ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେନୁଖଣ୍ଡା ଗାଁରେ ବିଲରୁ କାମ କରି ଫେରୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବ୍ରଜସାହୁଙ୍କ ପୁଅ ବିଜୟ କୁମାର ସାହୁ ଓ ନିରଞ୍ଜନ ଭୋଇଙ୍କ ପୁଅ ସାଗର ଭୋଇ। ସୋମବାର ମଧ୍ୟାହ୍ନରେ ଉଭୟ ନିଜ ଟ୍ରାକ୍ଟର ଓ ରୋଟର ଜରିଆରେ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ।
ଚାଷ ସାରି ଟ୍ରାକ୍ଟରରେ ବସି ଦ୍ୱୟ ଘରକୁ ଦଣ୍ଡା ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଦଣ୍ଡା ରାସ୍ତାର ଆବଡ଼ା ଖାବଡ଼ା ରାସ୍ତାରେ ଟ୍ରାକ୍ଟରର ରୋଟର ଦୋହଲି ଯାଇ ଦଣ୍ଡାର କିଛି ଅଂଶ ଖୋଳି ଦେଇଥିଲା। ତେବେ ରୋଟର ୪ ଆଙ୍ଗୁଳି ଗହିଡାରେ ଖୋଳି ହେବା ନେଇ, ବିଲ ମଧ୍ୟରେ ଥିବା ବିଶ୍ୱଜିତ୍ ବେହେରାଙ୍କ ଏଲ୍.ଆଇ ପଏଣ୍ଟର କେବୁଲ ମାଧ୍ୟମରେ ୩ଫେଜ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ଟ୍ରାକ୍ଟର ଚଳାଉଥିବା ଶ୍ରୀ ସାହୁ ଓ ଟ୍ରାକ୍ଟର ଉପରେ ବସିଥିବା ଶ୍ରୀ ଭୋଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ।
ତେବେ ନିକଟ ରାସ୍ତା ପରେ ଥିବା କିଛି ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡିଆସି ବିଦ୍ୟୁତ୍ କେବୁଲ ହଟାଇବା ସହିତ ଗୁରୁତର ଦ୍ୱୟକୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଏପଟେ ଘଟଣା ପରେ ତାତିଛନ୍ତି ଗାଁ ଲୋକ। ଚାଷୀଙ୍କ ମୃତ୍ୟୁପରେ ଗାଁ ଲୋକ ଉତ୍ୟକ୍ତ ହୋଇ ମାଟି ତଳେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି।


