ଚାୟତର ସରପଞ୍ଚ ସବିତା ନାୟକ ଏହି ପଞ୍ଚାୟତର ଦୁଇଟି ଗ୍ରାମ ଯଥାକ୍ରମେ ସଲପଡିହ ଓ ମୋରମୋରୀ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପଞ୍ଚାୟତରେ ଆଜି ଅର୍ଥାତ୍‌ ୧୪ ତାରିଖ ଦିନ ଦୁଇ ଘଟିକାଠାରୁ ଆସନ୍ତା ୧୭ ତାରିଖ ଦିବା ୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିୟମ ବଳବତ୍ତର ରହିବ।

ସେହିପରି ହରିପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ସ୍ବାଇଁ, ଅଠରବାଟିଆ ପଞ୍ଚାୟତର ସରପଞ୍ଚ ଇନ୍ଦୁମତୀ ଜାଲୀ ଓ ସୋରଣର ସରପଞ୍ଚ ସୁଜାତା ବିଶ୍ବାଳ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଞ୍ଚାୟତଗୁଡିକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସୋରଣ ଗ୍ରାମର ପୂଜାରୀ ସାହିକୁ  ଆଜି ସନ୍ଧ୍ୟା ୬ ଘଟିକା  ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି ଅଠର ବାଟିଆ ଗ୍ରାମ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଗ୍ରାମ ପଞ୍ଚାୟତରେ ୧୪ ତାରିଖ ସକାଳ ୧୧ ଘଟିକାଠାରୁ ଆସନ୍ତା ୧୭ ତାରିଖ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ।  ହରିପୁର ଗ୍ରାମ ପଞ୍ଚାୟତର ଛୋଟରାୟପୁର ଗ୍ରାମକୁ ମଧ୍ୟ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ଏହି ଗ୍ର୍ରାମରେ ଆଜି ସନ୍ଧ୍ୟା ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା  ୭ ଟାରୁ ୧୭ ତାରିଖ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ।

ସରପଞ୍ଚମାନେ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିବା ପୂର୍ବରୁ ନିଜ ନିଜ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ତହସିଲଦାର ପ୍ରମୁଖଙ୍କୁ ଏନେଇ ଅବଗତ କରାଇଛନ୍ତି। ସରପଞ୍ଚମାନଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ: ଏହି ସବୁ ଗାଁକୁ କଲେ ସଟ୍ ଡ଼ାଉନ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୯ ତାରିଖ (ଗୁରବାର) ସକାଳ ୫ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଘୋଷଣା କରାଯାଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ପୂର୍ବପରି ବଳବତ୍ତର ରହିବ।

ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ  କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ଦୁଇଟି ଭୋଜିରେ ଯୋଗ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ଭିତରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ପ୍ରାୟ ୫୦ ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ସରପଞ୍ଚ ଜିତେନ୍ଦ୍ର କୁମାର।

ଭେଟେଶ୍ବର ପଂଚାୟତରେ କୋଭିଡ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ଏବେ ସରପଞ୍ଚ ସଂକ୍ରମିତଙ୍କ କଂଟ୍ରାକ୍ଟ ଟ୍ରେସିଂ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ ହୋମ କ୍ବାରେଣ୍ଚାଇନରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଶେଷ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ପରିବାର ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ସ୍ବାବ ନମୁନା ଖୁବଶୀଘ୍ର ସଂଗ୍ରହ କରାଯିବ ବୋଲି ପଂଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ କହିଛନ୍ତି।

Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ବାଣପୁର ମା ଭଗବତୀ ମନ୍ଦିର ସମ୍ମୁଖରେ ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଦେଶର ଜନତା ଅର୍ଥନୈତିକ କ୍ଷେତ୍ରରେ ଚୀନ୍ କୁ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିବା ପାଇଁ ନଗର ସମ୍ପାଦକ ବିକାଶ କୁମାର ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଲଦାଖର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି। ସମଗ୍ର ଦେଶରେ ଚୀନର ବିଶ୍ଵାସ ଘାତକତାକୁ ବରଦାସ୍ତ କରିପାରୁନି। ଧୀରେ ଧୀରେ ସମଗ୍ର ଦେଶରେ ଚୀନର ଏହି ବିଶ୍ଵାସ ଘାତକତା ପ୍ରତି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏନେଇ ସାରା ଦେଶରେ ବିଭିନ୍ନ ସଂଗଠନ ଦ୍ଵାରା ଚୀନର ସାମଗ୍ରୀ ବର୍ଜ୍ଜନ କରିବା ପାଇଁ ଆହ୍ୱାନ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜ୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ, ଗୋଦାବରୀଶ ଜୁନିଅର୍ କଲେଜ କ୍ୟାମ୍ପସ ସଭାପତି ପ୍ରୀୟଂଶୁ ପ୍ରଧାନ, ପି.ବି.ବି କ୍ୟାମ୍ପସ ସଭାପତି ସିଦ୍ଧାର୍ଥ ବାରିକ, ରାଜେଶ୍ ପ୍ରଧାନ, ସୋମନାଥ ପଣ୍ଡା, ଦେବବ୍ରତ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଭୀମପୁର କ୍ରୀଡା ସଂଘ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁରର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛି ଭୀମପୁର କ୍ରୀଡା ସଂଘ(ବିଏସ୍‌ଏ)। ଅଗ୍ନି ବିପନ୍ନ ପରିବାରକୁ ଭୀମପୁର କ୍ରୀଡା ସଂଘ ପକ୍ଷରୁ ସହାୟତାର ହାତ ବଢାଯାଇଥିବା ବେଳେ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର, ବାସନ ସାମଗ୍ରୀ, ପନିପରିବା, କପଡା ଏବଂ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ୧୩ ତାରିଖରେ ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡପାଟଣା ସାହିର ବାଉରୀ ବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୪ ବଖରା ଘର ସମ୍ପୁର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା। କ୍ରୀଡା ସଂଘର ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।

Categories
ଆଞ୍ଚଳିକ

ସ୍ନାନଯାତ୍ରା ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ବାଣପୁର ତହସିଲ୍‌ଦାର

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ସ୍ନାନ ଯାତ୍ରା ପୂର୍ବରୁ ବାଣପୁର ତହସିଲଦାର ଏକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ବାଣପୁରରେ ଅବସ୍ଥିତ ଶ୍ରୀ ଶ୍ରୀ ଚରଣ ଚକାଦେବ ଏବଂ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟି ଉଦ୍ଦେଶ୍ୟରେ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ମନ୍ମଥ ବେହେରା ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

ସମସ୍ତ ସେବାୟତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ମଧ୍ୟରେ ୨୦ ଜଣରୁ ଅଧିକ ଏକତ୍ରିତ ହୋଇପାରିବେ ନାହିଁ ଏବଂ ପ୍ରତ୍ୟେକ ସେବାୟତ ସାମାଜିକ ଦୂରତ୍ବ (୬ ଫୁଟ୍‌)ର ପାଳନ କରିବେ। ମନ୍ଦିର ପରିସରରେ କୌଣସି ସେବାୟତ ଛେପ ପକାଇପାରିବେ ନାହିଁ। ମଦ, ପାନ ଅଥବା ଗୁଟ୍‌ଖା ଖାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ମନ୍ଦିର ପରିସରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ। ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରା ସମାପ୍ତ ହେବା ସହିତ ୭ଟା ସୁଦ୍ଧା ସମସ୍ତ ସେବାୟତ ମନ୍ଦିର ପରିସର ଛାଡିବେ। ଯଦି ଉପର ଲିଖିତ ନିୟମର ଉଲ୍ଲଂଘନ କରାଯାଏ କୌଣସି ଜରିମାନା ନୁହେଁ ବରଂ ଯାତ୍ରା ବନ୍ଦ କରାଯିବ ବୋଲି ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି‌କୁ ଦରମା ଦାନ କଲେ ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କୋଭିଡ୍‌ -୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ସାହାଯ୍ୟ କରିଛନ୍ତି ବାଣପୁର ଓ ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଓ କର୍ମଚାରୀବୃନ୍ଦ।

ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କ ଜରିଆରେ ବାଣପୁର ବ୍ଲକ ବିଇଓ ସନାତନ ଜାଲି ଓ ଚିଲିକା ବ୍ଲକ ବିଇଓ ଜିତେନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଏହି ଦୁଇ ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ବାଣପୁର ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୋଟ୍‌ ୪ ଲକ୍ଷ ୫୫ ହଜାର ୯୨୮ ଟଙ୍କା ଦାନ କରିଛନ୍ତି। ସେହିପରି ଗୋଦାବରୀଶ ବିଦ୍ୟାପୀଠର ଶିକ୍ଷକମାନେ ଗୋଟିଏ ଦିନର ଦରମା ୮ ହଜାର ୫୮୦ ଟଙ୍କାର ଚେକ୍‌ ପ୍ରଦାନ କରିଥିବାବେଳେ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକମାନେ ଗୋଟିଏ ଦିନର ଦରମା ୧୬ ହଜାର ୨୨୮ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

 

ସେହିପରି ଚିଲିକା ବ୍ଲକର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ମାନେ ତାଙ୍କର ଗୋଟିଏ ଦିନର ଦରମା ୪ ଲକ୍ଷ ୪୯୧ ଟଙ୍କାର ଚେକ୍ ଦାନ କରିଛନ୍ତି। ସେହିପରି ବାଲୁଗାଁ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ତାଙ୍କର ଗୋଟିଏ ଦିନର ଦରମା ୩୪,୮୮୦ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି।

Categories
ଆଞ୍ଚଳିକ

ତିନି ଦିନ ପାଇଁ ଗମ୍ଭାରୀମୁଣ୍ଡାକୁ ସଟ୍‌ଡାଉନ୍‌ କଲେ ସରପଞ୍ଚ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆସନ୍ତା ୩୧ ତାରିଖରୁ ଗମ୍ଭାରୀମୁଣ୍ଡା ବଜାରକୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡାରେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗମ୍ଭାରୀମୁଣ୍ଡା ବଜାର ଉପରେ 5ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଫଳସ୍ବରୂପ ୩୧.୦୫.୨୦୨୦ ସକାଳ ୭ଟା ସମୟରୁ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ ବୋଲି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଦେଶୀମଦ ଓ ଜୁଆ ବିରୋଧରେ ବାଣପୁରରେ ମହିଳା ସ୍ବୟଂସହାୟକ ଗୋଷ୍ଠୀର ପ୍ରତୀକାତ୍ମକ ଶୋଭାଯାତ୍ରା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଦିନକୁ ଦିନ ମଦୁଆ ଏବଂ ଜୁଆଡିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ଗ୍ରାମର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁରେ ବିଗତ କିଛିଦିନ ହେବ ଦେଶୀ ମଦ କାରବାର ଏବଂ ଜୁଆଖେଳ ଅହେତୁକ ଭାବରେ ବଢିବାରେ ଲାଗିଛି। ଏହାର ପ୍ରତିବାଦରେ ବୋରିଗାଁର ୩୦ ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ଏକ ପ୍ରତୀକାତ୍ମକ ଶୋଭାଯାତ୍ରା କରିଥିଲେ। ପ୍ରତ୍ୟେକ ମହିଳା ସ୍ବୟଂସହାୟକ ଗୋଷ୍ଠୀରୁ ଦୁଇ ଜଣ ଲେଖାଏଁ ସଦସ୍ୟା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ବିଭିନ୍ନ ଅସାମାଜିକ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିବାରୁ ଅଞ୍ଚଳର ମହିଳା ମାନେ ନାନା ପ୍ରକାର ଘରୋଇ ହିଂସାର ଶିକାର ହେଉଛନ୍ତି। ଏଭଳି ହିଂସାକାଣ୍ଡର ବିରୋଧ କରିବା ସହିତ ସାମାଜିକ ଦୂରତ୍ବର ପାଳନ କରି ମହିଳାଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି। ଏହା ସହିତ ପ୍ରଶାସନ ପକ୍ଷରୁ ଯଦି ଏପରି ଅସାମାଜିକ ତତ୍ତ୍ବଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ମହିଳା ମାନେ ଆଇନକୁ ହାତକୁ ନେବାର ଧମକ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବେଳେ ମହିଳା ମାନଙ୍କର ଏଭଳି ପ୍ରୟାସକୁ ନେଇ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଜଣାଇଛନ୍ତି। ମହିଳାଙ୍କ ଏହି ଆନ୍ଦୋଳନ ବାଣପୁରକୁ ନିଶାମୁକ୍ତ କରିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି। ଉଲ୍ଲେଖଯେଗ୍ୟ ଯେ କିଛି ବର୍ଷ ପୂର୍ବରୁ ବିଷାକ୍ତ ମଦ୍ୟପାନ କରି ଏହି ଗ୍ରାମର ଅନେକ ଯୁବକ ଅସୁସ୍ଥ ହୋଇଥିବା ବେଳେ ଗୋଟିଏ ପରିବାରର ଦୁଇ ଭାଇ ମୃତ୍ୟୁବରଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଏବିଭିପି ଦ୍ୱାରା କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍‌ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ.ଆଇ ଦିଗବିଜୟ ବିଶ୍ୱାଳ, ପ୍ରସନ୍ନ ଜେନା, ସି.ଏସ.ଆଇ ଜ୍ୟୋସ୍ନାରାଣୀ ଖୁଣ୍ଟିଆ, ଆଶୁତୋଷ ପାଇକରାୟ, ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ, ବସନ୍ତ ପଟ୍ଟନାୟକ, ମହେନ୍ଦ୍ର ସେଠି, ମୁରଲୀ ବଳିୟାରସିଂ ଏବଂ ପୀତବାସ ମହାନ୍ତି ପ୍ରମୁଖଙ୍କୁ ଆଜି ଏବିଭିପି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦ୍ବୀପ ଆଳତି କରାଯିବା ସହିତ ପୁଷ୍ପ ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠି ମତ ପ୍ରକାଶ କରିଥିଲେ। ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରମ ଅଗ୍ରଓ୍ବାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ରୀ ସହ ପ୍ରମୁଖ ସଙ୍ଗୀତା ସ୍ବାଇଁ, ବାଲୁଗାଁ କଲେଜ ଯୁକ୍ତ ତିନି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିକ୍ରମ କେଶରୀ ଜେନା, ଏବିଭିପିର ଶୁଭେଚ୍ଛୁ ତଥା ଯୁବ ସମାଜସେବୀ ବୁନୁ ଆଚାର୍ଯ୍ୟ, ଅଜୟ, ସୁଜିତ, ସିଦ୍ଧାର୍ଥ ଏବଂ ବର୍ଷା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର -ବାଲୁଗାଁ ଏବିଭିପି ପକ୍ଷରୁ ନିୟମିତ ଭାବରେ କରୋନା ସଚେତନତା ଏବଂ ସେବା କାର୍ଯ୍ୟ ଜାରି ରହିଛି।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚାଲି ଚାଲି ଚେନ୍ନାଇରୁ ବାଣପୁର ଆସିଲେ ଦୁଇ ଯୁବକ: ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ସମଗ୍ର ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ପ୍ରବାସୀ ଶ୍ରମିକ ମାନେ ଦୁସ୍ଥ ସ୍ଥିତିରେ ଜୀବନଯାପନ କରୁଛନ୍ତି। ଏପରିକି କିଛି ଶ୍ରମିକ ସାଇକେଲରେ ୧୭ ଶହ କିମି ଆସିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେହିପରି ଭାବରେ ବାଣପୁର ବ୍ଲକ୍‌ର ଦୁଇ ଯୁବକ ଚେନ୍ନାଇରୁ ଓଡିଶା ପର୍ଯ୍ୟନ୍ତ ରାସ୍ତାକୁ ଚାଲଚାଲି ଅତିକ୍ରାନ୍ତ କରିଛନ୍ତି। ଦୁଇ ଯୁବକ ହେଉଛନ୍ତି ବଡସିରେଇପୁରର କପିଳାଶ ପରିଡା ଏବଂ ନାଚୁଣୀର ବାବୁଲା ଜେନା। ଉଭୟ ବିଗତ ସାତ ମାସ ହେବ ଚେନ୍ନାଇର ସମଲକୋଟରେ କାମ କରୁଥିଲେ। ଏପ୍ରିଲ୍‌ ମାସ ୨୨ ତାରିଖରୁ ଦୁଇ ଯୁବକ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସନ୍ଧ୍ୟା ସମୟରେ ବାଣପୁରରେ ପହଞ୍ଚିଛନ୍ତି। ପାଖାପାଖି ୧୩୦୦କିମି ରାସ୍ତାକୁ ଉଭୟ ପାଦରେ ଚାଲି ଚାଲି ଅତିକ୍ରାନ୍ତ କରିଥିବା ବେଳେ ଅଳ୍ପ କିଛି ସ୍ଥାନରେ କିଛି ଗାଡିବାଲାଙ୍କ ପକ୍ଷରୁ ଲିଫ୍ଟ ପ୍ରଦାନ କରାଯାଇଥିଲା। ଦୁଇ ଯୁବକ ପହଞ୍ଚିବା ପରେ ବାବୁଲା ନାଚୁଣୀ ଚାଲିଯାଇଥିଲେ ଏବଂ କପିଳାଶ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ପହଞ୍ଚିବା ପରେ କପିଳାଶ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ବିଡିଓ ଶିବାନନ୍ଦ ସ୍ଵାଇଁଙ୍କୁ ଫୋନ୍‌ କରି ଜଣାଇଥିଲେ। ପ୍ରଥମ ପ୍ରବାସୀ ଭାବରେ ନରେନ୍ଦ୍ରପୁର କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ଆସିଥିବାରୁ କପିଳାଶଙ୍କୁ ସରପଞ୍ଚ ପ୍ରକାଶ ଚନ୍ଦ୍ର ବରାଳ ପାଛୋଟି ନେଇଥିଲେ।

Categories
ଫଟୋ ଖବର

ବାଲୁଗାଁରେ ଅଭାବୀମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି ମାନସ ମଙ୍ଗରାଜ ଏବଂ ତାଙ୍କ ଧର୍ମପତ୍ନୀ

ବାଲୁଗାଁ: ବର୍ତ୍ତମାନ ଲକଡାଉନ ସମୟରେ ବିଭିନ୍ନ ଅଞ୍ଚଳରେ ଗରୀବ ତଥା ଅଭାବୀମାନଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହିପରି ସମୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ମାନସ ମଙ୍ଗରାଜ ବାଲୁଗାଁ ନିକଟସ୍ଥା ସୁନାଖେଳା ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି। ସେ ଏବଂ ତାଙ୍କ ଧର୍ମପତ୍ନୀ ତଥା ସାହିତ୍ୟିକା ଗାୟତ୍ରୀବାଳା ପଣ୍ଡା ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।

 

Categories
ଆଞ୍ଚଳିକ

ଅସହାୟ ପରିବାର ପାଖରେ ଖାଦ୍ୟ ପହଞ୍ଚାଇଲେ ସାହସପୁର ଗ୍ରାମର ମହିଳା ସଙ୍ଗଠନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହି ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଯାଉଛି। ଅନେକ ସରକାରୀ ଓ ବେସରକାରୀ ସଂସ୍ଥାମାନେ ଏହି ଲକ୍‌ ଡାଉନ୍‌ ସମୟରେ ଅସହାୟ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ତଥା ବହୁ ବଦାନ୍ୟ ବ୍ୟକ୍ତିମାନେ ଏନେଇ ଏବେ ସାହାଯ୍ୟର ହାତ ବଢାଇଛନ୍ତି। ଏହି କ୍ରମରେ ବାଣପୁର ଅଞ୍ଚଳରେ ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ମହିଳା ସଦସ୍ୟାମାନେ ଅସହାୟ ପରିବାରଙ୍କୁ ସହାୟତା କରିଛନ୍ତି।

ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ରହିଥିବା ପ୍ରାୟ ୨୨ଟି ପରିବାରର ଗରିବ ଲୋକଙ୍କୁ ସହାୟତା କରିଛନ୍ତି ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟାମାନେ। ଲକ୍‌ଡାଉନ୍‌ ସମୟରେ ଖାଇବାକୁ ପାଉନଥିବା ପରିବାରଙ୍କ ପ୍ରତି ସହାୟତାର ହାତ ବଢାଇଛି ଏହି ସଙ୍ଗଠନ। ସଙ୍ଗଠନ ପକ୍ଷରୁ ଚାଉଳ, ଡାଲି, ଖାଇବା ତେଲ, ପରିବା ଏବଂ ବିସ୍କୁଟ ପ୍ୟାକିଂ କରାଯାଇ ଅସହାୟ ପରିବାରଙ୍କ ମଧ୍ୟରେ ବଣ୍ଟାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଏହି ସଙ୍ଗଠନର ମହିଳା ମାନେ ସାହସର ଅନନ୍ୟ ଉଦାହରଣ ଦେଖାଇ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ମହିଳାଙ୍କ ଏଭଳି ବଦାନ୍ୟତାକୁ ସ୍ଥାନୀୟ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଉଛି।

 

Categories
ଆଜିର ଖବର ରାଜ୍ୟ ଖବର

ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଖି ବୁଜିଲା ମା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ କାରଣରୁ ପୁଅ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ମିୟମ୍ରାଣ ହୋଇ ମା ମଧ୍ୟ ଆତ୍ମହତ୍ୟାର ପଥ ବାଛି ନେଇଥିଲେ। ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୪.୦୨ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୪.୩୫ରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଉଲ୍ଲେଖଯୋଗ୍ୟ ଯେ, ତୋରସିଂ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ମାଳତୀ ବେହେରା(୭୦)ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ କାଳୁ କୀଟନାଶକ ପିଇ ଦେଇଥିଲେ। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଏହି ଘଟଣା ପରେ ଯୁବକଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରାହ୍ନ ୨.୩୦ମିନିଟ୍‌ରେ ପୁଅର ପ୍ରାଣହାନି ଘଟିଥିବା ବେଳେ ଦୁଇ ଘଣ୍ଟା ବ୍ୟବଧାନରେ ମା ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଗୋଆରୁ ବାଣପୁରକୁ ମାଲବାହୀ ଗାଡିରେ ଆସି ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଲେ ଯୁବକ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍‌ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ରାସ୍ତାକୁ ସିଲ୍‌ କରାଯିବା ସହ ସମସ୍ତ ସରପଞ୍ଚମାନଙ୍କୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପ୍ରତି ଦୃଷ୍ଟି ଦେବା ସହିତ ସେମାନଙ୍କୁ ୧୪ ଦିନପାଇଁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ କେତେକ ସ୍ଥାନରେ ଏହାକୁ ନ ମାନି କିଛି ଲୋକେ ଲୁଚିଛପି ଆସୁଥିବାବେଳେ ବାଣପୁରର ଜଣେ ଯୁବକ ଏନେଇ ଏକ ଉଦାହରଣ ସୃଷ୍ଟିକରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଗୋଆରୁଏକ ମାଲବାହୀ ଗାଡ଼ି ଯୋଗେ ବାଣପୁରରେ ପହଞ୍ଚି ସରକାରୀଙ୍କ ନିର୍ଦ୍ଦେଶ ମୁତାବକ କ୍ବାରେଣ୍ଟାଇନରେ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁରରେ ପହଞ୍ଚିଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ବିରଞ୍ଚି ହୋତା। ତାଙ୍କ ଘର ବାଣପୁର ଏନ୍‌ଏସିର ଗୋପାଳପୁର ଶାସନ ଗ୍ରାମରେ। ସେ ଗୋଆରୁ ଏକ ମାଲବାହୀ ଟ୍ରକ୍‌ ଯୋଗେ ବାଣପୁରରେ ପହଞ୍ଚିଛନ୍ତି। ସେ ବାଣପୁରରେ ପହଞ୍ଚିବା ପୂର୍ବରୁ ବିଜୟଓ୍ବାଡା ନିକଟରେ ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିହାଲ୍‌ଙ୍କୁ ଗ୍ରାମକୁ ଫେରିବା ନେଇ ସୂଚନା ଦେଇଥିଲେ। ଏହା ପରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ବାଇପାସ୍‌ ରୋଡରୁ ଏନଏସି ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଗାଡିରେ ଆଣି ଗୋଦାବରୀଶ ପୀଠରେ ନିର୍ମାଣ ହୋଇଥିବା କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖିଥିଲେ।  ଗତକାଲି ତାଙ୍କର ନମୁନା ପରୀକ୍ଷା ହେବା ପାଇଁ ସ୍ବାବ ନିଆଯାଇଥିଲା।

ରାଜ୍ୟରେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କୁ ନେଇ ଚିନ୍ତା ବଢୁଥିବାବେଳେ ସରକାର ଏନେଇ ପ୍ରସ୍ତୁତ କରୁଥିବା ନିୟମକୁ ପାଳନ କରିବା ଜରୁରୀ ହୋଇପଡିଛି। ସେହିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି। ପଞ୍ଜିକରଣ କରି ସରକାରୀ ସୁବିଧାରେ ମଧ୍ୟ ଓଡ଼ିଶାକୁ ଫେରିପାରିବେ। ସେହିପରି ଯଦି କେହି ନିଜସ୍ବ ଉଦ୍ୟମରେ ଓଡ଼ିଶାକୁ ଫେରୁଛନ୍ତି ତେବେ ଏ ସଂକ୍ରାନ୍ତରେ ପ୍ରଶାସନକୁ ସୂଚନା ଦେଇ ସରକାରଙ୍କ ଦ୍ବାରା କରାଯାଇଥିବା ନିୟମର ପାଳନ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ଆଜିର ଦିନରେ ସବୁଠାରୁ ଜରୁରୀ ହୋଇପଡିଛି।