
କଲିକତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ମମତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯାହାଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା। ସେଥିପାଇଁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। କେତେଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଦିଦି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଦିଙ୍କୁ କିଛି ଲୋକ ଧକ୍କା ଦେଇଥିଲେ ଏବଂ ପୁଣି ବଳପୂର୍ବକ ତାଙ୍କ କାରର କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ, ମମତାଙ୍କ କାର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ଅଧିକ ଭିଡ ଯୋଗୁଁ ମମତା ବାନାର୍ଜୀଙ୍କ ଗୋଡ କାରର କବାଟରେ ଫସି ଯାଇଥିଲା। ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା।
ତେବେ ଏହି ଘଟଣାରେ ନିର୍ବାଚନ କମିଶନର ପୋଲିସଠାରୁ ଉତ୍ତର ମାଗିଛନ୍ତି। ଏହାର ତଦନ୍ତ କରି ଆସନ୍ତାକାଲି ସନ୍ଧ୍ୟା ୫ ଟା ସୁଦ୍ଧା ରିପୋର୍ଟ ଦେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।