Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ତିର୍ତ୍ତୋଲ ବିଧାନସଭା: ବିଧାନସଭା ନିର୍ବାଚନ ଲଢ଼ିବାକୁ ୩ ସାଂସଦ ଆଶାୟୀ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଏହି ଆସନରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ବସନ୍ତ କୁମାର ବିଶ୍ୱାଳଙ୍କ ଭଳି ନେତାମାନେ ବିଧାନସଭାକୁ ବାରମ୍ବାର ନିର୍ବାଚିତ ହୋଇ ସବୁବେଳେ ରାଜନୀତିକ ଚର୍ଚ୍ଚାରେ ରହିଥିଲେ। ଏବର ବିଧାୟକ ମଧ୍ୟ ଚର୍ଚ୍ଚାରେ ଭିନ୍ନ କାରଣରୁ ରହିଛନ୍ତି।
ବିଧାୟକମାନଙ୍କ ଭଳି ଏହି ନିର୍ବାଚନ ମଣ୍ଡଳୀଟି ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। କାରଣ ଏହି ବିଧାନସଭା ଆସନରୁ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ବିଜେପିର ବହୁ ନେତାମାନଙ୍କ ସମେତ ତିନିଜଣ ପୂର୍ବତନ ସାଂସଦ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ସେମାନେ ହେଲେ ଶାସକ ଦଳ ବିଜେଡିର ବର୍ତ୍ତମାନର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଦଳର ପୂର୍ବତନ ସାଂସଦ ଡ. କୁଳମଣି ସାମଲ ଓ ଗତଥର ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିଥିବା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ।

ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ୨୦୨୦ରେ ତାଙ୍କ ପୁତ୍ର ବିଜୟଶଙ୍କର ଦାସ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ନିର୍ବାଚନ ପରଠାରୁ ବର୍ତ୍ତମାନର ବିଧାୟକ ବିଜୟଶଙ୍କର ଦାସ ବିବାଦରେ ଛନ୍ଦି ହୋଇପଡ଼ିଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ଦଳ ପକ୍ଷରୁ ଆଉ ପ୍ରାର୍ଥୀ କରାଯିବ ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ସାଂସଦ ତଥା ସେଠାକାର ପୂର୍ବତନ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ ପୁଣିଥରେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମତ ଜଣାଇ ଦେଇଥିବା କୁହାଯାଉଛି।

ସେହିପରି ୨୦୧୪ର ବିଜେଡି ସାଂସଦ ଡ. କୁଳମଣି ସାମଲ ମଧ୍ୟ ପ୍ରାର୍ଥୀ ହେବାକୁ ଲବି ଚଳାଇଥିବା କୁହାଯାଉଛି। ଏଠାରୁ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଡ. ରମାକାନ୍ତ ଭୋଇ, ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରା, ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ତିର୍ତ୍ତୋଲ ବ୍ଲକ୍‌ର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖଙ୍କ ନାଁ ବି ବିଜେଡି ଟିକେଟ ଆଶାୟୀ ତାଲିକାରେ ରହିଛି।

ବିଜେପି ଏହି ଆସନରୁ କେବେବି ଜିତି ପାରିନାହିଁ। ବିଗତ ୩ଟି ନିର୍ବାଚନ ଓ ଗୋଟିଏ ଉପ ନିର୍ବାଚନ ମଧ୍ୟରୁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଡ. ରମାକାନ୍ତ ଭୋଇ ଓ ୨୦୨୦ ଉପ ନିର୍ବାଚନରେ ରାଜକିଶୋର ବେହେରା ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନକୁ ଉଠି ପାରିଥିଲେ ହେଁ ସେମାନେ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଯାଇଥିଲେ। ତେଣୁ ୨୦୦୯ରେ ସିପିଆଇ ଟିକଟରେ ବିଜେଡି-ସିପିଆଇ ମେଣ୍ଟ ପ୍ରାର୍ଥୀଭାବେ ସଂସଦକୁ ନିର୍ବାଚିତ ହୋଇଥିବା ବିଭୁପ୍ରସାଦ ତରାଇ ଏବେ ବିଜେପିରେ ଅଛନ୍ତି। ସେ ୨୦୧୪ ନିର୍ବାଚନ କଂଗ୍ରେସ ଟିକଟ ଓ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ଲୋକସଭା ନିର୍ବାଚନରେ ଲଢ଼ି ପରାଜିତ ହୋଇଛନ୍ତି। ତେଣୁ ସେ ଆଉ ଲୋକସଭା ନିର୍ବାଚନ ନ ଲଢ଼ି ଆଗାମୀ ନିର୍ବାଚନ ତିର୍ତ୍ତୋଲ ବିଧାନସଭା ଆସନରୁ ଲଢ଼ିବାକୁ ଦଳୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିବା କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରାଜକିଶୋର ବେହେରା, ସ୍ମିତା ପ୍ରଧାନ, ଇଂ. ପ୍ରକାଶ ଚନ୍ଦ୍ର ଦଳାଇ ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି।

ଦିନେ ଏହି ବିଧାନସଭା ଆସନଟି କଂଗ୍ରେସର ଗଡ଼ ଭାବରେ ବିବେଚିତ ଥିଲା। ୨୦୦୯ରେ ନୂତନଭାବେ ଗଠନ ହେବାପରେ ଏହି ଆସନକୁ ସଂରକ୍ଷିତ ରଖାଯାଇଛି। ୨୦୦୯ ପରଠାରୁ ଏହି ଆସନରୁ କଂଗ୍ରେସ ବିଜୟୀ ହୋଇପାରିନାହିଁ। କଂଗ୍ରେସ ଏବେ ଏଠାରେ ପ୍ରତିଦ୍ୱନ୍ଦ୍ୱୀତାରେ ୩ୟ ସ୍ଥାନକୁ ଖସି ଆସିଛି। କଂଗ୍ରେସରୁ ୨୦୨୦ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଯୁବନେତା ହିମାଂଶୁ ଭୂଷଣ ମଲ୍ଲିକ ପୁଣି ସୁଯୋଗ ପାଇବେ ବୋଲି ଆଶା କରାଯାଉଥିବାବେଳେ ପ୍ରତିମା ମଲ୍ଲିକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଯାତ୍ରାଜଗତର ବିଶିଷ୍ଟ ହାସ୍ୟାଭିନେତା ରବି ଶତପଥିଙ୍କ ପରଲୋକ

କୁଜଙ୍ଗ: ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି ଲିଭର ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି।

ରବି ଶତପଥିଙ୍କ ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ସାରା ରାଜ୍ୟରେ ଜନତା ଗଣାନାଟ୍ୟରେ ଶାଗୁଣା ବସିଛି ଡେଣାମେଲାଇ ନାଟକରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରିଥିବା ଏହି ପ୍ରଥିତଯଶା କଳାକାରଙ୍କ ସଂଳାପ କିଏ ମନେ ନରଖିଛି।

ଏହି ନାଟକ ନବେଦଶକରେ ଏକ ଲକ୍ଷ କ୍ୟାସେଟ୍ ବିକ୍ରି ହୋଈ ରେକର୍ଡ କରିଥିବା ବେଳେ ସହକାଳାକାର ମହେନ୍ଦ୍ର ଦାସ ଭିକୁ ସେଟ୍‌ଙ୍କ ସହ ତାଙ୍କ ଆକର୍ଷଣୀୟ ଅଭିନୟ ଆଜି ରାଜ୍ୟବାସୀ ଭୂଲିପାରୁନାହଁନ୍ତି। ବିଗତ ପାଞ୍ଚ ଦଶନ୍ଧି ଧରି ହାସ୍ୟ ଓ ଚରତ୍ର ଅଭିନୟରେ ରାଜ୍ୟ ବାସୀଙ୍କୁ ହାସାଉଥିବା କଳାକାର ଯେ ଘରେ ଗୁରୁ ଗମ୍ଭୀର ଓ କମ୍ କଥା ହୁଅନ୍ତି ଏକଥା ହୁଏତ ବହୁତ କମ୍ ଲୋକେ ଜାଣିଥିବେ ବୋଲି ତାଙ୍କ ପତ୍ନୀ ବିଦୁଲତା ଶତପଥି କୁହନ୍ତି।

ବିଗତ ୬ ମାସ ହେଲା ପ୍ରଥମେ ପେଟରେ ଯନ୍ତ୍ରଣା ହେବାରୁ ଏଏମ୍‌ସ ମେଡିକାଲରେ ଦେଖାଇବାରୁ ପାକସ୍ତଳି କର୍କଟ ଆକ୍ରାନ୍ତ ହୋଇଥିବା ଘରେ ରହି ଚିକିତ୍ସତ ହେଉଥିଲେ। ଗତ ଦୁର୍ଗାପୂଜା ପୂବରୁ ଏହି କଳାକାରଙ୍କୁ ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା, ରତି, ମିଟୁନା, ଜିତେନ୍ଦ୍ର ଦାସଙ୍କ ସହ ବହୁ ନିର୍ଦ୍ଦେଶକ ଓ ଲେଖକ ତାଙ୍କୁ ଦେଖା କରିବାକୁ ଆସିଥିଲେ ଓ ଭଲ ହୋଇ ପୁଣଇ ଯାତ୍ରାକୁ ଫେରିବାକୁ ଉତ୍ସାହ ଦେଇଥିଲେ।

ଅଭିନୟ କଥା କହିଲେ ଠାକୁରାଣୀ ଅପେରାରୁ ଅଶିଦଶକରେ ନିଜର ଅଭିନୟ ଆରମ୍ଭ କରିଥିବା ଏହି କଳାକାର ଏବେ ୬୫ ବର୍ଷରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି। ଏହି ସମର୍ପିତ କଳାକାର ଠାକୁରାଣୀ, ତୁଳସୀ, ପାର୍ବତୀ, ଗୌରୀ, ସ୍ୱର୍ଣମହଲ, ମାୟାନଗରୀ ପ୍ରଭୃତି ସାରା ରାଜ୍ୟରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରା ପାର୍ଟିରେ ଅଭିନୟ କରି ଶହ ଶହ ରାତ୍ରି ଅନିଦ୍ରା ହୋଈ ସାରା ରାଜ୍ୟ ବାସୀଙ୍କୁ ହସ ବାଣ୍ଟିଛନ୍ତି।

ଅଶ୍ଲିଳତା କମ ଥିବା ତାଙ୍କର ନିଖୁଣ ଅଭିନୟ କେବେ ବାଜିବ ତୋ ସାହାନେଇ ଯିଏ ଦେଖିବା ସେ ନିଶ୍ଚୟ ବୁଝିବ ଜଣେ ହସ୍ୟ ଅଭିନେତା ଯାତ୍ରା ପାଇଁ କେତେ ଜରୁରୀ। ଅଶ୍ଳୂିଳତା ବିନା ଲୋକଙ୍କୁ ଆମୋଦିତ ବା ହସେଇ ହେବ ତାହା ତାଙ୍କୁ ବେଶ ଭଲଭାବେ ଜଣା ଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ପୁଅ ଓ ଜଣେ ଝିଅ ଉପସ୍ଥିତ ଥିଲେ।

ଗ୍ରାମ ସ୍ମଶାନରେ ଶୋକାକୂଳ ପରିବେଶରେ ଶେଷକୃତ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁଅ ସୂଯ୍ୟାଂଶୁ ଶତପଥି ମୁଖାଗ୍ନୀ ଦେଇଥିଲେ।

ତାଙ୍କ ପରଲୋକରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ୱାଳ, ବିଜେଡି ନେତା ଅରୁଣ କୁମାର ବେହେରା, ସୁକାନ୍ତ ମୁଦୁଲି, ଦିଲୀପ ମହାପାତ. ନୀରଞ୍ଜନ ପ୍ରଧାନ, ଇଂ ଲଳିତ ବସ୍ତିଆ ଓ ନକୂଳ ବେହେରା ପ୍ରମୁଖ ଶହ ଶହ ଗ୍ରାମବାସୀ ଓ କଳାକାର ମାନେ ଶେଷଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏଟିଏମ୍ ଆଗରୁ ଟଙ୍କା ଲୁଟ୍ ଘଟଣା, ଇମା ସହଯୋଗୀ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକ ବ୍ୟକ୍ତିଙ୍କୁ ଏଟିଏମ୍ ଆଗରୁ ଇମା ଗ୍ୟାଙ୍ଗର ସଦସ୍ୟ ମାରଣାସ୍ତ୍ର ଦେଖାଇ ମାଡ ମାରିବା ସହିତ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ। ଏହି ଘଟଣାରେ କୁଜଙ୍ଗ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଇମ୍ରାନ୍ ଓରଫ୍ ଇମାକୁ ଗିରଫ କରିବା ସହିତ ତାର ଆଉ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଅନ୍ୟ ସହଯୋଗୀମାନେ ସେହିଦିନଠାରୁ ଫେରାର ଥିଲେ।

ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ରଶ୍ମୀରଂଜନ ଦାଶଙ୍କ ତତ୍ୱାବଧାନରେ ଏକ ଟିମ୍ ଜିଲ୍ଲା ବାହାରୁ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଙ୍କପାଳ ଅଂଚରଳର ରାକେଶ ସେନାପତି।

ପ୍ରକାଶ ଯେ, କୁଜଙ୍ଗ ଅଂଚଳର ଜନୈକ ବ୍ୟକ୍ତି ଏଟିଏମ୍‌ରୁ ୩୦ ହଜାର ଟଙ୍କା ଉଠାଣ କରି ବାହାରକୁ ଆସୁଥିବା ବେଳେ ଇମା ଓ ତାର ସହଯୋଗି ବିଜୟ, ସ୍ମୃତିରଞ୍ଜନ, ରାକେଶ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡମାରି ଟଙ୍କା ଲୁଟ୍ କରି ନେଇଯାଇଥିଲେ। ପରେ ଜନୈକ ବ୍ୟକ୍ତି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ କେସ୍ ନଂ ୩୬୦/୨୩ ମୋକଦ୍ଦମା କରିଥିଲା। ତତ୍‌କ୍ଷଣାତ୍ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ଇମାକୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇଯାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରୀକୁ ଏସିଡି ପକାଇ ମାରିଦେବା ଧମକ: ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳର ଜନୈକା ନବମ ଶ୍ରେଣୀ ଛାତ୍ରୀକୁ ଏସିଡ ପକାଇ ମାରିଦେବା ଧମକ ହୋଇଛି। ଏହି ଘଟଣାରେ ମଙ୍ଗରାଜପୁର ଗ୍ରାମର ଜନୈକ ଯୁବକ ଗିରଫ ହୋଇଛି। ସେହିଭଳି ଅନ୍ୟ ଏକ ଘଟଣାରେ ଜନୈକା ନାବାଳିକାକୁ ଅପହରଣ ଅଭିଯୋଗରେ ଆଉ ଜଣେ ଯୁବକକୁ କୁଜଙ୍ଗ ପୋଲିସ ଗିରଫ କରିଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ଥାନା ଅଂଚଳର ଜନୈକା ଛାତ୍ରୀକୁ ବଳପୂର୍ବକଭାବେ ବାହାହେବାପାଇଁ କହିବା, ମୋବାଇଲକୁ ଅଶ୍ଳୀଳ ବାର୍ତ୍ତା ପଠାଇବା ଓ ଶେଷରେ ଏସିଡ ପକାଇ ମାରିଦେବା ପାଇଁ ଧମକ ଦେଇଚାଲିଥିଲା। ଏହି ପ୍ରରିପ୍ରେକ୍ଷୀରେ ନାବାଳିକାଜଣଙ୍କ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ମଙ୍ଗରାଜପୁର ଗ୍ରାମର ଅଭିଯୁକ୍ତ ବାଦଲ ସାମଲ (୩୬)କୁ ଗିରଫ କରିଥିଲା।

ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ୨୧୨/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ବାଦଲ ଫେରାର ଥିବା ସମୟରେ କୁଜଙ୍ଗ ପୋଲସି ପାରାଦ୍ୱିପରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଅନୁରୁପଭାବେ ଏହି ଥାନା ଅଂଚଳର ଜଣେ ଚାନ୍ଦପୁର ଅଂଚଳର ଯୁବକ କୁଜଙ୍ଗ ଅଂଚଳର ଜନୈକା ୧୪ ବର୍ଷିୟା ନାବାଳିକା ପାଠ ପଢିବାକୁ ଯାଇଥିବା ବେଳେ ତାକୁ ଅପହରଣ କରିନେଇଥିଲା। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ପୋଲିସ କେସ ନଂ.୩୬୩/୨୩ରେ ମୋକଦ୍ଦମା ରୁଜୁ କରିଥିଲା। ଅପହରଣର ୪୮ଘଂଟା ମଧ୍ୟରେ ପୋଲିସ ଅପହରଣକାରୀ ଯୁବକ ଓ ଅପହୃତା ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାକୁ ତାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ବେଳେ ଅପହରଣକାରୀକୁ ଗିରଫ କରିଥିଲା।

ଏହି ଘଟଣାରେ ଉଭୟ ଯୁବକଙ୍କୁ କୋର୍ଟଚାଲଣ କରାଗଲାପରେ ସେମାନଙ୍କ ଜାମିନ ନାମାଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବାର ଥାନା ଅଧିକାରୀ ରଶ୍ମିରଂଜନ ଦାଶଙ୍କ ଠାରୁ ପ୍ରକାଶ।

Categories
ଆଞ୍ଚଳିକ

କୁଜଙ୍ଗ: ଚୋରି ସାମଗ୍ରି ଜବତ, ୩ ଗିରଫ ଜଣେ ଫେରାର

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରେ ନିୟମିତଭାବେ ଗାଡି ବ୍ୟାଟେରି ଚୋରି ହେଉଥିôବାର ଅଭିଯୋଗ ହୋଇଆସୁଥିଲେ ବି ପୂର୍ବରୁ କୁଜଙ୍ଗ ପୋଲିସ ଚୋରଙ୍କର ଟେର ପାଇପାରୁନଥିଲା। ମାତ୍ର ନୂତନ ଅଧିକାରୀଭାବେ ରଶ୍ମିରଂଜନ ଦାଶ ଯୋଗଦେବାପରେ କୁଜଙ୍ଗ ପୋଲିସ ବୁଧବାର ବିଳମ୍ବିତ ରାତିରେ ତିନି ଜଣା ବ୍ୟାଟେରି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଜରେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ତତ ସହିତ ଚୋରି ସାମଗ୍ରି ସମେତ ଗୋଟେ ମଟର ସାଇକେଲ ଓ ତିନୋଟି ମୋବାଇଲ , ଦୁଇଟି ଟ୍ରକ ବ୍ୟାଟେରି ଜବତ କରାଯାଇଛି।

ଏଠାରେ ସୂଚନା ଯୋଗ୍ୟକି ରାସ୍ତାକଡରେ, ଘର ସାମ୍ନାରେ ଯଦି ଭାରିଯାନ ବା ଚାରି ଚକିଆଯାନ ଛିଡା ହେଉଥିଲା ଚୋରମାନେ ରାତ୍ରିରେ ସୁଯୋଗ ଉଣ୍ଡି ବ୍ୟାଟେରି ଚୋରି କରି ନେଇ ବିକ୍ରି କରୁଥିବାର ଖବର ପାଇବାପରେ ଥାନା ଅଧିକାରୀ ଶ୍ରୀ ଦାଶ ଚୋରଙ୍କ ଉପରେ କଡା ନଜର ରଖିବାକୁ ଅନ୍ୟାନ୍ୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ସେହି କ୍ରମରେ ଏକ ଚାରିଜଣିଆ ବ୍ୟାଟେରି ଚୋର ର‌୍ୟାକେଟ ଚୋରି ବ୍ୟାଟେରି ବିକ୍ରି କରୁଥିବାର ଖବର ପାଇ ବୁଧବାର ଦିନ ନବାଡିଆ ଓ ସମାଗୋଳ ଗ୍ରାମରେ ଚଢାଉ କରି ସେହି ଗ୍ରାମର ବିଶ୍ୱଜିତ ସ୍ୱାଇଁ (ସୋନୁ), ଲକ୍ଷ୍ମୀଧର ସ୍ୱାଇଁ ଓ ରାଉର କେଲାରୁ ଆସି ଅସ୍ଥାୟୀଭାବେ ରହୁଥିବା ବିଜୟ ଯାଦବଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି।

ଏନେଇ କୁଜଙ୍ଗ ଥାନା ସବ୍‌ଇନିସ୍ପେକ୍ଟର ବିଶ୍ୱଜିତ ଗଡନାୟକ ଅଭିଯୋଗ ଆଧାରରେ କେସ ନଂ.୩୫୪/୨୩, ମାମଲା ରୁଜୁ କରି ଆସାମି ୩ଜଣଙ୍କୁ ଗୁରୁବାର ଦିନ କୋର୍ଟ ଚାଲଣ କରିଥିବାର ଥାନାଧିକାରୀଙ୍କଠାରୁ ପ୍ରକାଶ।

Categories
ଆଞ୍ଚଳିକ

ନାଉଗାଁ: ଯୁକ୍ତ ଦୁଇର ବ୍ଲକ ଟପରଙ୍କୁ ଫିଉଚର ଏକାଡୀମିର ସମ୍ବର୍ଦ୍ଧନା

ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟରେ ସୂର୍ଯ୍ୟ କାନ୍ତ ବିଶ୍ୱାଳ ୬୦୦ ରୁ ୪୪୬ ନମ୍ବର ରଖି ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାପଡିଛି।ଯାହାକୁ ନେଇ ଫିଉଚର ଏକାଡୀମି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଛି।

ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଚିତ୍ରା କୁମାର ପଣ୍ଡା ଓ ଏକାଡୀମିର ନିର୍ଦ୍ଦେଶକ କାନ୍ତ ବିଶ୍ୱାଳ, ସର୍ବେଶ୍ବର ମହାରଣା ଯୋଗଦେଇ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟ କାନ୍ତକୁ ସମ୍ୱର୍ଦ୍ଧିତ କରିଥିଲେ।

Categories
ବିଶେଷ ଖବର

ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ମିଶନ ଶକ୍ତି ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ବାଲେଶ୍ବର, ମୟୁରଭଂଜ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ଫେଡେରେଶନର ମିଶନ ଶକ୍ତି ମା’ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଭୁବନେଶ୍ବରକୁ ସେମାନେ ପ୍ରଶିକ୍ଷଣ ପାଇଁ ଆସିଥିବା ଅବସରରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଏହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ହେବା ସହିତ ବିଭିନ୍ନ ବ୍ୟବସାୟ ଜରିଆରେ ଆର୍ଥିକ ଉନ୍ନତି ଆସିପାରିଛି। ନିଜେ ରୋଜଗାର କରିପାରୁଥିବା ଯୋଗୁ ଆଜି ସମାଜରେ ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇଛି ବୋଲି ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ କାମର ପ୍ରଶଂସା କରିବା ସହିତ ଓଡିଶାର ବିକାଶରେ, ବିଶେଷକରି ଗ୍ରାମାଞ୍ଚଳର ମା ମାନେ ବହୁତ ଭଲ କାମ କରୁଛନ୍ତି ଓ ଆଗକୁ ଏହିପରି କାମ ଜାରି ରଖିବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିସଭା ଓ ଦ୍ୱୀପ ଦାନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ୟୁନିୟନ ପକ୍ଷରୁ ଦୁର୍ଦ୍ଧଶ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସ ଏବଂ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ପିତାମ୍ବର ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରି ସମୂହ ଦ୍ୱୀପ ଦାନ ଓ ସ୍ମୃତିସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସାମ୍ବାଦିକ ଶୁଭଙ୍କର ଜେନା, ରମାକାନ୍ତ ଦାଶ, ପିନାକୀ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା,ଆର୍ତ୍ତତ୍ରାଣ ପତି, ପ୍ରଭାତ ମହାନ୍ତି, ଜ୍ୟୋତି ରଂଜନ ପରିଡ଼ା, ସରୋଜ କାନ୍ତ ସାହୁ, ବିପିନ ସେଠୀ, ସରୋଜ କୁମାର ନାୟକ, ତପନ ରାଉତରାୟ, ତାରାପଦ ମହାନ୍ତି, ରମେଶ ମହାନ୍ତି, ପ୍ରତାପ କୁମାର ସିଂ, ତପନ କୁମାର ଦାସ,ସାରଦା ଦାସ, ସଂଗ୍ରାମ କେଶରୀ ପଟ୍ଟନାୟକ, ବାସୁଦେବ ବେହେରା, ପ୍ରଶାନ୍ତ ମଲ୍ଲିକ, ଜ୍ୟୋତି ପ୍ରକାଶ ନାୟକ, ଶିକ୍ଷକ ରଞ୍ଜନ ମହାନ୍ତି, ଅରୁଣ ମହାରଣା, ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମଙ୍କ ସ୍ମୃତି ଚାରଣ କରିଛନ୍ତି।

ଯେଉଁଭଳି ଭାବେ ସାହାସୀ ସାମ୍ବାଦିକ ଅରିନ୍ଦମଙ୍କର ଖବର ସଂଗ୍ରହ କରିବା ସମୟରେ ଦୁର୍ଘଟଣା ଘଟି ନିଧନ ଘଟିଥିଲା, ତାହା ରାଜ୍ୟର ସାମ୍ବାଦିକତା କ୍ଷେତ୍ର ସମେତ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା। ତାଙ୍କର କାର୍ଯ୍ୟଶୈଳୀ ତଥା ସାମ୍ବାଦିକତାର ଢାଞ୍ଚା ସମସ୍ତ ସମ୍ବାଦପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ତାଙ୍କ ନିଧନରେ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ଭଗବାନ ସହାୟ ହେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସଦସ୍ୟମାନେ।

Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ବର୍ଷା: ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ଲଘୁଚାପ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହି ଲଗାଣ ବର୍ଷାର ପ୍ରକୋପରେ ଚାଷଜମି ଗୁଡିକ ପାଣିରେ ବୁଡ଼ି ରହିଥିବାରୁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏମିତିକି ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ଠାରୁ ଲାଗିରହିଥିବା ଏହି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ଅନୁଯାୟୀ ଜିଲ୍ଲାର ୧୯୮ଟି ପଞ୍ଚାୟତର ୧୩୨୧ଟି ଗ୍ରାମ ଓ ୨ଟି ମ୍ୟୁନିସିପାଲିଟିର ୪୦ଟି ୱାର୍ଡ଼ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଜିଲ୍ଲାର ୯୯ଟି ଗାଁର ୧୬୯୨୦ ଲୋକ ବର୍ଷାଜଳ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ୪୩ଟି ଆଶ୍ରୟ ସ୍ଥଳୀରେ ୧୫୯୦ଜଣ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୨୯ଟି କେନ୍ଦ୍ରରେ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ୩୦୦୦ କୁକୁଡ଼ା ଚିଆଁ ମରିଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିକୁ ମିଶାଇ ୫୩୦୪୨.୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ୭୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହେବା ସହିତ ୨୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ପ୍ରଭାବିତ ଲୋକଙ୍କୁ ୧୫୦ ପ୍ୟାକେଟ୍ ବିସ୍କୁଟ, ୧୨.୬୦ କ୍ୱିଣ୍ଟାଲ ଚୁଡ଼ା ଓ ୧.୦୮ କ୍ୱିଣ୍ଟାଲ ଗୁଡ ବଣ୍ଟନ କରାଯାଇଛି। ୨ଟି ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ ୩ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ଷା ଜଳରେ ୭ଟି ରାସ୍ତା ବିଛିନ୍ନ ହୋଇଯାଇଥିବା ବେଳେ ୬ଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ “ଆଶିର୍ବାଦ” ଯୋଜନାରେ ମିଳିଲା ଆର୍ଥିକ ସହାୟତା

ରମେଶ ମହାନ୍ତି
ଜଗତସିଂହପୁର: କରୋନା ମହାମାରୀ ସମୟରେ ପିତାମାତା କିମ୍ବା ପରିବାରର ମୁଖ୍ୟ ଆୟକାରୀ ଅଭିଭାବକଙ୍କ ମୃତ୍ୟୁ ହୋଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଆଶିର୍ବାଦ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗତ ୧.୪.୨୦୨୦ ମସିହା ଠାରୁ ପିତାମାତା ଉଭୟ କିମ୍ବା ଜଣଙ୍କୁ ହରାଇଥିବା ପିଲାମାନଙ୍କୁ ସରକାର ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପିତମାତା ଦୁଇଜଣଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ପିଲାମାନଙ୍କୁ ମାସିକ ୨୫୦୦ ଟଙ୍କା ଏବଂ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ଯାହାକି ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ପିଲାମାନଙ୍କ କ୍ଷେତ୍ରରେ ମାସିକ ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଜୁଲାଇ ମାସରେ ମୋଟ୍ ୫୪ଜଣ ପିଲାଙ୍କୁ ପ୍ରଥମଥର ଆଶିର୍ବାଦ ଯୋଜନାରେ ସାମିଲ୍ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ଜଗତସିଂହପୁର ବ୍ଲକରୁ ୧୧ଜଣ, ତିର୍ତ୍ତୋଲ ବ୍ଳକରୁ ୮ଜଣ, ବିରିଡ଼ି ବ୍ଲକରୁ ୫ଜଣ, କୁଜଙ୍ଗ ବ୍ଲକରୁ ୪ଜଣ, ବାଲିକୁଦା ବ୍ଲକରୁ ୧୧ଜଣ, ଏରସମା ବ୍ଲକରୁ ୩ଜଣ, ନାଉଗାଁ ବ୍ଲକରୁ ୪ଜଣ ଏବଂ ରଘୁନାଥପୁର ବ୍ଲକରୁ ୮ଜଣ ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲାପାଳ ଏହି ଯୋଜନାର ସମୀକ୍ଷା କରି ସି.ଡି.ପି.ଓ ଓ ଡି.ସି.ପି.ଓ ସମସ୍ତ କର୍ମଚାରୀଙ୍କୁ ଏହି ଯୋଜନାକୁ ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦ୍ୟାବଧି ଜିଲ୍ଲାରେ ମୋଟ୍ ୫୧୬ଜଣ ପିଲାଙ୍କୁ ଏହି ଯୋଜନାରେ ସାମିଲ୍ କରିବା ପାଇଁ ଚିହ୍ନଟ କରାଯାଇଛି।

ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇ ବିଧିବଦ୍ଧ ତଦନ୍ତ ପୂର୍ବକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଗାମୀ ଦିନରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ବୁଣାକାର ସହଯୋଗ ସମିତିକୁ ଆର୍ଥିକ ପ୍ରୋତ୍ସାହନ

ରମେଶ ମହାନ୍ତି
ଜଗତସିଂହପୁର: ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣ ସମୟରେ ଜଗତସିଂହପୁର ଜିଲ୍ଲାର ପ୍ରାଥମିକ ବୁଣାକାର ସହଯୋଗ ସମିତି ମାନଙ୍କୁ ରାଜ୍ୟ ସ୍ତରୀୟ ମାର୍କେଟିଂ ସଂଗଠନ ମାନଙ୍କ ସହିତ ବୟନଶିଳ୍ପ ଉତ୍ପାଦ ସାମଗ୍ରୀ କିଣାବିକା ନିମନ୍ତେ ସଂଯୋଗୀକରଣ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ବଡବାଗ ପ୍ରାଥମିକ ବୁଣାକାର ସହଯୋଗ ସମିତି (ପି.ଏଚ୍.ସି.ଏସ୍)କୁ ବୟନିକା ଅନୁଷ୍ଠାନ ମାଧ୍ୟମରେ ୩୨.୨୫ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୫.୫୭ ଲକ୍ଷ ଟଙ୍କା ଏବଂ ଉତ୍କଳିକା ଅନୁଷ୍ଠାନ ମାଧ୍ୟମରେ ୨୦୨୦-୨୧ ବର୍ଷରେ ୪.୫୧ଲକ୍ଷ ଏବଂ ୨୦୨୧-୨୨ ବର୍ଷ ପାଇଁ ୨.୧୪ଲକ୍ଷ ମାର୍କେଟିଂ ନିମନ୍ତେ ସଂଯୋଗ କରାଯାଇଛି।

ସେହିପରି ୨୦୨୦-୨୧ ବର୍ଷରେ ବୟନିକା ସହିତ ଶ୍ରୀ ଶ୍ରୀ ପାର୍ବତୀ (ପି.ଏଚ୍.ସି.ଏସ୍) ୦.୬୭ଲକ୍ଷ , ବାସୁଦେବ ଶ୍ରୀ ସାରଳା (ପି.ଏଚ୍.ସି.ଏସ୍)୮.୫୦ ଲକ୍ଷ, ଜଗନ୍ନାଥପୁର (ପି.ଏଚ୍.ସି.ଏସ୍) ୭ଲକ୍ଷ, ଓଡିଶୋ (ପି.ଏଚ୍.ସି.ଏସ୍) ୧୮.୬୬ ଲକ୍ଷ, ଅଲଣାହାଟ (ପି.ଏଚ୍.ସି.ଏସ୍)୩.୧୭ ଲକ୍ଷ, କେନ୍ଦାଳ (ପି.ଏଚ୍.ସି.ଏସ୍) ୩.୦୧ ଲକ୍ଷ ,ନେତାଜୀ (ପି.ଏଚ୍.ସି.ଏସ୍) ୫.୫୧ ଲକ୍ଷ, ଶ୍ରୀ ଦୁର୍ଗା (ପି.ଏଚ୍.ସି.ଏସ୍) ୧.୭୦ ଲକ୍ଷ ଟଙ୍କା ବଜାର କିଣାବିକା ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ସେହିପରି ସିଦ୍ଧ ବାନାମ୍ବର ସମିତିକୁ ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ୨୦୨୦-୨୧ ବର୍ଷ ପାଇଁ ୧୦.୫୦ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୧.୬୭ ଲକ୍ଷ ମାର୍କେଟିଂ ସୁବିଧା ଯୋଗାଇ ଦିଆଯାଇଛି।

ଗତ ଜୁଲାଇ ୭ ତାରିଖରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୪୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨ଜଣ ବୁଣାକାରଙ୍କୁ ତନ୍ତ ନିମନ୍ତେ ୩୬ ହଜାର ଟଙ୍କା, ୬ ଜଣଙ୍କୁ ତନ୍ତ ସହିତ ଉପସାଧନ ସାମଗ୍ରୀ ନିମନ୍ତେ ୧.୨୯.୬୦୦ ଟଙ୍କା ଓ ୩୯ ଜଣ ବୁଣାକାରଙ୍କୁ ବୁଣାବୁଣି ସାମଗ୍ରୀ ନିମନ୍ତେ ୧.୪୦.୪୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ମାଟ୍ରିକ୍ ଟପ୍ପରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ରମେଶ ମହାନ୍ତି
ଜଗତସିଂହପୁର: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ନାଉଗାଁ ଦହିପାଳ ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ମୋନାଲିସା ବିଶ୍ୱାଳଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ। ତାଙ୍କର ଉଚ୍ଚଶିକ୍ଷା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍ ଜରିଆରେ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଜରୁରୀ ଅଧିକାରୀ ଅଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାମିଲି କୋର୍ଟ ଜଜ୍ ଜୀବନଜ୍ୟୋତି ରଥ ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର୍ ସଦିପା ପାତ୍ର, ମୁନସଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୁ, ଫରେଷ୍ଟର୍ ସୁକାନ୍ତ ବେହେରା, ବାନାମ୍ବର ବିଶ୍ୱାଳ, ବିଜୟିନୀ ବିଶ୍ୱାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀଗଣ ଓ କୋର୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଙ୍କପାଳ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା: ସମାଜସେବୀ ବୋଲାଉଥିବା ମହିଳାଙ୍କୁ ବିଭିନ୍ନ ମହଲରେ ନିନ୍ଦା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ ଟିକାକେନ୍ଦ୍ରରେ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିଭିନ୍ନ ମହଲରୁ ନିନ୍ଦାର ସୁଅ ଛୁଟୁଥିବା ବେଳେ ସରପଞ୍ଚଙ୍କୁ ସମର୍ଥନ ମିଳୁଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ।

ଅଭିଯୋଗ ଅନୁଯାୟୀ ଉକ୍ତ ପଞ୍ଚାୟତର ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଲୋକମାନଙ୍କୁ ଟିକା ପ୍ରଦାନ କରାଯିବା ନିମନ୍ତେ ବ୍ଲକ ପକ୍ଷରୁ ସରପଞ୍ଚ ମିନାକ୍ଷୀ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ସୁବନ୍ଦୋବସ୍ତ ମଧ୍ୟରେ ଟିକା ପ୍ରଦାନ କରାଯାଉଥିବା ବେଳେ ନିଜକୁ ସମାଜସେବୀ ବୋଲି କହୁଥିବା ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳା ୨ଦିନ ହେବ ଟିକା କେନ୍ଦ୍ରରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଏଥିସହିତ ଶୁକ୍ରବାର ଦିନ ସକାଳୁ ଉକ୍ତ ମହିଳା ଜଣକ ଟିକା କେନ୍ଦ୍ରରେ ପହଞ୍ଚି କୌଣସି ସୂତ୍ରରୁ ଟିକା ନେବା ପାଇଁ ସଂଗ୍ରହ କରିଥିବା କିଛି ଟୁକନକୁ ନିଜ ପାଖରେ ରଖିଥିଲେ। ଲୋକମାନେ ଧାଡିରେ ଛିଡାହୋଇ ଟିକା ନେବା ପାଇଁ ଟୁକନ୍ ସଂଗ୍ରହ କରୁଥିବା ବେଳେ ଉକ୍ତ ମହିଳା ଜଣକ ଧାଡିରେ ଛିଡା ହୋଇଥିବା କିଛି ଲୋକଙ୍କୁ ବାହାର କରି ତାଙ୍କର କିଛି ନିଜ ଲୋକଙ୍କୁ ଧାଡିରେ ଛିଡା କରାଇ ନିଜେ ଟୁକନ୍ ବାଣ୍ଟି ତାଙ୍କୁ ଆଗୁଆ ଟିକା ନେବାରେ ସହଯୋଗ କରୁଥିଲେ।

ଧାଡ଼ିରେ ଛିଡା ହୋଇଥିବା ଲୋକେ ଏନେଇ ଅଭିଯୋଗ କରିବା ସହ ଏନେଇ ଉକ୍ତ ମହିଳାଙ୍କୁ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସରପଞ୍ଚଙ୍କୁ ଏକ ଚାପୁଡ଼ା ମାରିବା ସହ ଚୁଟିକୁ ଧରି ତଳେ ଫୋପାଡି ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକମାନେ ସ୍ୱାଭାବିକ ଭାବେ ଟିକା ନେଇଥିଲେ। ଏସମ୍ପର୍କରେ ପଙ୍କପାଳ ସରପଞ୍ଚ ମିନାକ୍ଷୀ ଦାସ ଉକ୍ତ ସ୍ନେହମୟୀ ଆଚାର୍ଯ୍ୟ ନାମକ ମହିଳାଙ୍କ ନାମରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅପରପକ୍ଷରୁ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।

ଟିକାକେନ୍ଦ୍ରରେ ସର୍ବ ସମ୍ମୁଖରେ ସରପଞ୍ଚଙ୍କୁ ମାଡ ମାରିବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ଏନେଇ ପଙ୍କପାଳ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଅରୁଣ କୁମାର ପାଣି, ପରିବର୍ତ୍ତନ ଯୋଦ୍ଧା ପକ୍ଷରୁ ପରଂବ୍ରହ୍ମ ରାଉତ, ପଙ୍କପାଳ ବଣିକ ସଂଘ ପକ୍ଷରୁ ଫକିର ଦାସ ପ୍ରମୁଖ ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ ସମାଜସେବୀ ନାମରେ ଅସାମାଜିକ କାର୍ଯ୍ୟକୁ ବରଦାସ୍ତ କରାଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବୋଲି ଜଣାପଡିଛି।

ଅନ୍ୟପକ୍ଷରେ କୁଜଙ୍ଗ ସରପଞ୍ଚ ସଂଘର ସଭାପତି ମିହିର ରଞ୍ଜନ ସାହୁ ଓ ସମ୍ପାଦକ ପ୍ରମୋଦ କୁମାର ସରପଞ୍ଚଙ୍କୁ ମାଡ ଘଟଣାର ତୀବ୍ର ନିନ୍ଦା କରିବା ସହ କୁଜଙ୍ଗ ଥାନା ଅଧିକାରୀ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୨୮୦ କରୋନା ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୩୧୦ ଆକ୍ରାନ୍ତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ହୁ ହୁ ହୋଇ ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରୁ ଆଜି ୨୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁର ବ୍ଲକରୁ ସର୍ବାଧିକ ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୫୧ଜଣ, ଏରସମା ବ୍ଲକରୁ ୪୦ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ବିରିଡ଼ି ବ୍ଲକରୁ ୨୮ଜଣ, ରଘୁନାଥପୁର ବ୍ଲକରୁ ୨୩ଜଣ, ତିର୍ତ୍ତୋଲ ବ୍ଳକରୁ ୨୧ଜଣ, ନାଉଗାଁ ବ୍ଲକରୁ ୧୩ଜଣ, ପାରାଦ୍ଵୀପରୁ ୧୧ଜଣ ଓ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୭୧୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦୯୧ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରୁ ସମୁଦାୟ ୪୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଜିଲ୍ଲାରୁ ଆଜି ୩୧୦ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୦୨୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣାକୁ ଫୁ’: ବିବାହ କାର୍ଯ୍ୟରେ ଶତାଧିକ ଲୋକ, ନାଗୀନ୍ ନୃତ୍ୟ କଲେ ସୁକିନ୍ଦା ତହସିଲଦାର

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ କରୋନା କଟକଣାକୁ ଫୁ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନାଗିନ୍ ନୃତ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି। ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ, ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରାଯାଇଛି। ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗିରେ ଖୋଲମ୍ ଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

କେତେକ ପ୍ରଶାସନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ସହ ସୁକିନ୍ଦା ତହସିଲଦାର କରୋନା କଟକଣା ନିୟମର ଧଜିଆ ଉଡାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି। ସାମାଜିକ ଦୁରତା, ମାକ୍ସ ପରିଧାନ କଥାକୁ ପଛରେ ପକାଇ କନ୍ୟା ଘର ଆଗରେ କରୋନା କଟକଣାକୁ ଫୁ କରି ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ଖବର ପାଇ ତିର୍ତ୍ତୋଲ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର କୌଣସି ଅଦୃଶ୍ୟ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି।

ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା କୁହାଯାଉଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୦

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜିଲ୍ଲାରୁ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି, ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୫୯ ଜଣ ,ଜଗତସିଂହପୁର ବ୍ଲକରୁ ୫୪ଜଣ, ତିର୍ତ୍ତୋଲ ବ୍ଳକରୁ ୩୪ଜଣ, ନାଉଗାଁ ବ୍ଲକରୁ ୩୨ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୪ଜଣ, ବିରିଡି ବ୍ଲକରୁ ୧୦ଜଣ ଓ ଏରସମା ବ୍ଲକରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୨୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଆଜି ଜିଲ୍ଲାରୁ ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଏହି ଜିଲ୍ଲାର ସମଗ୍ର ଅଞ୍ଚଳରେ ଲାଗୁ ହେଲା ସପ୍ତାହନ୍ତ ସଟଡ଼ାଉନ

ଭୁବନେଶ୍ବର: ସମଗ୍ର ଜଗତସିଂହପୁର ଜିଲ୍ଲାରେ ସପ୍ତାହନ୍ତ ସଟଡ଼ାଉନ ଲାଗୁ କରାଯାଇଛି। କରୋନା ସଂକ୍ରମଣକୁ ଦେଖି ଜିଲ୍ଲାର ସବୁ ବଜାର କମିଟି ଏନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା। କମିଟିର ଅନୁରୋଧକ୍ରମେ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ଉଭୟ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି କଟକଣା ଲାଗୁ କରାଯିବ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ ଜଣ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୪୯ ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଳକରୁ ୧୯ ଜଣ, କୁଜଙ୍ଗ ବ୍ଲକରୁ ୧୯ଜଣ,ଜଗତସିଂହପୁର ବ୍ଳକରୁ ୧୭ଜଣ , ବିରିଡ଼ି ବ୍ଲକରୁ ୧୩ଜଣ ,ନାଉଗାଁ ବ୍ଲକରୁ ୧୧ଜଣ ,ବାଲିକୁଦା ବ୍ଲକରୁ ୯ଜଣ, ଏରସମା ବ୍ଲକରୁ ୬ଜଣ, ରଘୁନାଥପୁର ବ୍ଲକରୁ ୬ଜଣ ଓ ଜଗତସିଂହପୁର ୟୁ.ଏଲ୍.ବି ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୦୦୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ୫୩୧ ଜଣ ଆକ୍ରାନ୍ତ ଜିଲ୍ଲାରେ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ମଦଦୋକାନ ଖୋଲିବା ନେଇ ପ୍ରସ୍ତାବିତ ସ୍ଥାନ

ରମେଶ ମହାନ୍ତି
ଜଗତସିଂହପୁର: ଓଡିଶା ସରକାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନୀୟ କ୍ଷେତ୍ର ଅଞ୍ଚଳରେ ସ୍ୱଦେଶୀ ତିଆରି ଠିପିବନ୍ଦ ବିଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ମଞ୍ଜୁରି କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଏହି ଅଞ୍ଚଳ ଗୁଡ଼ିକ ମଧ୍ୟରେ କୁଜଙ୍ଗ ୧ ପାଇଁ କୁଜଙ୍ଗ ଗ୍ରାମପଞ୍ଚାୟତ ସେକ୍ଟର ୨୧ ,ୱାର୍ଡ଼ ନଂ -୧, ପାରାଦ୍ଵୀପ ମେରାଇନ୍ ଥାନା ପାଇଁ ପାରାଦ୍ବୀପ ପୌରପରିଷଦର ୱାର୍ଡ଼ ନଂ-୧, ପାରାଦ୍ଵୀପ ଲକ୍ ଥାନାର ଉଦୟବଟ ପାଇଁ ଉଦୟବଟ ଗ୍ରାମପଞ୍ଚାୟତ, ପାରାଦ୍ଵୀପ ଥାନାର ପାରାଦ୍ବୀପ ନଂ-୧ ପାଇଁ ବିଜୟା ମାର୍କେଟ, ବଡପଡିଆ ୱାର୍ଡ଼ ନଂ-୧୧, ଜଗତସିଂହପୁର ନଂ-୨ ପାଇଁ ଆଳିପିଙ୍ଗଳ ପଞ୍ଚାୟତ, ଜଗତସିଂହପୁର ନଂ-୩ ପାଇଁ କାଦୁଅପଡା ଗ୍ରାମ ପଞ୍ଚାୟତ, ନାଉଗାଁ ପାଇଁ ନାଉଗାଁ ଗ୍ରାମପଞ୍ଚାୟତରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି।

ସେହିପରି ଦେଶୀ ମଦ ଦୋକାନ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାରାଦ୍ବୀପ ଥାନା ଷଣ୍ଢକୁଦ ଅଞ୍ଚଳର ଷଣ୍ଢକୁଦ ପାଇଁ ୱାର୍ଡ଼ ନଂ-୧୮, ଅଠରବାଙ୍କି ପାଇଁ ୱାର୍ଡ଼ ନଂ-୬ ଅଠରବାଙ୍କି ଠାରେ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ ଉପରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା କୌଣସି ଜନସାଧାରଣଙ୍କର କୌଣସି ଅଭିଯୋଗ ଥାଏ, ତାହାଲେ ସେମାନେ ଏପ୍ରିଲ୍ ୨୩ତାରିଖ ୨୦୨୧ ସୁଦ୍ଧା ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଅଭିଯୋଗ କରିପାରିବେ।

ଏହି ଅଭିଯୋଗ ପତ୍ର ଜଗତସିଂହପୁର ଜିଲ୍ଲାପାଳଙ୍କ ଠିକଣାରେ ଚଳିତ ମାସ ଏପ୍ରିଲ୍ ୨୩ତାରିଖ ସୁଦ୍ଧା ପହଞ୍ଚାଇବା ଆବଶ୍ୟକ ଅଟେ। ଉକ୍ତ ସମୟସୀମା ପରେ କୌଣସି ଅଭିଯୋଗ ପତ୍ର ପ୍ରାପ୍ତ ହେଲେ ତାହା ବିଚାରକୁ ନିଆଯିବ ନାହିଁ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମିଶନଶକ୍ତି ବିଭାଗ କମିଶନର ସୁଜାତା କର୍ତ୍ତିକେୟନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବହୁବର୍ଷ ହେଲା ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ୨ରୁ ୩ବର୍ଷ ହେବ ଏଥିପାଇଁ ଅଧିକ ବ୍ୟୟ ବଜେଟ୍ କରିଛନ୍ତି ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଥିଲେ।

୨୦୧୯ କ୍ୟାବିନେଟ ନିଷ୍ପତି ମାଧ୍ୟମରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ମିଶନଶକ୍ତି ଋଣ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଧ ଛାଡ କରାଯାଇଛି। ସେହିସୁଧ ମହିଳା ମାନଙ୍କ ଖାତାକୁ ଯାଇଛି। ଏବର୍ଷ ମହିଳା ମାନଙ୍କୁ ୪ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁବିଧା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଛାଡ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ରାଜ୍ୟ ସରକାର ପ୍ରଥମଥର ପାଇଁ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି। ଜିଲ୍ଲାରେ କ’ଣ ସବୁ ସମସ୍ୟା ଅଛି ସେଥିପାଇଁ ସମସ୍ତ ଜିଲ୍ଲା ଗସ୍ତକରି ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ସମୀକ୍ଷା ବୈଠକରେ ବ୍ଲକ୍ ସ୍ତରୀୟ ଫେଡେରେସନର କାର୍ଯ୍ୟକ୍ରମ, ବ୍ୟାଙ୍କ୍ ଲିଙ୍କେଜ୍, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମିଶନଶକ୍ତି ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଚଳିତ ବଜେଟରେ ପ୍ରସ୍ତାବ ଅଛି ପ୍ରତି ବ୍ଲକ୍ ମହାସଂଘ ପାଇଁ ୫୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ମିଶନଶକ୍ତି ଗୃହ ନିର୍ମାଣ କରାଯିବ ଏବଂ ସେମାନେ ନିଜେ ଗୃହ ନିର୍ମାଣର ଦାୟୀତ୍ୱ ନେଇପାରିବେ। ସେହି ମିଶନଶକ୍ତି ଗୃହରେ ବ୍ଲକ୍ ମହାସଂଘର ବୈଠକ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିକ୍ରୟ କେନ୍ଦ୍ର ଖୋଲାଯିବ।

ଯେଉଁ ଏସ୍.ଏଚ୍.ଜି ମାନେ ଋଣ ପାଇପାରୁ ନାହାଁନ୍ତି କିମ୍ବା ଜି.ପି.ଏଲ୍.ଏଫ୍ ଓ ସି.ସିଲ୍.ଏଫ୍ ର ସହାୟତା ପାଉନାହାନ୍ତି କିନ୍ତୁ ତାଙ୍କର ନିହାତି ଆବଶ୍ୟକତା ଅଛି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ, କିମ୍ବା ଖାଦ୍ୟ ସୁରକ୍ଷା, ଜରୁରୀ ମେଡିକାଲ ଟ୍ରିଟମେଣ୍ଟ୍ ପାଇଁ ସେଥିପାଇଁ ସରକାର ପ୍ରତି ବ୍ଲକକୁ ୨୫ଲକ୍ଷ ଟଙ୍କା ରିଭିଲଭିଙ୍ଗ୍ ଫଣ୍ଡ୍ ଯୋଗାଇ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ତିର୍ତ୍ତୋଲ ବ୍ଲକ ବ୍ୟତୀତ ସମସ୍ତ ବ୍ଲକ୍ ପାଇଁ ୧କୋଟି ୨୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକାଙ୍କୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବ୍ଲକ୍ ଫେଡେରେସନ ଓ ଓଡ଼ିଶା ଜୀବିକା ମିଶନର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାରେ ଜୀବିକା ନିର୍ବାହ କାର୍ଯ୍ୟରେ ୧୩୩୮ ଏସ୍.ଏଚ୍.ଜି ଗୃପକୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ୨,୧୭,୨୪୬ ଜଣ ମହିଳା ୧୯୫୩୨ଟି ସ୍ୱୟଂ ସହାୟକ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଏହି ବୈଠକରେ ମିଶନଶକ୍ତି ବିଭାଗର ଉପ-ଶାସନ ସଚିବ ବିନୋଦ କୁମାର ଜେନା, ଟିମ୍ ଲିଡର ଚୌଧୁରୀ ଶ୍ରୀପତି ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣ ମଞ୍ଜରୀ ନାୟକ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଳ, ବ୍ଲକ୍ ଫେଡେରେସନ ସଭାପତି, ସମ୍ପାଦକଙ୍କ ସମେତ ଜୀବିକା ମିଶନ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।