ଏଚ୍‌ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ: କନ୍ୟାଦାନ କଲେ ଜିଲ୍ଲାପାଳ, ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ

Published: Feb 27, 2021, 9:17 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜିବନୀ ଶିଶୁଯତ୍ନ ଗୃହରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଥିଲା। ରବିନ୍ଦ୍ର ବାଡ଼ତ୍ୟା ଏବଂ ଏସ୍‌. ପଦ୍ମା ନାମ୍ନୀ ଏଚ୍‌ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖୋଦ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବିବାହ ଉତ୍ସବରେ ଉପସ୍ଥିତ ରହି କନ୍ୟାଦାନ କରି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡ଼ିଓ କନ୍‌ଫେରେନସିଂ ଜରିଆରେ ନବଦମ୍ପତ୍ତିଙ୍କୁ ସୁଖମୟ ଜୀବନ କାମନା କରିଥିଲେ। ଏହାସହ ମାଙ୍ଗଳିକ ଉତ୍ସବରେ ଡ଼ିଆର୍‌ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ. କୀର୍ତ୍ତି ଭାସନ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର, ବିଡ଼ିଏ ସଚିବ ସଂଜିତ କୁମାର ରାଉତ, ଅରୁଣାର ଫାଉଣ୍ଡର ସଦସ୍ୟ ଲୋକନାଥ ମିଶ୍ର, ସଂପାଦିକା ସୌଦାମିନୀ ରଥ ପ୍ରମୁଖ ଯୋଗ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏହି ଦମ୍ପତ୍ତି ଦିନ ଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ପ୍ରଶିକ୍ଷଣ ନେଇ ହାଇଦ୍ରାବାଦ୍ ସ୍ଥିତ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଅଛନ୍ତି। ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏହିଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ସହ ଏଚ୍‌ଆଇଭି ସଂକ୍ରମିତଙ୍କ ଜୀବନ ସୁନ୍ଦର ଓ ସୁଖମୟ କରିବାରେ ଏହା ପ୍ରୟାସ ବୋଲି ସମସ୍ତେ ମତପ୍ରକାଶ କରିଥିଲେ।

Related posts