ବାଲୁଗାଁ-ବଡକୁଳ ରାସ୍ତାରେ ସଡକ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published: Feb 18, 2021, 3:15 pm IST

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଛେଡ଼ାପଦର ଗ୍ରାମ ଛକରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କେବଳ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳର ଯୁଧିଷ୍ଠିର ବେହେରା ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ୩ ଟି ପିଲାଙ୍କୁ ନେଇ ଏକ କାର ଯୋଗେ ଭୁବନେଶ୍ବର ଏୟାରପୋର୍ଟକୁ ଆସିଥିଲେ। ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟସ୍ଥ ଛେଡ଼ାପଦର ଛକ ନିକଟରେ କାରଟି ଭାରସାମ୍ୟ ହାରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।

ପରେ କାରଟି ଏକ ଗଛ ସହ ଧକ୍କା ହୋଇଥିଲା। ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି କାର ଉପରେ ପଡ଼ିଥିଲେ ମଧ୍ୟ କାରରେ ଥିବା ଯୁଧିଷ୍ଠିର ପରିବାର ସଦସ୍ୟଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related posts