ବାଣପୁର ଆଦିବାସୀ ଉପାନ୍ତ ଅଞ୍ଚଳ ଦାମିଆ ବରବରାର ମହୁଲିଆରେ ବ୍ଲକ ପ୍ରଶାସନ

Published: Jan 20, 2024, 11:11 am IST

ବାଣପୁର( ସୀତାରାମ ଅଗ୍ରୱାଲ): ଦାମିଆ ବରବରା ଗ୍ରାମ ପଞ୍ଚାୟତ ଆଦିବାସୀ ଅଞ୍ଚଳ ଭାବରେ ପରିଚିତ ଥିବାବେଳେ ଉକ୍ତ ପଞ୍ଚାୟତର ମହୁଲିଆ ଓ ସିବିଡା ଗ୍ରାମ ବ୍ଲକ ଠାରୁ ୩୦କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ ଭାବେ ଅବସ୍ଥିତ।

ଉକ୍ତ ପଞ୍ଚାୟତରେ ନାନାବିଧ ଅସୁବିଧା ଥିବାବେଳେ ବାଣପୁର ଗସ୍ତ କରିଥିବା ୫ଟି ଅଧକ୍ଷଙ୍କୁ ଗ୍ରାମବାସୀ ରାସ୍ତାର ଉନ୍ନତି କରିବାକୁ ଅଭିଯୋଗ କରିଥିଲେ। ଏବଂ ଉପରୋକ୍ତ ଦୁଇଟି ଗ୍ରାମ ପଡୋଶୀ ନୟାଗଡ ଜିଲ୍ଲାର ନିକଟବର୍ତ୍ତୀ ଥିବାବେଳେ ନୟାଗଡ ପଟୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ପ୍ରଶାସନ ଉକ୍ତ ଗ୍ରାମରେ ପହଂଚି ଲୋକଙ୍କର ସୁବିଧା ଅସୁବିଧା ବୁଝିଛି l ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦ୍ୟସା ଦାସ, ସହକାରୀ ଯନ୍ତ୍ରୀ ସୁରେଶ ମଲ୍ଲିକ, ସରପଞ୍ଚ ବୀଣାପାଣି ଷଣ୍ଢ, ରାଜସ୍ବ ଅଧିକାରୀ, ଓ ଜଙ୍ଗଲ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସୋରେନ ମହୁଲିଆ ଓ ସିବିଡା ଗ୍ରାମରେ ପହଞ୍ଚି ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିଥିଲେ l ଉକ୍ତ ଗ୍ରାମବାସୀ ମାନଙ୍କୁ ବକେୟା ଥିବା ତିନିମାସର ଚାଉଳ ହିତାଧିକାରୀ ମାନଙ୍କୁ ବଣ୍ଟନ କରିବା ସହ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା।

ଗମନା ଗମନ ପାଇଁ ବିଭାଗୀୟ ଅଧିକାରୀ ମାନେ ନୟାଗଡକୁ ଗ୍ରାମର ସଂଯୋଗ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ମାପଚୁପ କରି ଜାଗା ଚି଼ହ୍ନଟ କରିଥିଲେ। ପୁରୁଣା ରାସ୍ତାର ମଧ୍ୟ ଉନ୍ନତି କରଣ କରାଯିବା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲ କହିଛନ୍ତି। ପଞ୍ଚାୟତର ପାନୀୟ ଜଳ ସମସ୍ୟା, ରାସ୍ତା ପ୍ରଭୃତି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ପ୍ରଶାସନ ତନଖି କରିଥିଲେ।

Related posts