ବାଣପୁର ଜେଲ ସହିତ ବ୍ଲକ ଏବଂ ଥାନାଗୁଡିକ ତଦାରଖ କଲେ ଜିଲ୍ଲାର ବରିଷ୍ଠ ଅଧିକାରୀ

Published: Jun 9, 2023, 9:59 pm IST
BanpurJail

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ ନିସିତ ନିଶାଙ୍କ, ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଉପ କାରାଗାରକୁ ଅଚାନକ ଗସ୍ତରେ ଆସିଥିଲେ। ସେଠାରେ କଏଦୀମାନଙ୍କ ପାଇଁ ଜେଲ ପରିସରରେ ହୋଇଥିବା ବିଭିନ୍ନ ବ୍ୟବସ୍ଥାକୁ ତଦାରଖ କରିଥିଲେ।

ମୁଖ୍ୟତଃ କଏଦୀମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଆଦି ବିଷୟଗୁଡିକ ଉପରେ ଗୁରୁତ୍ବ ଦିଆଯାଇଥିଲା।  ତତସହିତ ଜେଲରେ ସ୍ୱଛତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକ ମଧ୍ୟ  ସେମାନେ ତଦାରଖ କରିଥିଲେ।  ସମସ୍ତ ବିଷୟରେ ଜେଲ ଅଧିକ୍ଷକ ଜଗତ ବିହାରୀ ରାଉତରାୟ ଉପରୋକ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।

ଏହାପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ବ୍ଲକ କାର୍ଯ୍ୟାଳୟ ଯାଇ ସେଠାରେ ବିଭିନ୍ନ ବିଷୟରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ସହ ଆଭାସୀ ବୈଠକରେ ଯୋଗଦେଇଥିଲେ। ସେହିପରି ଭାବେ ଏସପି ଶ୍ରୀ କଟାରିଆ ବାଣପୁର, ନାଚୁଣୀ, ଟାଙ୍ଗୀ ଥାନା ଓ କୁହୁଡି ଫାଣ୍ଡି ପରିଦର୍ଶନ କରି ସେଠାକାର ସ୍ଥିତି ପରଖିଥିଲେ।

ଥାନାଗୁଡିକରେ ଆଇନ ଶୃଙ୍ଖଳା ସ୍ଥିତି, ପୁରୁଣା ମାମଲା, କ୍ରାଇମ ରିପୋର୍ଟ ଏବଂ ଥାନାଗୁଡିକର ଆବଶ୍ୟକତା ବିଷୟରେ ସେ ଥାନାଧିକାରୀଙ୍କଠାରୁ ରିପୋର୍ଟ ମାଗିଥିଲେ। ଉକ୍ତ ଗସ୍ତରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ।

Related posts