ମିଶନଶକ୍ତି ବିଭାଗ କମିଶନର ସୁଜାତା କର୍ତ୍ତିକେୟନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

Published: Mar 13, 2021, 5:28 pm IST

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବହୁବର୍ଷ ହେଲା ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ୨ରୁ ୩ବର୍ଷ ହେବ ଏଥିପାଇଁ ଅଧିକ ବ୍ୟୟ ବଜେଟ୍ କରିଛନ୍ତି ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଥିଲେ।

୨୦୧୯ କ୍ୟାବିନେଟ ନିଷ୍ପତି ମାଧ୍ୟମରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ମିଶନଶକ୍ତି ଋଣ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଧ ଛାଡ କରାଯାଇଛି। ସେହିସୁଧ ମହିଳା ମାନଙ୍କ ଖାତାକୁ ଯାଇଛି। ଏବର୍ଷ ମହିଳା ମାନଙ୍କୁ ୪ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁବିଧା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଛାଡ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ରାଜ୍ୟ ସରକାର ପ୍ରଥମଥର ପାଇଁ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ଜିଲ୍ଲାରେ କ’ଣ ସବୁ ସମସ୍ୟା ଅଛି ସେଥିପାଇଁ ସମସ୍ତ ଜିଲ୍ଲା ଗସ୍ତକରି ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ସମୀକ୍ଷା ବୈଠକରେ ବ୍ଲକ୍ ସ୍ତରୀୟ ଫେଡେରେସନର କାର୍ଯ୍ୟକ୍ରମ, ବ୍ୟାଙ୍କ୍ ଲିଙ୍କେଜ୍, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବଜେଟରେ ପ୍ରସ୍ତାବ ଅଛି ପ୍ରତି ବ୍ଲକ୍ ମହାସଂଘ ପାଇଁ ୫୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ମିଶନଶକ୍ତି ଗୃହ ନିର୍ମାଣ କରାଯିବ ଏବଂ ସେମାନେ ନିଜେ ଗୃହ ନିର୍ମାଣର ଦାୟୀତ୍ୱ ନେଇପାରିବେ। ସେହି ମିଶନଶକ୍ତି ଗୃହରେ ବ୍ଲକ୍ ମହାସଂଘର ବୈଠକ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିକ୍ରୟ କେନ୍ଦ୍ର ଖୋଲାଯିବ।

ଯେଉଁ ଏସ୍.ଏଚ୍.ଜି ମାନେ ଋଣ ପାଇପାରୁ ନାହାଁନ୍ତି କିମ୍ବା ଜି.ପି.ଏଲ୍.ଏଫ୍ ଓ ସି.ସିଲ୍.ଏଫ୍ ର ସହାୟତା ପାଉନାହାନ୍ତି କିନ୍ତୁ ତାଙ୍କର ନିହାତି ଆବଶ୍ୟକତା ଅଛି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ, କିମ୍ବା ଖାଦ୍ୟ ସୁରକ୍ଷା, ଜରୁରୀ ମେଡିକାଲ ଟ୍ରିଟମେଣ୍ଟ୍ ପାଇଁ ସେଥିପାଇଁ ସରକାର ପ୍ରତି ବ୍ଲକକୁ ୨୫ଲକ୍ଷ ଟଙ୍କା ରିଭିଲଭିଙ୍ଗ୍ ଫଣ୍ଡ୍ ଯୋଗାଇ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ବ୍ଲକ ବ୍ୟତୀତ ସମସ୍ତ ବ୍ଲକ୍ ପାଇଁ ୧କୋଟି ୨୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକାଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବ୍ଲକ୍ ଫେଡେରେସନ ଓ ଓଡ଼ିଶା ଜୀବିକା ମିଶନର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାରେ ଜୀବିକା ନିର୍ବାହ କାର୍ଯ୍ୟରେ ୧୩୩୮ ଏସ୍.ଏଚ୍.ଜି ଗୃପକୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ୨,୧୭,୨୪୬ ଜଣ ମହିଳା ୧୯୫୩୨ଟି ସ୍ୱୟଂ ସହାୟକ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ବୈଠକରେ ମିଶନଶକ୍ତି ବିଭାଗର ଉପ-ଶାସନ ସଚିବ ବିନୋଦ କୁମାର ଜେନା, ଟିମ୍ ଲିଡର ଚୌଧୁରୀ ଶ୍ରୀପତି ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଞ୍ଜରୀ ନାୟକ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଳ, ବ୍ଲକ୍ ଫେଡେରେସନ ସଭାପତି, ସମ୍ପାଦକଙ୍କ ସମେତ ଜୀବିକା ମିଶନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Related posts