ବାଣପୁର ବ୍ଲକ କାର୍ଯ୍ୟାଳୟରେ ପଡିଲା ତାଲା: ଅଧ୍ୟକ୍ଷଙ୍କ ନେତୃତ୍ଵରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ବିକ୍ଷୋଭ ଜାରି

Published: Feb 1, 2024, 11:50 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ତାଲା ପଡିଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ନେତୃତ୍ୱରେ ବ୍ଲକ ଅଫିସରେ ତାଲା ପକାଇଲେ ଏକାଧିକ ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟ। ବିଡିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଛନ୍ତି ଅଧ୍ୟକ୍ଷ। ଏପରିକି ବିଡ଼ିଓ ଜିଲ୍ଲା ପ୍ରଶାସନର ଛତ୍ରଛାୟା ତଳେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ।

ତେବେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଅଧ୍ୟକ୍ଷଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ବିଫଳ ହୋଇଛନ୍ତି। ଉକ୍ତ ସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ରଣସିଂହ।

ଅପରପକ୍ଷେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଣପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି। ତେବେ ଏ ନେଇ ବାଣପୁର ବିଡିଓ ଶୀତଲ ଅଗ୍ରୱାଲଙ୍କୁ ପଚାରିବାରୁ ସେ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉଛନ୍ତି ଏବଂ କ୍ଷେତ୍ର ପରିଦର୍ଶନ କରିବା ସହ ବ୍ୟକ୍ତିଗତ ଛୁଟି ନେଲେ ବିଭାଗୀୟ ଅଧିକାରୀଙ୍କ ଅନୁମତି ନେଉଥିବାର କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡା. ବାଦଲ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

Related posts